ରାଜନୀତି

ନେତା ନିରବ, ଶିବିର ଶୂନ୍‌ଶାନ୍‌ – Kalinga News

[ad_1]

ଅନୁଗୁଳ: ମେଣ୍ଟ ହେଲେ କାହା ଭାଗରେ ପଡ଼ିବ କେଉଁ ଆସନ ? ଲୋକସଭା ପ୍ରାର୍ଥୀ କିଏ ହେବ ? ୫ ବର୍ଷ ବୁଲି ବୁଲି ସଂଗଠନ କରିଥିବା ନେତା ଟିକେଟ୍‌ ନ ପାଇଲେ କରିବେ କ’ଣ ? ମୁଣ୍ଡ ଉପରେ ସାଧାରଣ ନିର୍ବାଚନ ରହିଥିଲାବେଳେ ଏମିତି ଅନେକ ଅସମାହିତ ପ୍ରଶ୍ନ ଏବେ ଅନୁଗୁଳ ରାଜନୀତିକୁ ଗୋଳିଆ କରିଛି। ଅନୁଗୁଳ ଜିଲ୍ଲାର ସମସ୍ତ ୫ଟି ଯାକ ବିଧାନସଭା କ୍ଷେତ୍ର ଏବେ ବିଜେଡି ଖାତାରେ ରହିଛି। ଢେଙ୍କାନାଳ ଲୋକସଭା ଆସନ ବି ବିଜେଡି ଜିତିଛି। କିନ୍ତୁ, ମେଣ୍ଟ ହେଲେ ସମୀକରଣ ବଦଳିବା ଥୟ। ୨୦୦୦ରୁ ୨୦୦୯ ଭିତରେ ବିଜେଡି ଓ ବିଜେପି ଭିତରେ ଭାଗୁଆଳି ସରକାର ଚାଲିଥିଲା। ସେତେବେଳେ ଅନୁଗୁଳ ଜିଲ୍ଲାର ତାଳଚେର ଓ ପାଳଲହଡ଼ା ଆସନ ବିଜେପି ଭାଗରେ ପଡ଼ିଥିଲା। ସେହିସମୟରେ ଛେଣ୍ଡିପଦା ନିର୍ବାଚନମଣ୍ଡଳୀ ଗଠନ ହୋଇ ନଥିଲା। ଅନୁଗୁଳ ଓ ଆଠମଲ୍ଲିକ ବିଜେଡି ଭାଗରେ ପଡ଼ିଥିଲା। ଏବେ ପୁଣି ମେଣ୍ଟ ହେଲେ ଏହି ଆସନ ଭାଗବଣ୍ଟା କେଉଁ ଆଧାରରେ ହେବ ତା’କୁ ନେଇ ବିଭିନ୍ନ ଦଳ ଅଲଗା ଅଲଗା ଅନୁମାନ ଲଗାଉଛନ୍ତି।

ବିଜେଡି ଶିବିରରୁ ମିଳିଥିବା ସୂଚନା ଅନୁସାରେ, ଯଦି ମେଣ୍ଟ ହୁଏ ତେବେ ପାଳଲହଡ଼ା ଓ ଛେଣ୍ଡିପଦା ଆସନ ବିଜେପି ଭାଗରେ ପଡ଼ିପାରେ। ଆଉ ଏକ ସୂତ୍ର କହୁଛି, ଅନୁଗୁଳ ଓ ତାଳଚେରରୁ ଗୋଟିଏ ଆସନ ବିଜେପି ଚାହୁଁଛି। କିନ୍ତୁ, ଆଠମଲ୍ଲିକ ଆସନ ପୂର୍ବପରି ବିଜେଡି ନିଜ ପାଖରେ ରଖିବ। ଏଠାରେ ଅଦଳବଦଳ ସମ୍ଭାବନା କମ୍‌। ଏହା ଜଣାପଡ଼ିବା ପରେ ବିଧାୟକଙ୍କ ଭିତରେ ଭା‌ଳେଣି ପଡ଼ିଗଲାଣି। ଟିକେଟ କଟିବା ଆଶଙ୍କାରେ କାହାରି ମୁହଁରେ ଆଉ ସରସ ନାହିଁ। ଖାଲି ବିଧାୟକମାନେ ଯେ ଚିନ୍ତାରେ ପଡ଼ିଛନ୍ତି ତାହା ନୁହେଁ। ବିଜେଡି ଟିକେଟ ଆଶାରେ ବର୍ଷ ବର୍ଷ ବୁଲି ସଂଗଠନ କରିଥିବା ବହୁ ନେତାଙ୍କ ହାଲକ ଶୁଖିଗଲାଣି। ନିଜ ପଲା ଭାରି କରିବାକୁ ପାଣି ପରି ଟଙ୍କା ଖର୍ଚ୍ଚ କରିଥିବା ଏହି ଆଶାୟୀ ନେତାମାନେ ଏବେ କେଉଁ କୂଳର ହେବେ, ତା’କୁ ନେଇ ଚିନ୍ତାରେ ପଡ଼ି ଯାଇଛନ୍ତି। ବିଶେଷକରି, ଅନୁଗୁଳ ଓ ପାଳଲହଡ଼ା ନିର୍ବାଚନକ୍ଷେତ୍ରରେ ଏକାଧିକ ବିଜେଡି ଆଶାୟୀ ଥିବାରୁ ଏଠାରେ ବିଜେଡି ଶିବିରରେ ନିରବତା ଖେଳି ଯାଇଛି। ଏପଟେ ବିଜେପି ଶିବିରରେ ମଧ୍ୟ ହଲଚଲ ଦେଖାଯାଇଛି। ମେଣ୍ଟ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଢେଙ୍କାନାଳ ଲୋକସଭା କ୍ଷେତ୍ରରୁ ଲଢ଼ିବାର ସମ୍ଭାବନା ଅଧିକ ବୋଲି ଦଳ ପକ୍ଷରୁ ସୂଚନା ମିଳିଛି। ଏଥିପାଇଁ ଦଳ ପାଳଲହଡ଼ା ଓ ପର୍ଜଙ୍ଗ ବିଧାନସଭା ଆସନ ମାଗିଥିବା ଏହି ସୂତ୍ରରୁ ଜଣାପଡ଼ିଛି। ଏପରିକି ଧର୍ମେନ୍ଦ୍ରଙ୍କ ପୁରୁଣା ଆସନ ପାଳଲହଡ଼ାରୁ ତାଙ୍କ ଧର୍ମପତ୍ନୀ ମୃଦଳା ଠାକୁର ପ୍ରଧାନ ପ୍ରାର୍ଥୀ ହେବାନେଇ ଚର୍ଚ୍ଚା ହେଉଛି। ଏହାହେଲେ ଅନ୍ୟ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ହେବାକୁ ଥିବା ବିଜେପି ନେତାଙ୍କୁ ନିରାଶ ହେବାକୁ ପଡ଼ିବ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button