ଖେଳ ଖବର

ମୁମ୍ବାଇକୁ ହରାଇଲା ଚେନ୍ନାଇ: ରୋହିତଙ୍କ ଶତକକୁ ଫିକା କଲେ ପଥିରଣା – Kalinga News

[ad_1]

ମୁମ୍ବାଇ: ରୋହିତ ଶର୍ମାଙ୍କ ଲଢ଼ୁଆ ଶତକ (୫୩ ବଲ୍‌ରୁ ୧୦୫* ରନ୍‌, ୧୧ ଚୌକା, ୫ ଛକା) ସତ୍ତ୍ବେ ମୁମ୍ବାଇ ଇଣ୍ଡିଆନ୍ସ ଘରୋଇ ପଡ଼ିଆରେ ଚେନ୍ନାଇ ସୁପର୍ କିଙ୍ଗ୍ସଠାରୁ ହାରିଯାଇଛି। ମହେନ୍ଦ୍ର ସିଂହ ଧୋନି ଶେଷ ୪ ବଲ୍‌ରୁ ଆଦାୟ କରିଥିବା ୨୦ ରନ୍ ଶେଷରେ ଫଳାଫଳରେ ଫରକ ପକାଇଛି। ଚେନ୍ନାଇ ସୁପର୍‌ କିଙ୍ଗ୍ସର ୨୦୬ ରନ୍ ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ ୧୮୬ ରନ୍‌ରେ ସୀମିତ ରହିଯାଇଥିଲା। ପାଳି ଆରମ୍ଭ କରି ବିଦାୟୀ ଅଧିନାୟକ ରୋହିତ ଶର୍ମା ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ ମଧ୍ୟ ସାଥୀହରା ହୋଇ ଦଳକୁ ବିଜୟ ଦେଇପାରି ନଥିଲେ। ରୋହିତଙ୍କ ବାଦ୍ କେବଳ ତିଳକ ବର୍ମା (୩୧), ଈଶାନ କିଶନ (୨୩), ଟିମ୍ ଡେଭିଡ୍‌ (୧୩) ଦୁଇ ଅଙ୍କ ଛୁଇଁ ପାରିଥିଲେ। ଅଜିଙ୍କ୍ୟ ରାହାଣେଙ୍କ ଇମ୍ପାକ୍ଟ ଖେଳାଳି ଭାବେ ଆସିଥିବା ମଥିଶା ପଥିରଣା (୪-୦-୨୮-୪) ମ୍ୟାଚ୍‌ରେ ନିର୍ଣ୍ଣାୟକ ଭୂମିକା ତୁଲାଇଥିଲେ। ମାରାତ୍ମକ ବୋଲିଂ କରି ସେ ୪ ପ୍ରମୁଖ ବ୍ୟାଟର୍‌ ଈଶାନ କିଶନ, ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା ଓ ରୋମାରିଓ ସେଫର୍ଡଙ୍କ ୱିକେଟ୍ ଦଖଲ କରିବା ମୁମ୍ବାଇକୁ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇ ଦେଇ ନଥିଲେ। ଏଥି ସହିତ ଷଷ୍ଠ ମ୍ୟାଚ୍‌ରୁ ଚତୁର୍ଥ ବିଜୟ ହାସଲ କରି ଚେନ୍ନାଇ ତୃତୀୟ ସ୍ଥାନରେ ଅପରିବର୍ତ୍ତିତ ରହିଛି। ମୁମ୍ବାଇ ଷଷ୍ଠ ମ୍ୟାଚ୍‌ରୁ ଚତୁର୍ଥ ପରାଜୟ ବରଣ କରିଛି।

