ଖେଳ ଖବର

ଅଲିମ୍ପିକ୍ସ ଲାଗି ଭାରତୀୟ ହକି ଦଳ ଘୋଷିତ: ଓଡ଼ିଶାରୁ ଏକା ଅମିତ – Kalinga News

[ad_1]

ନୂଆଦିଲ୍ଲୀ: ଆଗାମୀ ପ୍ୟାରିସ୍‌ ଅଲିମ୍ପିକ୍ସ ଲାଗି ବୁଧବାର ଭାରତୀୟ ହକି ଦଳ ଘୋଷିତ ହୋଇଛି। ଦଳର ନେତୃତ୍ବଭାର ହର୍ମନପ୍ରୀତ ସିଂହଙ୍କୁ ମିଳିଛି। ହାର୍ଦିକ ସିଂହ ଉପଅଧିନାୟକ ରହିଛନ୍ତି। ୧୬ଜଣିଆ ଦଳରେ ଓଡ଼ିଶାରୁ କେବଳ ଅମିତ ରୋହିଦାସଙ୍କୁ ସ୍ଥାନ ମିଳିଛି। ଗତଥରର ଟୋକିଓ ଅଲିମ୍ପିକ୍ସରେ ବୀରେନ୍ଦ୍ର ଲାକ୍ରା ଓ ଅମିତଙ୍କ ରୂପରେ ଦୁଇଜଣ ଓଡ଼ିଆ ଖେଳାଳି ଭାରତୀୟ ଦଳରେ ଥିଲେ। ଅମିତ ଦ୍ବିତୀୟ ଥର ପାଇଁ ଅଲିମ୍ପିକ୍ସ ଖେଳିବାକୁ ଯାଉଛନ୍ତି। ଏଥିଲାଗି ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। ହକି ଇଣ୍ଡିଆ ପକ୍ଷରୁ ଘୋଷିତ ଏହି ଦଳରେ ୧୧ ଜଣ ଅଭିଜ୍ଞ ଖେଳାଳି ଥିଲା ବେଳେ ୫ ଜଣ ଯଥା ଜର୍ମନପ୍ରୀତ ସିଂହ, ସଞ୍ଜୟ, ରାଜକୁମାର ପାଲ, ଅଭିଷେକ ଓ ସୁଖଜିତ ସିଂହ ପ୍ରଥମ ଥର ଅଲିମ୍ପିକ୍ସ ଖେଳିବାକୁ ଯାଉଛନ୍ତି। ଭେଟେରାନ ଗୋଲି ପିଆର୍‌ ଶ୍ରୀଜେସ ଓ ମିଡ୍‌ଫିଲ୍ଡର ମନପ୍ରୀତ ସିଂହ ଚତୁର୍ଥ ଥର ଏବଂ ଅଧିନାୟକ ହର୍ମନପ୍ରୀତ ତୃତୀୟ ଥର ଅଲିମ୍ପିକ୍ସ ଖେଳିବେ। ଗତ ଅଲିମ୍ପିକ୍ସରେ କାଂସ୍ୟ ଜିତି ୪୧ ବର୍ଷ ପରେ ପଦକ ମରୁଡ଼ିର ଅନ୍ତ ଘଟାଇଥିବା ଦଳରେ ଥିବା ରୂପିନ୍ଦରପାଲ ସିଂହ ଓ ବୀରେନ୍ଦ୍ର ଲାକ୍ରା ଅବସର ନେଇ ସାରିଥିଲା ବେଳେ ସୁରେନ୍ଦ୍ର କୁମାରଙ୍କୁ ସ୍ଥାନ ମିଳିନି। ଟୋକିଓ ଦଳରେ ଥିବା ନୀଳକାନ୍ତ ଶର୍ମା ବିକଳ୍ପ ଖେଳାଳି ଭାବେ ରହିଥିଲା ବେ‌ଳେ ଦିଲପ୍ରୀତ ସିଂହଙ୍କୁ ଚୟନ କରାଯାଇନି। ଟୋକିଓରେ ଗୋଲି ରହିଥିବା କୃଷ୍ଣ ବାହଦୂର ପାଠକ ବିକଳ୍ପ ଖେଳାଳି ଭାବେ ଦଳ ସହ ପ୍ୟାରିସ୍‌ ଗସ୍ତ କରିବେ। ନୀଳକାନ୍ତ ଓ ପାଠକଙ୍କ ସହ ଡିଫେଣ୍ଡର ଯୁଗରାଜ ସିଂହ ତୃତୀୟ ବିକଳ୍ପ ଖେଳାଳି ରହିଛନ୍ତି।

