ଅପରାଧ

ବଢ଼ିଲା ଜେଲ୍‌ କଟକଣା: କଏଦୀଙ୍କ ଗ୍ୟାଙ୍ଗଵାର୍‌ ପରେ ଚେତି‌ଲେ – Kalinga News

[ad_1]

ଭୁବନେଶ୍ବର: ଝାରପଡା ଜେଲ୍‌ରେ ଗ୍ୟାଙ୍ଗ୍‌ଵାର ସହିତ ଜେଲ୍‌ ଭିତରୁ ନିଶା ସାମଗ୍ରୀ ମିଳିବା ପରେ ଜେଲ୍‌ର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ଜେଲ୍‌ କର୍ତ୍ତୃପକ୍ଷଙ୍କ ଅବହେଳା ଏବେ ପଦାରେ ପଡ଼ିଛି। ରାଜଧାନୀରେ ଥିବା ରାଜ୍ୟର ସବୁଠୁ ହାଇପ୍ରୋଫାଇଲ୍‌ ଜେଲ୍‌ର ଅବସ୍ଥା ଯଦି ଏପରି, ତା’ହେଲେ ଦୁର୍ଗମ ଅଞ୍ଚଳରେ ଥିବା ଜେଲ୍‌ଗୁଡ଼ିକର ସ୍ଥିତି କେମିତି ଥିବ, ତାହା ସହଜରେ ଅନୁମାନ କରାଯାଇପାରେ। ଝାରପଡା ଘଟଣା ପରେଜେଲ୍‌ ଡିଜି ଅମ୍ରିତ ମୋହନ ପ୍ରସାଦ ସବୁ ଜେଲ୍‌ ପାଇଁ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି।

ନିର୍ଦ୍ଦେଶନାମା‌ ଅନୁଯାୟୀ ଜେଲ୍‌ରେ ଥିବା କଏଦୀଙ୍କ କ୍ୟାଣ୍ଟିନ୍‌ ଖର୍ଚ୍ଚକୁ କମାଇ ‌ଦିଆଯିବ। ପୂର୍ବରୁ ମୁଣ୍ଡପିଛା ମାସିକ କ୍ୟାଣ୍ଟିନ୍‌ ଖର୍ଚ୍ଚ ୫,୦୦୦ ଟଙ୍କା ଥିବାବେଳେ ତାହାକୁ ୩,୦୦୦ ଟଙ୍କାରେ ସୀମିତ କରାଯାଇଛି। ପୁଣି କୁହାଯାଇଛି ଯେ କଏଦୀମାନେ କ୍ୟାଣ୍ଟିନ୍‌ରେ ପ୍ରତିଦିନ ୧୦୦ ଟଙ୍କାରୁ ଅଧିକ ଖର୍ଚ୍ଚ କରିପାରିବେନି। ଏହାଛଡ଼ା ୱାର୍ଡର୍‌ମାନଙ୍କ ସିଫ୍ଟ ବଦଳ ସମୟରେ ସେମାନେ ମଧ୍ୟ ଯାଞ୍ଚର ସମ୍ମୁଖୀନ ହେବେ। ସେମାନଙ୍କର ତଲାସୀ ନିଆଯିବ। ୩ଟି ଶ୍ରେଣୀରେ କଏଦୀଙ୍କୁ ଶ୍ରେଣୀଭୁକ୍ତ କରିବାସହ ସେମାନଙ୍କ ପାଇଁ ଭିନ୍ନ ଭିନ୍ନ ସୁରକ୍ଷା ବ୍ୟବସ୍ଥା କରାଯିବ। ଦୁର୍ଦ୍ଦାନ୍ତ ଅପରାଧୀ ଜେଲ୍‌ ଭିତ‌ରେ ଯେପରି ଖୁଲମଖୁଲା ବୁଲି ପାରିବେନି, ତାହା ନିଶ୍ଚିତ କରାଯିବ। ଅପରାଧୀମାନେ ଜେଲ୍‌ ଭିତରେ ପରସ୍ପର ସହିତ ଯେପରି ସଂପର୍କ ନରଖନ୍ତି ଏବଂ ଏକାଠି ନହୁଅନ୍ତି ତାହା ଉପରେ କଡା ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅଧୀକ୍ଷକ ଓ ଜେଲର୍‌ ଜେଲ୍‌ରେ ନିୟମିତ ଯାଞ୍ଚ କରିବେ। ଏହା ସହିତ ଜେଲ୍‌ ଭିତରେ ଗ୍ୟାଙ୍ଗ୍‌ଵାର, ବେଆଇନ ସାମଗ୍ରୀ ପ୍ରବେଶ, ମୋବାଇଲ ମିଳିବା ଆଦି ଜଣା ପଡ଼ିବାମାତ୍ରେ ଜେଲ୍‌ ଅଧୀକ୍ଷକ ତୁରନ୍ତ ଜେଲ୍‌ ଡିଆଇଜିଙ୍କ ଦୃଷ୍ଟିକୁ ଆଣିବାଲାଗି କୁହାଯାଇଛି। ନଚେତ୍ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି। ସୂଚନାଯୋଗ୍ୟ ଯେ କିଛିଦିନ ତଳେ ଝାରପଡ଼ା ଜେଲ୍‌ରେ ନିଶା କାରବାରକୁ କେନ୍ଦ୍ରକରି ଗ୍ୟାଙ୍ଗଵାର୍‌ ଘଟିଥିଲା। ଏହାପରେ ପୁଲିସ ପକ୍ଷରୁ ଚଢ଼ାଉ କରାଯିବାରୁ ଜେଲ୍‌ ଭିତରୁ ପୁଳାପୁଳା ନିଶା ସାମଗ୍ରୀ ଜବତ ହୋଇଥିଲା। କଏଦୀମାନେ ସେଲ୍ ଭିତରେ ତ ନିଶାଦ୍ରବ୍ୟ ରଖିଥିଲେ, ଏହାସହିତ ଜେଲ୍‌ ପରିସର ମାଟିରେ ପୋତି ଓ ଗଛରେ ଟାଙ୍ଗି ମଧ୍ୟ ଲୁଚାଇଥିଲେ। ସେଥିରୁ ଜେଲ୍‌ କର୍ମଚାରୀଙ୍କର ସଂପୃକ୍ତି ମଧ୍ୟ ସ୍ପଷ୍ଟ ହୋଇଯାଇଥିଲା। ପରେ ଏହାର ତଦନ୍ତର ଦାୟିତ୍ବ ଜେଲ୍ ବିଭାଗର ଉଚ୍ଚ ଅଧିକାରୀଙ୍କୁ ଦିଆଯାଇଥିଲା। ସେହି ତଦନ୍ତର ରିପୋର୍ଟ ଅନୁସାରେ ଜଣେ ଵାର୍ଡରଙ୍କୁ ନିଲମ୍ବିତ କରାଯିବା ସହିତ ଅନ୍ୟଜଣଙ୍କୁ ବଦଳି କରାଯାଇଥିଲା।
ଏହି ମାମଲାରେ କର୍ତ୍ତୃପକ୍ଷ ତଳତଳିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ବଡ଼ ଅଧିକାରୀମାନଙ୍କୁ ଖସାଇ ଦେଇଥିଲେ ବୋଲି ଚର୍ଚ୍ଚା ହୋଇଥିଲା।

