‘‘୯୦+ ମିଟର ଓ ପଦକ ପଛରେ ପଡ଼ି ଚାପରେ ରହିବାକୁ ଚାହୁନି’’ – Kalinga News
[ad_1]
ପ୍ରଫୁଲ୍ଲ କିଶୋର ସାହୁ
Sambad is now on WhatsApp
Join and get latest news updates delivered to you via WhatsApp
ଭୁବନେଶ୍ବର: ପ୍ରତି ଖେଳାଳିଙ୍କ ସ୍ବପ୍ନ ଥାଏ ଭଲ ପ୍ରଦର୍ଶନ ଦେଇ ଅଲିମ୍ପିକ୍ସରେ ଭାଗନେବେ। ମଧ୍ୟବିତ୍ତ କି ଗରିବ ପରିବାରରୁ ଆସିଥିବା ଖେଳାଳିର ସ୍ବପ୍ନ ଏହା ଥିଲେ ମଧ୍ୟ ପରିବାର ପ୍ରତିପୋଷଣ ଲାଗି ରୋଜଗାର ଚିନ୍ତା ବେଶି ଥାଏ। ଏଭଳି ଭାବନା ରଖିଥିଲେ ପ୍ୟାରିସ ଅଲିମ୍ପିକ୍ସରେ ଭାଗ ନେବାକୁ ଯାଉଥିବା ଓଡ଼ିଆ ଜାଭଲିନ୍ ତାରକା କିଶୋର କୁମାର ଜେନା। କିଶୋରଙ୍କୁ ତାଙ୍କ ବୃତ୍ତିଗତ ସଂସ୍ଥା ସିଆଇଏସ୍ଏଫ୍ର ଜଣେ ପ୍ରଶିକ୍ଷକ ଆଗକୁ ବଢ଼ିବାର ବାଟ ଦେଖାଇଥିଲେ। କହିଥିଲେ ୭୫ ମିଟର ଜାଭ୍ଲିନ୍ ଫିଙ୍ଗ ଏବଂ ଶିବିରକୁ ଯାଅ। ଏହି ସମୟରେ ନୀରଜ ଚୋପ୍ରା ଅଲିମ୍ପିକ୍ସ ସ୍ବର୍ଣ୍ଣ ଜିତିଥିଲେ। ପ୍ରଶିକ୍ଷକଙ୍କ ପରାମର୍ଶ ଏବଂ ନୀରଜଙ୍କ ସ୍ବର୍ଣ୍ଣ, କିଶୋରଙ୍କୁ ପରିବାରକୁ ପଛରେ ପକାଇ ଖେଳିବା ଲାଗି ପ୍ରେରଣା ଦେଇଥିଲା। ୨୦୨୧ରେ ପଟିଆଲାସ୍ଥିତ ଜାତୀୟ ପ୍ରଶିକ୍ଷଣ ଶିବିରରେ ଯୋଗ ଦେଲେ। ସେହି ଦିନଠୁ ପ୍ରାୟ ଦୁଇ ବର୍ଷ ଘରକୁ ଆସିପାରି ନଥିଲେ ସେ। ଏହା ଭିତରେ ନିଜର ଖେଳକୁ ଶାଣିତ କରି ଏସିଆଡ୍ ରୌପ୍ୟ ଓ ବିଶ୍ବ ଦୌଡ଼କୁଦରେ ବ୍ୟକ୍ତିଗତ ଶ୍ରେଷ୍ଠ ସହ ଅଲିମ୍ପିକ୍ସ ଟିକେଟ୍ ମଧ୍ୟ ହାତେଇ ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିଥିଲେ ପୁରୀ ଜିଲ୍ଲା ବ୍ରହ୍ମଗିରି କୋଠସାହିର ହରପ୍ରିୟା ଓ କେଶବ ଜେନାଙ୍କ ସାନ ପୁଅ କିଶୋର।