ରୋହିତଙ୍କ ଶତକ ପୂର୍ବରୁ କିନ୍ତୁ ରବିବାର ରାତିରେ ମହେନ୍ଦ୍ର ସିଂହ ଧୋନିଙ୍କ ହ୍ୟାଟ୍ରିକ୍ ଛକା କ୍ରିକେଟ୍‌ପ୍ରେମୀଙ୍କ ମନ ମୋହିନେଇଥିଲା। ଏହି ଦୁଇ ମହାରଥୀଙ୍କ ମହାଲଢ଼େଇ‌ ପୂର୍ବରୁ ୱାଙ୍ଖେଡ଼େ ଦର୍ଶକ ପୁଣି ଥରେ ତାଛଲ୍ୟଭରା ଢଙ୍ଗରେ ବଡ଼ ପାଟି କରି ମୁମ୍ବାଇ ଅଧିନାୟକ ହାର୍ଦିକ ପାଣ୍ଡ୍ୟାଙ୍କୁ ଚିଡ଼ାଇଥିଲେ। ହାର୍ଦିକ କିନ୍ତୁ ଟସ୍ ଜିତି ନେଇଥିଲେ। ତୁରନ୍ତ ଚେନ୍ନାଇକୁ ବ୍ୟାଟିଂ ପାଇଁ ଡାକିଥିଲେ। ଦକ୍ଷିଣ ଆଫ୍ରିକୀୟ ଜେରାଲ୍ଡ କୋଏତ୍‌ଜେ ପ୍ରତିପକ୍ଷ ଓପନର ଅଜିଙ୍କ୍ୟ ରାହ‌ାଣେଙ୍କୁ ୫ ରନ୍‌ରେ ଆଉଟ୍ କରି ପାଣ୍ଡ୍ୟାଙ୍କ ନିଷ୍ପତ୍ତିର ସମ୍ମାନ ରଖିଥିଲେ। ଏହା ସତ୍ତ୍ବେ ଚେନ୍ନାଇ ତା ଆକ୍ରମଣ ଧାରାକୁ ରୋକି ନଥିଲା। ରାଚିନ ରବୀନ୍ଦ୍ର (୨୧) ଓ ଡାରିଲ ମିଚେଲ (୧୭) ଦ୍ରୁତ ଖେଳିଥିଲେ। ତେବେ ଋତୁରାଜ ଗାଏକ୍ବାଡ୍ (୬୯) ଓ ଶିବମ ଦୁବେ (୬୬)ଙ୍କ ମଧ୍ୟରେ ହୋଇଥିବା ୯୦ ରନ୍‌ର ଭାଗୀଦାରି ପାଇଁ ଚେନ୍ନାଇ ବଡ଼ ସ୍କୋର୍‌ ଆଡ଼କୁ ଅଗ୍ରସର ହୋଇଥିଲା। ଋତୁରାଜ ୩୩ ଓ ଶିବମ ୨୮ ବଲ୍‌ରୁ ଅର୍ଦ୍ଧଶତକ ଅର୍ଜନ କରି ନିଜ ନିଜ ଚମକ ଛାଡ଼ିଥିଲେ। ଚେନ୍ନାଇ ପାଳିର ସବୁଠୁ ବଡ଼ ଧମାକା ଶେଷ ଓଭରରେ ଦେଖିବାକୁ ମିଳିଥିଲା। ହାର୍ଦିକ ପାଣ୍ଡ୍ୟାଙ୍କୁ ଧୂଲେଇ କରି କିଂବଦନ୍ତି ମହେନ୍ଦ୍ର ସିଂହ ଧୋନି ମାତ୍ର ୪ ବଲ୍ ଖେଳି ତିନିଟି ଛକା ବଳରେ ୨୦* ରନ୍ କରିଥିଲେ। ଦର୍ଶକଙ୍କ ଭରପୂର ମନୋରଞ୍ଜନ କରିବା ସହ ଚେନ୍ନାଇ ସ୍କୋରକୁ ମଧ୍ୟ ୨୦୦ ପାର୍ କରାଇ ଦେଇଥିଲେ ସେ। ତାଙ୍କ ଛକା ମାଡ଼ କେବଳ ଚେନ୍ନାଇ ନୁହେଁ ମୁମ୍ବାଇ ପ୍ରଶଂସକଙ୍କୁ ବି ଉଲ୍ଲସିତ କରିଥିଲା।

ସଂକ୍ଷିପ୍ତ ସ୍କୋର୍: ଚେନ୍ନାଇ ସୁପରକିଙ୍ଗ୍ସ ୨୦ ଓଭରରେ ୨୦୬/୪ (ଋତୁରାଜ ଗାଏକ୍ବାଡ୍-୬୯, ଶିବମ ଦୁବେ-୬୬, ମହେନ୍ଦ୍ର ସିଂହ‌ ଧୋନି-୨୦*, ହାର୍ଦିକ ପାଣ୍ଡ୍ୟା ୨/୪୩)। ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୧୮୬/୬ (ରୋହିତ ଶର୍ମା-୧୦୫*, ତିଳକ ବର୍ମା-୩୧, ମଥିଶା ପଥିରଣା-୪/୨୮, ତୁଷାର ଦେଶପାଣ୍ଡେ-୧/୨୯, ମୁସ୍ତାଫିଜୁର ରହମାନ-୧/୫୫)।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button