ଭାରତ ପୁଲ୍‌-ବି’ରେ ବିଜେତା ବେଲଜିୟମ, ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା, ନ୍ୟୁଜିଲାଣ୍ଡ ଓ ଆୟର୍ଲାଣ୍ଡ ସହ ରହିଛି। ପୁଲ୍‌-ଏ’ରେ ଆୟୋଜକ ଫ୍ରାନ୍ସ, ନେଦରଲାଣ୍ଡ୍‌ସ, ଜର୍ମାନୀ, ଗ୍ରେଟ୍‌ ବ୍ରିଟେନ, ସ୍ପେନ୍‌ ଓ ଦକ୍ଷିଣ ଆଫ୍ରିକା ରହିଛନ୍ତି। ଉଭୟ ପୁଲ୍‌ର ଶୀର୍ଷ ୪ ଦଳ ଲେଖାଏଁ କ୍ବାର୍ଟରଫାଇନାଲ୍‌ରେ ପ୍ରବେଶ କରିବେ। ଭାରତ ଜୁଲାଇ ୨୭ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳି ଅଲିମ୍ପିକ୍ସ ଅଭିଯାନ ଆରମ୍ଭ କରିବ। ଏହାପରେ ୨୯ରେ ଆର୍ଜେଣ୍ଟିନା, ୩୦ରେ ଆୟର୍ଲାଣ୍ଡ, ଅଗ‌ଷ୍ଟ ୧ରେ ବେଲ୍‌ଜିୟମ ଏବଂ ୨ରେ ଅଷ୍ଟ୍ରେଲିଆ ସହ ଖେଳି ପୁଲ୍‌ ପର୍ଯ୍ୟାୟ ଶେଷ କରିବ। ଅଲିମ୍ପିକ୍ସ ଇତିହାସରେ ଭାରତ ୮ ସ୍ବର୍ଣ୍ଣ, ୧ ରୌପ୍ୟ ଓ ୩ କାଂସ୍ୟ ସହ ମୋଟ ୧୨ ପଦକ କରାୟତ୍ତ କରିଛି।

ଭାରତୀୟ ଦଳ: ଗୋଲି-ପିଆର୍‌ ଶ୍ରୀଜେଶ, ଡିଫେଣ୍ଡର-ଜର୍ମନପ୍ରୀତ ସିଂହ, ଅମିତ ରୋହିଦାସ, ହର୍ମନପ୍ରୀତ ସିଂହ, ସୁମିତ, ସଞ୍ଜୟ, ମିଡ୍‌ଫିଲ୍ଡର-ରାଜକୁମାର ପାଲ, ଶାମଶେର ସିଂହ, ମନପ୍ରୀତ ସିଂହ, ହାର୍ଦିକ ସିଂହ, ବିବେକ ସାଗର ପ୍ରସାଦ, ଫରୱାର୍ଡ-ଅଭିଷେକ, ସୁଖଜିତ ସିଂହ, ଲଳିତ କୁମାର ଉପାଧ୍ୟୟ, ମନଦୀପ ସିଂହ, ଗୁରଜାନ୍ତ ସିଂହ।
ବିକଳ୍ପ ଖେଳାଳି: ନୀଳକାନ୍ତ ଶର୍ମା, ଯୁଗରାଜ ସିଂହ, କୃଷ୍ଣ ବାହାଦୂର ପାଠକ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button