ଅପରାଧ

ଫେରାଉ ନାହାନ୍ତି ୬ କୋଟି: ଲୋକେ ଧାଇଁ ଧାଇଁ ହତାଶ, ପୁଲିସ ନିରୁପାୟ, ବ୍ୟାଙ୍କ ନିରବ – Kalinga News

[ad_1]

କେବେ ମିଳିବ, କେମିତି ମିଳିବ, କାହାରି ପାଖରେ ଉତ୍ତର ନାହିଁ

ଭୁବନେଶ୍ବର: ବିଭିନ୍ନ ବ୍ୟାଙ୍କରେ ବ୍ଲକ୍‌ ବା ଫ୍ରିଜ୍‌ ହୋଇ ପଡ଼ିଥିବା ନିଜର ପ୍ରାୟ ୬ କୋଟି ସାଇବର ଠକେଇ ଟଙ୍କା ପାଇବାଲାଗି ଲୋ‌କେ ଚାହିଁ ବସିଛନ୍ତି। କିନ୍ତୁ କଷ୍ଟୋପାର୍ଜିତ ଏହି ଟଙ୍କା ସେମାନଙ୍କୁ କେବେ ମିଳିବ, କାହାରି ପାଖରେ ଉତ୍ତର ନାହିଁ। ପୁଲିସ ଏ ମାମଲାରେ ଏକ ପ୍ରକାର ହାତ ଟେକି ଦେଇଛି। ବିଭିନ୍ନ ଉପାୟରେ ଲୋକଙ୍କୁ ଠକି ସାଇବର ଲୁଟେରା ହଡପ କରିବା ଟଙ୍କାକୁ ପୁଲିସ ବ୍ଲକ୍‌ କରିଛି। ଠକେଇର ‘ଗୋଲ୍‌ଡେନ୍‌ ଆଵାର’ ଭିତରେ ସଂପୃକ୍ତ ବ୍ୟକ୍ତି ପୁଲିସକୁ ଜଣାଇବାରୁ କିମ୍ବା ଠକେଇ ଟଙ୍କାକୁ ଚାଲାଣ କରିବାରେ ଠକମାନଙ୍କର ବିଳମ୍ବ କାରଣରୁ କିଛ ଅଂଶକୁ ବ୍ଲକ୍‌ କରିବାରେ ସମର୍ଥ ହୋଇଛି ପୁଲିସ। ଫଳରେ ଠକମାନେ ଠକେଇ ଟଙ୍କା ଉଠାଇ ପାରି ନାହାନ୍ତି କିମ୍ବା ଅନ୍ୟ ଆକାଉଣ୍ଟକୁ ଟ୍ରାନ୍‌ସଫର କରି ହଡ଼ପ କରି ପାରିନାହାନ୍ତି। ଏହି କ୍ରମରେ କେବଳ ଭୁବନେଶ୍ବରରେ ଗତ ୩ ମାସ ଭିତରେ ପ୍ରାୟ ୧୬ କୋଟି ଟଙ୍କା ସାଇବର ଠକେଇ ହୋଇଥିବା ବେଳେ ସାଇବର ପୁଲିସ ତା’ଭିତରୁ ୬ କୋଟି ଟଙ୍କା ବ୍ଲକ କରି ପାରିଛି। ବାକି ଟଙ୍କାକୁ ଉଡ଼ାଇ ନେଇଛନ୍ତି ଠକ। ହେଲେ ଠକେଇର ଶିକାର ହୋଇଥିବା ଲୋକମାନେ ବ୍ୟାଙ୍କ୍‌ରେ ବ୍ଲକ୍‌ ହୋଇ ପଡ଼ିଥିବା ନିଜ ଟଙ୍କା ଫେରି ପାଇପାରୁ ନାହାନ୍ତି। ଏହାକୁ ନେଇ ସେମାନଙ୍କ ଭିତରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏ ମାମଲାରେ କମିସନରେଟ୍‌ ପୁଲିସ ପ୍ରାୟତଃ ଉପାୟଶୂନ୍ୟ ହୋଇ ପଡ଼ିଥିବାବେଳେ ଲୋକେ ନିଜ ଟଙ୍କାକୁ ନେଇ ଆଶା ଓ ଆଶଙ୍କା ଭିତରେ ଦୋଳି ଖେଳୁଛନ୍ତି।

