ଭୁବନେଶ୍ବରରୁ ଅପରେସନ୍, ଦିଲ୍ଲୀରୁ ଠକେଇ: ବନ୍ଧାହୋଇ ଦିଲ୍ଲୀ ଗଲା ଡାଟାବେସ୍ ହ୍ୟାକର୍ – Kalinga News
[ad_1]
ଭୁବନେଶ୍ବର: ବୟସ ମାତ୍ର ୨୩। ସମ୍ବଲପୁରର ଏହି ଯୁବକଟି ରାଜଧାନୀସ୍ଥିତ ଏକ ପ୍ରତିଷ୍ଠିତ ଘରୋଇ ମ୍ୟାନେଜ୍ମେଣ୍ଟ କଲେଜର ଛାତ୍ର। କିନ୍ତୁ ଦିଲ୍ଲୀ ସାଇବର ପୁଲିସ ପାଇଁ ସେ ଥିଲା ବିସ୍ମୟକର ଡାଟାବେସ୍ ହ୍ୟାକର୍। ବିଭିନ୍ନ ଟେଲିକମ୍ କମ୍ପାନିର ଡାଟାବେସ୍ ହ୍ୟାକ୍ କରି ବଡ଼ବଡ଼ ବ୍ୟବସାୟୀଙ୍କୁ ଚୁନ ଲଗାଇବାରେ ସେ ଥିଲା ଧୂରନ୍ଧର। ପ୍ରାୟ ୧୦ ଶିଳ୍ପପତିଙ୍କଠାରୁ କୋଟି କୋଟି ଟଙ୍କା ଠକି ନେଇଥିବା ଅଭିଯୋଗରେ ତାକୁ ଦିଲ୍ଲୀ ପୁଲିସ ଗିରଫ କରିଛି। ଲକ୍ଷ୍ମୀସାଗର ଆର୍ଭି ଆପାର୍ଟମେଣ୍ଟରୁ ଦିଲ୍ଲୀ ଜେଲ୍ ହାଜତକୁ ଯାଇଥିବା ଅଭିଯୁକ୍ତ ହେଲା ସୌରଭ ଦେହୁରୀ। ସୌରଭର ଆଉ କିଛି ସହଯୋଗୀ(ଯୁବତୀ) ଏହି ହ୍ୟାକିଂ ଓ ଠକେଇ ମାମଲାରେ ସମ୍ପୃକ୍ତ ଥିବା ଜଣାପଡ଼ିଛି। ସେମାନେ ଫେରାର୍ ହୋଇଯାଇଛନ୍ତି। ସେମାନଙ୍କୁ ଠାବ କରିବା ବିଳମ୍ବ ହେବା ଜାଣି ଦିଲ୍ଲୀ ପୁଲିସ କେବଳ ସୌରଭକୁ ନେଇ ଫେରିଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ପୁଲିସ ସୂଚନାନୁସାରେ ସୌରଭ ଭୁବନେଶ୍ବରରେ ରହି ଅପରେସନ୍ କରୁଥିଲା। ଦିଲ୍ଲୀର ଶିଳ୍ପପତି ଓ ବଡ଼ବଡ଼ ବ୍ୟବସାୟୀଙ୍କୁ ଟାର୍ଗେଟ୍ କରୁଥିଲା। ଟେଲିକମ୍ କମ୍ପାନିରୁ ଡାଟା ନେଇ ସୌରଭ ସେମାନଙ୍କଠାରୁ ବିଭିନ୍ନ ବାଟରେ ଟଙ୍କା ଝଡ଼ାଉଥିଲା। ବହୁ ବ୍ୟବସାୟୀଙ୍କୁ ସେ ବ୍ଲାକ୍ମେଲ୍ କରି କୋଟିକୋଟି ଟଙ୍କା ଠକିଛି। ଗତ କିଛି ଦିନ ପୂର୍ବେ ସୌରଭ ଫାଶରେ ପଡ଼ି ଦିଲ୍ଲୀର ଜଣେ ଟାୟାର୍ କମ୍ପାନି ମାଲିକ ୪୦ ଲକ୍ଷ ଟଙ୍କା ଗଣିଥିଲେ। ତାଙ୍କ ସହ ଆହୁରି ୫ ବ୍ୟବସାୟୀ ଏନେଇ ଦିଲ୍ଲୀ ସାଇବର ପୁଲିସର ଦ୍ବାରସ୍ଥ ହୋଇଥିଲେ। ଗତକାଲି ରାତିରେ ଦିଲ୍ଲୀ ପୁଲିସର ଏକ ୩ ଜଣିଆ ଟିମ୍ ଲକ୍ଷ୍ମୀସାଗର ଥାନା ପୁଲିସ ସହଯୋଗରେ ଆର୍ଭି ଆପାର୍ଟମେଣ୍ଟରେ ଚଢ଼ଉ କରି ତାକୁ ଗିରଫ କରିଥିଲା। ଆଜି ତାକୁ ଭୁବନେଶ୍ବର କୋର୍ଟରେ ହାଜର କରାଇବା ପରେ ଟ୍ରାଞ୍ଜିଟ୍ ରିମାଣ୍ଡରେ ଦିଲ୍ଲୀ ନିଆଯାଇଛି। ତା’ ଘରୁ ଲାପ୍ଟପ୍, ସିମ୍ କାର୍ଡ, ହାର୍ଡ ଡିସ୍କ ଆଦି ଜବତ କରାଯାଇଛି। ୟୁ-ଟ୍ୟୁବ୍ ଓ ଇଣ୍ଟରନେଟ୍ରୁ ହ୍ୟାକିଂ କୌଶଳ ହାତେଇବା ପରେ ସୌରଭ ପ୍ରଥମେ ଛୋଟଛୋଟ ଅନୁଷ୍ଠାନର ୱେବ୍ସାଇଟ୍ ହ୍ୟାକ୍ କରିଥିଲା। ଏଥିସହିତ ବିଭିନ୍ନ ଫେସ୍ବୁକ୍ ଆଇଡି ମଧ୍ୟ ହ୍ୟାକ କରିଥିଲା।
ଛୋଟଛୋଟ ହ୍ୟାକିଂ ମାମଲାରେ ସଫଳ ହେବା ପରେ ସେ ଏକ ଟେଲିକମ୍ କମ୍ପାନିର ଡାଟାବେସ୍ ହ୍ୟାକ୍ କରି ବଡ଼ବଡ଼ ବ୍ୟବସାୟୀଙ୍କ ଡାଟା ସଂଗ୍ରହ କରି ଚୁନ ଲଗାଇଥିଲା। ସେ ପ୍ରାୟ ୫ କୋଟି ଟଙ୍କା ଠକିଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଗତକାଲି ତାକୁ ଆର୍ଭି ଆପାର୍ଟମେଣ୍ଟରୁ ପୁଲିସ ଉଠାଇବା ପରେ ସ୍ଥାନୀୟ ବାସିନ୍ଦାମାନଙ୍କ ସନ୍ଦେହ ସତ ପ୍ରମାଣିତ ହୋଇଥିବା କହିଛନ୍ତି। ୨୦୩ ନମ୍ବର ଫ୍ଲାଟ୍ରେ ସେ ରାଜକୀୟ ଢାଞ୍ଚାରେ ରହୁଥିଲା। କାହା ସହିତ ମିଳାମିଶା କରୁନଥିବା ସୌରଭର ଚଳଣି ଓ ତା’ ପାଖକୁ ଆସୁଥିବା ସୁନ୍ଦରୀ ତରୁଣୀମାନଙ୍କୁ ନେଇ ସେମାନେ ବିଭିନ୍ନ କଥା ସନ୍ଦେହ କରୁଥିଲେ।
[ad_2]