ଅପରାଧ

ଡକାୟତ ପାଖରେ କେଜିଏ ସୁନା, ୩.୨୫ ଲକ୍ଷ ଟଙ୍କା: ବନ୍ଧାହେଲେ ‘କାଜଲ୍‌-ମଧୁ-ବିଟୁ’ – Kalinga News

[ad_1]

୭ ଜିଲ୍ଲା ପୁଲିସ ଖୋଜୁଥିଲେ

ଭୁବନେଶ୍ବର: ସାତ ସାତଟି ଜିଲ୍ଲା ପୁଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଥିବା ମୋଷ୍ଟୱାଣ୍ଟେଡ୍‌ ଡକାୟତ ଟ୍ରିପଲ୍‌ କାଜଲ୍-ମଧୁ-ବିଟୁ ଗ୍ୟାଙ୍ଗ୍‌କୁ ଶେଷରେ କମିସନରେଟ୍‌ ପୁଲିସ ବାନ୍ଧିଛି। ୩ କୁଖ୍ୟାତ ଡକାୟତ ଜଗତସିଂହପୁର ପାରାଦୀପ ଲକ୍‌ ଥାନା ଉଦୟବଟ ଗାଁର ଶୁଭ୍ରକାନ୍ତ ବେହେରା ଓରଫ୍ କାଜଲ୍‌(୩୩), ସେହି ଜିଲ୍ଲା ବାରଗଡ଼ କାଣ୍ଡିସାହିର ମଧୁସୂଦନ ମହାନ୍ତି ଓରଫ୍ ମଧୁ(୩୪) ଓ ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଇଛାପୁରର ବିଶ୍ବଜିତ ଦାସ ଓରଫ୍ ବିଟୁ(୩୦)ଙ୍କୁ ଚନ୍ଦ୍ରଶେଖରପୁର ଥାନା ପୁଲିସ ଆଜି କୋର୍ଟ ଚାଲାଣ କରିଛି। ସେହିଭଳି ସେମାନଙ୍କଠାରୁ ଚୋରି ଅଳଙ୍କାର କିଣିଥିବା ଅଭିଯୋଗରେ ପାରଦୀପସ୍ଥିତ ଜଗନ୍ନାଥ ଜୁଏଲର୍ସର ମାଲିକ ତିର୍ତ୍ତୋଲ ବଣିଆସାହିର ସୁଦାମ ସାହୁକୁ ମଧ୍ୟ କୋର୍ଟ ଚାଲାଣ କରାଯାଇଛି। ଏହି ଗ୍ୟାଙ୍ଗ୍‌ ନିକଟରୁ ପୁଲିସ ୧ କେଜି ଓଜନର ସୁନା ଅଳଙ୍କାର, ପାଖାପାଖି ଦେଢ଼ କେଜିର ରୁପା ଅଳଙ୍କାର, ନଗଦ ୩ ଲକ୍ଷ ୨୫ ହଜାର ଟଙ୍କା, ଡକାୟତିରେ ବ୍ୟବହୃତ ଉପକରଣ ଓ ମାରଣାସ୍ତ୍ର, ବାଇକ୍‌ ଓ ମୋବାଇଲ୍‌ ଜବତ କରିଛି। ମାତ୍ର ଅଢ଼େଇ ମାସ ଭିତରେ ପୁରୀ, ଜଗତସିଂହପୁର, ଭଦ୍ରକ, ନୟାଗଡ଼, ଯାଜପୁର, କେନ୍ଦ୍ରାପଡ଼ା ଓ ରାଜଧାନୀରେ ଡକାୟତି କରି ଏହି ଗ୍ୟାଙ୍ଗ୍‌ କୋକୁଆଭୟ ଖେଳାଇଦେଇଥିଲା। ନିକଟରେ ପୁରୀ ବଳଙ୍ଗା ଥାନା ଅଞ୍ଚଳରେ ଡାକ୍ତର ଦମ୍ପତିଙ୍କ ଘରୁ ସଶସ୍ତ୍ର ଡକାୟତି କରି ଏହି ଗ୍ୟାଙ୍ଗ୍‌ ପୁଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା। ଆଜି ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିସନର ସଞ୍ଜୀବ ପଣ୍ଡା ଓ ଡିସିପି ପ୍ରତୀକ ସିଂ ଏହି ଗ୍ୟାଙ୍ଗ୍‌ ବାବଦରେ ସୂଚନା ଦେଇଥିଲେ।

