ଖେଳ ଖବର

ଦୂତିଙ୍କ ଦ୍ବିତୀୟ ପାଳି: କ୍ରୀଡ଼ା ବିକାଶ ଲାଗି ଗଢ଼ିଲେ ସ୍ବେଚ୍ଛାସେବୀ ଅନୁଷ୍ଠାନ – Kalinga News

[ad_1]

ଭୁବନେଶ୍ବର: ଆଥଲେଟିକ୍ସ ଟ୍ରାକ୍ ହେଉକି ବ୍ୟକ୍ତିଗତ ଜୀବନ, ପଡ଼ିଆ ଭିତର ହେଉକି ବାହାର ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ଦୌଡ଼ରାଣୀ ଦୂତି ଚାନ୍ଦ। ଆଣ୍ଡ୍ରୋଜେନ୍ ସ୍ତର ପାଇଁ ଆଇନଗତ ଲଢ଼େଇଠାରୁ ଆରମ୍ଭ କରି ସମଲିଙ୍ଗୀ ସଂପର୍କ ପର୍ଯ୍ୟନ୍ତ, ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କାରଣ ପାଇଁ ମଧ୍ୟ ବିବାଦୀୟ ହୋଇଛନ୍ତି ସେ। ଅଲିମ୍ପିକ୍ସରେ ଦୁଇ ଥର ଦୌଡ଼ିବାର ସର୍ବୋଚ୍ଚ ସଫଳତାଠାରୁ ଏସୀୟ କ୍ରୀଡ଼ା ଓ ଏସିଆନ୍ ଆଥଲେଟିକ୍ସରେ ସଫଳ ହୋଇ ପ୍ରତିଟି ଓଡ଼ିଆକୁ ଗୌରବାନ୍ବିତ କରିବାର ରେକର୍ଡ; ପୁଣି ଡୋପ୍ ପରୀକ୍ଷଣରେ ଧରାପଡ଼ି ନିଲମ୍ବିତ ହେବାର ଅପଯଶ ମଧ୍ୟ ମୁଣ୍ଡାଇଛନ୍ତି ଏହି କଣ୍ଟ୍ରୋଭର୍ସି କୁଇନ୍।

ବାସନ୍ଦ ହେବା ପରେ ଆପାତତଃ ଖେଳ ଜୀବନର ଶେଷ ପର୍ଯ୍ୟାୟରେ ଥିବା ଦୂତି ଏବେ ନିଜ ପ୍ରିୟ ଖେଳ ‘ଦୌଡ଼କୁଦ’ଠୁ ପାଇଥିବା ଅସୀମ ସଫଳତାରୁ ସମାଜକୁ କିଛି ଫେରାଇବା ଲାଗି ପ୍ରୟାସ ଆରମ୍ଭ କରିଛନ୍ତି। ଦୂତି ଚାନ୍ଦ ସ୍ପୋର୍ଟସ ଫାଉଣ୍ଡେସନ୍‌ ଅଫ୍ ଇଣ୍ଡିଆ ନାମକ ସ୍ବେଚ୍ଛାସେବୀ ସଂଗଠନ ଗଠନ କରି ଗ୍ରାମାଞ୍ଚଳର କ୍ରୀଡ଼ା ପ୍ରତିଭାଙ୍କୁ ଆବଶ୍ୟକ ସମର୍ଥନ ଓ ପ୍ରଶିକ୍ଷଣ ଦେବା ଆରମ୍ଭ କରିଛନ୍ତି। ଏଥିଲାଗି ନିଜେ ପ୍ରଥମ ପେସାଦାର ପ୍ରଶିକ୍ଷଣ ପାଇଥିବା ସ୍ଥଳ ‘ବରଗଡ଼’କୁ କର୍ମଭୂମି ଭାବେ ବାଛିଛନ୍ତି। ଏଭଳି ଏକ ସକାରାତ୍ମକ କାର୍ଯ୍ୟ ଲାଗି ଜମି ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି। କିଛି ଦିନ ତଳେ ବରଗଡ଼ ଜିଲ୍ଲାପାଳଙ୍କୁ ଭେଟି ଏଥିଲାଗି ଆନୁଷ୍ଠାନିକ ଭାବେ ଆବେଦନ ବି କରିଛନ୍ତି। ଖେଳ ଜୀବନ ପରେ ରାଜନୀତି କରିବେ ବୋଲି ଏକଦା ଘୋଷଣା କରିଥିବା ଦୂତି କିନ୍ତୁ ଆଗାମୀ ସାଧାରଣ ନିର୍ବାଚନ ଲାଗି ସୃଷ୍ଟି ହୋଇଥିବା ସାଂପ୍ରତିକ ରାଜନୈତିକ ଉଷ୍ମତାରୁ ଦୂରେଇ ରହିଛନ୍ତି। ସେହିଭଳି ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିଥିବା କିଛି ଭିଡିଓ ପାଇଁ ପାର୍ଟନର ମୋନାଲିସାଙ୍କ ସହ ତାଙ୍କର ମତାନ୍ତର ହୋଇଥିବା ଖବରକୁ ଫେସ୍‌ବୁକ୍ ପୋଷ୍ଟ ମାଧ୍ୟମରେ ଖଣ୍ଡନ କରିଛନ୍ତି। ଭିଡିଓରେ ଥିବା ଝିଅମାନେ କେବଳ ତାଙ୍କର ବନ୍ଧୁ ବୋଲି ସାମାଜିକ ଗଣମାଧ୍ୟମ ଜରିଆରେ ସ୍ପଷ୍ଟ କରି ଦେଇଛନ୍ତି। ୨୦୨୧ ମସିହାରେ ଟୋକିଓ ଅଲିମ୍ପିକ୍ସର ଠିକ୍ ପରେ ପରେ କର୍କଟ ରୋଗର ପ୍ରଥମ ସ୍ତର ଲକ୍ଷଣ ଦେଖା ଯାଇଥିଲେ ବି ସଂପ୍ରତି ସେ ସଂପୂର୍ଣ୍ଣ ଠିକ୍ ଥିବା ଜଣାପଡ଼ିଛି। ସେହିଭଳି ସମଲିଙ୍ଗୀ ବିବାହକୁ ନେଇ ସୁପ୍ରିମକୋର୍ଟ ଦେଇଥିବା ରାୟ ପାଇଁ ଦୁଃଖିତ ଥିଲେ ମଧ୍ୟ ପ୍ରେମିକାଙ୍କ ସହ ବେଶ୍ ଖୁସିରେ ଥିବା କହିଛନ୍ତି।

