ରାଜନୀତି

ପଶ୍ଚିମଓଡ଼ିଶାରୁ କେନ୍ଦ୍ରକୁ ନବୀନଙ୍କ ଟାର୍ଗେଟ୍‌: କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି – Kalinga News

[ad_1]

ବଲାଙ୍ଗୀର/ସିନ୍ଧେକେଲା/କଣ୍ଟାବାଞ୍ଜି/ ବରଗଡ଼: ବିରୋଧୀ ଦଳ ନେତାମାନେ ମିଛ କହୁଛନ୍ତି। ବିଜେପି ଏଠି କୁମ୍ଭୀର କାନ୍ଦଣା କାନ୍ଦୁଛି। ଏମିତି ଅଭିଯୋଗ କରି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡ଼ିଶାରେ ବିଜେପିକୁ ଟାର୍ଗେଟ କରିଛନ୍ତି। ଅନ୍ୟପକ୍ଷରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ କିନ୍ତୁ କେନ୍ଦ୍ର ସରକାରଙ୍କ ବିରୋଧରେ ପୁଣି ଥରେ ଗର୍ଜନ ତର୍ଜନ କରିଛନ୍ତି। ପ୍ରଧାନମନ୍ତ୍ରୀ ବି ବାଦ୍ ପଡ଼ିନାହାନ୍ତି। ବିଜୁଳି ଠାରୁ ଧାନ ପର୍ଯ୍ୟନ୍ତ ବିଭିନ୍ନ ପ୍ରସଙ୍ଗ ଉଠାଇ ଶ୍ରୀ ପାଣ୍ଡିଆନ ସିଧା ସିଧା କହିଛନ୍ତି ଯେ ବିରୋଧୀ ଦଳ ଲୋକଙ୍କୁ ଦିନ ବେଳା ଲଣ୍ଠନ ଦେଖାଉଛି। ସମ୍ବଲପୁରୀ ଭାଷା ପାଇଁ କେନ୍ଦ୍ର ସରକାର କ’ଣ କରିଛନ୍ତି, ଜବାବ ଦିଅନ୍ତୁ। କେବଳ ସେତିକି ନୁହେଁ, ଶ୍ରୀ ପାଣ୍ଡିଆନ କହିଛନ୍ତି ଯେ ସାରା ଓଡ଼ିଶାର ସବୁ ନିର୍ବାଚନମଣ୍ଡଳୀର ଲୋକ ଚାହୁଁଛନ୍ତି ନବୀନ ବାବୁ ତାଙ୍କ ପ୍ରାର୍ଥୀ ହୁଅନ୍ତୁ । କିନ୍ତୁ ମୁଖ୍ୟମନ୍ତ୍ରୀ କଣ୍ଟାବାଞ୍ଜିରୁ ହିଁ ଛିଡା ହେବା ପାଇଁ ନିଷ୍ପତ୍ତି ନେଲେ। କାରଣ ସେ ସେ ଚାହୁଁଛନ୍ତି କଣ୍ଟାବାଞ୍ଜିର ଉନ୍ନତି ଓ ରୂପାନ୍ତର। ନବୀନ ପଟ୍ଟନାୟକ କଣ୍ଟାବାଞ୍ଜିରୁ ରେକର୍ଡ ମାର୍ଜିନରେ ଜିତିବେ, ଇତିହାସ ସୃଷ୍ଟି କରିବେ। ହେଲେ ଅନ୍ୟପଟରେ ଜଣେ କେନ୍ଦ୍ରମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ କାନ୍ଧରେ ଛିଡା ହୋଇ ନିର୍ବାଚନ ଲଢୁଛନ୍ତି। ନିଜ ଜନ୍ମ ମାଟିରୁ ଲଢ଼ି ପାରିଲେନି। ସମ୍ବଲପୁରରୁ ଲଢୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅଶାଳୀନ ଭାଷା ପ୍ରୟୋଗ କରୁଛନ୍ତି। ଏଥିସହିତ ଶନିବାର ପ୍ରଧାନମନ୍ତ୍ରୀଙ୍କ ସଭା ପରେ ନବୀନଙ୍କ ଆଜିର କାର୍ଯ୍ୟକ୍ରମ ପଶ୍ଚିମ ଓଡ଼ିଶାର ନିର୍ବାଚନ ତାତିକୁ ଦ୍ବିଗୁଣିତ କରିଛି।

