ରାଜନୀତି

ଏମାନେ କଂଗ୍ରେସ ଛାଡ଼ୁଛନ୍ତି କାହିଁକି? – Kalinga News

[ad_1]

ନୂଆଦିଲ୍ଲୀ: ଗୁଲାମ ନବୀ ଆଜାଦ, କପିଲ ଶିବଲ, ହିମନ୍ତ ବିଶ୍ବଶର୍ମା, ‌ଜ୍ୟୋତିରାଦିତ୍ୟ ସିନ୍ଧିଆ, ଅମରିନ୍ଦର ସିଂହ, ହାର୍ଦ୍ଦିକ ପଟେଲ, ପ୍ରିୟଙ୍କା ଚତୁର୍ବେଦୀ, ଅ‌େଶାକ ଚହ୍ବାନ, ମିଲିନ୍ଦ ଦେଓରା, ଜୀତିନ ପ୍ରସାଦ, ଆରପିଏନ୍ ସିଂହ। ଏଭଳି ନାମ ତାଲିକା ଲମ୍ବି ଲମ୍ବି ଚାଲିଛି। ଦିନେ କଂଗ୍ରେସ ସଂଗଠନରେ ଗୁରୁତ୍ବପୂର୍ଣ୍ଣ ପଦ ପଦବିରେ ଥିବା ଏବଂ କ୍ଷମତା ଉପଭୋଗ କରୁଥିବା ଏହି ନେତାମାନେ ଏବେ ଆଉ କଂଗ୍ରେସରେ ନାହାନ୍ତି। ସେମାନେ ଦଳ ଛାଡ଼ି ବିରୋଧୀ ଦଳରେ ଯୋଗ ଦେଇଛନ୍ତି। କିଛି କିଛି ନେତା ନିଜେ ଦଳ ଗଠନ କରିଛନ୍ତି। ଦଳ ଛାଡ଼ିଥିବା ଏମିତି ଅନେକ ନେତା ଅଛନ୍ତି ଯେଉଁମାନେ ରାହୁଲ ଗାନ୍ଧୀଙ୍କର ଖୁବ୍‌ ଘନିଷ୍ଠ ଥିଲେ। ଏବେ ପୁଣି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଳନାଥଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସେ ବିଜେପିରେ ଯୋଗ ଦେଇପାରନ୍ତି।

