ରାଜନୀତି

ଭୁବନେଶ୍ବର ଲୋକସଭା: ଅପରାଜିତା‌, ଶ୍ରୀମୟୀ ଓ …? – Kalinga News

[ad_1]

ଭୁବନେଶ୍ବର: ଭୁବନେଶ୍ବର ସଂସଦୀୟ କ୍ଷେତ୍ରର ୭ ବିଧାନସଭା କ୍ଷେତ୍ରରୁ ଗୋଟିଏରେ ବି ବିଜେପି ପ୍ରାର୍ଥୀ ଜିତି ନ ଥିଲେ। ତା’ସତ୍ତ୍ବେ ୨୦୧୯ ଲୋକସଭା ନିର୍ବାଚନରେ ପ୍ରଶାସିକାରୁ ନେତ୍ରୀ ପାଲଟିଥିବା ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ବାଜି ମାରି ନେଇଥିଲେ। ପାଖାପାଖି ୨୪ ହଜାର ଭୋଟ୍‌ରେ ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କୁ ପରାଜିତ କରିଥିଲେ। ୧୯୯୮ରୁ ୨୦୧୯ ନିର୍ବାଚନ ପର୍ଯ୍ୟନ୍ତ ବିଜେଡିର ଗଡ଼ ଭାବେ ପରିଚିତ ଭୁବନେଶ୍ବର ସଂସଦୀୟ କ୍ଷେତ୍ରକୁ ଛଡ଼ାଇ ନେବା ପରେ ରାଜ୍ୟ ରାଜନୀତିରେ ଅପରାଜିତାଙ୍କ ଦବଦବା ବଢ଼ିଯାଇଥିଲା। ରାଜ୍ୟ ରାଜନୀତିରେ ସକ୍ରିୟ ଭୂମିକା ଲିଭାଇବା ସହ ପୁଣିଥରେ ଟିକେଟ୍‌ ହାତେଇ ବିଜୟ ମୁକୁଟ ପିନ୍ଧିବାକୁ କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି। ବସ୍ତିଠାରୁ ଗାଁ ପର୍ଯ୍ୟନ୍ତ ଲୋକଙ୍କୁ ଭେଟି ରାଜ୍ୟ ସରକାରଙ୍କ ବିରୋଧରେ ବିଷ ଓଗାଳୁଛନ୍ତି। ଜାତୀୟ ରାଜପଥ ନିର୍ମାଣ ହେଉ ଅଥବା ଚାଷୀଙ୍କ ସମସ୍ୟା ନେଇ ଗର୍ଜନ କରି ଭୁବନେଶ୍ବର ରାଜନୀତିକୁ ୫ ବର୍ଷ ଯାକ ଉଷ୍ମ କରି ରଖିଛନ୍ତି। ଅପରାଜିତାଙ୍କ ପତିଆରା ଯେଉଁଭଳି ଜାରି ରହିଛି ଭୁବନେଶ୍ବର ସଂସଦୀୟ କ୍ଷେତ୍ରରୁ ସେ ପୁନର୍ବାର ବିଜେପି ପ୍ରାର୍ଥୀ ହେଉଥିବା ଚର୍ଚ୍ଚା ଜୋର ଧରିଛି। ଚୂଡ଼ାନ୍ତ ନିଷ୍ପତ୍ତି କେନ୍ଦ୍ରୀୟ ନେତୃତ୍ବଙ୍କ ଉପରେ ରହିଥିଲେ ମଧ୍ୟ ବିଜେପିରୁ ସାଂସଦ ପ୍ରାର୍ଥୀ ହେବାକୁ ଅନ୍ୟ କୌଣସି ଆଶାୟୀ ଏଯାଏ ସାମ୍ନାକୁ ଆସିନାହାନ୍ତି। ଯଦି ସେଭଳି କୌଣସି ଓଲଟପାଲଟ ନ ହୁଏ ତାହା ହେଲେ ଅପରାଜିତା ଟିକେଟ୍‌ ପାଇବା ଏକପ୍ରକାର ଥୟ।

