ରାଜନୀତି

କିଏ ହେବେ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ? ଫୋନ୍‌କଲ୍‌କୁ ଅପେକ୍ଷା – Kalinga News

[ad_1]

ନୂଆଦିଲ୍ଲୀରୁ ଭୁବନେଶ୍ବର ସବୁଠି କସରତ, ଚାତକ ଭଳି ଚାହିଁଛନ୍ତି ନେତା ଓ କର୍ମୀ

ଭୁବନେଶ୍ବର: ନିର୍ବାଚନରେ ରାଜ୍ୟ ବିଜେପିକୁ ଡବଲ୍ ଖୁସି ମିଳିଛି। କେନ୍ଦ୍ର ଓ ରାଜ୍ୟରେ ଡବଲ୍ ଇଞ୍ଜିନ ସରକାର ଗଠନ ହେବାକୁ ଯାଉଛି। କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ରବିବାର ଦିନ ତାଙ୍କର ତୃତୀୟ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି। ତାଙ୍କ ମନ୍ତ୍ରିମଣ୍ଡଳରେ ଓଡ଼ିଶାରୁ କିଏ ସାମିଲ ହେବେ, ତାହାକୁ ନେଇ ଉତ୍କଣ୍ଠା ପ୍ରକାଶ ପାଇଛି। ଏପଟେ ଫଳାଫଳ ଆସିବାର ୪ ଦିନ ହୋଇଯାଇଥିଲେ ବି ମୁଖ୍ୟମନ୍ତ୍ରୀ ଚୟନ ହୋଇନାହିଁ। ରାଜ୍ୟ ଶାସନର ଡୋରି କିଏ ଧରିବ, ତାହାକୁ ନେଇ ସାରା ରାଜ୍ୟବାସୀ ଉତ୍ସୁକତାର ସହ ଚାହିବସିଛନ୍ତି।

ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ଓଡ଼ିଶାର ପ୍ରତିନିଧିତ୍ବ ଅଧିକ ରହିବ ବୋଲି ରାଜନୈତିକ ମହଲରେ ଅନୁମାନ କରାଯାଉଛି। କାରଣ ପ୍ରଥମ ଥର ପାଇଁ ଦଳ ଓଡ଼ିଶାରେ ବଡ଼ ସଫଳତା ପାଇଛି। ଓଡ଼ିଶାରେ ବିଜେପି କ୍ଷମତା ଦଖଲ କରିଛି। ଏହା ସହ ଏକାଥରେ ୨୦ ସାଂସଦ ଏଠାରୁ ଜିତିଛନ୍ତି। ମୋଦୀଙ୍କ ପ୍ରଥମ ଦୁଇ ପାଳିରେ ଓଡ଼ିଶାକୁ ବେଶ୍ ଗୁରୁତ୍ବ ଦିଆଯାଇଥିଲା। ୨୦୧୪ରେ ଓଡ଼ିଶାରୁ ମାତ୍ର ଜଣେ ସାଂସଦ ଜୁଏଲ୍ ଓରାମ ଜିତିଥିଲା ବେଳେ ତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଥିଲା। ତାଙ୍କ ସହ ରାଜ୍ୟସଭା ସାଂସଦ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ମନ୍ତ୍ରୀ ହୋଇଥିଲେ। ୨୦୧୯ରେ ବିଜେପିର ୮ ଜଣ ସାଂସଦ ନିର୍ବାଚିତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ପ୍ରତାପ ଷଡ଼ଙ୍ଗୀ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲା ବେଳେ ଧର୍ମେନ୍ଦ୍ର କ୍ୟାବିନେଟ୍ ମନ୍ତ୍ରୀ ଭାବେ ତାଙ୍କ ସ୍ଥାନ ବଜାୟ ରଖିଥିଲେ। ୨୦୨୧ ମସିହାରେ ମନ୍ତ୍ରିମଣ୍ଡଳର ଅଦଳବଦଳ ବେଳେ ଶ୍ରୀ ଷଡ଼ଙ୍ଗୀ ବାଦ୍ ପଡ଼ିଥିଲେ। ବିଶ୍ବେଶ୍ବର ଟୁଡ଼ୁଙ୍କୁ ମନ୍ତ୍ରୀ କରାଯିବା ସହ ଓଡ଼ିଶାରୁ ନବନିର୍ବାଚିତ ରାଜ୍ୟସଭା ସାଂସଦ ଅଶ୍ବିନୀ ବୈଷ୍ଣବଙ୍କୁ ମନ୍ତ୍ରୀ କରାଯାଇଥିଲା। ଧର୍ମେନ୍ଦ୍ରଙ୍କ ବିଭାଗ ବଦଳିଥିଲେ ବି ସେ ଅପରିବର୍ତ୍ତିତ ରହିଥିଲେ।