ଏବେ ପ୍ରଶ୍ନ ଉଠୁଛି, ସେମାନେ କଂଗ୍ରେସ ଛାଡ଼ୁଛନ୍ତି କାହିଁକି? ଅନେକ ନେତା ଏଥିପାଇଁ ରାହୁଲ ଗାନ୍ଧୀଙ୍କ କାର୍ଯ୍ୟଶୈଳୀକୁ ଦାୟୀ କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ ରାହୁଲଙ୍କୁ ସାକ୍ଷାତ କରିବା ଏବେ ଅସମ୍ଭବ ହୋଇପଡ଼ିଲାନି। ସେମାନେ ଉଠାଉଥିବା ଅନେକ ପ୍ରସଙ୍ଗର ସମାଧାନ ତ ହେଉନି, ଏବିଷୟରେ ଆଲୋଚନା ଲାଗି ରାହୁଲଙ୍କୁ ଭେଟିବା ପାଇଁ ଦୀର୍ଘ ଦିନ ଅପେକ୍ଷା କରିବାକୁ ପଡ଼ୁଛି। ତଥାପି ଦେଖାମିଳୁନି। ସେମାନେ ଦଳ ଭିତରେ ଅଣନିଶ୍ବାସୀ ହୋଇପଡ଼ୁଥିଲେ। କଂଗ୍ରେସ ଛାଡ଼ିବା ପୂର୍ବରୁ ଏସଂପର୍କରେ ସୋନିଆଙ୍କୁ ଚିଠି ଲେଖିଥିଲେ ହିମନ୍ତ ବିଶ୍ବଶର୍ମା। ଏଥିରେ ରାହୁଲଙ୍କୁ ସମାଲୋଚନା କରି କହିଥିଲେ ଯେ ସେ ହେଉଛନ୍ତି ପ୍ରଚଣ୍ଡ ଅହଂକାରୀ। କୌଣସି କଥା ଶୁଣୁ ନାହାନ୍ତି, କି କୌଣସି ସମସ୍ୟାର ସମାଧାନ କରୁ ନାହାନ୍ତି। ହିମନ୍ତ କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦେବା ପରେ ଏବେ ଆସାମର ମୁଖ୍ୟମନ୍ତ୍ରୀ ଅଛନ୍ତି। ବର୍ତ୍ତମାନ ସେ ରାହୁଲଙ୍କର ସବୁଠାରୁ ବଡ଼ ସମାଲୋଚକ। ରାହୁଲଙ୍କୁ ଅଡ଼ୁଆରେ ପକାଇବା ଲାଗି କୌଣସି ସୁଯୋଗ ସେ ହାତଛଡ଼ା କରୁ ନାହାନ୍ତି।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଗୁଲାମ ନବୀ ଆଜାଦ ମଧ୍ୟ ରାହୁଲଙ୍କୁ ଟାର୍ଗେଟ କରି କହିଥିଲେ, ପାର୍ଟିରେ ଆଉ ବିଚାରବମିର୍ଶ ହେଉନାହିଁ। ଏହି ବ୍ୟବସ୍ଥାକୁ ଭାଙ୍ଗିଦେଇଛନ୍ତି ରାହୁଲ। ଅନ୍ୟ କେତେକ ନେତ‌ା ରାହୁଲଙ୍କୁ ସମାଲୋଚନା କରି ନାହାନ୍ତି। କିନ୍ତୁ ଦଳ ଭିତରେ ଆଉ ଗଣତନ୍ତ୍ର ନାହିଁ ଏବଂ ତୋଷାମଦିଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଉଥିବା ଅଭିଯୋଗ କରିଛନ୍ତି। ସଂଗଠନ ଭିତରେ ସେମାନଙ୍କୁ କୋଣଠେସା କରିଦିଆଯାଉଛି। ଆଜାଦଙ୍କ ନେତୃତ୍ବରେ କଂଗ୍ରେସର ଏକ ଗୋଷ୍ଠୀ ଏସଂପର୍କରେ ୨୦୨୨ରେ ସୋନିଆଙ୍କୁ ଚିଠି ଲେଖି ଅସନ୍ତୋଷ ଜଣାଇଥିଲା। ସେତେବେଳେ ଏହା ହଟଚମଟ ସୃଷ୍ଟି କରିଥିଲା। କିନ୍ତୁ ଏହା ଉପରେ ଆଲୋଚନା କରିବା ପରିବର୍ତ୍ତେ ଦଳର ନେତାମାନେ ଏହି ଗୋଷ୍ଠୀକୁ ସମାଲୋଚନା କରିବାକୁ ଲାଗିଲେ। ଦିନେ ରାହୁଲଙ୍କ ସବୁଠାରୁ ଘନିଷ୍ଠ ଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ଦଳ ଭିତରେ ବରିଷ୍ଠମାନଙ୍କର ବଡ଼ଭାଇ ପଣିଆକୁ ନେଇ ‌େକ୍ଷାଭ ପ୍ରକାଶ କରିଥିଲେ। ପାର୍ଟିର ବରିଷ୍ଠ ନେତା ତଥା ମଧ୍ୟ ପ୍ରଦେଶର ତତ୍‌କାଳୀନ ମୁଖ୍ୟମନ୍ତ୍ରୀ କମଳନାଥଙ୍କର ସମାଲୋଚନା କରି କହିଥିଲେ ଯେ ଏଭଳି ନେତା କନ‌ିଷ୍ଠମାନଙ୍କୁ ଉଧେଇବାକୁ ଦେଉ ନାହାନ୍ତି। ସୂଚନାଯୋଗ୍ୟ ଯେ ୨୦୨୦ରେ ସିନ୍ଧିଆଙ୍କ ବିଦ୍ରୋହ ଯୋଗୁଁ କମଳନାଥଙ୍କ ନେତୃତ୍ବାଧୀନ କଂଗ୍ରେସ ସରକାରର ପତନ ଘଟିଥିଲା। ସିନ୍ଧିଆ ବିଜେପିରେ‌ ଯୋଗଦେବା ପରେ ଏବେ କେନ୍ଦ୍ରରେ ମନ୍ତ୍ରୀ ଅଛନ୍ତି। ରାଜସ୍ଥାନରେ ସଚିନ ପାଇଲଟ ମଧ୍ୟ ଏଭଳି ଅଭିଯୋଗ ଆଣି ବିଦ୍ରୋହ କରିଥିଲେ। କିନ୍ତୁ ହାଇକମାଣ୍ଡ ତାଙ୍କୁ ମନାଇବାରେ ସମର୍ଥ ହୋଇଥିଲେ।

