ଖେଳ ଖବର

୯୨ ବର୍ଷରେ ପ୍ରଥମ: କୁଲଦୀପ କଲେ ବିରଳ କୀର୍ତ୍ତିମାନ – Kalinga News

[ad_1]

କ୍ୟାଚ୍‌ରେ ରୋହିତଙ୍କ ମାଇଲ୍‌ଖୁଣ୍ଟ, କୋହଲିଙ୍କୁ କାଟିଲେ ଜୟସ୍ବାଲ

ଧର୍ମଶାଳା: ଧର୍ମଶାଳା ଟେଷ୍ଟ୍‌ର ପ୍ରଥମ ଦିନରେ ଏକକାଳୀନ ବହୁ କୀର୍ତ୍ତିମାନ ସ୍ଥାପିତ ହୋଇଛି। କୋହଲା ପାଗରେ ପାଣି ବର୍ଷିବା ପରିବର୍ତ୍ତେ ରେକର୍ଡ ବର୍ଷା ଦେଖିବାକୁ ମିଳିଛି। କୁଲଦୀପ ଯାଦବ ଦ୍ରୁତତମ ୫୦ ୱିକେଟ୍‌ର ବିରଳ କ୍ଲବ୍‌ରେ ସାମିଲ ‌ହୋଇଛନ୍ତି। ଅଧିନାୟକ ରୋହିତ ଶର୍ମା ପ୍ରଥମ ଅଣୱିକେଟ୍‌ରକ୍ଷକ ଖେଳାଳି ଭାବେ ତିନିଟିଯାକ ଫର୍ମାଟ୍‌ (ଟେଷ୍ଟ୍, ଦିନିକିଆ, ଟ୍ବେଣ୍ଟି-୨୦)ରେ ୬୦ କିମ୍ବା ତା’ଠାରୁ ଅଧିକ କ୍ୟାଚ୍ ନେବାର ମାଇଲଖୁଣ୍ଟ ଛୁଇଁଥିଲା ବେଳେ ଯଶସ୍ବୀ ଜୟସ୍ବାଲ (୭୧୨ ରନ୍) ଇଂଲଣ୍ଡ ବିପକ୍ଷ ଗୋଟିଏ ଶୃଙ୍ଖଳାରେ ସର୍ବାଧିକ ରନ୍ କରିବାରେ କିଂବଦନ୍ତି ବିରାଟ କୋହଲି(୬୫୫ ରନ୍)ଙ୍କୁ ଟପିଛନ୍ତି। ସେ ମଧ୍ୟ ସୁନୀଲ ଗାଭାସ୍କରଙ୍କ ପରେ ପ୍ରଥମ ଭାରତୀୟ ଖେଳାଳି ଭାବେ କୌଣସି ଦ୍ବିପାକ୍ଷିକ ଶୃଙ୍ଖଳାରେ ୭୦୦ରୁ ଅଧିକ ରନ୍ କରିବାର ଗୌରବ ହାସଲ କରିଛନ୍ତି। ଗୋଟିଏ ଶୃଙ୍ଖଳାରେ ସର୍ବାଧିକ ରନ୍ କରିବାରେ ଗାଭାସ୍କର (୭୭୪ ରନ୍, ୧୯୭୧ ବନାମ ୱେଷ୍ଟଇଣ୍ଡିଜ୍)ଙ୍କଠାରୁ ମାତ୍ର ୬୨ ରନ୍ ପଛରେ ରହିଛନ୍ତି ଜୟସ୍ବାଲ। ଜୟସ୍ବାଲ (୧୬ ପାଳି) ବି ୧,୦୦୦ ଟେଷ୍ଟ୍ ରନ୍ କରିବାରେ ବିନୋଦ କାମ୍ବଲି (୧୪ ପାଳି)ଙ୍କ ପଛକୁ ଦ୍ବିତୀୟ ଦ୍ରୁତତମ ଭାରତୀୟ ହୋଇଛନ୍ତି।

