ଅପରାଧ

ତ୍ରିକୋଣୀୟ ପ୍ରେମରୁ ହତ୍ୟା ଘଟଣା: ଧରାପଡ଼ିଲେ ପିଙ୍କୁ-ଗୁଡ୍‌ଡି – Kalinga News

[ad_1]

ସହଯୋଗୀଙ୍କୁ ଗିରଫ ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ

ଭୁବନେଶ୍ବର: ତ୍ରିକୋଣୀୟ ପ୍ରେମରୁ ଚିନ୍ତାମଣିଶ୍ବର ଚମ୍ପା ପୋଖରୀ ନିକଟରେ ଅଞ୍ଜନ ବେହେରାଙ୍କୁ ଖଣ୍ଡାରେ ହାଣି ବିଭତ୍ସ ଭାବେ ହତ୍ୟା କରାଯିବା ଘଟଣାରେ ଲକ୍ଷ୍ମୀସାଗର ଥାନା ପୁଲିସକୁ ସଫଳତା ମିଳିଛି। ପୁଲିସ ପ୍ରେମୀ ଯୁଗଳ- କ୍ୟାପିଟାଲ୍‌ ଥାନା ୟୁନିଟ୍‌-୫ କେଶରୀନଗର ଅଞ୍ଚଳର କାହ୍ନା ପ୍ରଧାନ ଓରଫ ପିଙ୍କୁ(୨୦) ଓ ଲକ୍ଷ୍ମୀସାଗର ଚମ୍ପା ପୋଖରୀ ଅଞ୍ଚଳର ନିହାରିକା ଦାସ ଓରଫ୍‌ ଗୁଡ୍‌ଡି(୨୦)ଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ହତ୍ୟାରେ ବ୍ୟବହୃତ ଏକ ମାରଣାସ୍ତ୍ର ଜବତ କରାଯାଇଛି। ଏଥିରେ ସମ୍ପୃକ୍ତ ଥିବା ଅନ୍ୟ ୪ ସହଯୋଗୀଙ୍କୁ ଗିରଫ ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ପରବର୍ତ୍ତୀ ସମୟରେ ପୁଲିସ ହତ୍ୟାକାରୀଙ୍କୁ ରିମାଣ୍ଡରେ ଆଣି ଘଟଣାସ୍ଥଳକୁ ନେଇ ସିନ୍‌ ରିକ୍ରିଏସନ୍‌ କରିବ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନାମୁତାବକ, ପିଙ୍କୁ ଓ ଗୁଡ୍‌ଡି ତଥା ସେମାନଙ୍କ ସହଯୋଗୀମାନେ ଅଞ୍ଜନଙ୍କୁ ହତ୍ୟା କରିବା ପରେ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିଲେ। ପୁଲିସଠାରୁ ଖସିବା ପାଇଁ ଉଭୟ ରାତାରାତି ବ୍ରହ୍ମପୁର ପଳାଇଥିଲେ। ପୁଲିସ ପିଛା କରୁଥିବା ଜାଣିପାରି ଥରକୁ ଥର ସ୍ଥାନ ବଦଳାଇଥିଲେ। ପୁଣି ବ୍ରହ୍ମପୁରରୁ ଫେରିଆସି ସାଲିଆସାହିରେ ଲୁଚିଥିଲେ। ତେବେ ପୁଲିସ ନିକଟରେ ଏହାର ସୂଚନା ଥିଲା, ତେଣୁ ଗତକାଲି ପୁଲିସ ରାତିରେ ସାଲିଆସାହିରେ ଚଢ଼ଉ କରି ଉଭୟଙ୍କୁ ଗିରଫ କରିଥିଲା। ଥାନାକୁ ଆଣି ପଚରା ଉଚରା ବେଳେ ଉଭୟ ସବୁ ସତ ମାନିଥିଲେ। ଜେରା ପରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି।
ପ୍ରକାଶ ଥାଉ କି, ନିହାରିକା ଦାସ ଓରଫ୍‌ ଗୁଡ୍‌ଡି ପୂର୍ବରୁ ଗୌତମ ନାମକ ଜଣେ ଯୁବକଙ୍କୁ ଭଲ ପାଉଥିଲା। କିନ୍ତୁ କିଛିଦିନ ହେଲା ଗୁଡ୍‌ଡି ୟୁନିଟ୍‌-୮ ଅଞ୍ଚଳର ପିଙ୍କୁକୁ ଭଲ ପାଇବସିଲା ଏବଂ ଗୌତମଙ୍କ ସହ ସମ୍ପର୍କ ଛିନ୍ନ କରିଥିଲା। କିନ୍ତୁ ଗୌତମ, ଗୁଡ୍‌ଡୀକୁ ଭୁଲି ପାରିନଥିଲେ। ଏହାକୁ ନେଇ ସେମାନଙ୍କ ମଧ୍ୟରେ ବିବାଦ ଉପୁଜିଥିଲା।

