ତେରି ବାତେଁା ମେଁ ଐସା ଉଲ୍ଝା ଜିୟା: ଦେଖିଲା ପରେ… – Kalinga News

[ad_1]
ବସନ୍ତରାଜ ସାହୁ
ଆର୍ଯ୍ୟନ (ଶାହିଦ କପୁର) ଏକ ରୋବୋଟିକ୍ସ କମ୍ପାନିରେ କାମ କରୁଥିବା ଜଣେ ଇଂଜିନିଅର୍। ଅଜାଣତରେ ସେ ଅବିକଳ ମଣିଷ ପରି କଥା ହେଉଥିବା, ଦେଖା ଯାଉଥିବା ରୋବଟ୍ ‘ସିଫ୍ରା’ (କୃତି ସେନନ) ପ୍ରେମରେ ପଡ଼ିଯାଏ। ସିଫ୍ରା ଯେ ପ୍ରକୃତରେ ଏକ ରୋବଟ ତାହା ଜାଣିବା ବେଳକୁ ଆର୍ଯ୍ୟନ ମନରେ ସିଫ୍ରା ପ୍ରତି ଗଭୀର ପ୍ରେମ ବିକଶିତ ହୋଇସାରିଥାଏ। ଚଳଚ୍ଚିତ୍ରରେ କାହାଣୀ ଏତିକି ଯାଏ ପହଞ୍ଚିଥିବା ବେଳେ ଯୁବକ ଦର୍ଶକମାନେ ଭାବିପାରନ୍ତି ‘ସିଫ୍ରା’ ଭଳି ରୋବଟ୍ ସାଙ୍ଗରେ ଥିଲେ ପ୍ରେମିକା କ’ଣ ଦରକାର? ନିଖୁଣ ଚେହେରା ଓ ପ୍ରଖର ବୁଦ୍ଧିର ଅଧିକାରୀ ‘ସିଫ୍ରା’ ପ୍ରଶ୍ନ ନ କରି ସବୁ ନିର୍ଦେଶ ପାଳନ କରେ, ସେ କେବେ ଅସନ୍ତୁଷ୍ଟ ହୋଇ ଝଗଡ଼ା କରିବାର ଆଶଙ୍କା ମଧ୍ୟ ନାହିଁ। ତେବେ ଏକ ରୋବଟ୍କୁ ଭାରତୀୟ ପରିବାର ବୋହୂ ଭାବରେ ଗ୍ରହଣ କରିବା କ’ଣ ସମ୍ଭବ? ଚଳଚ୍ଚିତ୍ରର ମଧ୍ୟାନ୍ତର ପରେ ସିଫ୍ରାର ନିର୍ମାତା ତାହାର ଉତ୍ତର ଖୋଜିବାକୁ ଚେଷ୍ଟା କରନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ଏ ପର୍ଯ୍ୟନ୍ତ ଏଭଳି ରୋବଟ୍ ନିର୍ମିତ ହୋଇନାହିଁ ଯାହା ମଣିଷର ଭାବଭଙ୍ଗୀ ଅବିକଳ ପ୍ରକାଶ କରିପାରିବ; ନିକଟ ଭବିଷ୍ୟତରେ ଏହା ସମ୍ଭବ ହେବାର ଅନେକ ସମ୍ଭାବନା ରହିଛି। ତେବେ ଏହି କାଳ୍ପନିକ ବିଜ୍ଞାନଭିତ୍ତିକ ସିନେମାରେ ସିଫ୍ର ଆର୍ଯ୍ୟନର ପରିବାରକୁ ବିଶ୍ବାସ କରାଇପାରିଛି ସେ ଜଣେ ମଣିଷ ଏବଂ ସେ ଭାରତୀୟ ବୋହୂର ସବୁତକ ଗୁଣର ଅଧିକାରୀ। ତେବେ ସିଫ୍ରା ଯେ ସଫ୍ଟୱେର୍ ପରିଚାଳିତ ଏକ ମେସିନ୍, ତାହା ସ୍ପଷ୍ଟ ହୋଇଯାଏ ଭାଇରସ୍ ଜନିତ ବିସ୍ମୃତିର ଘଟଣାରୁ। ସିନେମା ଶେଷ ଆଡ଼କୁ ଟାର୍ଜ ହେବା ସମୟରେ ଭୋଲ୍ଟେଜ୍ ସମସ୍ୟା