ଖେଳ ଖବର

ବୋଲିଂ ଆକାଶର ନୂଆ ତାରକା: ମୟଙ୍କ – Kalinga News

[ad_1]

ନୂଆଦିଲ୍ଲୀ: ଭାରତୀୟ ବୋଲିଂ ଆକାଶରେ ନୂଆ ତାରକାଙ୍କ ଆବିର୍ଭାବ ହୋଇଛି। ଶନିବାର ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ ପକ୍ଷରୁ ଖେଳି ନିଜ ପ୍ରଭାବୀ ପ୍ରଦର୍ଶନରେ ସମସ୍ତଙ୍କ ମନ ଜିତି ନେଇଥିବା ଏହି ଉଦୀୟମାନ ଦ୍ରୁତ ବୋଲର୍‌ ଜଣକ ହେଉଛନ୍ତି ୨୧ ବର୍ଷୀୟ ମୟଙ୍କ ୟାଦବ। ମାତ୍ର ୨୪ ବଲ୍ ବୋଲିଂ କରିବା ତାଙ୍କ ଜୀବନର ଗତିପଥ ବଦଳାଇ ଦେଇଛି। ହଠାତ୍ ସେ ଶୂନରୁ ଶହେ ସଫଳତା ସାଉଣ୍ଟିଛନ୍ତି। ଆଇପିଏଲ୍ ପଦାର୍ପଣରେ ମୟଙ୍କ କେବଳ ନିଜ ବିଜୁଳି ଭଳି ଗତି ଓ ବିବିଧତା ଭରା ବୋଲିଂର ନମୁନା ଦେଖାଇ ନାହାନ୍ତି। ବରଂ ପଦାର୍ପଣରେ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରି ହାତଗଣତିଙ୍କ ମଧ୍ୟରେ ବି ସାମିଲ ହୋଇଛନ୍ତି। ୪ ଓଭରରେ ମାତ୍ର ୨୭ ରନ୍ ବ୍ୟୟ କରିବା ସହ ଚଳିତ ଋତୁର ଦ୍ରୁତତମ ବଲ୍ (ଘଣ୍ଟାପ୍ରତି ୧୫୫.୮ କିଲୋମିଟର) ପକାଇବାର ଯୁଗଳ ସଫଳତା ମଧ୍ୟ ମୟଙ୍କ ନିଜ ନାଁରେ କରି ନେଇଛନ୍ତି।

ତାଙ୍କ ଅଗ୍ନିବର୍ଷୀ ବୋଲିଂ ପାଇଁ ହିଁ ପ୍ରଥମ ୧୦ ଓଭର ପର୍ଯ୍ୟନ୍ତ ସଂଘର୍ଷ କରିଥିବା ଲକ୍ଷ୍ନୌ ହଠାତ୍ ଶେଷ ୧୦ ଓଭରରେ ମ୍ୟାଚ୍‌କୁ ଫେରି ପଞ୍ଜାବ କିଙ୍ଗ୍ସକୁ ୨୧ ରନ୍‌ରେ ହରାଇବା ସହ ଚଳିତ ଆଇପିଏଲ୍‌ର ପଏଣ୍ଟ୍‌ ଖାତା ଖୋଲିଥିଲା। ସେବେଠାରୁ ମୟଙ୍କଙ୍କୁ ନେଇ ଚାରିଆଡ଼େ ଚର୍ଚ୍ଚା। ଆଗାମୀ ସମୟରେ ସେ ଆଇପିଏଲ୍ ସହ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ମଧ୍ୟ ନିଜ ଯାଦୁ ଦେଖାଇବେ ବୋଲି ବହୁ ପୂର୍ବତନ କ୍ରିକେଟର୍‌ ଭବଷ୍ୟବାଣୀ କରିଛନ୍ତି। ଏପରିକି ମୟଙ୍କଙ୍କୁ ଇଂଲଣ୍ଡର କିବଂଦନ୍ତି ଦ୍ରୁତ ବୋଲର୍‌ ଷ୍ଟୁଆର୍ଟ ବ୍ରଡ୍ ଭାରତୀୟ ଦ୍ରୁତ ବୋଲିଂର ଭବିଷ୍ୟତ ଭାବେ ବର୍ଣ୍ଣନା କରିଛନ୍ତି। ଦିଲ୍ଲୀ ପକ୍ଷରୁ ମାତ୍ର ଦୁଇଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳିଥିବା ମୟଙ୍କ ପୂର୍ବରୁ କେବେବି ଏଭଳି ସ୍ଥିର ଭାବେ ୧୪୦ କିଲୋମିଟରରୁ ଅଧିକ ଗତିରେ ବୋଲିଂ କରିନଥିବା ନିଜେ କହିଛନ୍ତି। ଅବଶ୍ୟ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିର ଏକ ମ୍ୟାଚ୍‌ରେ ୧୫୫ କିଲୋମିଟର ବେଗକୁ ଛୁଇଁଥିବା ସୂଚନା ଦେଇଛନ୍ତି ସେ।

