ଅପରାଧ

ପୁଣି ଥରହର ପଦ୍ମକେଶରପୁର: ବୋମା ମାଡ଼କଲେ ସାହୁକାର ଦଲାଲ – Kalinga News

[ad_1]

ଚନ୍ଦ୍ରଶେଖରପୁର: ମାତ୍ର ୪ ମାସର ବ୍ୟବଧାନରେ ପୁଣି ଅଶାନ୍ତ ହୋଇଉଠିଛି ପଟିଆ ପଦ୍ମକେଶରପୁର। ଗତ ରାତିରେ ପଦ୍ମକେଶରପୁର ତଳସାହି‌ରେ ବୋମାମାଡ଼ ହୋଇଛି। ସୁଧ ବେପାରୀ ସାହୁକାର ପଠାଇଥିବା ୪ ଦଲାଲ ବୋମାମାଡ଼ କରିଥିବା ଅଭିଯୋଗ ହୋଇଛି। ସେମାନେ ବୋମାମାଡ଼ କରିବା ସହ ଭୁଜାଲିରେ ହାଣି ସନାତନ ଦାସ(୫୦) ଓ ତାଙ୍କ ବୋହୂ ନିରୁପମା(୩୫)ଙ୍କୁ ଗୁରୁତର କରିଛନ୍ତି। ସନାତନଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଘଟଣା ପରେ ଗୋଷ୍ଠୀ ସଂଘର୍ଷ ବଢ଼ିବା ଆଶଙ୍କା କରି କମିସନରେଟ୍‌ ପୁଲିସ ପକ୍ଷରୁ ଗାଁରେ ପୁଲିସ ଛାଉଣି କରାଯାଇଛି। ଗିରଫଦାରୀ ଭୟରେ ତଳସାହି ପୁରୁଷଶୂନ୍ୟ ହୋଇପଡ଼ିଛି। ମଞ୍ଚେଶ୍ବର ଓ ଇନ୍‌ଫୋସିଟି ଥାନା ପକ୍ଷରୁ ଗାଁ ଉପରେ କଡ଼ା ନଜର ରଖାଯାଇଛି।

ଗାଁରୁ ମିଳିଥିବା ସୂଚନାନୁସାରେ ଗତକାଲି ରାତି ପ୍ରାୟ ୯ଟା ବେଳେ ପଦ୍ମକେଶରପୁରର ବାବୁଲି ଦାସ, ତାପସ ଦାସ, ସୁବ୍ରତ ଦାସ ଓ ମିଟୁ ଦାସ ତଳସାହିକୁ ଯାଇ ସୁଧ ଟଙ୍କା ଆଦାୟ କରିଥିଲେ। କିଛି ଘରୁ ସୁଧ ବାବଦ ଅର୍ଥ ଆଦାୟ କରିବା ପରେ ସେମାନେ ସୁମନ୍ତ ଦାସଙ୍କ ପାଖକୁ ଯାଇଥିଲେ। ସୁମନ୍ତଙ୍କ ଦାଣ୍ଡରେ ଠିଆହୋଇ ଡାକିଥିଲେ। କିନ୍ତୁ ସେତେବେଳେ ସୁମନ୍ତ ଘରେ ନଥିବାରୁ ତାଙ୍କ ବାପା ସନାତନ ଓ ସ୍ତ୍ରୀ ନରୁପମା ବାହାରକୁ ଆସି ଏବେ ସୁଧ ଟଙ୍କା ଦେଇପାରିବେ ନାହିଁ ବୋଲି କହିଥିଲେ। ମାତ୍ର ୪ ସୁଧ ବେପାରୀ ଏବେ ହିଁ ସୁଧ ଟଙ୍କା ନେବେ ବୋଲି ଅଡ଼ି ବସିଥିଲେ। ତେଣୁ ନିରୁପମା ସାହୁକାରର ସୁଧ ହିସାବ କରିବାକୁ କହିଥିଲେ। ୮ ବର୍ଷ ହେଲା ସୁଧ ଦେଇଦେଇ ମଲୁଣି ବୋଲି କହିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ସୁଧ ଆଦାୟ କରିବାକୁ ଆସିଥିବା ୪ ଦଲାଲ ନିରୁପମାଙ୍କ ପ୍ରତି ଖରାପ ଭାଷା ପ୍ରୟୋଗ କରିଥିଲେ। ଏହାକୁ ବିରୋଧ କରିଥିଲେ ଶ୍ବଶୁର ସନାତନ। ଧୀରେଧୀରେ ବଚସା ବଢ଼ିଥିଲା।

