ନକ୍ସଲଙ୍କୁ ଖାତିର କଲେନି: ବଣ୍ଡାଘାଟି ଓ ସ୍ବାଭିମାନ ଅଞ୍ଚଳରେ ପ୍ରବଳ ମତଦାନ – Kalinga News

[ad_1]
ମାଲକାନଗିରି: ମାଲକାନଗିରି ଜିଲ୍ଲାର ବଣ୍ଡାଘାଟି ଏବଂ ସ୍ବାଭିମାନ ଅଞ୍ଚଳରେ ଶାନ୍ତିଶୃଙ୍ଖଳାର ସହ ମତଦାନ ଶେଷ ହୋଇଛି। ନକ୍ସଲଙ୍କ ଭୋଟ ବର୍ଜନ ଆହ୍ବାନର କୌଣସି ପ୍ରକାର ପ୍ରଭାବ ଭୋଟରଙ୍କ ଉପରେ ପଡ଼ିନି। ଘଣ୍ଟାଘଣ୍ଟା ଅପେକ୍ଷା କରି ପ୍ରବଳ ଉତ୍ସାହର ସହ ମତଦାନ କରିଛନ୍ତି। ବଣ୍ଡାଘାଟିର ଅଣ୍ଡ୍ରାହାଲ ଓ ମଦୁଲିପଡ଼ା ପଞ୍ଚାୟତରେ ୬ଟି ବୁଥ୍ ହୋଇଥିବା ବେଳେ ୫୩୪୭ଜଣ ଭୋଟର ରହିଛନ୍ତି। ସେଥିରୁ ଅଣ୍ଡ୍ରାହାଲରେ ୧୦୩୧ଜଣ, ବଡ଼ବେଲ ବୁଥ୍ରେ ୧୦୩୮, ପାତ୍ରପୁଟ ବୁଥ୍ରେ ୫୪୫, ବଣ୍ଡାପଡ଼ା ବୁଥ୍ରେ ୪୦୦, ମୁଦୁଲିପଡ଼ା-୧ ବୁଥ୍ରେ ୧୨୪୬ ଏବଂ ମୁଦୁଲିପଡ଼ା-୨ ବୁଥରେ ୧୦୮୭ଜଣ ଭୋଟର ରହିଛନ୍ତି। ସଂଧ୍ୟା ୫ଟା ସୁଦ୍ଧା ବଣ୍ଡାଘାଟିରେ ୬୦ ପ୍ରତିଶତ ମତଦାନ ହୋଇଥିଲା। ବଣ୍ଡାଘାଟିରେ ଗୋଟିଏ ଦଶକ ପରେ ମତଦାନ କେନ୍ଦ୍ର ହୋଇଥିବାରୁ ବଣ୍ଡା ମହିଳାଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ଘାଟିରେ ନୂଆ ଭୋଟର ମଧ୍ୟ ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଚିତ୍ରକୋଣ୍ଡା ବ୍ଲକର ସ୍ବାଭିମାନ ଅଞ୍ଚଳରେ ୨୩ଟି ବୁଥ୍ରେ ମୋଟ ୧୯,୫୦୨ ଭୋଟର ରହିଛନ୍ତି। ଯନ୍ତ୍ରୀ ପଞ୍ଚାୟତରେ ୨ଟି ବୁଥ, ଅଣ୍ଡ୍ରାପାଲୀରେ ଗୋଟିଏ, ପଣସପୁଟରେ ୪ଟି, ଧୂଳିପୁଟରେ ୬ଟି, ବଡ଼ପଡ଼ାରେ ୨ଟି, ଗାଜଲମାମୁଡ଼ିରେ ୨ଟି, ଯଡ଼ାମ୍ବରେ ୨ଟି ଏବଂ ରାଲଗେଡ଼ାରେ ୨ଟି ବୁଥ୍ କରାଯାଇଥିଲା। ଏକଦା ସ୍ବାଭିମାନ ଅଞ୍ଚଳ ନକ୍ସଲଙ୍କ କବ୍ଜାରେ ରହିଥିଲା। ତେଣୁ ସୁରକ୍ଷା ଦୃଷ୍ଟିରୁ ସଂପୂର୍ଣ୍ଣ ସ୍ବାଭିମାନ ଅଞ୍ଚଳକୁ ବିଏସ୍ଏଫ୍ ଯବାନ ଘେରି ରହିଥିଲେ। ଯାହାଫଳରେ ଭୋଟର ସ୍ବାଚ୍ଛନ୍ଦ୍ୟରେ ମତଦାନ କେନ୍ଦ୍ରରେ ଭିଡ଼ ଜମାଇଥିବା ଦେଖିବାକୁ ମିଳିଥିଲା। ନକ୍ସଲ ପ୍ରବଣ ଯନ୍ତ୍ରୀ, ସନ୍ନ୍ୟାସୀଗୁଡ଼ା, ଯଡ଼ାମ୍ବ ବୁଥ୍ରେ ଲୋକେ ମତଦାନ କେନ୍ଦ୍ରକୁ ଆସି ଧାଡ଼ିରେ ଛିଡ଼ା ହୋଇ ଭୋଟ ଦେଇ ଫେରିଛନ୍ତି। ସଂଧ୍ୟା ୫ଟା ସୁଦ୍ଧା ୫୦ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି। ସୁରକ୍ଷା ନିମନ୍ତେ ଏକ ହଜାରରୁ ଊର୍ଦ୍ଧ୍ବ ଯବାନ ସଂପୂର୍ଣ୍ଣ ସ୍ବାଭିମାନ ଅଞ୍ଚଳକୁ ଘେରି ରହିଛନ୍ତି। ସେହିପରି ସ୍ବାଭିମାନ ଅଞ୍ଚଳ ଆନ୍ଧ୍ର ସୀମାକୁ ଲାଗି ରହିଥିବାରୁ ସୀମାକୁ ସିଲ୍ କରାଯିବା ସହ ନକ୍ସଲଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖାଯାଇଥିଲା। ଏସ୍ପି ନୀତିଶ ଵାଧଵାନି ଏବଂ ଜିଲ୍ଲାପାଳ ସଚିନ ପାଵାର ବଣ୍ଡାଘାଟି ଓ ସ୍ବାଭିମାନ ଅଞ୍ଚଳ ଉପରେ ସ୍ବତନ୍ତ୍ର ନଜର ରଖିଥିଲେ।
[ad_2]