ପଶ୍ଚିମ ଦିଲ୍ଲୀର ଏହି ଶାନ୍ତ, ସରଳ ଯୁବକଙ୍କ କ୍ରିକେଟ୍ କାହାଣୀ କିନ୍ତୁ ବେଶ୍ ସଂଘର୍ଷଭରା ରହିଛି। ମୟଙ୍କ ଗତ ୬ ବର୍ଷର କଠିନ ପରିଶ୍ରମକୁ ମନେ ପକାଇ ତାଙ୍କ ପିତା ପ୍ରଭୁ ୟାଦବ ଭାବବିହ୍ବଳ ହୋଇଯାଇଛନ୍ତି। ଦିଲ୍ଲୀର ସୋନେଟ୍ କ୍ଲବ୍‌ରୁ ଖେଳିଲା ବେଳେ ହିଁ ମୟଙ୍କ ଦ୍ରୁତ ବୋଲିଂର ମୌଳିକ କଳା କୌଶଳ ଶିଖିଥିଲେ। ତାଙ୍କୁ ଜଣେ ଦକ୍ଷ ଦ୍ରୁତ ବୋଲର ଭା‌ବେ ଗଢ଼ି ତୋଳିବାରେ ଦିବଂଗତ ପ୍ରଶିକ୍ଷକ ତାରକ ସିହ୍ନା ଓ ଏବେକାର ପ୍ରଶିକ୍ଷକ ଦେବୀନ୍ଦର ଶର୍ମାଙ୍କର ବଳିଷ୍ଠ ଯୋଗଦାନ ରହିଛି। ୬ ଫୁଟ ୧ ଇଞ୍ଚ ଉଚ୍ଚତା ବିଶିଷ୍ଟ ମୟଙ୍କ ନିଜ ସଂକ୍ଷିପ୍ତ କ୍ରିକେଟ୍‌ ଜୀବନରେ ଅନେକ ବାଧାବିଘ୍ନର ସମ୍ମୁଖୀନ ହୋଇଛନ୍ତି। ବିଶେଷ କରି ଆଘାତ ଜନିତ ସମସ୍ୟା ତାଙ୍କୁ ନିୟମିତ ଭାବେ ହଇରାଣ କରିଆସିଛି। ଗତବର୍ଷ ଦେଓଧର ଟ୍ରଫି‌ରେ ଚମତ୍କାର ବୋଲିଂ କରିଥିଲେ ସେ। ହେଲେ ଆହତ ହୋଇ ପୂରା ରଣଜୀ ଋତୁ ଖେଳି ପାରି ନଥିଲେ। ଗତବର୍ଷ ଆଇପିଏଲ୍ ପଦାର୍ପଣ କରିବେ ବୋଲି ମୟଙ୍କ ଆଶା ରଖିଥିଲେ। ‌ହେଲେ ଏହା ସମ୍ଭବ ହୋଇନଥିଲା। ତଥାପି ମୟଙ୍କ ଦିନେ ନା ଦିନେ କ୍ରିକେଟ୍ ପଡ଼ିଆରେ ତାଙ୍କ ମହକ ଦେଖାଇବେ ବୋଲି ଗତ ୪ ବର୍ଷ ହେଲା ମୁଁ କହି ଆସୁଛି ବୋଲି କହିଛନ୍ତି ଦେବୀନ୍ଦର।

ମୟଙ୍କଙ୍କ ପୂର୍ବରୁ ଋଷଭ ପନ୍ତଙ୍କ ଭଳି ଖେଳାଳି ସୃଷ୍ଟି କରିଥିବା ଦେବୀନ୍ଦର ୭ ବର୍ଷ ତଳର କଥା ମନେ ପକାଇ କହିଛନ୍ତି, ମୟଙ୍କ ଯେତେବେଳେ ୧୪-୧୫ ବର୍ଷର ଥିଲା ଓଖଲାରେ ଦୋକାନ କରିଥିବା ତାଙ୍କ ପିତା ପ୍ରଭୁ ୟାଦବ ମୋ ପାଖକୁ ତାକୁ ଆଣିଥିଲେ। ସେତେବେଳେ ସେ ବେଶ୍ ଦୁର୍ବଳ ଥିଲା। ଏମିତି କି ବୋଲିଂ ଜୋତା ବି ତା ପାଖରେ ନଥିଲା। ତଥାପି ସେ ଭଲ ବୋଲିଂ କରୁଥିଲା। ଈଶ୍ବରଙ୍କ ଉପରେ ଗଭୀର ବିଶ୍ବାସ ଓ ଆତ୍ମବଳ ହିଁ ତାକୁ ଆଜି ସାରା ଦୁନିଆରେ ପରିଚିତ କରାଇଛି। ମୟଙ୍କଙ୍କ ପ୍ରଦର୍ଶନ ଉପରେ ଜାତୀୟ ଚୟନ ସମିତିର ମୁଖ୍ୟ ଅଜିତ ଅଗରକର ସ୍ବତନ୍ତ୍ର ଦୃଷ୍ଟି ରଖିଥିବା ସଙ୍କେତ ଦେଇଛନ୍ତି। ଆଗାମୀ ରଣଜୀ ଋତୁରେ ଭଲ କଲେ ତାଙ୍କୁ ଜାତୀୟ ଦଳକୁ ଡାକରା ମିଳିବାର ବି ଯଥେଷ୍ଟ ସମ୍ଭାବନା ରହିଛି। ସଂପ୍ରତି ଦୁନିଆର ସର୍ବଶ୍ରେଷ୍ଠ ଦ୍ରୁତ ବୋଲର ବୋଲାଉଥିବା ଯଶପ୍ରୀତ୍‌ ବୁମ୍‌ରା ନୁହଁ, ଦକ୍ଷିଣ ଆଫ୍ରିକାର ପୂର୍ବତନ ଦ୍ରୁତ ବୋଲର ଡେଲ୍ ଷ୍ଟେନ୍‌ ହେଉଛନ୍ତି ତାଙ୍କ ଆଦର୍ଶ ବୋଲି ମୟଙ୍କ ମତ ଦେଇଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button