ରାଜନୀତି

ଓଡ଼ିଶାରୁ ରାଜ୍ୟସଭାକୁ ଯାଇଥିବା ବିଜେପି ନେତା: ମନମୋହନଙ୍କଠାରୁ ଅଶ୍ବିନୀଙ୍କ ପର୍ଯ୍ୟନ୍ତ – Kalinga News

[ad_1]

ନୂଆଦିଲ୍ଲୀ: ଓଡ଼ିଶାରୁ ପୁଣିଥରେ ବିଜେପିର ରାଜ୍ୟସଭା ପ୍ରାର୍ଥୀ ହୋଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଏ ନେଇ ବିଜେପି ପକ୍ଷରୁ ବିଧିବିଦ୍ଧଭାବେ ଘୋଷଣା କରାଯାଇଛି। ୨୦୧୯ରେ ବିଜେଡି ସମର୍ଥନରେ ଅଶ୍ବିନୀ ରାଜ୍ୟସଭାକୁ ଯାଇଥିଲେ। ଏଥର ବି ତାଙ୍କୁ ସମର୍ଥନ କରିବ ବୋଲି ବିଜେଡି ପ୍ରେସ୍ ରିଲିଜ୍ ଜରିଆରେ ଘୋଷଣା କରିଛି। ଅଶ୍ବିନୀ ବୈଷ୍ଣବ ପୁଣିଥରେ ରାଜ୍ୟସଭାକୁ ଯିବା ଏକପ୍ରକାର ନିଶ୍ଚିତ। ଦ୍ବିତୀୟଥର ପାଇଁ ସେ ଓଡ଼ିଶାରୁ ରାଜ୍ୟସଭାକୁ ଯିବେ। ବିଜେପିର ବିଧାନସଭାର ସଂଖ୍ୟା ଦୃଷ୍ଟିରୁ ଓଡ଼ିଶାରୁ ରାଜ୍ୟସଭାରେ ପ୍ରତିନିଧିତ୍ବ କମ୍‌ ରହିଛି। ରାଜ୍ୟରେ ବିଜେଡି ଓ ବିଜେପି ପରସ୍ପର ବିରୋଧରେ ୨୦୦୯ ମସିହାରୁ ଲଢୁଥିବାବେଳେ ପୂର୍ବରୁ ବିଜେପିର ରାଜ୍ୟ ତଥା ରାଜ୍ୟ ବାହାରର କିଛି ନେତାଙ୍କ ରାଜ୍ୟସଭାରେ ପ୍ରତିନିଧିତ୍ବ ରହିଥିଲା। ଓଡ଼ିଶାରୁ ବିଜେପିର ବର୍ତ୍ତମାନ ରାଜ୍ୟ ସଭାପତି ଥିବା ମନମୋହନ ସାମଲ ରାଜ୍ୟସଭାକୁ ଏପ୍ରିଲ ୩, ୨୦୦୦ରେ ନିର୍ବାଚିତ ହୋଇଥିଲେ। ୨୦୦୬ ପର୍ଯ୍ୟନ୍ତ ତାଙ୍କର କାର୍ଯ୍ୟକାଳ ରହିଥିବାବେଳେ ସେ ମେ ୨୩, ୨୦୦୫ରେ ଇସ୍ତଫା ଦେଇଥିଲେ। ବିଜେପିର ସୁରେନ୍ଦ୍ର ଲାଠ ଏପ୍ରିଲ ୩, ୨୦୦୨ରୁ ଏପ୍ରିଲ ୨, ୨୦୦୮ ପର୍ଯ୍ୟନ୍ତ ରାଜ୍ୟସଭା ସଦସ୍ୟ ଥିଲେ। ତା’ପରେ ବିଜେପିରୁ ରୁଦ୍ରନାରାୟଣ ପାଣି ଜୁନ୍ ୨୪, ୨୦୦୪ରୁ ଏପ୍ରିଲ ୩, ୨୦୦୬ ପର୍ଯ୍ୟନ୍ତ ରାଜ୍ୟସଭାକୁ ପ୍ରତିନିଧିତ୍ବ କରିଥିଲେ। ସେହିଭଳି ଓଡ଼ିଶା ବିଜେପିର ପ୍ରାର୍ଥୀରୂପେ ଉତ୍ତରପ୍ରଦେଶର ବୁଲନ୍ଦଶହରର ଛତ୍ରପାଲ ସିଂହ ଲୋଧା ୨୦୦୪ରୁ ୨୦୧୦ ଅବଧି ପାଇଁ ଜୁଲାଇ ୨, ୨୦୦୪ରେ ନିର୍ବାଚିତ ହୋଇଥିଲେ। ହେଲେ ତାଙ୍କୁ ଡିସେମ୍ବର ୨୩, ୨୦୦୫ରେ ବହିଷ୍କାର କରାଯାଇଥିଲା। ସଂସଦରେ ପ୍ରଶ୍ନ ପଚାରିବା ପାଇଁ ଲାଂଚ ଅଭିଯୋଗ ଉପରେ ଏଥିକ୍ସ କିମିଟି ରିପୋର୍ଟ ଆଧାରରେ ତାଙ୍କୁ ବହିଷ୍କାର କରାଯାଇଥିଲା। ୨୦୦୫ରେ ମିଡିଆ କଂପାନି କୋବ୍ରାପୋଷ୍ଟ ଦ୍ବାରା ଅପରେସନ ଦୁର୍ଯ୍ୟୋଧନ ନାମକ ଏକ ଷ୍ଟିଙ୍ଗ୍ ଅପରେସନ କରାଯାଇଥିଲା।

