ଖେଳ ଖବର

ଯୁବା ଖେଳାଳି ସ୍ୱପ୍ନ ଦେଖନ୍ତୁ, ତାକୁ ସାକାର କରନ୍ତୁ: ଫୁଟବଲ ଲିଜେଣ୍ଡ ଭାରତୀକୃଷ୍ଣ – Kalinga News

[ad_1]

ଭୁବନେଶ୍ୱର: ଯୁବା ଖେଳାଳିମାନେ ସ୍ୱପ୍ନ ଦେଖିବା ଆବଶ୍ୟକ। ଖାଲି ସ୍ୱପ୍ନ ଦେଖି ଅଟକିଗଲେ ହେବ ନାହିଁ, ତାହା ଯେପରି ସାକାର ହୋଇପାରିବ, ସେଥି ସକାଶେ ସାଧନାରତ ରହିବାକୁ ହେବ। ଫୁଟବଲ ଲିଜେଣ୍ଡ ଭାରତୀକୃଷ୍ଣ ମିଶ୍ର ରବିବାର ଏହା କହିଛନ୍ତି। ରାଜ୍ୟର ଅନ୍ୟତମ ପ୍ରଗତିଶୀଳ କ୍ରୀଡ଼ା ଅନୁଷ୍ଠାନ ଭୁବନେଶ୍ୱର ସହିଦ ସ୍ପୋର୍ଟିଂ କ୍ଳବ ପକ୍ଷରୁ କ୍ଳବ ପରିସରରେ ଆୟୋଜିତ ଏକ ଆଡ଼ମ୍ବରପୂର୍ଣ୍ଣ କାର୍ଯ୍ୟକ୍ରମରେ କମଲ ଗାଙ୍ଗୁଲି ସ୍ମାରକୀ କ୍ରୀଡ଼ା ପୁରସ୍କାର- ୨୦୨୪ ପ୍ରଦାନ କରାଯାଇଛି। ଜୀବନବ୍ୟାପୀ ସାଧନା ସକାଶେ ଏହି ପୁରସ୍କାର ଗ୍ରହଣ କରିବା ସହ ଶ୍ରୀ ମିଶ୍ର କହିଛନ୍ତି ଯେ, ନିଜନିଜ ଖେଳର କୌଶଳ ସମୟକ୍ରମେ ଶିଖିବେ, ହେଲେ ସ୍ୱପ୍ନକୁ ନଛାଡ଼ି ସାଧନାରତ ଜୀବନସାରା ରହିବା ଉଚିତ।

୧୯୬୫ ଏସିଆନ ୟୁଥ୍‍ ଚମ୍ପିଆନସିପ୍‍ରେ ଭାରତୀୟ ଦଳରୁ ଖେଳିଥିବା ଏବଂ ସନ୍ତୋଷ ଟ୍ରଫି ଓ ସୁବ୍ରତ କପର ସେମିଫାଇନାଲରେ ଖେଳିବା ସହ ଭାରତୀୟ ସିନିଅର ଫୁଟବଲ ଦଳର ଚୟନକର୍ତ୍ତା ଦାୟିତ୍ୱ ତୁଲାଇଥିବା ଲିଜେଣ୍ଡ ଗୋଲକିପର ଭାରତୀକୃଷ୍ଣ ମିଶ୍ରଙ୍କୁ ଲାଇଫ୍‍ ଟାଇମ ପୁରସ୍କାର ଆକାରରେ ଉତ୍ତରୀୟ, ବିଶେଷ ଟ୍ରଫି, ପ୍ରଶସ୍ତିପତ୍ର, ଉପହାର ଏବଂ ନଗଦ ୨୦ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ସେହିପରି ଇଗ୍ନେସ ଓ ପ୍ରବୋଧ ତିର୍କୀ ଏବଂ ଜ୍ୟୋତି ସୁନିତା କୁଲୁଙ୍କ ପରି ବହୁ ସଫଳ ଖେଳାଳି ଭାରତୀୟ ପୁରୁଷ ଓ ମହିଳା ଦଳକୁ ପ୍ରଦାନ କରିଥିବା ଅମୂଲ୍ୟ ବେହେରାଙ୍କୁ ଶ୍ରେଷ୍ଠ କୋଚ ପୁରସ୍କାର ଆକାରରେ ଉତ୍ତରୀୟ, ବିଶେଷ ଟ୍ରଫି, ପ୍ରଶସ୍ତିପତ୍ର ଏବଂ ନଗଦ ୧୫ହଜାର ଟଙ୍କା ପ୍ରଦାନ କରାଯାଇଥିଲା ।

ସମାରୋହରେ ୨୦୨୪ ମସିହା ସକାଶେ ଶ୍ରେଷ୍ଠ କୋଚ ପୁରସ୍କାର ଜଣାଶୁଣା ହକି କୋଚ ଅମୂଲ୍ୟ କୁମାର ବେହେରାଙ୍କୁ ପ୍ରଦାନ କରାଯାଇଥିଲା। ପୁରସ୍କାର ଗ୍ରହଣ କରିବା ପରେ ଶ୍ରୀ ବେହେରା କହିଥିଲେ ଯେ ପ୍ରକୃତ ପ୍ରଶିକ୍ଷକ ହେଉଛି ଯିଏ ଖେଳାଳିର ପ୍ରତିଭାକୁ ଠିକଭାବେ ଚିହ୍ନଟ କରିପାରେ। ସେ କିପରି ପ୍ରବୋଧ ତିର୍କୀଙ୍କୁ ଡିପ୍‍ ଡିଫେନ୍ସରୁ ଉଠାଇ ଲେଫ୍ଟ ହାଫ୍‍ରେ ଖେଳାଇଥିଲେ ଓ ପରବର୍ତ୍ତୀ ସମୟରେ ସେ ଭାରତୀୟ ଦଳରୁ ମଧ୍ୟ ସେହି ସ୍ଥାନରେ ଖେଳିଲେ ତାହାକୁ ସେ ଉଦାହରଣ ମାଧ୍ୟମରେ ଉପସ୍ଥାପନ କରିଥିଲେ।

