ରାଜନୀତି

ଏକାଠି ଲଢ଼ିବେ ନା ଏକା? ସ୍ପଷ୍ଟ କଲେନି ଶାହ – Kalinga News

[ad_1]

ମେଣ୍ଟ ନହେଲେ ଏକା ଲଢ଼ିବୁ, ସରକାର ଗଢ଼ିବୁ, ମେଣ୍ଟ ନେଇ ଚୂଡ଼ାନ୍ତ ଆଲୋଚନା ହୋଇନି

ଭୁବନେଶ୍ବର/ନୂଆଦିଲ୍ଲୀ: ‌୫ ଦିନ ବ୍ୟବଧାନ ପରେ ପୁଣି ଥରେ ଓଡ଼ିଶାରେ ବିଜେଡି-ବିଜେପି ସମ୍ଭାବ୍ୟ ମେଣ୍ଟକୁ ନେଇ ମତ ରଖିଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। କିନ୍ତୁ ମେଣ୍ଟ ହେବ କି ନାହିଁ, ତାହା ସ୍ପଷ୍ଟ କରିନାହାନ୍ତି। ଶ୍ରୀ ଶାହ ଜଣାଇଛନ୍ତି ଯେ ଓଡ଼ିଶାରେ ମେଣ୍ଟ ସମ୍ପର୍କରେ ଚୂଡ଼ାନ୍ତ ଆଲୋଚନା ହୋଇନି। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଏ ନେଇ ନିଷ୍ପତ୍ତି ନେବେ। ତାଙ୍କ କଥାରୁ ଆଭାସ ମିଳିଛି ଯେ ମେଣ୍ଟ ନେଇ ପ୍ରକ୍ରିୟା ଜାରି ରହିଛି। ଆଜି ନୂଆଦିଲ୍ଲୀରେ ନ୍ୟୁଜ୍‌-୧୮ କନ୍‌କ୍ଲେଭ୍‌ରେ ଯୋଗ ଦେଇ ସ୍ବରାଷ୍ଟ୍ର ମନ୍ତ୍ରୀ କହିଲେ, ଏହା ନିଶ୍ଚିତ ଯେ ଓଡ଼ିଶାରେ ଆମ ସ୍ଥିତି ସୁଦୃଢ଼ ହେବାକୁ ଯାଉଛି। ‌ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ଲୋକଙ୍କ ବହୁତ ଭଲପାଇବା ରହିଛି। ଏହାକୁ ସମସ୍ତେ ଅନୁଭବ କରୁଛନ୍ତି। ଉଭୟ ବିଧାନସଭା ଓ ଲୋକସଭାରେ ଫଳାଫଳ ବହୁତ ଭଲ ହେବ। ରାଜନୈତିକ ବିଶେଷଜ୍ଞମାନଙ୍କର ସମସ୍ତ ଆକଳନ ଭୁଲ୍‌ ହୋଇଯିବ ଏବଂ ବିଜେପି ବହୁ ସଂଖ୍ୟାରେ ଆସନରେ ଜିତିବ। ଓଡ଼ିଶାରେ ବିଜେପି ଏକାକୀ ସରକାର ଗଠନ କରିବ କି ବୋଲି ପ୍ରଶ୍ନରେ ଶ୍ରୀ ଶାହ କହିଛନ୍ତି, କିଛି ବି ହୋଇପାରେ। ହେଲେ ପ୍ରଥମେ ସ୍ଥିର ହେଉ ଏକାଠି ଲଢ଼ିବୁ ନା ଏକା ଲଢ଼ିବୁ। ଯଦି ଏକାଠି ଲଢ଼ିବୁ ସ୍ବାଭାବିକ ଭାବେ ନବୀନ ବାବୁଙ୍କ ସାଥୀ ହୋଇ ଲଢ଼ିବୁ। ବିଜୁ ବାବୁ ହେଲେ ନେତା। ଯଦି ଏକା ଲଢ଼ିବୁ, ତାହା‌ ହେଲେ ନିଶ୍ଚିତ ଭାବେ ସରକାର ଗଠନ କରିବା ପାଇଁ ହିଁ ଲଢ଼ିବୁ।

ମେଣ୍ଟ ନହେଲେ ଏକା ଲଢ଼ିବୁ, ସରକାର ଗଢ଼ିବୁ
ମେଣ୍ଟ ନେଇ ଚୂଡ଼ାନ୍ତ ଆଲୋଚନା ହୋଇନି
ଆଦିବାସୀ ପ୍ରସଙ୍ଗରେ ରାଜ୍ୟକୁ ବିଜେପିର ଟାର୍ଗେଟ୍‌