‘ସମ୍ବାଦ’ ସହ କଥା ହେଲା ବେଳେ କିଶୋର କହିଛନ୍ତି ‘‘ଆମ ପରିବାରରେ ୬ ଭଉଣୀରେ ମୁଁ ଗୋଟିଏ ପୁଅ। ପୁଣି ସାନ। ପରିବାର ଆର୍ଥିକ ଅବସ୍ଥା ସେତେଟା ଭଲ ନୁହେଁ। ବାପାଙ୍କୁ ୮୬, ମା’ଙ୍କୁ ୭୬ ବର୍ଷ ବୟସ। ମୋ ଉପରେ ପରିବାରର ଚାପ। ଚାକିରି ପାଇବା ପରେ ଭାବିଥିଲି ଖେଳ ଛାଡ଼ି ପରିବାର କଥା ବୁଝିବି। ଆମ ବିଭାଗରେ ଜଣେ ପ୍ରଶିକ୍ଷକଙ୍କ ପରାମର୍ଶ ଏବଂ ନୀରଜଙ୍କ ସ୍ବର୍ଣ୍ଣ ମୋତେ ଖେଳକୁ ଟାଣିଥିଲା। ବାପା, ମା’ ବି ଏଥିରେ ସହଯୋଗ କଲେ। ଏହା ପରେ ମୁଁ ଖେଳରେ ମନ ଦେଲି। ଭୁବନେଶ୍ବରରେ ଆୟୋଜିତ ଟ୍ରାଏଲ୍ସରେ ୭୬.୪ ମିଟର ଜାଭଲିନ ଫିଙ୍ଗିବା ପରେ ଜାତୀୟ ଓପନ୍ ଦୌଡ଼କୁଦରେ ୭୩ ମିଟର ପିଙ୍ଗିଥିଲି। ଜାଭ୍ଲିନ୍ ଚ୍ୟାଲେଞ୍ଜ୍ରେ ୭୪ ମିଟର ଫିଙ୍ଗି ସ୍ବର୍ଣ୍ଣ ଜିତିବା ମୋତେ ଉତ୍ସାହିତ କରିଥିଲା’’। ଗତ ବର୍ଷ କିଶୋରଙ୍କ ପାଇଁ ଭଲ ଋତୁ ଥିଲା। ଏହି ବର୍ଷ ସେ ୩ ଥର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲେ। ଜୁଲାଇରେ ଲେବାନନ ଜାତୀୟ ଦୌଡ଼କୁଦରେ ସ୍ବର୍ଣ୍ଣ ଜିତିବା ପରେ ଶ୍ରୀଲଙ୍କା ଜାତୀୟ ଦୌଡ଼କୁଦରେ ବ୍ୟକ୍ତିଗତ ଶ୍ରେଷ୍ଠ (୮୪.୩୮ ମିଟର) ସହ ସ୍ବର୍ଣ୍ଣ କରାୟତ୍ତ କରିଥିଲେ। ଅଗଷ୍ଟରେ ବୁଦାପେଷ୍ଟ ବିଶ୍ବ ଦୌଡ଼କୁଦରେ ନୂଆ ବ୍ୟକ୍ତିଗତ ଶ୍ରେଷ୍ଠ (୮୪.୭୭ ମିଟର) ପ୍ରଦର୍ଶନ ଦେଇଥିଲେ। ହାଁଝୌ ଏସୀୟ କ୍ରୀଡ଼ାରେ ୮୭.୫୪ ମିଟର ସହ ବ୍ୟକ୍ତିଗତ ଶ୍ରେଷ୍ଠ ସଫଳତା ପାଇବା ପରେ ନୀରଜଙ୍କ ପଛକୁ ଦ୍ବିତୀୟ ସ୍ଥାନରେ ରହି ରୌପ୍ୟ ଜିତିଥିଲେ ଏବଂ ପ୍ୟାରିସ ଟିକେଟ୍ ନିଶ୍ଚିତ କରିଥିଲେ।