ଆର୍‌ ଅଶ୍ବିନ ଓ ଜନି ବେୟାରଷ୍ଟୋ ଗୁରୁବାର ୧୦୦ ଟେଷ୍ଟ୍ କ୍ଲବ୍‌‌ରେ ସାମିଲ ହୋଇଛନ୍ତି। ଘରୋଇ କ୍ରିକେଟ୍ ଓ ଆଇପିଏଲ୍‌ରେ ପ୍ରଭାବୀ ପ୍ରଦର୍ଶନ କରିଥିବା କର୍ଣ୍ଣାଟକର ବାମହାତୀ ବ୍ୟାଟର୍‌ ଦେବଦତ୍ତ ପଡ଼ିକଲ ପଞ୍ଚମ ଭାରତୀୟ ଖେଳାଳି ଭାବେ ଅପରୂପ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଘେରି ରହିଥିବା ସ୍ଥାନୀୟ ଏଚ୍‌ପିସିଏ ଷ୍ଟାଡିୟମ୍‌ରେ ଟେଷ୍ଟ୍ ପଦାର୍ପଣ କରିଛନ୍ତି। ତାଙ୍କ ପୂର୍ବରୁ ଚଳିତ ଭାରତ-ଇଂଲଣ୍ଡ ଶୃଙ୍ଖଳାରେ ମଧ୍ୟକ୍ରମ ବ୍ୟାଟର୍ ରଜତ ପଟିଦାର (ମଧ୍ୟପ୍ରଦେଶ), ସର୍‌ଫରାଜ୍ ଖାନ୍ (ମୁମ୍ବାଇ), ୱିକେଟ୍‌ରକ୍ଷକ ଧ୍ରୁବ ଜୁରେଲ (ଉତ୍ତରପ୍ରଦେଶ) ଓ ଦ୍ରୁତ ବୋଲର ଆକାଶ ଦୀପ (ବେଙ୍ଗଲ) ପଦାର୍ପଣ କରିସାରିଛନ୍ତି।
ଗୁରୁବାର କୁଲଦୀପଙ୍କ ଯାଦୁଗରୀ କଚଟି ସ୍ପିନ୍ ବଳରେ ଇଂଲଣ୍ଡକୁ ମାତ୍ର ୨୧୮ ରନ୍‌ରେ ଅଲଆଉଟ୍ କରିଛି ଭାରତ। ପୁଣି ଦୁଇ ଓପନର ରୋହିତ ଶର୍ମା (୫୨*) ଓ ଯଶସ୍ବୀ ଜୟସ୍ବାଲ (୫୭)ଙ୍କ ପ୍ରତିଆକ୍ରମଣରେ ବଳୀୟାନ ହୋଇ ଖେଳ ଶେଷ ବେଳକୁ ଗୋଟିଏ ୱିକେଟ୍ ବିନିମୟରେ ୧୩୫ ରନ୍ କରି ଦୃଢ଼ ସ୍ଥିତିରେ ରହିଛି। ଷ୍ଟମ୍ପ୍ସ ବେଳକୁ ରୋହିତଙ୍କ ସହ ଶୁବମନ୍ ଗିଲ୍ (୨୬*) ଅପରାଜିତ ରହିବା ପ୍ରତିପକ୍ଷ ଇଂଲଣ୍ଡର ଚିନ୍ତାକୁ ବହୁ ଗୁଣ ବଢ଼ାଇଛି। ହାତରେ ଆଉ ୯ ୱିକେଟ୍ ଥିଲା ବେଳେ ଭାରତ ଏବେ ମାତ୍ର ୮୩ ରନ୍‌ରେ ପଛୁଆ ରହିଛି।

କୁଲଦୀପ କଲେ ବିରଳ କୀର୍ତ୍ତିମାନ
କ୍ୟାଚ୍‌ରେ ରୋହିତଙ୍କ ମାଇଲ୍‌ଖୁଣ୍ଟ
କୋହଲିଙ୍କୁ କାଟିଲେ ଜୟସ୍ବାଲ
ପଡ଼ିକଲ ପଞ୍ଚମ ପଦାର୍ପଣକାରୀ
ଇଂଲଣ୍ଡ ୨୧୮, ଭାରତ ୧୩୫/୧

ସମୁଦ୍ର ପତନଠାରୁ ପାଖାପାଖି ୫ ହଜାର ଫୁଟ ଉଚ୍ଚରେ ଥିବା ଧର୍ମଶାଳା ତାପମାତ୍ରା ୧୦ ଡିଗ୍ରି ତଳେ ରହୁଥିବା ବେଳେ ଗୁରୁବାର ମଝିରେ ମଝିରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ ଲଗାଇଥିଲା। ଏହା ବିପରୀତ ପାଗ ପୂରା ଶୁଖିଲା ରହିଥିଲା। ଏହାର ସୁଯୋଗ ନେଇ ଭାରତୀୟ ବୋଲର୍‌ ଇଂଲଣ୍ଡ ବ୍ୟାଟିଂକୁ ଧ୍ବସ୍ତ ବିଧ୍ବସ୍ତ କରି ମାତ୍ର ୫୭.୪ ଓଭରରେ ପାଳି ସମାପ୍ତ କରି ଦେଇଥିଲେ। ବିଶେଷ କରି କୁଲଦୀପ ନିଜ ବାମହାତୀ ବୋଲିଂରେ ଇଂଲଣ୍ଡ ବ୍ୟାଟର୍‌ଙ୍କୁ ଘାଇଲା କରି ଚତୁର୍ଥ ୫ ୱିକେଟ୍ ସଫଳତା ପାଇଛନ୍ତି। ଇତିମଧ୍ୟରେ ବଲ୍ ସଂଖ୍ୟାରେ ୫୦ ୱିକେଟ୍ ନେବାରେ ଦ୍ରୁତତମ ଭାରତୀୟ ବୋଲର ହୋଇଥିଲେ ସେ। ଏହି କୀର୍ତ୍ତିମାନ କରିବାକୁ କୁଲଦୀପ ମାତ୍ର ୧୮୭୧ ବଲ୍ ନେଇଥିଲେ। ଏହି କ୍ରମରେ ତାଙ୍କ ପଛକୁ ଏବେ ଅକ୍ଷର ପଟେଲ (୨୨୦୫) ଓ ଯଶପ୍ରୀତ୍ ବୁମ୍‌ରା (୨୫୨୦) ରହିଛନ୍ତି। ସେହିଭଳି ୯୨ ବର୍ଷର ଭାରତୀୟ ଟେଷ୍ଟ୍ ଇତିହାସରେ ପ୍ରଥମ ଥର ପାଇଁ କୌଣସି ବୋଲର୍‌ ୨,୦୦୦ରୁ କମ୍ ବଲ୍ ପକାଇ ୫୦ ଟେଷ୍ଟ୍ ୱିକେଟ୍ ନେବାର ବିରଳ ସଫଳତା ଲାଭ କରିଛନ୍ତି। ଦକ୍ଷିଣ ଆଫ୍ରିକାର ପଲ୍ ଆଡାମ୍ସ (୧୩୪) ଓ ଇଂଲଣ୍ଡର ଜନି ୱର୍ଡଲେ (୧୦୨)ଙ୍କ ପରେ ତୃତୀୟ ବାମହାତୀ ସ୍ପିନ୍ ବୋଲର ଭା‌ବେ ଟେଷ୍ଟ୍‌ରେ ୫୦ରୁ ଅଧିକ ୱିକେଟ୍ ନେଇଥିଲେ।

କୁଲଦୀପଙ୍କ ସହ ନିଜ ଶତକୀୟ ଟେଷ୍ଟ୍ ଖେଳୁଥିବା ଆର୍‌ ଅଶ୍ବିନ ମଧ୍ୟ ଶୃଙ୍ଖଳିତ ସ୍ପିନ୍ ବୋଲିଂର ଅସାଧାରଣ ନମୁନା ଦେଖାଇ ୪ ୱିକେଟ୍ ସଫଳତା ପାଇଥିଲେ। ରବୀନ୍ଦ୍ର ଜାଡ଼େଜା ଗୋଟିଏ ୱିକେଟ୍ କରାୟତ୍ତ କରିବା ସହ ଇଂଲଣ୍ଡର ସମସ୍ତ ୧୦ ୱିକେଟ୍ ଭାରତୀୟ ସ୍ପିନର ପୋଛି ନେଇଛନ୍ତି। କୁଲଦୀପ-ଅଶ୍ବିନ-ଜାଡ଼େଜା ପାଗ ଓ ପରିବେଶର ଏଭଳି ଫାଇଦା ଉଠାଇଥିଲେ ଯେ ଏକଦା ବିନା କ୍ଷତିରେ ୬୩ ରନ୍ କରି ନେଇଥିବା ଇଂଲଣ୍ଡ ତା’ର ଶେଷ ୭ ୱିକେଟ୍‌ ୪୩ ରନ୍‌ରେ ହରାଇଥିଲା। ଅଶ୍ବିନଙ୍କ ଭଳି ଧର୍ମଶାଳାରେ ନିଜ ୧୦୦ତମ ଟେଷ୍ଟ୍ ଖେଳୁଥିବା ଜନି ବେୟାର୍‌ଷ୍ଟୋ ୨୯ ରନ୍‌ରେ ଆଉଟ୍ ହୋଇ ଏହାକୁ ସ୍ମରଣୀୟ କରିବା ସୁଯୋଗ ହାତଛଡ଼ା କରିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button