ଜଟଣୀ ବ୍ୟତୀତ ଭୁବନେଶ୍ବର ସଂସଦୀୟ କ୍ଷେତ୍ରର ୬ଟି ବିଧାନସଭା କ୍ଷେତ୍ରରେ ବିଜେଡିର ୬ଜଣ ବିଧାୟକ ଜିତିଥିଲେ ମଧ୍ୟ ସାଂସଦ ପ୍ରାର୍ଥୀ ହାରିଥିଲେ। ଶେଷ ମୂହୂର୍ତ୍ତରେ ପ୍ରଶାସକରୁ ରାଜନେତା ବନିଥିବା ଅରୂପ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରି ବିଜେଡି ଯେଉଁ ରିସ୍କ୍‌ ନେଇଥିଲା ତାହା ବୁମେରାଂ ସାବ୍ୟସ୍ତ ହୋଇଥିଲା। ତେଣୁ ଦଳର ଶୀର୍ଷ ନେତୃତ୍ବ ଏଥର କୌଣସି ପରିସ୍ଥିତିରେ ଆଉ ପୁରୁଣା ପାଠର ପୁନରାବୃତ୍ତି କରିବାକୁ ଚାହୁଁ ନାହାନ୍ତି। ଯେଉଁଥିପାଇଁ ନିର୍ବାଚନ ‌ତାରିଖ ଘୋଷଣା ହେବାର ଢେର୍‌ ଆଗରୁ ଅନୌପଚାରିକ ଭାବେ ଦଳ ପକ୍ଷରୁ ଶ୍ରୀମୟୀ ମିଶ୍ରଙ୍କୁ ପ୍ରାର୍ଥୀ କରାଯିବ ବୋଲି ଘୋଷଣା କରାସରିଛି। ଗତ ତିନି ମାସ ହେଲା ଶ୍ରୀମତୀ ମିଶ୍ର ସମସ୍ତ ନିର୍ବାଚନମଣ୍ଡଳୀରେ ପଦଯାତ୍ରା, ଶୋଭାଯାତ୍ରା, ପରିବାର ଅଭିଯାନ ମାଧ୍ୟମରେ ଲୋକଙ୍କ ନିକଟତର ହେବାକୁ ପ୍ରୟାସ ଜାରି ରଖିଛନ୍ତି। ୬ଜଣ ବିଧାୟକଙ୍କ ସମେତ ଜଟଣୀରେ ୨୦୧୯ର ବିଜେଡି ପରାଜିତ ପ୍ରାର୍ଥୀ ତଥା ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତିଙ୍କ ନେତୃତ୍ବରେ ଶ୍ରୀମତୀ ମିଶ୍ରଙ୍କୁ ସହଯୋଗ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁଥିପାଇଁ ସପ୍ତାହର ୭ ଦିନ ମଧ୍ୟରୁ ପ୍ରତି ନିର୍ବାଚନମଣ୍ଡଳୀରେ ପାଳି କରି ଶ୍ରୀମୟୀଙ୍କ କାର୍ଯ୍ୟକ୍ରମ କରାଯାଉଛି। ବିଜେଡିରୁ ସାଂସଦ ପ୍ରାର୍ଥୀ ହେବାକୁ ଶ୍ରୀମୟୀଙ୍କ ବ୍ୟତୀତ ଆଉ କାହାରି ନାଁ ଶୁଣାଯାଉ ନାହିଁ। ୨୦୧୯ରେ କେବଳ ଜୟଦେବ ନିର୍ବାଚନମଣ୍ଡଳୀକୁ ଛାଡ଼ି ଦେଲେ ବାକି ସବୁଠି ବିଜେଡିର ସାଂସଦ ପ୍ରାର୍ଥୀ ପଛରେ ପଡ଼ିଥିଲେ। ଉତ୍ତର ଭୁବନେଶ୍ବରରେ ଅପରାଜିତା ମାତ୍ର ୧୬୯ ଭୋଟରେ ଆଗରେ ରହିଥିବା ବେଳେ ଖୋର୍ଦ୍ଧାରେ ୧୫ ହଜାର, ଏକାମ୍ରରେ ୧୧ ହଜାର, ମଧ୍ୟ ଭୁବନେଶ୍ବରରେ ୧୩ ହଜାର ୫୦୦, ଜଟଣୀରେ ୮୫୧ ଓ ବେଗୁନିଆରେ ପ୍ରାୟ ୩ ହଜାର ଭୋଟରେ ଆଗରେ ଥିଲେ। ଜୟଦେବ ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ୨୦ ହଜାର ଭୋଟ ଆଗରେ ରହିଥିବାରୁ ପରାଜୟ ବ୍ୟବଧାନ କମିଯାଇଥିଲା। ସେଥିପାଇଁ ଆଗୁଆ ରଣନୀତି ପ୍ରସ୍ତୁତ ସହ କେଉଁଠି ତ୍ରୁଟି ରହିଥିଲା ତାହାକୁ ସୁଧାରିବାକୁ ଦଳର ନେତାମାନେ ପ୍ରୟାସ ଜାରି ରଖିଛନ୍ତି। ଲୋକସମ୍ପର୍କ ବୃଦ୍ଧି ସହ ଶିକ୍ଷିତ ଭୋଟରଙ୍କ ନିକଟକୁ ଯିବାକୁ ବିଜେଡି ନେତାମାନେ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଛି। ବିଜେପି ୪ଲକ୍ଷ ୮୬ହଜାର ୯୯୧ ଓ ବିଜେଡି ୪ଲକ୍ଷ ୬୩ହଜାର ୧୫୨ ଭୋଟ ପାଇଥିଲେ।