ଗୁଡ୍‌ଡୀ ତା’ର ନୂଆ ପ୍ରେମିକ ପିଙ୍କୁକୁ ଗୌତମ ବିରୋଧରେ ଏଣୁତେଣୁ କହି ରଗାଇଥିଲା। ତେଣୁ ଗୁଡ୍‌ଡିର ପିଛା ଛାଡ଼ିବାକୁ ପିଙ୍କୁ ବାରମ୍ବାର ଗୌତମଙ୍କୁ ଧମକାଇଥିଲା। ଶୁକ୍ରବାର ରାତିରେ ପିଙ୍କୁ ଓ ଗୁଡ୍‌ଡି ସେମାନଙ୍କ ମଧ୍ୟରେ ଥିବା ବିବାଦର ସ୍ଥାୟୀ ସମାଧାନ ପାଇଁ ଗୌତମଙ୍କୁ ଡକାଇଥିଲେ। ମାତ୍ର ଗୌତମ କିଛି ଅଘଟଣ ଆଶଙ୍କା କରି ସାଙ୍ଗରେ ଅଞ୍ଜନଙ୍କୁ ନେଇଥିଲେ। ତାଙ୍କ ଆଶଙ୍କା ସତ ଥିଲା, ଅଘଟଣର ଯୋଜନା ସତରେ ଗୁଡ୍‌ଡୀ ଓ ପିଙ୍କୁ ପୂର୍ବରୁ କରି ସାରିଥିଲେ। ସେମାନେ ସବୁଦିନ ପାଇଁ ଗୌତମଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲେ। ଅଞ୍ଜନ ଓ ଗୌତମ ଚମ୍ପା ପୋଖରୀ ନିକଟରେ ପହଞ୍ଚିବା ବେଳକୁ ପିଙ୍କୁ ଓ ଗୁଡ୍‌ଡି ସହ ଆଉ ୩-୪ ଜଣ ଯୁବକଙ୍କୁ ଦେଖିଥିଲେ। ପିଙ୍କୁ ଅତର୍କିତ ଖଣ୍ଡା ବାହାର କରି ଗୌତମଙ୍କୁ ଉପରେ ଚୋଟ ପକାଇଥିଲା। ଗୌତମ ପାଖେଇ ଯାଇଥିଲେ ଏବଂ ଖଣ୍ଡା ପାହାର ସିଧା ଅଞ୍ଜନଙ୍କ ହାତରେ ବାଜି ବେକରେ ପଡ଼ିଥିଲା। ଅଞ୍ଜନ ତଳେ ପଡ଼ିଯିବା ଦେଖି ପିଙ୍କୁ, ଗୁଡ୍‌ଡି ଓ ଅନ୍ୟମାନେ ସେଠାରୁ ଫେରାର୍ ହୋଇଯାଇଥିଲେ। ଗୁଡ୍‌ଡି ତା’ ଘରକୁ ନ ଯାଇ ପିଙ୍କୁ ବାଇକ୍‌ରେ ବସି ଘଟଣାସ୍ଥଳରୁ ପଳାଇଥିଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button