ମହାଦେବଙ୍କୁ ପ୍ରସନ୍ନ କରିବା ପାଇଁ ଶ୍ରାବଣ ମାସ ସୋମବାରରେ ଆପଣାନ୍ତୁ ଏହି ଖାସ୍ ଉପାୟ

ହିନ୍ଦୁ ଧର୍ମରେ ଶ୍ରାବଣ ମାସର ବିଶେଷ ଧାର୍ମିକ ମହତ୍ତ୍ୱ ରହିଛି । ଏହା ବର୍ଷର ସବୁଠାରୁ ପବିତ୍ର ମାସ । ଶ୍ରାବଣ ମାସରେ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କୁ ଅତ୍ୟନ୍ତ ଭକ୍ତିର ସହ ପୂଜା କରାଯାଏ । ଶ୍ରାବଣ ମାସରେ ବୋଲବମ ଯାତ୍ରା ମଧ୍ୟ ଅତ୍ୟନ୍ତ ପ୍ରସିଦ୍ଧ, ଯେଉଁଥିରେ ଭକ୍ତମାନେ ନଦୀ ତଥା ଜଳାଶୟରୁ ପାଣି ଭାର ନେଇ ମହାଦେବଙ୍କ ଜଳାଭିଷେକ କରିଥାନ୍ତି । ଭଗବାନ ଭୋଳାନାଥଙ୍କ ଆଶୀର୍ବାଦ ପାଇବା ଏବଂ ତାଙ୍କୁ ପ୍ରସନ୍ନ କରିବା ପାଇଁ ଶ୍ରାବଣ ମାସ ସବୁଠାରୁ ଲାଭଦାୟକ ବୋଲି ବିଶ୍ବାସ ରହିଛି । ଧାର୍ମିକ ଶାସ୍ତ୍ର ଅନୁସାରେ ଶ୍ରାବଣ ମାସ ସୋମବାରରେ ଶିବଙ୍କୁ ଆରାଧନା କରିବା ପାଇଁ କିଛି ନିର୍ଦ୍ଦିଷ୍ଟ ଉପାୟ ରହିଛି । କାରଣ ଏହି ଦିନ ଭଗବାନ ଶିବଙ୍କ ସହିତ ଚନ୍ଦ୍ର ଏବଂ ଅନ୍ୟ ଗ୍ରହଗୁଡ଼ିକର ସ୍ଥିତି ବି ଶୁଭ ପ୍ରଭାବ ପକାଇଥାଏ ।
ମହାଦେବ ନିଜ ମସ୍ତକରେ ଚନ୍ଦ୍ରକୁ ଧାରଣ କରିଛନ୍ତି, ତେଣୁ ସୋମବାର ଦିନ ଚନ୍ଦ୍ର ପୂଜାର ବିଶେଷ ମହତ୍ତ୍ବ ରହିଛି । ଯେଉଁମାନଙ୍କ କୁଣ୍ଡଳୀରେ ଚନ୍ଦ୍ର ଦୋଷ ରହିଥିବ ସେମାନେ ଶିବଙ୍କୁ ପୂଜା କଲେ ଚନ୍ଦ୍ରଦୋଷ ଦୂର ହେବ ।
ଶ୍ରାବଣ ସୋମବାର ଦିନ କ୍ଷୀର ଓ ଜଳରେ ଶିବଲିଙ୍ଗକୁ ଅଭିଷେକ କରନ୍ତୁ । ଏହା ସହିତ ଧଳା ଚନ୍ଦନ, ଧଳା ଫୁଲ ଅର୍ପଣ କରନ୍ତୁ । ଅଭିଷେକ ସମୟରେ ଓଁ ସୌଂ ସୋମାୟ ନମଃ ମନ୍ତ୍ର ଜପ କରନ୍ତୁ । ଏହି ଉପାୟ ଆପଣାଇଲେ ମାନସିକ ଶାନ୍ତି ମିଳିବ । ଅର୍ଥାଭାବ ସମସ୍ୟା ମଧ୍ୟ ଦୂର ହୋଇପାରିବ ।