ଯଦି କଂଗ୍ରେସ କଥା ଦେଖିବା ୨୦୧୯ରେ ଦଳ ଏଠାରେ ପ୍ରାର୍ଥୀ ଦେଇ ନ ଥିଲା। ବରଂ ସିପିଆଇ(ଏମ୍‌) ପ୍ରାର୍ଥୀଙ୍କୁ ସମର୍ଥନ ଜଣାଇଥିଲା। ପରିଣାମ ସ୍ବରୂପ ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ କଂଗ୍ରେସ ରସାତଳଗାମୀ ହୋଇଥିଲା। ଗୋଟିଏ ବିଧାନସଭା କ୍ଷେତ୍ରରେ ଦଳର ପ୍ରାର୍ଥୀ ବିଜୟ ମୁକୁଟ ପିନ୍ଧିଥିଲେ ମଧ୍ୟ କଂଗ୍ରେସ ସମର୍ଥନରେ ଛିଡ଼ା ହୋଇଥିବା ସିପିଆଇ(ଏମ୍‌) ପ୍ରାର୍ଥୀ ମାତ୍ର ୨୩ ହଜାର ୨୬ ଭୋଟରେ ସନ୍ତୁଷ୍ଟ ହୋଇଥିଲେ। ତେଣୁ ଏଥର କଂଗ୍ରେସ ମଧ୍ୟ ପୁରୁଣା ତ୍ରୁଟିକୁ ସୁଧାରିବାକୁ ଚାହୁଛି। କଂଗ୍ରେସର ନିଜର ପକେଟ ଭୋଟ ରହିଥିବାରୁ ଏଥର ନିଜର ପ୍ରାର୍ଥୀ ଛିଡ଼ା କରିବାକୁ ମନସ୍ଥ କରିଥିବା ଜଣାପଡ଼ିଛି। ‌ତେବେ କିଏ ପ୍ରାର୍ଥୀ ହେବେ ତାହାକୁ ନେଇ ବରିଷ୍ଠ ନେତାଙ୍କ ମଧ୍ୟରେ ମାନସମନ୍ଥନ ଜାରି ରହିଛି। ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ପ୍ରଚାର କମିଟି ମୁଖ୍ୟ ବିଜୟ ପଟ୍ଟନାୟକ,ରଶ୍ମି ମହାପାତ୍ରଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି। ଟିକେଟ୍‌ ପାଇଁ ଆବେଦନ ପ୍ରକ୍ରିୟା ସରିଥିବାରୁ କିଏ ପ୍ରାର୍ଥୀ ହେବ ତାହା ଉପରେ ସମସ୍ତଙ୍କ ନଜର ରହିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button