ଅନ୍ୟପକ୍ଷରେ ରାହୁଲ ଏଭଳି ଅଭିଯୋଗର ସିଧାସଳଖ ଉତ୍ତର ନଦେଇ କହୁଛନ୍ତି ଯେ ଯେଉଁମାନେ କଂଗ୍ରେସ ଛାଡ଼ି ଅନ୍ୟ ଦଳକୁ ଯାଉଛନ୍ତି, ସେମାନଙ୍କୁ ଅଟକାଯିବ ନାହିଁ। ସେମାନେ ଭୟରେ କିମ୍ବା କୌଣସି ଚାପରେ ପଡ଼ି ଏଭଳି ପଦକ୍ଷେପ ନେଉଛନ୍ତି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଦଳ ଛାଡ଼ୁଥିବା ନେତାମାନଙ୍କୁ ଭୟାଳୁ ବୋଲି କହିଛନ୍ତି। ଜୟରାମ ରମେଶ ସମେତ ଦଳର ଅନେକ ବରିଷ୍ଠ ନେତା କଂଗ୍ରେସ ଛାଡ଼ୁଥିବା ନେତାମାନଙ୍କର ତୀବ୍ର ସମାଲୋଚନା କରୁଛନ୍ତି। ସେମାନଙ୍କର ମତ ହେଲା ଯେ ଯେଉଁମାନେ କଂଗ୍ରେସ ଛାଡ଼ୁଛନ୍ତି, ସେମାନେ ହେଉଛନ୍ତି ସୁବିଧାବାଦୀ ଓ ବିଶ୍ବାସଘାତକ। ‌ଲୋକମାନଙ୍କର ସେବା ଅପେକ୍ଷା ସେମାନଙ୍କୁ କ୍ଷମତା ଦରକାର। ଅନେକ ନେତାଙ୍କୁ ବିରୋଧୀ ନିଜ ଆଡ଼କୁ ନେଇ କଂଗ୍ରେସ ବିରୋଧରେ ଅସ୍ତ୍ର ରୂପେ ବ୍ୟବହାର କରିବାକୁ ଚାହୁଁଛନ୍ତି। କିଛି ନେତା ନିଜ ଅପକର୍ମକୁ ଘୋଡ଼ାଇବା ଲାଗି ଶାସକ ଦଳର ଆଶ୍ରୟ ନେଉଛନ୍ତି। କିନ୍ତୁ ସେମାନଙ୍କୁ ଲୋକେ ଉଚିତ ଜବାବ ଦେବେ।
ନିର୍ବାଚନରେ ପରାଜୟ ଅପେକ୍ଷା ଦଳ ଭିତରେ ବିପର୍ଯ୍ୟୟ ହେଉଛି ସେହି ସଂଗଠନ ପାଇଁ ସବୁଠାରୁ ବଡ଼ ବିପଦ। କଂଗ୍ରେସ ଠିକ୍ ଏଭଳି ସଙ୍କଟ ଦେଇ ଗତି କରୁଛି। କଂଗ୍ରେସ ଏହାର ସ୍ଥିତିକୁ ମଜବୁତ କରିବା ଲାଗି ଉଦ୍ୟମ ଚଳାଇଥିବା ବେଳେ ନେତାମାନଙ୍କର ପଳାୟନ ଦଳ ପାଇଁ ସଙ୍କଟକୁ ଆହୁରି ଗଭୀର କରୁଛି। କେବଳ ଏତିକି ନୁହେଁ, ଅନେକ ସହଯୋଗୀ ଦଳ ମଧ୍ୟ କଂଗ୍ରେସ କ‌ାର୍ଯ୍ୟଶୈଳୀ ନେଇ ଅସନ୍ତୁଷ୍ଟ ଅଛନ୍ତି। ତେଣୁ ସଂଗଠନ ଦାୟିତ୍ବରେ ଥିବା କଂଗ୍ରେସ ନେତାମାନେ ଏହା ଉପରେ ଅନୁଧ୍ୟାନ କରିବା ସହିତ ପ୍ରତିକାର ପାଇଁ ଏବେ ଠାରୁ ପଦକ୍ଷେପ ନେବାକୁ ରାଜନୈତିକ ପର୍ଯ୍ୟବେକ୍ଷକ ମତ ଦେଇଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button