ଜୀବନ ଜୀବିକା: ବଡ଼ସ୍ବପ୍ନର ସହିତ ବରଦାନ ବ୍ୟାଣ୍ଡ – Kalinga News

[ad_1]
ପ୍ରିୟଙ୍କା ରାୟ
Sambad is now on WhatsApp
Join and get latest news updates delivered to you via WhatsApp
ଭୁବନେଶ୍ୱର: ଭାରତୀୟ ସଙ୍ଗୀତ ଜଗତରେ ପ୍ରସିଦ୍ଧ ବ୍ୟାଣ୍ଡ୍ କହିଲେ ‘ୟୁଫୋରିଆ’, ‘ଦି ଲୋକାଲ ଟ୍ରେନ’, ‘ଇଣ୍ଡିଆନ୍ ଓସେନ୍’ ଓ ‘ପରିକ୍ରମା’ ପରି ବହୁ ଲୋକପ୍ରିୟ ନାଁ ଆମ ମନକୁ ଚାଲିଆସେ। ଯେଉଁମାନେ ଫିଲ୍ମ ସଙ୍ଗୀତ ବ୍ୟତୀତ କିଛି ଭିନ୍ନ ଧରଣର ସଙ୍ଗୀତକୁ ପସନ୍ଦ କରନ୍ତି, ସେମାନଙ୍କ ମଧ୍ୟରେ ଏହି ବ୍ୟାଣ୍ଡଗୁଡ଼ିକ ଖୁବ୍ ଲୋକପ୍ରିୟ। ବଡ଼ ସହରଗୁଡ଼ିକରେ ଉଚ୍ଚବର୍ଗ ଓ ଉଚ୍ଚଶିକ୍ଷିତ ଶ୍ରୋତାଙ୍କ ଭିତରେ ଏହାର ଲୋକପ୍ରିୟତା ବହୁତ ଅଧିକ। ଦିଲ୍ଲୀ ଓ ମୁମ୍ବାଇ ଭଳି ସହରଗୁଡ଼ିକରେ ତ ଅଧିକାଂଶ କଲେଜରେ ମଧ୍ୟ ବ୍ୟାଣ୍ଡ୍ ଅଛି। ସେଗୁଡ଼ିକୁ ସଙ୍ଗୀତକୁ ଭଲ ପାଉଥିବା ଛାତ୍ରଛାତ୍ରୀ ମିଶି ଗଢ଼ିଥାଆନ୍ତି। ଭୁବନେଶ୍ବରରେ ସେହି ଶ୍ରେଣୀର ଏକ ଲୋକପ୍ରିୟ ବ୍ୟାଣ୍ଡ୍ ହେଉଛି ‘ବରଦାନ ବ୍ୟାଣ୍ଡ୍’। ଓୟୁଟିଆର୍ର ଛାତ୍ରମାନଙ୍କୁ ନେଇ ଗଠିତ ଏହି ବ୍ୟାଣ୍ଡ୍ର ନିଆରାପଣଟି ହେଉଛି ସେମାନେ ପୁରୁଣା ଗୀତକୁ ନୂଆଢଙ୍ଗରେ ପରିବେଷଣ କରନ୍ତି। ଏଥିସହିତ ସହିତ ନିଜସ୍ବ ଗୀତ ମଧ୍ୟ ପରିବେଷଣ କରନ୍ତି। ୧୯ରୁ ୨୨ ବର୍ଷ ବୟସର ଏହି ଛାତ୍ରମାନଙ୍କର ବ୍ୟାଣ୍ଡ୍ଟି ପଥ ଉତ୍ସବ, ଏକାମ୍ର ଉତ୍ସବ ପରି ବିଭିନ୍ନ ସରକାରୀ ତଥା ଅନ୍ୟ ଅନେକ ବେସରକାରୀ କାର୍ଯ୍ୟକ୍ରମ ତଥା କଲେଜ ଓ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହେଉଥିବା ସଙ୍ଗୀତଭିତ୍ତିକ କାର୍ଯ୍ୟକ୍ରମରେ ନିଜର କଳା ପରିବେଷଣ କରି ଯୁବପିଢ଼ିଙ୍କର ପ୍ରିୟ ହୋଇ ପାରିଛି। ସେମାନେ ନିକଟ ଅତୀତରେ ଏଏସ୍ବିଏମ୍ ବିଶ୍ୱବିଦ୍ୟାଳୟ, ଏମ୍ସ ଭୁବନେଶ୍ୱର, ଆଇଆଇଟି, ଏନ୍ଏଲ୍ୟୁ ଓଡ଼ିଶା, ଭୁବନେଶ୍ବର ଏକ୍ସଆଇଏମ୍ ଓ ବୁର୍ଲା ଆଦିରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ ବିଜୟୀ ହୋଇ ପୁରସ୍କୃତ ହୋଇଛନ୍ତି। ଅଧିକାଂଶରେ ସେମାନେ ପ୍ରଥମ ସ୍ଥାନ ପାଇଛନ୍ତି। ସେହିପରି ରାଜ୍ୟ ବାହାରେ ଆଇଆଇଟି ଖଡ଼ଗପୁରରେ ଅନୁଷ୍ଠିତ ଏକ ବ୍ୟାଣ୍ଡ୍ ପ୍ରତିଯୋଗିତାରେ ସେମାନେ ‘ପ୍ରି-ଫାଇନାଲିଷ୍ଟ’ ହୋଇଛନ୍ତି।
