୧୧ ଲକ୍ଷ ଲୁଟ୍ ମାମଲା: ଦୁର୍ଦ୍ଦାନ୍ତ ସୋମା ସମେତ ୪ ଗିରଫ – Kalinga News

[ad_1]
ପାଳଗଦାରୁ ମିଳିଲା ୯.୬୯ ଲକ୍ଷ ଟଙ୍କା
ଭୁବନେଶ୍ବର: ମାର୍ଚ୍ଚ ୩୦ ତାରିଖ ରାତିରେ ୧୬ ନମ୍ବର ଜାତୀୟ ରାଜପଥ ପିତାପଲ୍ଲୀ ଛକରେ ଘଟିଥିବା ୧୧ ଲକ୍ଷ ଲୁଟ୍ ମାମଲାରେ କମିସନରେଟ୍ ପୁଲିସକୁ ସଫଳତା ମିଳିଛି। ଏହି ମାମଲାରେ ସମ୍ପୃକ୍ତ ଡକାୟତ ସୋମା ଗ୍ୟାଙ୍ଗ୍ର ୪ ଜଣଙ୍କୁ ଇନ୍ଫୋଭ୍ୟାଲି ଥାନା ପୁଲିସ ଗିରଫ କରିଛି। ସେମାନେ ହେଲେ ଖୋର୍ଦ୍ଧା କୁମାରବସ୍ତର ସୋମନାଥ ଜେନା ଓରଫ୍ ସୋମା(୩୧), ଖୋର୍ଦ୍ଧା କଦଳୀବାଡ଼ିର ଦୀପ୍ତିରଞ୍ଜନ ବଳିଆରସିଂହ(୩୧), ନୟାଗଡ଼ ଜିଲ୍ଲା ଚାନ୍ଦପୁରର ଆଶିଷ କୁମାର ଦାସ(୨୫) ଓ ଖୋର୍ଦ୍ଧା ଜଙ୍କିଆର ସ୍ମୃତି ରଂଜନ ସେଠୀ ଓରଫ୍ ବବୁଲ୍(୨୫)। ପୁଲିସ ସେମାନଙ୍କ ନିକଟରୁ ୯.୬୯ ଲକ୍ଷ ଟଙ୍କା, ୪ଟି ବାଇକ୍ ଓ ମୋବାଇଲ୍ ଫୋନ୍ ଜବତ କରିଛି। ମୁଖିଆ ସୋମାର ବାଡ଼ିରେ ଥିବା ପାଳଗଦା ଭିତରୁ ଟଙ୍କା ମିଳିଥିଲା। ଆଜି ପୁଲିସ ସେବାଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିସନର ସଞ୍ଜୀବ ପଣ୍ଡା, ଅତିରିକ୍ତ ପୁଲିସ କମିସନର ଅବିନାଶ କୁମାର ଓ ଡିସିପି ପ୍ରତୀକ ସିଂ ଏହି ଗ୍ୟାଙ୍ଗ୍ ବାବଦରେ ସବିଶେଷ ବିବରଣୀ ଦେଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ପୁଲିସ ସୂଚନାନୁସାରେ ଶାସ୍ତ୍ରୀନଗରର ଉଦୟଭାନୁ ବିଶ୍ୱାଳ, ଲିଙ୍ଗରାଜ ନାୟକ, ଦିନେଶ କୁମାର, ଅକ୍ଷୟ ବିଶ୍ବାଳ, ସନ୍ତୋଷ ବେହେରା ଓ ଅର୍ଦ୍ଧେନ୍ଦୁ ମହାନ୍ତି ବ୍ୟାଙ୍କ୍ରେ ବଡ଼ ନୋଟ୍ ଦେଇ ଖୁଚୁରା ଟଙ୍କା ଆଣନ୍ତି। ଖୁଚୁରା ଟଙ୍କାକୁ ବିଭିନ୍ନ ମଲ୍, ଦୋକାନ ଆଦି ବ୍ୟାବସାୟିକ ପ୍ରତିଷ୍ଠାନରେ ଦେଇ କମିସନ ପାଆନ୍ତି। ମାର୍ଚ୍ଚ ୩୦ ତାରିଖ ଦିନ ଉଦୟଭାନୁ ତାଙ୍କର ଦୁଇ ସହଯୋଗୀ ଶମ୍ଭୁନାଥ ସାହୁ ଓ ଧର୍ମେନ୍ଦ୍ର ରେଡ୍ଡୀଙ୍କୁ ଛତ୍ରପୁର ଏସ୍ବିଆଇ ଶାଖାକୁ ୧୧ ଲକ୍ଷ ଟଙ୍କା ବଦଳାଇବାକୁ ପଠାଇଥିଲେ। ଶମ୍ଭୁ ଓ ଧର୍ମେନ୍ଦ୍ର ଦୁଇଟି ବ୍ୟାଗ୍ରେ ଖୁଚୁରା ନୋଟ୍ ଧରି ଫେରୁଥିଲେ। ସେମାନେ ପିତାପଲ୍ଲୀ ଛକ ଅତିକ୍ରମ କରୁଥିବା ବେଳେ ଛକିଥିବା ସୋମା ଗ୍ୟାଙ୍ଗ୍ ସେମାନଙ୍କୁ ଅଟକାଇଥିଲା। ସେମାନେ ନିଜକୁ ଖୋର୍ଦ୍ଧା ଥାନା ପୁଲିସ୍ ଅଫିସର କହି ବ୍ୟାଗ୍ ଯାଞ୍ଚ କରିଥିଲେ। ଏତେ ଟଙ୍କା କେଉଁଠୁ ଆଣିଲ, ଯାଞ୍ଚ ହେବ କହି ସେମାନଙ୍କୁ ଥାନାକୁ ଚାଲ ବୋଲି ନିର୍ଦ୍ଦେଶ ଦେଲେ। ଟଙ୍କା ବ୍ୟାଗ୍ ଥିବା ଶମ୍ଭୁଙ୍କ ସ୍କୁଟିକୁ ସୋମା ଚଳାଇଥିଲା ଏବଂ ଦୀପ୍ତି ଶମ୍ଭୁଙ୍କୁ ନିଜ ବାଇକ୍ରେ ଓ ଆଶିଷ ଧର୍ମେନ୍ଦ୍ରକୁ ତା’ ବାଇକ୍ ପଛରେ ବସାଇଥିଲା। ମୁକୁନ୍ଦପ୍ରସାଦ ରୋଡ୍ରେ ସେମାନେ ଶମ୍ଭୁ ଓ ଧର୍ମେନ୍ଦ୍ରଙ୍କୁ ଗାଡ଼ିରୁ ଧକ୍କା ମାରି ଓହ୍ଲାଇ ଦେଲେ ଓ ଚମ୍ପଟ ମାରିଥିଲେ। ଏନେଇ ଇନ୍ଫୋଭ୍ୟାଲି ଥାନାରେ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ କରିଥିଲା।
ପୁଲିସ ପରିଚୟରେ ଏନ୍ଏଚ୍ରେ ଆଡ଼ା
ଏହି ଗ୍ୟାଙ୍ଗ୍ ଖୋର୍ଦ୍ଧାରୁ ଖଣ୍ଡଗିରି ଓ ଖୋର୍ଦ୍ଧାରୁ ଜଙ୍କିଆ ମଧ୍ୟରେ ସକ୍ରିୟ ରହୁଥିଲା। ବିଶେଷକରି ବ୍ୟବସାୟୀମାନଙ୍କୁ ଟାର୍ଗେଟ୍ କରୁଥିଲେ। ଦିନବେଳା ବିଭିନ୍ନ ଅଞ୍ଚଳରେ ବୁଲି ବ୍ୟବସାୟୀଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରୁଥିଲେ। ସିମେଣ୍ଟ, ରଡ୍, ମାର୍ବଲ, ଟାଇଲ୍ ଓ ତେଜରାତି ଗୋଦାମ ମାଲିକମାନଙ୍କୁ ନଜରରେ ରଖୁଥିଲେ। ନଗଦ ଟଙ୍କା କାରବାର କରୁଥିବା ବ୍ୟବସାୟୀମାନଙ୍କୁ ଶିକାର କରିବାକୁ ଫାଶ ବସାଉଥିଲେ। ବଡ଼ କଥା ହେଉଛି ସୋମା ଏକ ଫାଇନାନ୍ସ କମ୍ପାନିରେ ଗାଡ଼ି ଟଣା ଏଜେଣ୍ଟ ଭାବେ କାମ କରୁଥିଲା। ତେଣୁ ନକଲି ପୁଲିସ ବେଶରେ ରହି ଧମକଚମକ ଦେବା କାଇଦା ତାକୁ ଭଲ ଭାବେ ଜଣାଥିଲା। ରାତି ୮ଟା ପରେ ୧୬ ନମ୍ବର ଜାତୀୟ ରାଜପଥରେ ସେମାନେ ଡେରା ପକାଉଥିଲେ। ପୁଲିସ ଅଧିକାରୀ କହି ଗାଡ଼ି ଅଟକାଉଥିଲେ ଏବଂ ଯାଞ୍ଚ କରିବା ବାହାନାରେ ଲୁଟି ଛୁ’ ମାରୁଥିଲେ।
ଜେଲ୍ରୁ ଫେରିଥିଲା ହତ୍ୟା ଆସାମୀ ସୋମା
ଗ୍ୟାଙ୍ଗ୍ ଲିଡର୍ ସୋମା ଜଣେ ହତ୍ୟା ଆସାମୀ। ୨୦୧୨ ମସିହାରେ ପ୍ରେମ ବ୍ୟାପାରକୁ ନେଇ ସୋମା ଓ ତା’ର ସହଯୋଗୀମାନେ ଖୋର୍ଦ୍ଧା ଅଞ୍ଚଳର ଜଣେ ଯୁବକଙ୍କୁ ହତ୍ୟା କରିଥିଲେ। ଗୁରୁଜଙ୍ଗର ରାଜା ନାମକ ଯୁବକଙ୍କୁ ଗାଁରୁ ଚତୁରତାର ସହ ଅପହରଣ କରି ଗଙ୍ଗପଡ଼ା ନିକଟ ରତନପୁର କାଜୁ ଜଙ୍ଗଲରେ ହତ୍ୟା କରିଥିଲେ ଏବଂ ପ୍ରମାଣ ନଷ୍ଟ କରିବାକୁ ମୃତଦେହକୁ ଦରପୋଡ଼ା କରି ଛାଡ଼ିପଳାଇଥିଲେ। ଏହି ମାମଲାରେ କୋର୍ଟ ତାକୁ ଦୋଷୀ ସାବ୍ୟସ୍ତ କରିଥିଲେ। କିଛି ବର୍ଷ ଜେଲ୍ରେ ରହିବା ପରେ ସେ ମୁକୁଳି ଥିଲା। ଜେଲ୍ ଫେରନ୍ତା ହିସାବରେ ସୋମା ଏକପ୍ରକାର ଦୁର୍ଦ୍ଦାନ୍ତ ବୋଲି ଗଣାହେଉଥିଲା। ସେବେଠୁ ସେ ନିଜର ଆପରାଧିକ ସାମ୍ରାଜ୍ୟ ବିସ୍ତାର ପାଇଁ ଗ୍ୟାଙ୍ଗ୍ ଗଢ଼ିଥିଲା। ତା’ ନାଁରେ ଖୋର୍ଦ୍ଧା ଥାନାରେ ଆହୁରି ୨ଟି ମାମଲା ରହିଛି। ସେହିପରି ଦୀପ୍ତି ନାମରେ ଖୋର୍ଦ୍ଧା ସଦର ଥାନାରେ ମାମଲା ରହିଛି।
[ad_2]