ଟ୍ରିପ୍‌ଲ ନାଁରେ ମାଳମାଳ ମାମଲା
ପୁଲିସ ସୂଚନାନୁସାରେ ମାର୍ଚ୍ଚ ୩୦ ତାରିଖ ରାତିରେ କାନନବିହାର ଫେଜ୍‌-୧ରୁ ଏକ ବଡ଼ଧରଣର ଚୋରି ହୋଇଥିବା ନେଇ ଉମାକାନ୍ତ ନାୟକ ଅଭିଯୋଗ କରିଥଲେ। ସେହିଭଳି କିଛି ଦିନର ବ୍ୟବଧାନରେ ଇନ୍‌ଫୋସିଟି ଥାନା ଓ ନନ୍ଦନକାନନ ଥାନା ଅଞ୍ଚଳରୁ ଅନୁରୂପ ଚୋରି ହୋଇଥିବା ଅଭିଯୋଗ ମିଳିଥିଲା। ତେଣୁ କମିସନରେଟ୍‌ ପୁଲିସର ସ୍ପେସାଲ୍ ସ୍କ୍ବାଡ୍‌କୁ ତଦନ୍ତ ଭାର ଦିଆଯାଇଥିଲା। ଏହି ୩ ଡକାୟତି ଗୋଟିଏ ତରିକାରେ ହୋଇଥିଲା ବୋଲି ପୁଲିସ ତଦନ୍ତରୁ ଜଣାପଡ଼ିଥିଲା। ସେହିଭଳି ପୁରୀ ବଳଙ୍ଗାରେ ଡାକ୍ତର ଦମ୍ପତିଙ୍କ ଘରୁ ହୋଇଥିବା ସଶସ୍ତ୍ର ଡକାୟତିର ଢାଞ୍ଚା ମଧ୍ୟ ସମାନ ଥିଲା। ପୁରୀ ଜିଲ୍ଲା ଅସ୍ତରଙ୍ଗ, କୋଣାର୍କ, ବଳଙ୍ଗା ମାମଲା ପରେ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀରେ ହୋଇଥିବା ଏକ ଡକାୟତି ମାମଲାରେ ବି କୌଣସି ଗୋଟିଏ ଗ୍ୟାଙ୍ଗ୍‌ର ହାତ ଥିବା ପ୍ରମାଣ ମିଳିଥିଲା। ଏସବୁ କୌଣସି ପେସାଦାର ଗ୍ୟାଙ୍ଗ୍‌ର କାମ ବୋଲି ସ୍ପଷ୍ଟ ହେବା ପରେ ପୁଲିସ ବିଭିନ୍ନ ଜିଲ୍ଲା ପୁଲିସ ସହ ଯୋଗାଯୋଗ କରିଥିଲା। ସବୁଆଡ଼ୁ ତଥ୍ୟ ମିଳିବା ପରେ ପୁଲିସ କୁଖ୍ୟାତ କାଜଲ୍-ମଧୁ-ବିଟୁ ଗ୍ୟାଙ୍ଗ୍‌ର ପିଛା କରିଥିଲା। ଏମାନଙ୍କ ନାଁରେ ମାଳମାଳ ମାମଲା ଥିବାରୁ ଠାବ କରିବା ସହଜ ହୋଇଥିଲା। କାଜଲ୍‌ ନାଁରେ ୩୧, ମଧୁ ନାଁରେ ୩୮ ଓ ବିଟୁ ନାଁରେ ୧୨ରୁ ଅଧିକ ମାମଲା ରହିଛି। ମଧୁ ଜଣେ ହତ୍ୟା ଅଭିଯୁକ୍ତ। ଜଗତସିଂହପୁରରେ ଏକ ହତ୍ୟା ମାମଲାରେ ସେ ଜେଲ୍‌ ଯାଇଥିଲା। ଘରୁ ଡକାୟତି କରିବା ସହ ଛିନ୍‌ତାଇ କରିବାରେ ମଧ୍ୟ ଏହି ତିନିଜଣ ବେଶ୍ ପାରଙ୍ଗମ। କମିସନରେଟ୍‌ ପୁଲିସର ପ୍ରାୟ ୬ଟି ଥାନା ଅଞ୍ଚଳରେ ଏହି ଗ୍ୟାଙ୍ଗ୍‌ ସକ୍ରିୟ ଥିବା ମାମଲାରୁ ଜଣାପଡ଼ିଛି।