ଜେଲ୍‌ ଡିଜିଙ୍କ ନିର୍ଦେଶନାମାର ମୁଖ୍ୟାଂଶ
୧. କଏଦୀଙ୍କ ଜେଲ୍‌ କ୍ୟାଣ୍ଟିନ ଖର୍ଚ୍ଚ ମାସିକ ୫,୦୦୦ ଟଙ୍କାରୁ ୩,୦୦୦ ଟଙ୍କାରେ ସୀମିତ ରହିବ
୨. କ୍ୟାଣ୍ଟିନରେ ଦିନକୁ ୧୦୦ ଟଙ୍କାରୁ ଅଧିକ ଖର୍ଚ୍ଚ କରି ପାରିବେନି କଏଦୀ
୩. ସିଫ୍ଟ ବଦଳବେଳେ କର୍ମଚାରୀଙ୍କୁ ମୁଖ୍ୟ ଵାର୍ଡର ସଂପୂର୍ଣ ଯାଞ୍ଚ କରିବେ
୪. ଜେଲ୍‌ରେ ଗ୍ୟାଙ୍ଗ ଓ ଦଳ ଗଠନ ଉପରେ ସୁପରିନ୍‌ଟେଣ୍ଡେଣ୍ଟ ଓ ଜେଲର୍‌ ନଜର ରଖିବେ
୫. ଜେଲ୍‌ ଭିତରେ ମୋବାଇଲ ବା ବେଆଇନ ସାମଗ୍ରୀ ପ୍ରବେଶ ଘଟଣା ଜାଣିଲେ ଅଥବା କଏଦୀଙ୍କ ଭିତରେ ବିଶୃଙ୍ଖଳା ଦେଖିବାମାତ୍ରେ ଜେଲ୍ କର୍ତ୍ତୃପକ୍ଷ ତୁରନ୍ତ ରେଞ୍ଜ ଡିଆଇଜିଙ୍କ ଦୃଷ୍ଟିକୁ ଆଣିବେ
୬. ସୁପରିନ୍‌ଟେଣ୍ଡେଣ୍ଟ ଓ ଜେଲର୍‌ ନିୟମିତ ସର୍‌ପ୍ରାଇଜ୍‌ ଯାଞ୍ଚ କରିବେ
୭. ଜେଲ୍‌ ସୁପରିନଟଣ୍ଡେଣ୍ଡ ସୁରକ୍ଷା ସମୀକ୍ଷା ବେଳେ କଏଦୀଙ୍କ ପୂର୍ବ ଅପରାଧ ଇତିହାସ ଯାଞ୍ଜ କରିବେ
୮. ଦୁର୍ଦ୍ଦାନ୍ତ, ସାମାନ୍ୟ ଓ ସାଧାରଣ ବନ୍ଦୀ- କଏଦୀଙ୍କୁ ଏଭଳି ୩ ଶ୍ରେଣୀରେ ଭାଗ କରାଯିବ ଏବଂ ସେହି ଅନୁସାରେ ସୁରକ୍ଷା ବ୍ୟବସ୍ଥା କରାଯିବ
୯. ଦୁର୍ଦ୍ଦାନ୍ତ ଅପରାଧୀ ଖୁଲମଖୁଲା ଜେଲ୍‌ ଭିତରେ ବୁଲି ପାରିବେନାହିଁ, ତାଙ୍କୁ ଜଣେ ଗାର୍ଡ ଜଗିବେ
୧୦. କ୍ୟାଣ୍ଟିନ, ଟେଲିଫୋନ କଲ୍‌ ଓ ସାକ୍ଷାତ ସମୟରେ କଏଦୀମାନେ ଯେପରି ଅଧିକ ସମୟ ଏକତ୍ରିତ ନହେବେ ତା’ର ବ୍ୟବସ୍ଥା କରାଯିବ



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button