ପ୍ରକୃତିପ୍ରେମୀଙ୍କୁ ଆକୃଷ୍ଠ କରେ ସାନଘାଗରା

ସ୍ୱାଗତର ଦ୍ୱାରରେ ନବବର୍ଷ। ବର୍ଷ ତମାମ ଅନେକ ଘାତ ପ୍ରତିଘାତ ଦେଖିଥିବା ଲୋକେ ଏହି ବାହାନାରେ ଟିକିଏ ମଉଜ କରିନେବେ। କୋଭିଡ ଗାଇଡ଼ଲାଇନ ସହ ସରକାର ପର୍ଯ୍ୟଟନ ସ୍ଥଳୀ ଗୁଡିକୁ ଖୋଲିବାକୁ ଅନୁମତି ମଧ୍ୟ ଦେଇଛନ୍ତି। ଏହି ୨୦୨୦ ବର୍ଷକୁ ବିଦାୟ ଦେବା ସହିତ ନୂତନ ବର୍ଷର ଭରପୂର ମଜା ନେବାକୁ ଆମ ରାଜ୍ୟରେ ରହିଛି ଅନେକ ଆକର୍ଷଣୀୟ ସ୍ଥାନ। ପ୍ରାୟ ସମସ୍ତ ଲୋକମାନେ ନୂଆବର୍ଷ ଆସିଲେ ସାଙ୍ଗସାଥୀ ତଥା ପରିବାର ବର୍ଗଙ୍କ ସହ ମଉଜ ମଜଲିସ କରିବା ପାଇଁ ଭ୍ରମଣରେ ବାହାରି ପଡନ୍ତି ବିଭିନ୍ନ ଦର୍ଶନୀୟ ସ୍ଥାନ ତଥା ପର୍ଯ୍ୟଟନ ସ୍ଥଳୀକୁ ।
ଆମେ ଆଜି ଆପଣଙ୍କୁ ବୁଲେଇ ନେବୁ ସବୁଜ ବନାନୀ ସାଙ୍ଗକୁ ପର୍ବତ ଶିଖର ଏବଂ ଝରଣାର କୁଳୁକୁଳୁ ଶବ୍ଦ ସଭିଁଙ୍କ ମନରେ
ରୋମାଞ୍ଚ ଭରି ଦେଉଥିବା କେନ୍ଦୁଝର ଜିଲ୍ଲାର ସାନଘାଗରାକୁ। ଏଠାରେ ଜଳପ୍ରପାତ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ବନାନୀକୁ ରମଣୀୟ କରି ପ୍ରକୃତିପ୍ରେମୀ ପର୍ଯ୍ୟଟକଙ୍କୁ ବର୍ଷସାରା ଆକର୍ଷିତ କରିଥାଏ। କେନ୍ଦୁଝର ଜିଲ୍ଲାର ସାନଘାଗରା ଜଳପ୍ରପାତ କେନ୍ଦୁଝର ସହର ଠାରୁ ୮ କି:ମି ଦୂର ସମ୍ବଲପୁର ଆଡ଼କୁ ଯାଉଥିବା ଜାତୀୟ ରାଜପଥ ନଂ୬ କଡ଼ରେ ଅବସ୍ଥିତ । ୪୮୮ ହେକ୍ଟର ପରିବ୍ୟାପ୍ତ ଏହି ଅଞ୍ଚଳ । ସମୁଦ୍ର ପତନଠାରୁ ୧୬୫୦ ଫୁଟ ଉଚ୍ଚରେ ଏହାର ଅବସ୍ଥିତ । ତ୍ରିକୋଣ ଭୂମି ଓ ସଂକୀର୍ଣ୍ଣ ଉପତ୍ୟକାର ସୁନ୍ଦର ସମାହାରର ଏହି ସ୍ଥାନ ପର୍ଯ୍ୟଟକଙ୍କୁ ବିମୋହିତ କରେ। ଏହି ସ୍ଥାନରେ ପାଦ ପଡ଼ିଲେ ସଭିଏଁ ନିଜକୁ ପ୍ରକୃତିର କୋଳରେ ହଜାଇ ଦିଅନ୍ତି।
ଶୀତଦିନେ ଏଠାରେ ଭୀଷଣ ଥଣ୍ଡା ଅନୁଭୂତ ହୋଇଥାଏ। ନିଜ ସୁନ୍ଦର ରୂପ ପାଇଁ ଏହି ଜଳପ୍ରପାତଟି ଏକ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଛି। ବହୁ ଉଚ୍ଚରୁ ତଳକୁ ବହୁଥିବା ଜଳର ଦୃଶ୍ୟ ଖୁବ ଆକର୍ଷିତ କରିଥାଏ। ଏଠାରେ ଲୋକେ ବଣଭୋଜିର ମଧ୍ୟ ମଜା ନେଇଥାଆନ୍ତି। ବଣଭୋଜିର ମଜା ସାଙ୍ଗକୁ ଝରଣାରେ ଗାଧୋଇ ପର୍ଯ୍ୟଟକ ବେଶ ଆନନ୍ଦିତ ହୋଇଥାଆନ୍ତି।
କିଭଳି ପହଁଞ୍ଚିବେ
ରେଳପଥରେ
ସାନଘାଗରାକୁ ଯିବାକୁ ହେଲେ ଆପଣଙ୍କୁ ନିକଟତମ ରେଳ ଷ୍ଟେସନ କେନ୍ଦୁଝରରୁ ବସ୍ କିମ୍ବା କାର ଯୋଗେ ସମ୍ବଲପୁର ରାଜପଥ କଡ଼ରେ ଅବସ୍ଥିତ ଯାହାକି ୮କି.ମି ଦୂରରେ ଅବସ୍ଥିତ ।
ସଡ଼କ ପଥରେ
ସାନଘାଗରା ପରିଦର୍ଶନ କରିବା ପାଇଁ ଇଚ୍ଛୁକ ପର୍ଯ୍ୟଟକ ଭୁବନେଶ୍ଵରରୁ କେନ୍ଦୁଝରଗଡ଼ ବସ୍ ଯୋଗେ ଆସି କାର କିମ୍ବା ବାଇକ ଯୋଗେ ଯାଇପାରିବେ ।