ବଲାଙ୍ଗୀର ଓ ବରଗଡ଼ ସଂସଦୀୟ କ୍ଷେତ୍ରରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀଙ୍କ ପାଇଁ ମାରାଥନ୍ ପ୍ରଚାର କରିଥିଲେ। ବଲାଙ୍ଗୀର ଓ ବରଗଡ଼ ସଂସଦୀୟ କ୍ଷେତ୍ରର ସମସ୍ତ ବିଧାୟକ, ବିଧାୟିକା ଓ ସାଂସଦ ପ୍ରାର୍ଥୀଙ୍କୁ ଜୟଯୁକ୍ତ କରାଇବା ପାଇଁ ଭୋଟ୍‌ ଭିକ୍ଷା କରିଥିଲେ ନବୀନ। କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳୀର ସିନ୍ଧେକେଲା ଓ ମୁରିବାହାଲ ବ୍ଲକ୍ ଗନ୍ଧରେଇ ସମେତ ବଲାଙ୍ଗୀର ସହରରେ ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ। ଏଥର କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳୀରୁ ଲଢ଼ୁଥିବାରୁ ସଭାରେ ଉପସ୍ଥିତ ଲୋକଙ୍କୁ ସେମାନେ ଖୁସି ଅଛନ୍ତି କି ବୋଲି ପ୍ରଶ୍ନ କରିଥିଲେ। ଏହାସହ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ମିସନ ଶକ୍ତି, ମମତା, ଲକ୍ଷ୍ମୀ ବସ୍‌, ୫-ଟି ସ୍କୁଲ୍‌, କାଳିଆ, ମଧୁବାବୁ ପେନ୍‌ସନ୍‌, ଚାଉଳ କାର୍ଡ ଏବଂ ପୁରୀ ଓ କୋଣାର୍କର ରୂପାନ୍ତରୀକରଣ ଯୋଜନା ଭଲ କି ବୋଲି ସେ ପଚାରିଥିଲେ। ବଡ଼ ଜୋରରେ ହଁ ରେ ଉତ୍ତର ମିଳିଥିଲା।

ବଲାଙ୍ଗୀର‌ ଓ ବରଗଡ଼ରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର
ବିଜୁଳି, ସ୍ବାସ୍ଥ୍ୟ ଓ କୃଷି ଯୋଜନା ନେଇ ବିଜେପିକୁ ଟାର୍ଗେଟ୍‌
ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ଅସନ୍ତୋଷ ଝାଡ଼ିଲେ
ଦିନରେ ଓଡ଼ିଶାବାସୀଙ୍କୁ ଲଣ୍ଠନ ଦେଖାଇଗଲେ ପ୍ରଧାନମନ୍ତ୍ରୀ
ସମ୍ବଲପୁରୀ ଭାଷା ପାଇଁ କିଛି କରିନାହାନ୍ତି କେନ୍ଦ୍ର ସରକାର