ଗତକାଲି ଭି.କେ. ପାଣ୍ଡିଆନ କହିଥିଲେ ଯେ ଯଦି ମେଣ୍ଟ ହୁଏ ତାହାହେଲେ ଉଭୟ ରାଜ୍ୟ ଓ କେନ୍ଦ୍ରର ବୃହତ୍ତର ସ୍ବାର୍ଥ ପାଇଁ ହେବ। ଏ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ଶ୍ରୀ ଶାହ କହିଥିଲେ, ମେଣ୍ଟ ସବୁବେଳେ ଆବଶ୍ୟକତାକୁ ନେଇ ହୋଇ ନଥାଏ। ଗତ ୫ ବର୍ଷ ମଧ୍ୟରେ ଜାତୀୟ ହିତ ସମ୍ପର୍କିତ ପ୍ରସଙ୍ଗଗୁଡ଼ିକରେ ଜାତୀୟ ସ୍ବାର୍ଥକୁ ଦୃଷ୍ଟିରେ ରଖି ଅନେକ ରାଜନୈତିକ ଦଳ ପ୍ରସଙ୍ଗଭିତ୍ତିକ ସମର୍ଥନ ଦେଇ ଆସିଛନ୍ତି। ଏହା ଗଣତନ୍ତ୍ରର ସୌନ୍ଦର୍ଯ୍ୟ ବୋଲି ସେ କହିଥିଲେ। ଗତକାଲି ବିଜେଡିର ଦ୍ବିତୀୟ କ୍ଷମତାକେନ୍ଦ୍ର ଶ୍ରୀ ପାଣ୍ଡିଆନ ଏହି ଜାତୀୟ ଚ୍ୟାନେଲ୍‌ରେ ମେଣ୍ଟ ସମ୍ଭାବନାକୁ ଅସ୍ବୀକାର କରି ନଥି‌ଲେ। ଆଜି ସେହି ମଞ୍ଚରେ ଶ୍ରୀ ଶାହ ମଧ୍ୟ ମେଣ୍ଟ ସମ୍ଭାବନାକୁ ଏଡ଼ାଇ ନାହାନ୍ତି। ଏପଟେ ମେଣ୍ଟକୁ ନେଇ ଯେବେଠାରୁ ଚର୍ଚ୍ଚା ଆରମ୍ଭ ହୋଇଛି, ସେବେଠାରୁ ବିଜେଡି ଓ ବିଜେପି ପରସ୍ପର ବିରୋଧରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖାଇ ନଥିଲେ। କିନ୍ତୁ ଆଜି ତାହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଗତ ସୋମବାର ଦିନ ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ଓଡ଼ିଶାରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ରାଜ୍ୟ ସରକାର କ’ଣ କ’ଣ କରିଛନ୍ତି ତାହାର ଲମ୍ବା ତାଲିକା ଦିଆଯାଇଥିଲା। ସେଥିରେ କେନ୍ଦ୍ର ସରକାରଙ୍କ ବିରୋଧରେ ପଦୁଟିଏ କୁହାଯାଇ ନଥିଲା। ଯଦିଓ ବିଜେଡି ଅତୀତରେ ବହୁବାର ଆଦିବାସୀଙ୍କ ପ୍ରତି କେନ୍ଦ୍ର ଅବହେଳା କଥା କହିଛି, ତେବେ ସେହି ସାମ୍ବାଦିକ ସମ୍ମିଳନୀ‌ରେ କେନ୍ଦ୍ର ଅବହେଳା କଥା ଉଠାଇ ନଥିଲା। କିନ୍ତୁ ଆଜି ବିଜେପି ରାଜ୍ୟ ସରକାରଙ୍କ ଉପରେ ସିଧାସଳଖ ହମ୍‌ଲା କରିଛି। କେନ୍ଦ୍ର ମନ୍ତ୍ରୀ ବିଶ୍ବେଶ୍ବର ଟୁଡ଼ୁ ଭୁବନେଶ୍ବରରେ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଆଦିବାସୀ ମାରଣ ନୀତି ସମ୍ପର୍କରେ କହିଥିଲେ। ଅନୁସୂଚିତ ଜାତି ଓ ଜନଜାତିଙ୍କ ପ୍ରତି ରାଜ୍ୟ ସରକାର କିପରି ଅନ୍ୟାୟ କରୁଛନ୍ତି ତାହାର ତାଲିକା ଦେବା ସହ ଡିଏମ୍‌ଏଫ୍‌ ପାଣ୍ଠିରେ ବ୍ୟାପକ ଦୁର୍ନୀତି ହେଉଥିବା ଆରୋପ ଲଗାଇଛନ୍ତି। ଅବଶ୍ୟ ଏହା ଉପରେ ବିଜେଡିର ପ୍ରତିକ୍ରିୟା ମିଳିପାରିନି।

ସେପଟେ ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ବିଜେପି ରାଜ୍ୟ ନେତାଙ୍କ ସହ କେନ୍ଦ୍ର ନେତାଙ୍କ ଦୁଇଟି ପର୍ଯ୍ୟାୟରେ ବୈଠକ ସରିଛି। ଓଡ଼ିଶା ବିଜେପି ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଉପରେ ଆଲୋଚନା ହୋଇଛି। ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡା‌ ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ରାଜ୍ୟ ନେତାଙ୍କ ସହ ଆଲୋଚନା କରିଥିଲେ। ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ବୈଠକ ହୋଇଥିଲା। ଏଥିରେ ମେଣ୍ଟ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିବା କୁହାଯାଉଛି। ତେବେ ଏ ସମ୍ପର୍କରେ ବିଜେପିର କୌଣସି ନେତା ମୁହଁ ଖୋଲୁ ନଥିବାରୁ ଆଲୋଚନାର ନିଷ୍କର୍ଷ ଜଣାପଡ଼ିନି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button