ମୁଣ୍ଡଜାମିନରେ ଡକାୟତି-
ଏହି ଗ୍ୟାଙ୍ଗ୍‌ ସିନ୍ଧିଚୋରିରେ ଓସ୍ତାଦ। ଦିନରେ ବୁଲିବୁଲି ରେକି କରନ୍ତି ଏବଂ ବିଭିନ୍ନ ଘରକୁ ଟାର୍ଗେଟ୍‌ କରନ୍ତି। ଏହାବାଦ୍‌ ଏମାନଙ୍କର ବି ଖବରି ଅଛନ୍ତି। ଖବରିମାନେ କୌଣସି ଘରକୁ ଟାର୍ଗେଟ୍‌ କରି ଏମାନଙ୍କୁ ଜଣାଇଦିଅନ୍ତି। ଘରର ଗ୍ରିଲ୍‌ କାଟିବା, ଝରକା ଗ୍ରିଲ୍‌ ତାଡ଼ିବା, ତାଲା ଭାଙ୍ଗିବା ଭଳି କାମ ସେମାନଙ୍କ ବାଁ ହାତର ଖେଳ। ବିନା ଶବ୍ଦରେ ସେମାନେ ଏସବୁ କରି ଘରେ ପଶିଯାଆନ୍ତି। ସେହିଭଳି ଘରେ ପରିବାର ଲୋକ ଥିଲେ, ସେମାନେ ମାରଣାସ୍ତ୍ରରେ ଭୟଭୀତ କରାଇ ଧସେଇ ପଶନ୍ତି। ମହିଳା ଓ ଶିଶୁଙ୍କ ମୁଣ୍ଡଜାମିନ ରଖି ସେମାନେ ଡକାୟତି କରନ୍ତି। କୌଣସି ବିପଦର ଆଶଙ୍କା ଥିଲେ, ସେମାନେ ମାରଣାସ୍ତ୍ରରେ ପ୍ରାଣାନ୍ତକ ଆକ୍ରମଣ କରିବାକୁ ପଛାନ୍ତି ନାହିଁ। ବଳଙ୍ଗାରେ ଡାକ୍ତରଙ୍କ ଘରେ ପଶିବା ପରେ ଜଣେ ଶିଶୁର ମୁଣ୍ଡ ଜାମିନ ରଖିଥିଲେ ଏବଂ ପରିବାରର ମହିଳା ଓ ପୁରୁଷମାନଙ୍କୁ ଭୁଜାଲି ଚୋଟରେ ଆହତ କରିଥିଲେ।

ଅଢ଼େଇ ମାସରେ ଖେଦିଯାଇଥିଲେ
ଗତବର୍ଷ ଜୁନରେ ଏକ ଡକାୟତି ମାମଲ‌ାରେ କାଜଲ୍‌, ବିଟୁ ଧରାପଡ଼ି ଜେଲ୍‌ ଯାଇଥିଲେ। ମାତ୍ର ଧୂର୍ତ୍ତ ମଧୁ ପୁଲିସକୁ ଚକ୍‌ମା ଦେଇ ତାମିଲନାଡ଼ୁ ପଳାଇଥିଲା। ପ୍ରାୟ ୯ ମାସ ଜେଲ୍‌ରେ ରହିବା ପରେ କାଜଲ ଓ ବିଟୁ ‌ଚଳିତବର୍ଷ ଫେବ୍ରୁଆରିରେ ଜାମିନରେ ମୁକୁଳିଥିଲେ। ସେମାନେ ଜେଲ୍‌ରୁ ବାହାରିବା ପରେ ମଧୁ ତାମିଲନାଡ଼ୁରୁ ଓଡ଼ିଶା ଫେରିଥିଲା। ୯ ମାସ କାଳ ବେରୋଜଗାର ହୋଇପଡ଼ିଥିବା ଏହି ଟ୍ରିପ୍‌ଲ ତୁରନ୍ତ ତୟାର୍ ହୋଇଯାଇଥିଲେ। ମାତ୍ର ଅଢ଼େଇ ମାସରେ ସେମାନେ ଭୁବନେଶ୍ବରରୁ ବଳଙ୍ଗା, କୋଣାର୍କ, ଭଣ୍ଡାରିପୋଖରୀ ଆଦି ଅଞ୍ଚଳକୁ ଖେଦିଯାଇଥିଲେ। କେବଳ ଭୁବନେଶ୍ବରରେ ପାଞ୍ଚ ପାଞ୍ଚଟି ଡକାୟତି କରି ପୁଲିସକୁ ଚ୍ୟାଲେଞ୍ଜ ଦେଇଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button