କ୍ରୀଡ଼ା ବିକାଶ ଲାଗି ଗଢ଼ିଲେ ସ୍ବେଚ୍ଛାସେବୀ ଅନୁଷ୍ଠାନ
ତୃଣମୂଳ ସ୍ତରରୁ ଖେଳାଳି ଚିହ୍ନଟ ଓ ବିକାଶ କରିବେ
ମାଷ୍ଟର୍ସ ଆଥଲେଟ୍‌ଙ୍କୁ ମଧ୍ୟ ଆର୍ଥିକ ସହାୟତା ଦେବେ

ଦୂତିଙ୍କ ଅନ୍ୟତମ ଆଦ୍ୟଗୁରୁ ତଥା ତାଙ୍କ ଅନୁଷ୍ଠାନର ଅଧ୍ୟକ୍ଷ ଶିବ ମିଶ୍ର କହିଛନ୍ତି ଯେ ଆମେ ଚାରିଟି ଲକ୍ଷ୍ୟ ନେଇ ଏଭଳି ପଦକ୍ଷେପ ନେଇଛୁ। ପ୍ରଥମତଃ ତୃଣମୂଳସ୍ତରରୁ ପ୍ରତିଭା ଚିହ୍ନଟ ଓ ବିକାଶ ଉପରେ ଜୋର୍ ଦେବୁ। ସେହିଭଳି ଟପ୍ସ, ସାଇ ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ ହୋଇଥିବା ଖେଳାଳିଙ୍କୁ ପ୍ରୋତ୍ସାହନ ଦେବୁ, ଜାତୀୟ ପ୍ରତିଯୋଗିତାଗୁଡ଼ିକରେ ପଦକ ଜିତିଥିବା ଖେଳାଳିଙ୍କୁ ଖୋଜି ସେମାନଙ୍କୁ କିଟ୍, ଫୁଡିଂ ଆଦି ପ୍ରଦାନ କରିବୁ। ମାଷ୍ଟର୍ସ ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା ଓଡ଼ିଶାର ଖେଳାଳିମା‌ନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବାରୁ ସେମାନଙ୍କ ଯାତ୍ରା ଖର୍ଚ୍ଚ, ଉପକରଣ ଆଦି ଲାଗି ଆର୍ଥିକ ସହାୟତା ଦେବୁ। ଏଥିଲାଗି ବିଭିନ୍ନ କଂପାନିକୁ ଅନୁରୋଧ କରିବା ସହ କ୍ରାଉଡ୍ ଫଣ୍ଡିଂ ଜରିଆରେ ପାଣ୍ଠି ସଂଗ୍ରହ କରିବୁ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button