ଖେଳ ଖବର

ତଳକୁ ଖସୁଛି ଭାରତୀୟ କ୍ରିକେଟ୍‌ – Kalinga News

[ad_1]

ସୁରେଶ ସ୍ବାଇଁ

ଦୁଇ ମାସ ତଳେ ଭାରତୀୟ କ୍ରିକେଟ୍ ଦଳ ଘରୋଇ ମାଟିରେ ଦିନିକିଆ ବିଶ୍ବକପ୍‌ର ଆୟୋଜକ ଭାବେ ପ୍ରତିଯୋଗିତା ସାରା ପ୍ରାଧାନ୍ୟ ବିସ୍ତାର କରି ଫାଇନାଲ୍‌କୁ ଯାଇଥିଲା। କିନ୍ତୁ ବିଶ୍ବକପ୍‌ ବିଜୟ ହାତ ପାହାନ୍ତାରୁ ଖସିଯାଇଥିଲା। ଅଷ୍ଟ୍ରେଲିଆ ବିପକ୍ଷ ଫାଇନାଲ୍‌ରେ ଅତି ସାଧାରଣ ଖେଳ ଦେଖାଇ ରୋହିତ ଶର୍ମାଙ୍କ ଦଳ ଆତ୍ମସମର୍ପଣ କରିଥିଲା। ଫଳରେ ଗୋଟିଏ ଦଶନ୍ଧି ପରେ ଏକ ଆଇସିସି ଟ୍ରଫି ଜିତିବାର ସ୍ବପ୍ନ ପୁଣି ଥରେ ଦୁଃସ୍ବପ୍ନ ପାଲଟିଯାଇଥିଲା। ଏହି ପରାଜୟର କଷ୍ଟ, ଯନ୍ତ୍ରଣା ଓ ତିକ୍ତତାକୁ ଭୁଲି ନାହାନ୍ତି ଭାରତୀୟ କ୍ରିକେଟ୍‌ପ୍ରେମୀ। ଏବେ ଆଇସିସି ବିଶ୍ବ ଟେଷ୍ଟ୍ ଚାମ୍ପିୟନସିପ୍‌ର ଉପବିଜେତା ଭାରତୀୟ ଦଳ ପୁଣି ଥରେ ଗୌରବମୟ କ୍ରିକେଟ୍‌ ଦେଶକୁ ନିମ୍ନମୁଖା କରିଛି। ଘରୋଇ ମାଟିରେ ଭାରତ କେବେ ପ୍ରଥମ ପାଳିରେ ୧୦୦ରୁ ଅଧିକ ରନ୍‌ର ଅଗ୍ରଣୀ ଥାଇ ହାରିନଥିଲା। ବୋଲରମାନେ ୨୦ ୱିକେଟ୍ ଦଖଲ କରିବା ପରେ ବିଜୟ ହାତଛଡ଼ା କରି ନଥିଲା। କିନ୍ତୁ ସେଭଳି ଘଟିଛି ରବିବାର। ହାଇଦ୍ରାବାଦର ଉପ୍ପଲସ୍ଥିତ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ଭାରତ ପ୍ରଥମ ପାଳିରେ ୧୯୦ ରନ୍ ଆଗୁଆ ରହିଥିଲେ ମଧ୍ୟ ବିଜୟୀ ହୋଇପାରିନାହିଁ। ଭାରତୀୟ ଦଳର ଏହି ଉତ୍‌ଥାନ ପତନ ଧାରାକୁ ପ୍ରଶଂସକ ସହଜରେ ଗ୍ରହଣ କରିପାରିନାହାନ୍ତି। ‌ଖେଳାଳିଙ୍କ ସଙ୍କଳ୍ପ, ଶୃଙ୍ଖଳା, ଦାୟିତ୍ବବୋଧ ଓ ନିଷ୍ଠାକୁ ନେଇ ଅନେକ ପ୍ରଶ୍ନ ଉଠିଛି।