‘‘ଅଲିମ୍ପିକ୍ସ ଖେଳିବା ଓ ପଦକ ଜିତିବା ସମସ୍ତଙ୍କ ସ୍ବପ୍ନ ଥାଏ। ଏହି ସ୍ବପ୍ନ ପୁରଣ ହେବାକୁ ଯାଉଛି। ଏଥିଲାଗି ମୁଁ ଉତ୍ସାହିତ। ସେଠାରେ କୌଣସି ଚାପ ନ ନେଇ ଶ୍ରେଷ୍ଠ ଦେବାକୁ ଚାହିବି। କିନ୍ତୁ ୯୦+ ମିଟର କିମ୍ବା ପଦକ ପଛରେ ପଡ଼ି ଚାପ ନେବାକୁ ଚାହୁନି। ଉଚ୍ଚସ୍ତରର ଖେଳାଳିଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରିବି। ଏଥିପାଇଁ ପ୍ରସ୍ତୁତ ଅଛି ଏବଂ ବ୍ୟକ୍ତିଗତ ଶ୍ରେଷ୍ଠ ଦେବାକୁ ଚେଷ୍ଟା କରିବି। ଅଲିମ୍ପିକ୍ସ ପୂର୍ବରୁ ଡାଇମଣ୍ଡ ଲିଗ୍ ରହିଛି। କିନ୍ତୁ ଅଲିମ୍ପିକ୍ସ ଆମର ମୁଖ୍ୟ ଲକ୍ଷ୍ୟ। ସଂପ୍ରତି ପଟିଆଲାରେ ଅଭ୍ୟାସ ଭଲରେ ଚାଲିଛି। ଏଠାରେ ବିଶ୍ବସ୍ତରୀୟ ସୁବିଧା ଥିବାରୁ ବିଦେଶରେ ତାଲିମର ଆବଶ୍ୟକତା ପଡ଼ିନି। କିନ୍ତୁ ପଟିଆଲାରେ ତାପମାତ୍ରା ୨ ଡିଗ୍ରିରୁ କମ୍ ରହିବାରୁ ଆମେ କିଛି ଦିନ ଅଷ୍ଟ୍ରେଲିଆରେ ଅଭ୍ୟାସ କରିଥିଲୁ। ସେଠାକୁ ଯେଉଁ ଆଶା ନେଇ ଯାଇଥିଲୁ ତାହା ସଫଳ ହୋଇଛି। ନୀରଜ ମୋତେ ଅନେକ ଉପଦେଶ ଦିଅନ୍ତି। ଠିକ୍ ଭୁଲ୍ ବୁଝାନ୍ତି। ଭାରତ ସରକାର ପଟିଆଲାରେ ବିଶ୍ବସ୍ତରୀୟ ପ୍ରଶିକ୍ଷଣ ବ୍ୟବସ୍ଥା କରିଛନ୍ତି। ଯାହା ଖେଳାଳିମାନଙ୍କୁ ସହଯୋଗ କରୁଛି। ସେହିଭଳି ଓଡ଼ିଶା ସରକାର ମୋତେ ଆର୍ଥିକ ପୁରାସ୍କାର ରାଶି ପ୍ରଦାନ କରିବା ସହ ସବୁ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏଥିପାଇଁ ଉଭୟ ସରକାରଙ୍କୁ ଧନ୍ୟବାଦ ଦେବି। ସଂପ୍ରତି ଜାଭଲିନ୍ର ଲୋକପ୍ରିୟତା ବଢ଼ିବାକୁ ଲାଗିଛି। ଗାଁ ଗାଁରେ ଜାଭ୍ଲିନ୍ ଖେଳ ଦେଖିବାକୁ ମିଳୁଛି। ଆମର ସଫଳତା ଦେଖି ଆଗାମୀ ଦିନରେ ନିଶ୍ଚିତ ଭାରତରୁ ଅନେକ ଖେଳାଳି ବାହାରି ପାରିବେ’’ ବୋଲି କହିଛନ୍ତି କିଶୋର।
[ad_2]