ବରଗଡ଼ ଜର୍ଜ ହାଇସ୍କୁଲ ପଡ଼ିଆରେ ଆୟୋଜିତ ବିଶାଳ ସମାବେଶରେ ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନ ଦେଇ କହିଥିଲେ ଯେ ବିଜୁ ଜନତା ଦଳ ସରକାର ଜୁଲାଇ ମାସରୁ ବିଜୁଳି ବିଲ୍‌ ଛାଡ଼ କରିବ। ଜୁଲାଇରୁ ଆଉ ବିଲ୍‌ ଦେବାକୁ ପଡ଼ିବ ନାହିଁ। ଆପଣମାନେ ଖୁସି ତ ? ସମସ୍ତେ କରତାଳି ଦେଇ ‘ହଁ’ କହିଲେ। ବିରୋଧୀ ଦଳକୁ ସମାଲୋଚନା କରି ସେ କହିଥିଲେ, ବିଜେପି କୁମ୍ଭୀର କାନ୍ଦଣା କାନ୍ଦୁଛି। ଆପଣମାନେ ବିଜେଡିର ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ଆଶୀର୍ବାଦ ଦିଅନ୍ତୁ। ବିଜେଡିକୁ ଭୋଟ ଦିଅନ୍ତୁ। ବିଜେଡି ନେତା ଭି.କେ. ପାଣ୍ଡିଆନ କିନ୍ତୁ ଉଭୟ ସଭାରେ ସିଧା ସିଧା ବିଜେପିକୁ ଟାର୍ଗେଟ୍‌ କରିଥିଲେ। ମାଇକ୍ ଧରୁ ଧରୁ ଗର୍ଜିଥିଲେ। ସେ କହିଲେ, ବିରୋଧୀ ଦଳ ନିର୍ବାଚନ ସମୟରେ ଲୋକଙ୍କୁ ଦିନ ବେଳା ଲଣ୍ଠନ ଦେଖାଉଛନ୍ତି। କେନ୍ଦ୍ରର ନେତାମାନେ ମାଗଣା ବିଜୁଳି କଥା କହୁଛନ୍ତି। ବାସ୍ତବରେ ଏହି ବିଜୁଳି ସୋଲାର୍‌ ପ୍ଲାଣ୍ଟ୍‌ ଲଗାଇଲେ ମିଳିବ। ଏଥିପାଇଁ ଲୋକଙ୍କୁ ୪୦ରୁ ୪୫ ହଜାର ଟଙ୍କା ଖର୍ଚ୍ଚ କରିବାକୁ ହେବ। ଜୁଲାଇ ମାସରୁ ଆପଣମାନେ ଆଉ ବିଦ୍ୟୁତ୍‌ ବିଲ୍‌ ଦେବେ ନାହିଁ। ଜୁନ୍‌ ୯ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ନବୀନ ପଟ୍ଟନାୟକ ପ୍ରଥମ ଦିନରେ ହିଁ ଦସ୍ତଖତ କରି ଆପଣଙ୍କ ବିଜୁଳି ବିଲ୍‌କୁ ଛାଡ଼ କରିବେ। ଓଡ଼ିଶାର ୯୦ ପ୍ରତିଶତ ପରିବାରକୁ ବିଜୁଳି ବିଲ୍‌ ଦେବାକୁ ପଡିବ ନାହିଁ । ଆୟୁଷ୍ମାନ୍‌ ଯୋଜନାରେ ରାଜ୍ୟରେ ୪୦ ଲକ୍ଷ ଲୋକ ଲାଭ ପାଇବେ। କିନ୍ତୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ୯୦ ଲକ୍ଷ ଲୋକ ଲାଭ ପାଉଛନ୍ତି।

ଆଗକୁ ବିଏସ୍‌କେୱାଇର ଟଙ୍କା ବୃଦ୍ଧି କରାଯିବ। ବରଗଡ଼ ସଭାରେ ପାଣ୍ଡିଆନ କହିଲେ ଯେ ପ୍ରଧାନମନ୍ତ୍ରୀ ଏଠାକୁ ଆସିଥିଲେ। ଅସ୍ମିତା କଥା କହିଲେ। କିନ୍ତୁ ସମ୍ବଲପୁରୀ ଭାଷା ପାଇଁ ସେମାନେ କ’ଣ କରିଛନ୍ତି? ସମ୍ବଲପୁରୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ରଖିବା ପାଇଁ ଆମ ମୁଖ୍ୟମନ୍ତ୍ରୀ ୫ ଥର ଚିଠି ଲେଖିଛନ୍ତି। କେନ୍ଦ୍ର ସରକାର କିଛି କଲା ନାହିଁ। ଖାଲି କହିଦେଲେ କିଛି ହୁଏ ନାହିଁ । କାମ କରି ଦେଖାଇବାକୁ ହୁଏ।