ତଥ୍ୟ ଅନୁସାରେ, ରାମକୃଷ୍ଣ ସାହୁ (ଛଦ୍ମନାମ) ଏକ ଟ୍ରେଡିଂ ଆପ୍‌ରେ ୨୬ ଲକ୍ଷ ଟଙ୍କା ସାଇବର ଠକେଇର ଶିକାର ହୋଇଥିଲେ। ସେ ଠିକଣା ସମୟରେ ଅଭିଯୋଗ କରିବାରୁ ସାଇବର ପୁଲିସ ଏଥିରୁ ୧୭ ଲକ୍ଷ ଟଙ୍କାକୁ ବ୍ଲକ୍‌ କରିଥିଲା। ଏହି ଟଙ୍କା ବିଭିନ୍ନ ବ୍ୟାଙ୍କରେ ଏବେ ପଡି ରହିଛି। ୯ ଲକ୍ଷ ହରାଇଥିଲେ ହେଁ ଶ୍ରୀ ସାହୁଙ୍କ ପାଖକୁ ବାକି ଟଙ୍କା ଫେରିନି। ସେ ମାସେରୁ ଅଧିକ ସମୟ ହେଲାଣି ସାଇବର ଥାନାକୁ ଧାଉଁଛନ୍ତି। ସାହୁଙ୍କ ଭଳି ଆହୁରି ଅନେକ ଅଛନ୍ତି; ଯେଉଁମାନେ ନିଜ ଟଙ୍କା ଫେରିବାକୁ ଚାହିଁ ବସିଛନ୍ତି। ଗୁରୁତ୍ବପୂର୍ଣ୍ଣ ହେଲା, ଟଙ୍କା କାହିଁକି ଫେରି ପାରୁନି, ସମସ୍ୟା କେଉଁଠି ରହିଛି, କେବେ ଫେରିବ, ଫେରିବା କି ନା- ଏସବୁର କିଛି ନିର୍ଦ୍ଦିଷ୍ଟ ଉତ୍ତର ମିଳୁନାହିଁ। ଯାହା ଖବର ମିଳୁଛି, ସମସ୍ୟା ରହିଛି ବ୍ୟାଙ୍କ୍‌ଗୁଡ଼ିକରେ। ପୁଲିସର ନିର୍ଦ୍ଦେଶ ଆଧାରରେ ବ୍ୟାଙ୍କଗୁଡ଼ିକ ଠକମାନଙ୍କର ଆକାଉଣ୍ଟଗୁଡ଼ିକୁ ଫ୍ରିଜ୍‌ ସିନା କରିଛନ୍ତି, କିନ୍ତୁ ଟଙ୍କା ହସ୍ତାନ୍ତର କରୁ ନାହାନ୍ତି। ସାଇବର ଥାନାର ଜଣେ ଅଧିକାରୀଙ୍କ ମତରେ, ଏଥିରେ ପୁଲିସ କିଛି କରିବାର ନାହିଁ। ସଂପୃକ୍ତ ଲୋକମାନେ ଅଦାଲତର ଆଶ୍ରୟ ନେଇ ସେଠାରେ ଟଙ୍କାର ମାଲିକାନା ବିଷୟରେ ପ୍ରମାଣ ଦେଲେ, ଅଦାଲତ ହୁଏତ ଟଙ୍କା ଫେରସ୍ତ ଦେବାଲାଗି ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇ ପାରନ୍ତି। ତେବେ ଏ ବିଷୟରେ ମଧ୍ୟ କିଛି ନିର୍ଦ୍ଦିଷ୍ଟ ନିୟମ ନାହିଁ। ତେଣୁ ଟଙ୍କା ହରାଇ ହତାଶ ହୋଇ ପଡ଼ିଥିବା ଲୋକେ ପୁଣି ଅଦାଲତର ଜଟିଳ ଓ ଲମ୍ବା ପ୍ରକ୍ରିୟା ଭିତରକୁ ଯିବେ କି ନା, ଦ୍ବନ୍ଦ୍ବରେ ଅଛନ୍ତି।

ପୁଲିସର ତଥ୍ୟ ଅନୁସାରେ, ଗତ ଜାନୁଆରି ମାସରେ ଭୁବନେଶ୍ବରରୁ ୫ କୋଟି ୨୦ ଲକ୍ଷ ୬୩ ହଜାର ୩୧୬ ଟଙ୍କାର ସାଇବର ଠକେଇ ହୋଇଥିଲା। ତା’ ଭିତରୁ ୩କୋଟି ୧୯ ଲକ୍ଷ ୪୬ ହଜାର ଟଙ୍କାକୁ ବ୍ଲକ୍‌ କରିବାରେ ପୁଲିସ ସଫଳ ହୋଇଛି। ସେହିପରି ଫେବ୍ରୁଆରିରେ ୪ କୋଟି ୭୨ ଲକ୍ଷ ୨୮ ହଜାର ଟଙ୍କା ସାଇବର ଠକେଇ ହୋଇଥିବାବେଳେ ସେଥିରୁ ପ୍ରାୟ ୮୫ ଲକ୍ଷ ୫୩ ହଜାର ଟଙ୍କାକୁ ବ୍ଲକ୍‌ କରା ଯାଇପାରିଛି। ମାର୍ଚ୍ଚରେ ସାଇବର ଠକ ଲୁଟ୍‌ କରିଥିବା ପ୍ରାୟ ୫ କୋଟି ୨୪ ଲକ୍ଷ ଟଙ୍କାରୁ ପ୍ରାୟ ୧ କୋଟି ୩୩ ଲକ୍ଷ ଟଙ୍କାକୁ ବ୍ଲକ୍‌ କରା ଯାଇଛି। ଏସବୁ ବିଭିନ୍ନ ବ୍ୟାଙ୍କରେ ଫସି ରହିଛି। କିଛି ବରିଷ୍ଠ ପୁଲିସ ଅଧିକାରୀଙ୍କ ମତରେ, ସ୍ବତନ୍ତ୍ର ଟ୍ରିବ୍ୟୁନାଲ୍‌ ବା ଅନ୍ୟ କ୍ଷମତାପ୍ର‌ାପ୍ତ ବିଭାଗ ଜରିଆରେ ଏହି ସମସ୍ୟାର ସମାଧାନ ହୋଇପାରେ। କିନ୍ତୁ ତାହା ମଧ୍ୟ ସମୟ ସାପେକ୍ଷ। ପାଖାପାଖି ସେହି କାରଣରୁ ଚିଟ୍‌ଫଣ୍ଡ ଠକେଇରେ ବ୍ଲକ୍‌ ହୋଇଥିବା କୋଟି କୋଟି ଟଙ୍କାରୁ ଏକ ବଡ଼ଭାଗ ଏବେଯାଏ ଜମାକାରୀଙ୍କ ହାତକୁ ଫେରି ପାରିନାହିଁ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button