ରାଜନୀତି

ଅଲଗା ଅଲଗା ପାଗ ଭିଡ଼ିଲେଣି: ବିଜେଡି ସାଂଗଠନିକ କସରତ ତ୍ବରାନ୍ବିତ କଲା – Kalinga News

[ad_1]

ବ୍ରହ୍ମପୁର, ଆସ୍କା, କନ୍ଧମାଳ, ଭୁବନେଶ୍ବରର ସମୀକ୍ଷା

ଭୁବନେଶ୍ବର: ବିଜେଡି-ବିଜେପି ମେଣ୍ଟ ହେବ କି ନାହିଁ? ଏନେଇ ଉଭୟ ଦଳର ନେତା ଏଯାଏଁ ସ୍ପଷ୍ଟ କରିନାହାନ୍ତି। ଉଭୟ ଦଳର ଶୀର୍ଷ ନେତୃତ୍ବ ପାଖରେ ନିଷ୍ପତ୍ତି ଝୁଲିଛି। ସିଟ୍ ସଂଖ୍ୟା ଓ ସରକାରରେ ଭାଗୀଦାରି ନେଇ ଅଡ଼ୁଆ ତୁଟୁନାହିଁ ବୋଲି କ୍ଷମତା କରିଡର ନିକଟରେ ଥିବା ନେତାମାନେ ଫୁସୁରୁଫାସର ହେଲେଣି। ଦିନେ ଦୁଇଦିନ ମଧ୍ୟରେ ଏସଂକ୍ରାନ୍ତରେ ଗୋଟିଏ ସ୍ପଷ୍ଟ ଚିତ୍ର ଆସିପାରେ ବୋଲି ଉଭୟ ଦଳରୁ ସଙ୍କେତ ମିଳୁଛି। ଏପଟେ କିନ୍ତୁ ଟିକିଏ ନିରେଖି ଦେଖିଲେ, ଜଣାପଡ଼ିଲାଣି ଯେ ବିଜେପିର ନିଷ୍ପତ୍ତିକୁ ଅପେକ୍ଷା ନ କରି ବିଜେଡି ନିର୍ବାଚନ କାର୍ଯ୍ୟକଳାପ ଧୀରେ ଧୀରେ ଜୋରଦାର କଲାଣି। ଯେମିତିକି ମେଣ୍ଟ ଆଉ ହେବାର ନାହିଁ। ଆଜି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଓ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ବସି ୪ଟି ଲୋକସଭା ନିର୍ବାଚନମଣ୍ଡଳୀର ସମୀକ୍ଷା କରିଛନ୍ତି। ଏସବୁ ଅଞ୍ଚଳରେ ଦଳ କିଭଳି ଶତପ୍ରତିଶତ ସଫଳତା ପାଇବ ସେନେଇ ଦଳୀୟ ନେତାଙ୍କୁ ଟାସ୍କ ଧରେଇଛନ୍ତି ନବୀନ। କୌଣସି ପରିସ୍ଥିତିରେ ବିରୋଧୀଙ୍କୁ ସୁଯୋଗ ନ ଦେବା ଲାଗି ତାଗିଦ୍ ବି କରାଯାଇଛି। ସେପଟେ ରାଜ୍ୟ ବିଜେପିର କ୍ଷମତାଶାଳୀ ନେତା ଗଣମାଧ୍ୟମକୁ ଆସି କୌଣସି ସୂଚନା ଦେଉନାହାନ୍ତି ସତ, କିନ୍ତୁ ମେଣ୍ଟ ନିଷ୍ପତ୍ତିଟି