ବାରବାଟୀ ଷ୍ଟାଡିୟମ ସମ୍ପୂର୍ଣ୍ଣ ଭଙ୍ଗାଯିବ ନାହିଁ`କେବଳ କିଛିଟା ନବୀକରଣ ହେବ। ନିର୍ବାଚନ ପ୍ରକ୍ରିୟା ସରିବା ପରେ ବାରବାଟୀର ନବୀକରଣ କାର୍ଯ୍ୟ ଆରମ୍ଭ ହେବ।

-ପଙ୍କଜ ଲୋଚନ ମହାନ୍ତି, ଉପସଭାପତି, ଓଡ଼ିଶା କ୍ରିକେଟ ଆସୋସିଏସନ 

ବରିଷ୍ଠ କ୍ରୀଡ଼ା ସାମ୍ବାଦିକ ସମ୍ବିତ ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି ବିଶେଷ ସମାରୋହରେ ସହିଦ ସ୍ପୋର୍ଟିଂର ସମ୍ପାଦକ ପଙ୍କଜ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟଅତିଥି ଭାବରେ ଯୋଗଦେଇ ଓଡ଼ିଶା କ୍ରିକେଟ ଆସୋସିଏସନର ଉପସଭାପତି ପଙ୍କଜ ଲୋଚନ ମହାନ୍ତି। କ୍ରୀଡ଼ା ପୁରସ୍କାରର ଗୁରୁତ୍ୱ ବାବଦରେ ବତାଇ ସେ କହିଥିଲେ ଯେ ଆଗାମୀ ଦିନରେ ଓସିଏ ୪୦ରୁ ଅଧିକ ସ୍ଥାନରେ ଟର୍ଫ ୱିକେଟ ସହ ଏକାଡେମୀ ସ୍ଥାପନ କରିବାକୁ ଯାଉଛି। ବାରବାଟୀ ଷ୍ଟାଡିୟମ ସମ୍ପୂର୍ଣ୍ଣ ଭଙ୍ଗାଯିବ ନାହିଁ, କେବଳ କିଛିଟା ନବୀକରଣ ହେବ। ନିର୍ବାଚନ ପ୍ରକ୍ରିୟା ସରିବା ପରେ ବାରବାଟୀର ନବୀକରଣ କାର୍ଯ୍ୟ ଆରମ୍ଭ ହେବ ବୋଲି ସେ ସୂଚନା ଦେଇଥିଲେ।

ଏହି ଉତ୍ସବରେ ସାମିଲ ହୋଇ ଓଡ଼ିଶାର ଦୁଇ ଲିଜେଣ୍ଡ କ୍ରିକେଟର ଦେବାଶିଷ ମହାନ୍ତି ଏବଂ ରଶ୍ମିରଞ୍ଜନ ପରିଡ଼ା କମଲ ଗାଙ୍ଗୁଲିଙ୍କ କୋଚିଂ ଜୀବନ ବାବଦରେ ସ୍ମୃତିଚାରଣ କରି ଆମେ ଆଜି ତାଙ୍କରି ପାଖରୁ ଶିଖିଥିବା କଥା ପିଲାଙ୍କୁ ଶିଖାଉଛୁ ବୋଲି କହିଥିଲେ ନିଜନିଜ ଭାଷଣରେ । କମଲ ଗାଙ୍ଗୁଲି ପୁରସ୍କାର କମିଟିର ଅନ୍ୟତମ ସଦସ୍ୟ କ୍ରୀଡ଼ା ସାମ୍ବାଦିକ ଶକ୍ତିପ୍ରକାଶ ନନ୍ଦ ପୁରସ୍କାରର ମହତ୍ତ୍ୱ ବାବଦରେ ସମ୍ୟକ ସୂଚନା ଦେଇଥିଲେ। ପୁରସ୍କାରର ପ୍ରାୟୋଜକ ତଥା ମାରୁତି ଇଷ୍ଟେଟ୍‍ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଜିତେନ୍ଦ୍ର ପ୍ରସାଦ ସିଂହ, ଭୁବନେଶ୍ୱର ଆଥଲେଟିକ୍ସ ସଂଘର ସମ୍ପାଦକ ଡ. ସୌର୍ଯ୍ୟରଞ୍ଜନ ପରିଜା ଏବଂ ସହିଦ ସ୍ପୋର୍ଟିଂର କୋଷାଧ୍ୟକ୍ଷ ନିକୁଞ୍ଜ ମହାନ୍ତିଙ୍କ ସହ ରାଜ୍ୟର ବହୁ କ୍ରିକେଟର, ଅଭିଭାବକ ଏବଂ ଗଣମାଧ୍ୟମର ପ୍ରତିନିଧିମାନେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button