ହେବାରୁ ସିଫ୍ରା ଏକ ଅନିୟନ୍ତ୍ରିତ ଲୌହ ଦାନବରେ ପରିଣତ ହୁଏ। ୨୦୧୦ରେ ଆସିଥିବା ରଜନୀକାନ୍ତଙ୍କ ‘ରୋବଟ୍’ ଚଳଚ୍ଚିତ୍ରର ଏକ ଅଧିକ ଆଧୁନିକ ପରିକଳ୍ପନା ହେଉଛି ‘ତେରି ବାତୋଁ ମୈଁ ଐସା ଉଲଝା ଜିୟା’। ତେବେ ହଲିଉଡ୍ ଚଳଚ୍ଚିତ୍ର ‘ହର୍’ (୨୦୧୩)ରେ ଜଣେ ଏକଲା ପୁରୁଷ, ଏକ କୃତ୍ରିମ ମେଧାସଂପନ୍ନ ଅପରେଟିଙ୍ଗ୍ ସିଷ୍ଟମ୍ ସହିତ ପ୍ରେମରେ ପଡ଼ିଯିବାର ହତାଶାଜନକ କାହାଣୀକୁ ଏଥିରେ ଅଧିକ ଅନୁସରଣ କରାଯାଇଛି। ଏଥିର ମଧ୍ୟ ସେହି ଚିରାଚରିତ ବାର୍ତ୍ତା ନିହିତ ଯେ ରୋବଟ୍ ବା କଂପ୍ୟୁଟର୍କୁ ମଣିଷର ସ୍ଥାନ ଦେବାର ପରିଣତି ସଦାବେଳେ ଭୟଙ୍କର।
ଏହି ଚଳଚ୍ଚିତ୍ରଟି ଭାଲେଣ୍ଟାଇନ୍ ସପ୍ତାହରେ ଏକ ମଜାଳିଆ ‘ସାଇନ୍ସ-ଫିକ୍ସନ’ ପ୍ରେମ କାହାଣୀ ଦେଖିବାକୁ ଚାହୁଁଥିବା ଯୁବପିଢ଼ିର ମନୋରଂଜନ କରିବା ନିଶ୍ଚିତ। କିନ୍ତୁ ଏହି କାହାଣୀରୁ ଅଧିକ ତର୍କସଂଗତ ନିଷ୍କର୍ଷ ଆଶା କରିବା ବୃଥା ହେବ। ପ୍ରଥମ କରି ସିନେମା ନିର୍ଦେଶନା ଦେଉଥିବା ଯୋଡ଼ି ଅମିତ ଯୋଶୀ ଓ ଆରାଧନା ଶାହ ଏହି ସିନେମା ଜରିଆରେ ଏକାବେଳେ ଅନେକ କଥା ସମ୍ମିଳିତ କରିବାକୁ ଚେଷ୍ଟା କରିଛନ୍ତି, ଯାହା ଫଳରେ ଏହା ଏକ ନିରସ ଘାଣ୍ଟରେ ପରିଣତ ହୋଇଛି। କୃତି ଓ ଶାହିଦ ନିଜ ନିଜ ଚରିତ୍ରକୁ ଯଥାସମ୍ଭବ ନ୍ୟାୟ ଦେଇଛନ୍ତି। ତେବେ ଅଳ୍ପ ସମୟ ପରଦାରେ ରହିବା ସତ୍ତ୍ବେ ଡିମ୍ବଲ କପାଡ଼ିଆ ଓ ଧର୍ମେନ୍ଦ୍ର ଦର୍ଶକଙ୍କ ମନରେ ରେଖାପାତ କରିବାକୁ ସଫଳ ହୋଇଛନ୍ତି। ଭାଲେଣ୍ଟାଇନ୍ ସପ୍ତାହରେ ନିଜର ପ୍ରିୟ ମଣିଷକୁ ମାନବିକ ସମ୍ପର୍କର ଗୁରୁତ୍ବ ଓ ଅପରିହାର୍ଯ୍ୟତା ଅନୁଭବ କରାଇବା ଲାଗି ଏହି ମଜାଦାର ସିନେମାର ସାହାଯ୍ୟ ନେବାକୁ ଚାହିଁଲେ ଆପଣ ନିରାଶ ହେବେ ନାହିଁ। ପ୍ରେକ୍ଷାଳୟରୁ ବାହାରିବା ସମୟରେ ସମସ୍ତେ ନିଖୁଣ ରୋବଟ୍ ବଦଳରେ ତ୍ରୁଟିପୂର୍ଣ୍ଣ ମଣିଷକୁ ହିଁ ବାଛିବେ!
[ad_2]