ହଠାତ୍ ୪ ଦଲାଲ ସନାତନ ଓ ନିରୁପମାଙ୍କୁ ଭୁଜାଲିରେ ହାଣି ପକାଇଥିଲେ। ଶ୍ବଶୁର ଓ ବୋହୂ ଚିତ୍କାର କରି ଘର ଭିତରକୁ ପଶିଗଲେ ମଧ୍ୟ ସେମାନେ ଗୋଡ଼ାଇ ଗୋଡ଼ାଇ ଘର ଭିତରେ ପଶି ସେମାନଙ୍କୁ ଚୋଟ ପରେ ଚୋଟ ପକାଇଚାଲିଥିଲେ। ସେମାନଙ୍କ ଚିତ୍କାର ଶୁଣି ପଡ଼ୋଶୀମାନେ ୪ ଦଲାଲଙ୍କୁ ଘେରିଯାଇଥିଲେ। ଲୋକମାନେ ସେମାନଙ୍କୁ କାବୁ କରିବାକୁ ଉଦ୍ୟମ କଲାବେଳେ ସେମାନେ ବୋମାମାଡ଼ କରିଥିଲେ। ୫/୭ ଟି ବୋମା ବିସ୍ଫୋରଣ ହେବା ପରେ ଭୟରେ ଗ୍ରାମବାସୀମାନେ ପଛଘୁଞ୍ଚା ଦେଇଥିଲେ। ସେମାନେ ଫେରାର୍ ହୋଇଯିବା ପରେ ପଡ଼ୋଶୀମାନେ ଶ୍ବଶୁର ଓ ବୋହୂଙ୍କୁ ଉଦ୍ଧାର କରିଥିଲେ। ପରେ ପୁଲିସ ସହାୟତାରେ ସେମାନଙ୍କୁ ଡାକ୍ତରଖାନା ନିଆଯାଇଥିଲା।

 ମୂଳ ୨୦ ହଜାର, ଦେଲେଣି ୧ ଲକ୍ଷ ୯୦ ହଜାର
ସୁମନ୍ତ ୮ ବର୍ଷ ପୂର୍ବେ ଜନୈକ ସାହୁକାରଠାରୁ ୨୦ ହଜାର ଟଙ୍କା କରଜ କରିଥିଲେ। ଚୁକ୍ତି ଅନୁସାରେ ତାଙ୍କୁ ପ୍ରତି ମାସରେ ୨ ହଜାର ଟଙ୍କା ଦେବାକୁ ପଡ଼ୁଥିଲା। କିନ୍ତୁ ସେଥିରୁ କେତେ ମୂଳ ବାବଦରେ ଓ କେତେ ସୁଧ ବାବଦରେ ଶୁଝୁଥିଲା, ତାହାର ହିସାବ ସାହୁକାର ଦେଉନଥିଲା। ଏମିତିରେ ୮ ବର୍ଷରେ ସେ ୧ ଲକ୍ଷ ୯୨ ହଜାର ଟଙ୍କା ଗଣି ସାରିଥିଲେ। ତଥାପି ସାହୁକାର ଦଲାଲ ପଠାଇ ସୁଧ ଟଙ୍କା ଗଣି ନେଉଥିଲା। ଏହାକୁ ବିରୋଧ କରିଥିଲେ ବୋହୂ ନିରୁପମା।
 କାମ ଦେଲାନି ଶାନ୍ତି କମିଟି ବୁଝାମଣା
ଗତବର୍ଷ ଡିସେମ୍ବର ମାସରେ ଏହି ସୁଧ କାରବାରକୁ ନେଇ ପଦ୍ମକେଶରପୁରରେ ବଡ଼ଧରଣର ଗୋଷ୍ଠୀ ସଂଘର୍ଷ ହୋଇଥିଲା। ତଳସାହି ଓ ମଝିସାହି ମଧ୍ୟରେ ହୋଇଥିବା ଏହି ସଂଘର୍ଷରେ ପୁଲିସ ମଧ୍ୟ ଆକ୍ରମଣର ଶିକାର ହୋଇଥିଲା। ଗଣ୍ଡଗୋଳ ରୋକିବାକୁ ଯାଇଥିବା ପୁଲିସ କର୍ମଚାରୀମାନଙ୍କୁ ଢେଲାମାଡ଼ର ଶିକାର ହେବାକୁ ପଡ଼ିଥିଲା। ଏହି ମାମଲାରେ ପୁଲିସ ଉଭୟ ପକ୍ଷରୁ ୧୪୦ରୁ ଅଧିକ ପୁରୁଷ ଓ ମହିଳାଙ୍କୁ ଗିରଫ କରିଥିଲା। ଦୁଇ ସାହି ପ୍ରାୟ ମାସେ କାଳ ପୁରୁଷଶୂନ୍ୟ ହୋଇଯାଇଥିଲା। ‌ଶେଷରେ ଆଞ୍ଚଳିକ ଶାନ୍ତି କମିଟି ଜରିଆରେ ଆପୋସ ବୁଝାମଣା ହୋଇଥିଲା। ଜେଲ୍‌ ଯାଇଥିବା ଲୋକଙ୍କୁ ଜାମିନ ମିଳିବାରେ ପୁଲିସ ସହଯୋଗ କରିଥିଲା। ସେତେବେଳେ ଉଭୟ ପକ୍ଷ ଠାକୁରାଣୀ ମନ୍ଦିରରେ ବସି ଗଣ୍ଡଗୋଳ ଭୁଲିଯିବାକୁ ଶପଥ ନେଇଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button