ସେହିପରି କାଳ ସର୍ପ ଦୋଷ ଥିବା ବ୍ୟକ୍ତି ମଧ୍ୟ ସୋମବାର ଦିନ ମହାଦେବଙ୍କ ପୂଜା କଲେ ଦୁଃଖ କଷ୍ଟ ତଥା ଜୀବନରେ ଲାଗି ରହିଥିବା ସମସ୍ୟା ଦୂର ହେବ । କାଳ ସର୍ପ ଦୋଷ ଦୂର କରିବା ପାଇଁ ସୋମବାର ଦିନ ଆପଣ ଚାନ୍ଦିର ନାଗ ନାଗୁଣୀ ଯୋଡ଼ିକୁ ଶିବଲିଙ୍ଗ ଉପରେ ଚଢ଼ାଇଲେ ଆପଣଙ୍କୁ ଆଶୀର୍ବାଦ ମିଳିବ । ରୁଦ୍ରାକ୍ଷ ମାଳ ଧରି ଓଁ ନମଃ ଶିବାୟ ଜପ କରନ୍ତୁ ।
ସେହିପରି ଆର୍ଥିକ ସଂକଟ ବା କରଜରେ ବୁଡ଼ି ରହିଥିବା ଲୋକମାନେ ଶ୍ରାବଣ ସୋମବାରରେ ମହାଦେବଙ୍କୁ ପୂଜା କଲେ ବାବାଙ୍କ ଆଶୀର୍ବାଦ ମିଳିବ । ଆର୍ଥିକ ସମସ୍ୟାକୁ ଦୂର କରିବା ପାଇଁ ଆଖୁରସରେ ଶିବଲିଙ୍ଗ ଅଭିଷେକ କରନ୍ତୁ । ଏହା ପରେ ୧୧ଟି ଚାଉଳ ଓ ୧୧ଟି ବେଲପତ୍ର ଅର୍ପଣ କରନ୍ତୁ । ପ୍ରତି ସୋମବାରରେ ଶିବ ମନ୍ଦିର ସମ୍ମୁଖରେ ଗରିବଙ୍କୁ ଖାଦ୍ୟ କିମ୍ବା କ୍ଷୀର ଦାନ କରନ୍ତୁ । ଏଭଳି ଉପାୟକୁ ଆପଣାଇଲେ ଆପଣଙ୍କ ଆର୍ଥିକ ସମସ୍ୟ ନିଶ୍ଚିତ ଦୂର ହେବ ।
ତ୍ରିଦେବଙ୍କ ମଧ୍ୟରେ ଶ୍ରେଷ୍ଠ ହେଉଛନ୍ତି ଭୋଳାଶଙ୍କର। ଯିଏ ନିଜ ଭକ୍ତଙ୍କୁ ବହୁତ ଭଲ ପାଆନ୍ତି । ଭକ୍ତଙ୍କ କଷ୍ଟକୁ ହରଣ କରନ୍ତି । ଭୋଳା ବାବା ଅଧର୍ମକୁ ସହି ପାରନ୍ତି ନାହିଁ। ଧର୍ମର ପ୍ରତିଷ୍ଠାରେ ସବୁ ଦେବତାଙ୍କର ସ୍ୱତନ୍ତ୍ର ସ୍ଥାନ ରହିଥିବା ବେଳେ ଶିବଙ୍କର ସ୍ଥାନ ଖୁବ ଉଚ୍ଚରେ ରହିଛି । ଶିବଲିଙ୍ଗରେ ଶ୍ରଦ୍ଧାର ସହ ଜଳ ଅର୍ପଣ କଲେ ମଧ୍ୟ ପ୍ରସନ୍ନ ହୋଇ ନିଜ ଭକ୍ତଙ୍କ କଲ୍ୟାଣ କରିଥାନ୍ତି ମହାଦେବ । ତେଣୁ ଆପଣ ଏହି ଶ୍ରାବଣ ମାସ ସୋମବାରରେ ଜଳାଭିଷେକ କଲେ ମଧ୍ୟ ମହାଦେବଙ୍କ ଆଶିଷ ମିଳିବ ।