ବରଦାନ ବ୍ୟାଣ୍ଡ୍ରେ ୯ଜଣ ସଦସ୍ୟ ଅଛନ୍ତି। ତାଙ୍କ ଭିତରୁ ୪ଜଣ କଣ୍ଠଶିଳ୍ପୀ- ଦୀପ୍ତ ସୁନ୍ଦର ମହାନ୍ତି(୨୨), ଅଭିଳାଷ ଦେବତା(୨୧), ଆଶୁତୋଷ ମିଶ୍ର(୨୨) ଓ ଶ୍ରୀତେଶ ଶୁଭଙ୍କର(୨୨)। ବ୍ୟାଣ୍ଡ୍ରେ ଗିଟାର ବଜାନ୍ତି ଗୌରବ ସାହୁ(୨୨), ରିଦିମ୍ ଗିଟାରିଷ୍ଟ୍ ହେଉଛନ୍ତି ଆର୍ଯ୍ୟା ଅରୋଶିଷ୍ (୨୨) ଓ ଗିରିଜା ଶଙ୍କର ନାୟକ(୧୯)। ଡ୍ରମ୍ ସମ୍ଭାଳନ୍ତି ସୁପ୍ରସନ୍ନ ଦାଶ(୨୨) ଏବଂ କି ବୋର୍ଡ ଓ ବିଟ୍ ବକ୍ସର୍ ଦାୟିତ୍ବ ନିଅନ୍ତି ଅନିମେଷ ପଣ୍ଡା(୧୯)। ବ୍ୟାଣ୍ଡ୍ର ନିଜସ୍ବ ଗୀତଗୁଡ଼ିକର ଗୀତିକାର ହେଉଛନ୍ତି ବର୍ଷା ପ୍ରିୟଦର୍ଶିନୀ (୨୧)। ଏହି ବ୍ୟାଣ୍ଡ୍କୁ ସେମାନେ ୨୦୨୨ ମସିହାରେ ଗଢ଼ିଥିବା କହନ୍ତି। ବରଦାନ ବ୍ୟାଣ୍ଡ୍ର ସବୁଠାରୁ ସ୍ମରଣୀୟ କାର୍ଯ୍ୟକ୍ରମ କେଉଁଟି ପଚାରିଲେ, ସେମାନେ କହନ୍ତି- ଆଇଆଇଆଇଟି ଭୁବନେଶ୍ୱର ଓ ଏମସ୍ ଠାରେ ହୋଇଥିବା ‘ସଙ୍ଗୀତ ଯୁଦ୍ଧ’ ତଥା କଳିଙ୍ଗ ଭାଷା ମୁକ୍ତମଞ୍ଚ ପକ୍ଷରୁ କଳାଭୂମିଠାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମ। କାରଣ ସେଠାରେ ଦର୍ଶକମାନେ ସେମାନଙ୍କ ସହ ‘‘ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ତାଳଦେଇ ଗାଇଥିଲେ’’। ବ୍ୟାଣ୍ଡ୍ର ଭବିଷ୍ୟତ ପାଇଁ କିଛି ଯୋଜନା ଅଛି କି ପଚାରିବାରୁ ସେମାନେ କହିଲେ, ‘‘ଭବିଷ୍ୟତରେ ଆମେ ପାଠପଢ଼ା ଓ ତା’ପରେ ଚାକିରି ସହିତ ସଙ୍ଗୀତକୁ ମଧ୍ୟ ଯଥେଷ୍ଟ ସମୟ ଦେବୁ। ଆଗକୁ ନିଜ ବ୍ୟାଣ୍ଡ୍ ଦ୍ୱାରା ପ୍ରସ୍ତୁତ ଗୀତକୁ ଆହୁରି ବଡ଼ ଆକାରରେ ଲୋକଲୋଚନକୁ ଆଣିବାକୁ ଚେଷ୍ଟା କରିବୁ।’’
ଶେଷକୁ ଗୋଟେ ଛାତିଥରା ପ୍ରଶ୍ନ: ଅତୀତର ବହୁ ଲୋକପ୍ରିୟ ବ୍ୟାଣ୍ଡ୍ ସମୟକ୍ରମେ ଭାଙ୍ଗି ଯାଇଛି। ସଦସ୍ୟମାନେ ଅଲଗା ହେବାପରେ ବ୍ୟାଣ୍ଡ୍ ଉଭେଇ ଯାଇଛି। ଏମାନଙ୍କ କ୍ଷେତ୍ରରେ ସେପରିକି କିଛି ହେବ କି? ଏହାର ଉତ୍ତରରେ ସେମାନେ ସମସ୍ତେ ଏକସ୍ବରରେ କହିଉଠିଲେ, ‘‘ଆମ ଦଳର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଉପାଦାନ ହେଉଛି ଆମ ଦଳରେ ଥିବା ବନ୍ଧୁତ୍ୱ। ଏଇ ବନ୍ଧୁତ୍ବ ଆମକୁ ସବୁବେଳେ ବାନ୍ଧି ରଖିବ- ଏଇ ବିଶ୍ବାସ ଆମର ରହିଛି।’’
‘ବରଦାନ ବ୍ୟାଣ୍ଡ୍’ର ଏ ବିଶ୍ବାସ ସତ ହେଉ, ଆସନ୍ତୁ ଆମେ ସମସ୍ତେ ଏଇ ‘ବର’ ଦେବା!
[ad_2]