ଏହି ହିସାବକୁ ବିଚାରକୁ ନେଲେ ଓଡ଼ିଶାରେ ସାଂସଦଙ୍କ ସଂଖ୍ୟା ବଢ଼ିଛି। ତେଣୁ ଲୋକସଭା ସାଂସଦଙ୍କ ମଧ୍ୟରୁ ଅତି କମ୍‌ରେ ତିନି ଜଣ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବାର ସମ୍ଭାବନା ରହିଛି ବୋଲି ଦଳୀୟ ମହଲରେ ଆଲୋଚନା ଚାଲିଛି। ତେବେ କାହାକୁ ମନ୍ତ୍ରୀ କରିବେ, ତାହା ଏବେ ହାଇକମାଣ୍ଡଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। କାରଣ ଅଧିକାଂଶ ସାଂସଦ ଅଭିଜ୍ଞ ଓ ପୁରୁଣା। ସେମାନଙ୍କ ଲମ୍ବା ରାଜନୈତିକ ଅଭିଜ୍ଞତା ରହିଛି। ୨୦ ଜଣଙ୍କ ମଧ୍ୟରୁ ୧୦ ଜଣ ଏକାଧିକ ଥର ଲୋକସଭାରେ ପ୍ରତିନିଧିତ୍ବ କରିସାରିଲେଣି। ସେମାନେ ହେଲେ ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନ, ଅନନ୍ତ ନାୟକ, ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ସଙ୍ଗୀତା କୁମାରୀ ସିଂହଦେଓ, ବଳଭଦ୍ର ମାଝୀ, ଭର୍ତ୍ତୃହରି ମହତାବ, ବୈଜୟନ୍ତ ପଣ୍ଡା, ବିଭୁପ୍ରସାଦ ତରାଇ ଓ ଅପରାଜିତା ଷଡ଼ଙ୍ଗୀ। ଅନ୍ୟ ୧୦ ଜଣଙ୍କ ମଧ୍ୟରୁ ରୁଦ୍ର ନାରାୟଣ ପାଣି ରାଜ୍ୟସଭା ଏବଂ ପ୍ରଦୀପ ପୁରୋହିତ, ନବଚରଣ ମାଝୀ ଓ ପ୍ରଦୀପ ପାଣିଗ୍ରାହୀ ବିଧାନସଭାରେ ପୂର୍ବରୁ ପ୍ରତିନିଧିତ୍ବ କରିସାରିଛନ୍ତି। ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା, କଳାହାଣ୍ଡି ସାଂସଦ ମାଳବିକା ଦେବୀ, କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ, ପୁରୀ ସାଂସଦ ସମ୍ବିତ ପାତ୍ର ଓ ଆସ୍କା ସାଂସଦ ଅନିତା ଶୁଭଦର୍ଶିନୀ ପ୍ରଥମ ଥର ନିର୍ବାଚିତ ହୋଇଛନ୍ତି। ବରିଷ୍ଠତା ତଥା ଅଭିଜ୍ଞତାକୁ ବିଚାରକୁ ନେଲେ ମନ୍ତ୍ରୀ ପଦ ପାଇଁ ବହୁ ଦାବିଦାର ଅଛନ୍ତି। କେନ୍ଦ୍ର ମନ୍ତ୍ରୀ ଚର୍ଚ୍ଚାରେ ଜୁଏଲ୍ ଓରାମ, ଧର୍ମେନ୍ଦ୍ର ପ୍ରଧାନ, ବୈଜୟନ୍ତ ପଣ୍ଡା ଓ ଅପରାଜିତା ଷଡ଼ଙ୍ଗୀଙ୍କ ନାମ ଆଗରେ ରହିଛି। ଯଦି ଧର୍ମେନ୍ଦ୍ରଙ୍କୁ ଦଳ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରେ ତେବେ ଅନ୍ୟ ତିନି ଜଣ ମନ୍ତ୍ରୀ ହେବାର ସମ୍ଭାବନା ରହିଛି ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି। ସେହିପରି ଲମ୍ବା ସମୟ ଧରି ଲୋକସଭାରେ ପ୍ରତିନିଧିତ୍ବ କରିଥିବା ଭର୍ତ୍ତୃହରି ମହତାବଙ୍କ ନାମ ବାଚସ୍ପତି ପଦବି ପାଇଁ ଜାତୀୟ ଗଣମାଧ୍ୟମରେ ଆଲୋଚନା ଚାଲିଛି।

ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ପଦବିରେ କିଏ ବସିବ, ତାହା ଉପରୁ ଏ ଯାଏ ପରଦା ହଟୁନି। ମୁଖ୍ୟମନ୍ତ୍ରୀ ପଦବି ଦୌଡ଼ରେ ଧର୍ମେନ୍ଦ୍ରଙ୍କ ନାମ ଆଗରେ ଥିଲେ ବି ଏ ସଂକ୍ରାନ୍ତରେ ବିଧାୟକମାନଙ୍କୁ କିଛି ସ୍ପଷ୍ଟ ସୂଚନା ମିଳୁନି। ଯଦି ଧର୍ମେନ୍ଦ୍ରଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ବଡ଼ ଦାୟିତ୍ବ ମିଳେ, ତେବେ ବିଧାୟକମାନଙ୍କ ମଧ୍ୟରୁ କେହି ଜଣେ ମୁଖ୍ୟମନ୍ତ୍ରୀ ହେବାର ସମ୍ଭାବନା ରହିଛି। ମୁଖ୍ୟମନ୍ତ୍ରୀ ପଦ ପାଇଁ ବହୁ ନେତାଙ୍କ ନାମ ଚର୍ଚ୍ଚାରେ। କାହାକୁ କେତେବେଳେ ଦିଲ୍ଲୀରୁ କଲ୍ ଆସିବ, ସେଥି ପାଇଁ ସମସ୍ତେ ଚାତକ ପରି ଚାହିବସିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି ଦଳୀୟ ମହଲରେ ଚର୍ଚ୍ଚା ଚାଲିଛି। ଆଞ୍ଚଳିକ ବୈଷମ୍ୟ ଦୂର ପାଇଁ ଦଳ ଏମିତି ଏକ ପଦକ୍ଷେପ ନେଇପାରେ। ବିଧାୟକ ଦଳ ବୈଠକ ଶନିବାର କିମ୍ବା ରବିବାର ବସିବାର ସମ୍ଭାବନା ରହିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button