ଆଗେଇ ପାରୁନାହିଁ ବୋଲି ଗୋଟିଏ ସଙ୍କେତ ଦେଲେଣି। ଦଳର ନେତାମାନଙ୍କୁ ନ ବସି ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିବାକୁ କୁହାଗଲାଣି। ଇତିମଧ୍ୟରେ ଦିଲ୍ଲୀରେ ଟିକେଟ୍ ବଣ୍ଟାକୁ ନେଇ କସ୍‌ରତ ଆରମ୍ଭ ହୋଇଛି। ଦଳର ଜଣେ ବରିଷ୍ଠ ନେତା କହିଛନ୍ତି ଯେ ୨୩ ତାରିଖ ଦିନ ପ୍ରସ୍ତାବିତ ଟିକେଟ୍ ତାଲିକାରେ ଓଡ଼ିଶା ନେତାଙ୍କ ନାମ ରହିପାରେ। ହେଲେ ମେଣ୍ଟ ହେବ କି ନାହିଁ, ବିଜେଡିକୁ ଛାଡ଼ି ଅନ୍ୟ ଆସନରେ ବିଜେପି ଟିକେଟ୍ ଦେବ କି ବୋଲି ପଚାରାଯିବାରେ ସଂପୃକ୍ତ ନେତା ନିରବ ରହିଛନ୍ତି। ଆଜି ରାତିରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓଡ଼ିଶା ଫେରିଆସିଛନ୍ତି।ବିମାନବନ୍ଦରରେ ସେ କହିଛନ୍ତି ଯେ ଖୁବ୍‌ଶୀଘ୍ର ପ୍ରାର୍ଥୀ ତାଲିକା ଆସିବ। ମେଣ୍ଟ ସଂପର୍କରେ ପରେ ଜଣାଇଦିଆଯିବ। ମନମୋହନଙ୍କ ଆଚରଣରୁ ମେଣ୍ଟ ସଂପର୍କରେ କୌଣସି ସକାରାତ୍ମକ ସଙ୍କେତ ମିଳିପାରୁନାହିଁ। ତେବେ ଆଜି ଦିନତମାମ ନୂଆଦିଲ୍ଲୀରେ ଟିକେଟ୍ ବଣ୍ଟା ଓ ବିଜେଡି ସହିତ ବୁଝାମଣାକୁ ନେଇ ବିଜେପି ଶିବିରରେ ମାନସମନ୍ଥନ ଚାଲିଥିଲା। ଏ ମଧ୍ୟରେ ବଡ଼ କଥାଟି ହେଲା, ରାଜ୍ୟ ବିଜେପି ନେତା ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ବିଜେଡି ବିରୋଧରେ ଅଭିଯୋଗ କରିଛନ୍ତି। ଏସବୁ ପରିବର୍ତ୍ତନକୁ ଲକ୍ଷ୍ୟ କରି ରାଜନୈତିକ ପର୍ଯ୍ୟବେକ୍ଷକ ଠଉରାଇଲେଣି ଯେ ରାଜ୍ୟର ଏକନମ୍ବର ଦଳ ବିଜେଡି ଓ ଦୁଇ ନମ୍ବର ଦଳ ବିଜେପି ମଧ୍ୟରେ ବୋଧହୁଏ ମେଣ୍ଟ ସମ୍ଭାବନା ମଉଳିବାରେ ଲାଗିଛି।