ସେ ପୁଣି କହିଥିଲେ, ସେତେବେଳେ କେନ୍ଦ୍ରର ବିଜେପି ସରକାର ଓ ଛତିଶଗଡ଼ର ବିଜେପି ସରକାର ମିଶି ଓଡ଼ିଶା ବିରୋଧରେ କାମ କଲେ। ମହାନଦୀରେ ଅନେକ ଡ୍ୟାମ ଓ ଆଡ଼ିବନ୍ଧ କଲେ। କେନ୍ଦ୍ରୀୟ ଜଳ କମିସନ୍‌ ଏହାକୁ ବନ୍ଦ କରିବାର କଥା। କିଛି କଲେ ନାହିଁ। ଆଉ ଏ ଅଞ୍ଚଳର କେନ୍ଦ୍ର ମନ୍ତ୍ରୀ ଆଖି ବନ୍ଦ କରି ରହିଲେ। କିନ୍ତୁ ଆମ ମୁଖ୍ୟମନ୍ତ୍ରୀ ସୁପ୍ରିମ କୋର୍ଟ ଗଲେ ଓ ଟ୍ରିବ୍ୟୁନାଲ୍‌ ଗଠିତ ହେଲା। ତା’ପରେ ଯାଇ ତାଙ୍କ କାମ ବନ୍ଦ ହେଲା। ଏ ଅଞ୍ଚଳର ଜୀବନଧାରାକୁ ବଞ୍ଚେଇବାକୁ ଉଦ୍ୟମ କରିଛନ୍ତି ନବୀନ ବାବୁ। ମହାନ କବି ଗଙ୍ଗାଧର ମେହରଙ୍କ ପ୍ରସଙ୍ଗ ଉଠାଇ ସେ କହିଲେ ଯେ ତାଙ୍କ ସ୍ମୃତି ପାଇଁ କେନ୍ଦ୍ର ମନ୍ତ୍ରୀ କିଛି କରି ନାହାନ୍ତି। ଟଙ୍କାଟିଏ ବି ଦେଇ ନାହାନ୍ତି। ମ୍ୟୁଜିୟମ୍‌ ବା ସ୍ମୃତି ପୀଠ ଯାହା ସବୁ ହୋଇଛି, ସବୁ ମୁଖ୍ୟମନ୍ତ୍ରୀ କରିଛନ୍ତି। ବରଗଡ଼ରେ କ୍ୟାନ୍‌ସର ହସ୍ପିଟାଲ ପ୍ରସଙ୍ଗ ଉଠାଇ ସେ କହିଲେ ଯେ ଏହା କରିବାକୁ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ କଥା ଦେଇଥିଲେ ଓ କରିକି ଦେଖାଇଲେ। ଏହାକୁ ଓଡ଼ିଶାର ସବୁଠୁ ବଡ କ୍ୟାନସ୍‌ର ହସ୍ପିଟାଲ କରାଯିବ। ବିଜେପୁର ଉପନିର୍ବାଚନ ସମୟରେ ସେମାନେ କହିଥିଲେ ଏଠାରେ ଏକ୍ସପ୍ରେସ୍ ଟ୍ରେନ୍‌ ଚାଲିବ। ପଦ୍ମପୁର ଉପନିର୍ବାଚନରେ କହିଥିଲେ ଏଠାରେ ଟ୍ରେନ୍‌ ଚାଲିବ, ଷ୍ଟେସନ ହେବ। ହେଲା କି? ଆପଣମାନେ ଟ୍ରେନ୍‌ ଦେଖିଲେ କି?

ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତିକୁ ପ୍ରସଙ୍ଗ କରି ଶ୍ରୀ ପାଣ୍ଡିଆନ କହିଲେ ଯେ ପ୍ରଧାନମନ୍ତ୍ରୀ ଏଠାକୁ ଆସିଥିଲେ। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦ ଟଙ୍କା କରିବେ ବୋଲି କହିଛନ୍ତି। ତେବେ କେବଳ ନିର୍ବାଚନ ଆସିଲେ ପ୍ରଧାନମନ୍ତ୍ରୀଙ୍କ ଚାଷୀଙ୍କ କଥା ମନେ ପଡୁଛି। ସେମାନେ ୧୦ ବର୍ଷ ଧରି କ୍ଷମତାରେ ରହିଲେ। ଚାଷୀଙ୍କ କଥା ଭାବିଲେ ନାହିଁ। ଏବେ ନିର୍ବାଚନକୁ ୧୦ ଦିନ ଅଛି, ସେମାନଙ୍କ ଚାଷୀଙ୍କ କଥା ମନେ ପଡୁଛି। କାରଣ ସେମାନେ ଜାଣିଛନ୍ତି ଯେ ନିର୍ବାଚନରେ ସେମାନେ ଧରାଶାୟୀ ହେବେ। ପ୍ରଧାନମନ୍ତ୍ରୀ ବିଜେପିକୁ ବୁଷ୍ଟର ଡୋଜ୍‌ ଦେବାକୁ ଆସିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରି ସେ କହିଲେ ଯେ ପ୍ରଧାନମନ୍ତ୍ରୀଙ୍କ କାନ୍ଧରେ ଛିଡ଼ା ହୋଇ କେନ୍ଦ୍ର ମନ୍ତ୍ରୀ ନିର୍ବାଚନ ଲଢୁଛନ୍ତି। ନିଜ ଜନ୍ମ ମାଟିରୁ ଲଢ଼ିପାରିଲେନି। ସମ୍ବଲପୁରରୁ ଲଢ଼ୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅଶାଳୀନ ଭାଷା ପ୍ରୟୋଗ କରୁଛନ୍ତି। ଡବଲ ଇଞ୍ଜିନ ଓ ନବୀନ ଇଞ୍ଜିନ ମଧ୍ୟରେ ଥିବା ପାର୍ଥକ୍ୟକୁ ସ୍ପଷ୍ଟ କରି ସେ କହିଲେ ଯେ ଡବଲ ଇଞ୍ଜିନ ହେଉଛି ଦିନରେ ଲଣ୍ଠନ ଦେଖାଉଥିବା ଇଞ୍ଜିନ, ନବୀନ ଇଞ୍ଜିନ ହେଉଛି ସେବାର ଇଞ୍ଜିନ। ଡବଲ ଇଞ୍ଜିନରେ ୨୦୦ ଟଙ୍କା ପେନ୍‌ସନ ମିଳୁଛି। ନବୀନ ଇଞ୍ଜିନ ୧୦୦୦ ଟଙ୍କା ପେନ୍‌ସନ ଦେଉଛି। ବଲାଙ୍ଗୀରଠାରେ ଅନୁଷ୍ଠିତ ସମାବେଶରେ ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ, ବିଧାୟକ ପ୍ରାର୍ଥୀ ମଧ୍ୟରେ ଟୁକୁନୀ ସାହୁ, ନିରଞ୍ଜନ ପୂଜାରୀ, କଳିକେଶ ନାରାୟଣ ସିଂହଦେଓ, ସରୋଜ ମେହେର, ନୀହାର ରଞ୍ଜନ ବେହେରା ଓ ପଦ୍ମନାଭ ବେହେରା ଉପସ୍ଥିତ ଥିଲେ।
ବରଗଡ଼ ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବରଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରଚାର କରି ଲୋକସଭା ପ୍ରାର୍ଥୀ ପରିଣିତା ମିଶ୍ର ଏବଂ ବିଧାନସଭା ପ୍ରାର୍ଥୀ ଦେବେଶ ଆଚାର୍ଯ୍ୟ, ରୀତା ସାହୁ, ବର୍ଷା ସିଂ ବରିହା, ସ୍ନେହାଙ୍ଗିନୀ ଛୁରିଆ, ଦୀପାଳି ଦାସ ଓ ଅଳକା ମହାନ୍ତିଙ୍କ ପାଇଁ ନବୀନ ଭୋଟ ମାଗିଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button