ଅର୍ଥ ରୋଜଗାରର ସହଜ ମାଧ୍ୟମ ‘ଟ୍ବେଣ୍ଟି-୨୦’ କ୍ରିକେଟ୍‌କୁ ଗୁରୁତ୍ବ ଦେଇ ଅଧକାଂଶ ଖେଳାଳି ଅସଲ କ୍ରିକେଟ୍‌ ‘ଟେଷ୍ଟ୍’କୁ ପଛରେ ପକାଇବା ଭଳି ଅନୁଭବ କ୍ରମେ ଦୃଢ଼ରୁ ଦୃଢ଼ତ୍ତର ହେବାରେ ଲାଗିଛି। ଇଂଲଣ୍ଡର ଅନଭିଜ୍ଞ ସ୍ପିନ୍ ବୋଲିଂ ଆଗରେ ମାତ୍ର ୨୩୦ ରନ୍‌କୁ ପିଛା କରିନପାରି ଭାରତ ଏହାକୁ ପ୍ରମାଣିତ କରିଛି। ସବୁଠାରୁ ବଡ଼ କଥା ହୋଇଛି ଭାରତୀୟ ଖେଳାଳିଙ୍କ ମନୋଭାବ ଓ ଆଚରଣ। ଟେଷ୍ଟ୍ କ୍ରିକେଟ୍‌ ପାଇଁ ଆବଶ୍ୟକ ହେଉଥିବା ‌ଧୈର୍ଯ୍ୟ, ସଟ୍ ଚୟନ, ଫିଲ୍ଡଡିଂ, ପାର୍ଟନରସିପ୍ ଗଢ଼ିବା, ଦଳର ଦାୟିତ୍ବକୁ କାନ୍ଧ ଉପରକୁ ନେବାର ଗୋଟିଏ ବି ଉଦାହରଣ ଦେଖିବାକୁ ମିଳିଲା ନାହିଁ। ନୂଆ ବର୍ଷର ପ୍ରଥମ ଟେଷ୍ଟ୍‌ରେ ୫୫ ରନ୍‌ରେ ଅଲଆଉଟ୍ ହେବା ଠାରୁ ଏବେ ହାଇଦ୍ରାବାଦ ଟେଷ୍ଟ ପରାଜୟର ଲଜ୍ଜାକୁ ଘୋଡ଼ାଇବା ଲାଗି ରୋହିତ ଶର୍ମାଙ୍କ ଦଳ ପାଖରେ କିଛି କାରଣ ନାହିଁ। ଇଣ୍ଡିଆନ୍ ଆସେସ୍‌ ଆଖ୍ୟା ନେଇ ଭାରତ-ଇଂଲଣ୍ଡ ୫ ମ୍ୟାଚ୍ ଟେଷ୍ଟ୍‌ ଶୃଙ୍ଖଳା ଖେଳାଯାଉଛି। ଏହାର ଫଳାଫଳ ଯାହା ହେଉ ନା କାହିଁକି ଟେଷ୍ଟ୍ କ୍ରିକେଟ୍‌ଠାରୁ ପ୍ରଶଂସକ ମୁହଁ ଫେରଇବା ପୂର୍ବରୁ ଭାରତକୁ ଅଗ୍ରଣୀ ଭୂମିକା ତୁଲାଇବାର ଅଛି। ଇଂଲଣ୍ଡ କ୍ରିକେଟ୍‌ ଦଳ ବିଗତ ଦୁଇ ବର୍ଷ ହେବ ବାଜବଲ୍‌ କ୍ରିକେଟ୍ ଖେଳି ସଫଳତା ହାରକୁ ବଢ଼ାଇଛି ସତ କିନ୍ତୁ କେତେବେଳେ ପ୍ରଶଂସା ତ କେତେବେଳେ ସମାଲୋଚିତ ହୋଇଛି। କିନ୍ତୁ ଏହି ଆକ୍ରମଣାତ୍ମକ କୌଶଳରୁ ବ୍ରେଣ୍ଡନ୍ ମ୍ୟାକଲମ୍ ହଟିଯିବେ ବୋଲି ବେଶ କଳ୍ପନାଜଳ୍ପନା ପ୍ରକାଶ ପାଇବା ପରେ ଏବେ ହାଇଦ୍ରାବାଦ ବିଜୟ ସେମାନଙ୍କୁ ପୁଣି ଥରେ ବାଜବଲ୍ ବିଶ୍ବାସ ଆଣି ଦେଇଛି। ଅନ୍ୟପକ୍ଷରେ ରୢାଙ୍କ ଟର୍ଣ୍ଣର ପିଚ୍‌ ପ୍ରସ୍ତୁତ କରି ଭାରତୀୟ ଦଳ ସ୍ପିନର୍‌ଙ୍କ ଜରିଆରେ ଘରୋଇ ମାଟିରେ ଶୃଙ୍ଖଳା ବିଜୟ ପାଉଥିଲେ ମଧ୍ୟ ହାଇଦ୍ରାବାଦ ପରାଜୟ ଆତ୍ମସମୀକ୍ଷା ଓ ନୂଆ କିଛି ଯୋଜନା ଆଣିବା ପାଇଁ ଚେତନା ଜାଗ୍ରତ କରିବ ବୋଲି ବାଧ୍ୟବାଧକତା ପରିସ୍ଥିତି ସୃଷ୍ଟି କରିଛି। କାରଣ ଭାରତର ‘ସ୍ପିନବଲ୍‌’ ଯୋଜନା ପିଚ୍‌କୁ ନେଇ ହୋଇଥିବା ବେଳେ ଇଂଲଣ୍ଡର ‘ବାଜବଲ୍‌’ କୌଶଳ ଖେଳାଳିଙ୍କ ଦକ୍ଷତା ଭିତ୍ତିକ। ଇଂଲଣ୍ଡର ବାଜବଲ୍‌କୁ ଭାରତୀୟ ମାନେ ବେଖାତିର କରନ୍ତି ବୋଲି ଯେଉଁ ଆସ୍ଫାଳନ ଆଣିଥିଲେ ଏବେ ରାଉଣ୍ଡ୍‌-୧ ବିପର୍ଯ୍ୟୟ ପରେ ସ୍ପିନ୍‌ବଲ୍ ଯୋଜନାର ଅଂହକାରକୁ ଛାଡ଼ିବେ ନା ଧରି ରଖିବେ ଦେଖିବାର ଅଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button