ବିଜେଡି ସାଂଗଠନିକ କସରତ ତ୍ବରାନ୍ବିତ କଲା
ବ୍ରହ୍ମପୁର, ଆସ୍କା, କନ୍ଧମାଳ, ଭୁବନେଶ୍ବରର ସମୀକ୍ଷା
ନିର୍ବାଚନମଣ୍ଡଳୀ ଜଗିବାକୁ ନବୀନ ଦେଲେ ନିର୍ଦ୍ଦେଶ
ପୁଣିଥରେ ରାଜ୍ୟ ବିଜେପି ନେତା ମୁଖର ହେଲେଣି
ଦିଲ୍ଲୀରୁ ଫେରି ମନମୋହନ କହିଲେ ପ୍ରାର୍ଥୀ ତାଲିକା ଶୀଘ୍ର

ଆଜି ନବୀନ ନିବାସକୁ ଆସ୍କା, ବ୍ରହ୍ମପୁର, କନ୍ଧମାଳ ଓ ଭୁବନେଶ୍ବର ସଂସଦୀୟ କ୍ଷେତ୍ରର ନେତାମାନଙ୍କୁ ଡକାଯାଇଥିଲା। ନିଜେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଦିନତମାମ ନେତାମାନଙ୍କ ସହ ବୈଠକ କରି ନିର୍ବାଚନମଣ୍ଡଳୀ ୱାରି ସ୍ଥିତି ପରଖିଥିଲେ। ଆଗୁଆ ହୋଇଥିବା ସର୍ଭେ ରିପୋର୍ଟ, ଗୁଇନ୍ଦା ରିପୋର୍ଟକୁ ଭିତ୍ତି କରି ଦଳୀୟ ନେତାଙ୍କ ସହ ଆଲୋଚନା କରିଥିଲେ। କିନ୍ତୁ ଏଥିରେ ମେଣ୍ଟ ସମ୍ପର୍କରେ ବିନ୍ଦୁବିସର୍ଗ ଉଠିନଥିଲା। ନବୀନ ନିବାସ ବାହାରେ ନେତାମାନଙ୍କୁ ମେଣ୍ଟ ସମ୍ପର୍କରେ ପଚାରିବାରେ ସେମାନେ ଏଡ଼ାଇ ଦେଇ ଚାଲିଯାଇଥିଲେ। ଓଲଟା କହିଥିଲେ ଯେ କେଉଁ ନିର୍ବାଚନମଣ୍ଡଳୀରେ ଦଳୀୟ କନ୍ଦଳ କେମିତି ରହିଛି ତାହାକୁ ଆଲୋଚନା କରାଯାଇ ସମାଧାନ କରିବାକୁ ଚେଷ୍ଟା କରାଯାଉଛି। ନିର୍ବାଚନ ପରିଚାଳନାରେ ଯେପରି କୌଣସି ତ୍ରୁଟି ନ ରହିବ, ସେଥିପାଇଁ ରୋଡ୍‌ମ୍ୟାପ୍ ପ୍ରସ୍ତୁତ କରାଯାଉଛି। ଏହା ସହ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ କିପରି ଲୋକଙ୍କ ପାଖରେ ପହଞ୍ଚିଛି, ସେ ସମ୍ପର୍କରେ ଏବେ ଭୋଟର୍‌ଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ମତଦାନ ପର୍ଯ୍ୟନ୍ତ ନିର୍ବାଚନମଣ୍ଡଳୀରେ ରହି ସାଂଗଠନିକ କାର୍ଯ୍ୟ ଜାରି ରଖିବାକୁ ସଭାପତି କହିଛନ୍ତି। ପୂର୍ବରୁ ହୋଇଥିବା ସର୍ଭେ ଓ ଗୁଇନ୍ଦା ରିପୋର୍ଟକୁ ମଧ୍ୟ ସେଠାରେ ଉପସ୍ଥାପନ କରାଯାଉଛି।

ଉଲ୍ଲେଖଥାଉକି, ଚାରି ଦିନ ହେଲା ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ସଂଗଠନ ସମ୍ପାଦକ ମାନସ ମହାନ୍ତି ନୂଆଦିଲ୍ଲୀରେ ଡେରା ପକାଇଥିଲେ। ସେଠାରେ କେନ୍ଦ୍ରୀୟ ନେତାଙ୍କ ସହ ଘନ ଘନ ବୈଠକ ବସୁଥିଲେ ମଧ୍ୟ କିଛି ନିଷ୍କର୍ଷ ବାହାରିପାରିନଥିବା କୁହାଯାଉଛି। ମେଣ୍ଟ ହେବାର ସମ୍ଭାବନା କମିଯାଇଥିଲେ ବି କେହି ଗଣମାଧ୍ୟମରେ ମୁହଁ ଖୋଲିବାକୁ ନାରାଜ। ବିଜେପି ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡା ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ରାଜ୍ୟ ନେତାଙ୍କ ସହ ଆଲୋଚନା କରି ମେଣ୍ଟ ନହେଲେ ବିଜେପିର ବିଜୟ ସମ୍ଭାବନା କେତେ ରହିବ, ତାହାର ଅନୁଧ୍ୟାନ କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଘରେ ମଧ୍ୟ ଏକାଧିକ ବୈଠକ ହୋଇସାରିଲାଣି। ଓଡ଼ିଶା ପାଇଁ ପ୍ରାର୍ଥୀ ଚୟନକୁ ପାଇଁ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି(ସିଇସି) ପ୍ରସ୍ତୁତି ଆରମ୍ଭ ହେଲାଣି। ଏହି ବୈଠକ ବେଶ୍‌ ଗୁରୁତ୍ବ ବହନ କରୁଛି। ଓଡ଼ିଶାରୁ ଯାଇଥିବା ସମ୍ଭାବ୍ୟ ପ୍ରାର୍ଥୀ ତାଲିକା କୋର୍‌ କମିଟିରେ ଉପସ୍ଥାପିତ ହୋଇଥିଲା ବେଳେ ତାହା ସିଇସିରେ ଆଲୋଚନା ପାଇଁ ଆସୁଛି କି ନାହିଁ, ତାହା ବଡ଼ ପ୍ରଶ୍ନ। ଯଦି ସିଇସି ବୈଠକ‌ରେ ଏହି ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଉପ‌ରେ ଆଲୋଚନା ହୁଏ, ତା’ହେଲେ ବିଜେପି ଏକାକୀ ନିର୍ବାଚନ ଲଢ଼ିବ ବୋଲି ସ୍ପଷ୍ଟ ହୋଇଯିବ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button