ସେହି ଅପରେସନରେ ତତ୍କାଳୀନ ରାଜ୍ୟସଭା ସାଂସଦ ଛତ୍ରପାଳ ସିଂହଙ୍କ ସମତେ ୧୧ ଜଣ ସାଂସଦଙ୍କୁ ପ୍ରଶ୍ନ ପଚାରିବା ପାଇଁ ଲାଂଚ ନେଉଥବାର ଦେଖାଯାଇଥିଲା। ଛତ୍ରପାଲ ସିଂହ ଲୋଧା ୧୫ ହଜାର ଟଙ୍କାର ଲାଂଚ ନେଇଥିବାର ଷ୍ଟିଙ୍ଗ୍ ଅପରେସନରେ ଦେଖାଯାଇଥିଲା। ସେହି ସମୟରେ ରାଜ୍ୟସଭା ଅଧ୍ୟକ୍ଷ ଭୈରବ ସିଂହ ଶେଖାୱତ୍ ଅଭିଯୋଗଗୁଡିକର ଯାଂଚ ପାଇଁ କରଣ ସିଂହଙ୍କ ଅଧ୍ୟକ୍ଷତାରେ ଗଠିତ ଏଥିକ୍ସ କମିଟିକୁ ପଠାଇଥିଲେ। ଏଥିକ୍ସ କିମଟି ୪୮ ଘଣ୍ଟା ଭିତରେ ରିପୋର୍ଟ ଦାଖଲ କରିଥିଲା ଏବଂ ତାଙ୍କର ବହିଷ୍କାର ପାଇଁ ସୁପାରିସ କରିଥିଲା। ସେତେବେଳେ ଏହି ମାମଲା ଦେଶରେ ଚହଳ ସୃଷ୍ଟି କରିଥିଲା। ଛତ୍ରପାଲ ସିଂହ ଲୋଧାଙ୍କ ବହିଷ୍କାର ପରେ ରାଜ୍ୟସଭା ପାଇଁ ଉପନିର୍ବାଚନ ହୋଇଥିଲା। ବିଜେପି ପକ୍ଷରୁ ଭାଗୀରଥି ମାଝିଙ୍କୁ ପ୍ରାର୍ଥୀ କରାଯାଇଥିଲା। ଭାଗୀରଥି ମାର୍ଚ୍ଚ ୨୪, ୨୦୦୬ରୁ ଜୁଲାଇ ୧, ୨୦୧୦ ପର୍ଯ୍ୟନ୍ତ ରାଜ୍ୟସଭା ସଦସ୍ୟ ରହିଥିଲେ। ତା’ପ‌ରେ ପୁଣିଥିରେ ବିଜେପିର ରୁଦ୍ର ନାରାୟଣ ପାଣି ୨୦୦୬ରୁ ୨୦୧୨ ପର୍ଯ୍ୟନ୍ତ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ତାହା ରୁଦ୍ର ପାଣିଙ୍କର ରାଜ୍ୟସଭାରେ ଦ୍ବିତୀୟ ପାଳି ଥିଲା। ଏହାପରେ ପ୍ରଖ୍ୟାତ ସାମ୍ବାଦିକ ବଲବୀର ପୁଂଜ ଓଡ଼ିଶାରୁ ବିଜେପିର ରାଜ୍ୟସଭା ସଦସ୍ୟରୂପେ ଏପ୍ରିଲ ୩, ୨୦୦୮ରୁ ଏପ୍ରିଲ ୨, ୨୦୧୪ ପର୍ଯ୍ୟନ୍ତ ପ୍ରତିନିଧିତ୍ବ କରିଥିଲେ।

୨୦୧୯ରେ ବିଜେପିର ପ୍ରାର୍ଥୀରୂପେ ବିଜେଡି ସମର୍ଥନରେ ଓଡ଼ିଶାରୁ ରାଜ୍ୟସଭାକୁ ଅଶ୍ବିନୀ ବୈଷ୍ଣବ ନିର୍ବାଚିତ ହୋଇଥିଲେ। ୨୦୨୧ ଜୁଲାଇରେ ‌‌ମୋଦୀ ସରକାରଙ୍କ କ୍ୟାବିନେଟ୍ ଅଦଳବଦଳରେ ଅଶ୍ବିନୀଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଥିଲା। ତାଙ୍କୁ ଗୁରୁତ୍ବପୂର୍ଣ୍ଣ ରେଳ ତଥା ଇଲୋକ୍‌ଟ୍ରୋନିକ୍ସ, ସୂଚନାପ୍ରଯୁକ୍ତି ଓ ଯୋଗାଯୋଗ ମନ୍ତ୍ରାଳୟର ଦାୟିତ୍ବ ଦିଆଯାଇଥିଲା। ତାଙ୍କ କାର୍ଯ୍ୟକାଳରେ ଓଡ଼ିଶାକୁ ସର୍ବାଧିକ ରେଳ ଅନୁଦାନ ମିଳିଛି। ଓଡ଼ିଶାରେ ରେଳ ବଜେଟ୍ ୧୦ ହଜାର କୋଟି ଟଙ୍କାକୁ ଟପିଛି, ରେଳ କ୍ଷେତ୍ରର ଉନ୍ନତି ତଥା ରାଜ୍ୟର ରେଳ ଷ୍ଟେସନଗୁଡିକର ଆଧୁନିକୀକରଣ କରିବା ଦିଗ‌ରେ ତାଙ୍କର ପ୍ରୟାସ ରହିଛି। ଯୋଗାଯୋଗ କ୍ଷେତ୍ରରେ ୫ଜି ସେବା ଆରମ୍ଭ ସହିତ ପର୍ଯ୍ୟାପ୍ତ ସଂଖ୍ୟାରେ ମୋବାଇଲ ଟାୱାର ସ୍ଥାପନ କରାଯାଇଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button