ଯୁବରାଜ ଟ୍ବେଣ୍ଟି-୨୦ ବିଶ୍ବକପ୍ ଆମ୍ବାସଡର୍ – Kalinga News
[ad_1]
ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର୍ ଯୁବରାଜ ସିଂହ ଜୁନ୍ ୧ ତାରିଖରୁ ଆମେରିକା ଓ ୱେଷ୍ଟଇଣ୍ଡିଜ୍ରେ ଆରମ୍ଭ ହେବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍ ପାଇଁ ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ (ଆଇସିସି) ଦ୍ବାରା ଆମ୍ବାସଡର ନିୟୋଜିତ ହୋଇଛନ୍ତି। ଏହାଦ୍ବାରା ବିଶ୍ବକପ୍ ପାଇଁ ହେବାକୁ ଥିବା ବିଭିନ୍ନ ପ୍ରମୋସନାଲ୍ ଇଭେଣ୍ଟଗୁଡ଼ିକରେ ଯୁବରାଜ ଏବେ ସକ୍ରିୟ ଭୂମିକା ଗ୍ରହଣ କରିବେ। ଏହି ଦାୟିତ୍ବ ପାଇବା ପରେ ଯୁବରାଜ ପ୍ରଥମ ବିଶ୍ବକପ୍ କଥା ମନେ ପକାଇବା ସହ ୨୦୦୭ ସଂସ୍କରଣ ତାଙ୍କପାଇଁ ସବୁଠୁ ଅଧିକ ସ୍ମରଣୀୟ ହୋଇରହିଥିବା କହିଛନ୍ତି। ଏହି ବିଶ୍ବକପ୍ରେ ଯୁବରାଜ ଇଂଲଣ୍ଡ ବିପକ୍ଷରେ ଷ୍ଟୁଆର୍ଟ ବ୍ରଡ୍ଙ୍କୁ ଗୋଟିଏ ଓଭରରେ ୬ଛକା ମାରି ବିଶ୍ବ କୀର୍ତ୍ତିମାନ କରିଥିଲେ। ତେବେ ନୂଆ ଦାୟିତ୍ବ ପାଇ ସେ ବହୁତ ଉତ୍ସାହିତ ବୋଲି ପ୍ରତିକ୍ରିୟା ଦେଇଛନ୍ତି। ଏଥିସହ ଭାରତ-ପାକିସ୍ତାନ ମ୍ୟାଚ୍ ବହୁତ ଉତ୍କଣ୍ଠାପୂର୍ଣ୍ଣ ରହିବ। ଏହି ମ୍ୟାଚ୍ର ସାକ୍ଷୀ ହେବାକୁ ଯାଉଥିବାରୁ ବହୁତ ଆନନ୍ଦିତ। ଗୋଟିଏ ନୂଆ ଷ୍ଟାଡିୟମ୍ରେ ବିଶ୍ବର ଶ୍ରେଷ୍ଠ ଖେଳାଳିମାନେ ପ୍ରତିଦ୍ବନ୍ଦ୍ବିତା କରିବା ଦେଖିବାକୁ ମିଳିବ ବୋଲି ଯୁବରାଜ କହିଛନ୍ତି। ସୂଚନାଯୋଗ୍ୟ, ଟ୍ବେଣ୍ଟି-୨୦ ବିଶ୍ବକପ୍ର ପରବର୍ତ୍ତୀ ସଂସ୍କରଣ ପାଇଁ କ୍ରିସ୍ ଗେଲ୍ ଓ ଉସେନ୍ ବୋଲ୍ଟଙ୍କୁ ପୂର୍ବରୁ ଆମ୍ବାସଡର ନିଯୁକ୍ତ କରାଯାଇଛି।
[ad_2]