ଶିକ୍ଷିତ ଜିଲ୍ଲାରେ ଅସୁରକ୍ଷିତ ଶିଶୁ! ୩ ବର୍ଷରେ ୨୦୦ ନାବାଳିକାଙ୍କୁ ଦୁଷ୍କର୍ମ – Kalinga News

[ad_1]
କୋଭିଡ୍ କାଳରେ ୧୩୭ ଅପହରଣ, ୬୨ ଦୁଷ୍କର୍ମ, ୩ ବର୍ଷରେ ଶିଶୁ ନିର୍ଯାତନା ମାମଲା ୭୦୦ ପାର୍
ଅନୁଗୁଳ: ୨୦୧୯ ମସିହା ଜୁଲାଇ ୨୧ ତାରିଖରେ ଅନୁଗୁଳ ମାଛ ମାର୍କେଟ୍ ପାଖ ଅଳିଆଗଦାରୁ ଜଣେ ଦୁଷ୍କର୍ମ ପୀଡ଼ିତା ନାବାଳିକା ଉଦ୍ଧାର ହେବା ପରେ ଚାଞ୍ଚଲ୍ୟ ଖେଳି ଯାଇଥିଲା। ତତ୍କାଳୀନ କେନ୍ଦ୍ରାଞ୍ଚଳ ଡିଆଇଜି ନରସିଂହ ଭୋଳଙ୍କ ନିର୍ଦ୍ଦେଶରେ ଖାଲି ଏହି ମାମଲାର ତନାଘନା ହୋଇଥିଲା ତାହା ନୁହେଁ, ବରଂ ଶିଶୁଙ୍କ ପ୍ରତି ଅପରାଧ ମାମଲା ଆସିବା କ୍ଷଣି ତ୍ବରିତ କାର୍ଯ୍ୟାନୁଷ୍ଠାନ ନେବାକୁ ହୋଇଥିଲା ନିଷ୍ପତ୍ତି। ଏହି ମାମଲାକୁ ଦିନ କେଇଟାରେ ୫ବର୍ଷ ପୂରିବ। ନା ଏବେ ନରସିଂହ ଡିଆଇଜି ଅଛନ୍ତି, ନା ସେ ଦେଇଥିବା ନିର୍ଦ୍ଦେଶ କିଏ ମାନୁଛି। ପୋକ୍ସୋ ଆକ୍ଟରେ ମାମଲା ବଢ଼ୁଛି ସିନା ଶିଶୁଙ୍କ ପ୍ରତି ଅପରାଧ କମିବାର ନାଁ ନେଉନି। ତେବେ ଏନ୍ସିଆର୍ବିର ତଥ୍ୟ ଓ ନିତି ଘଟୁଥିବା ଘଟଣା ଦେଖିଲେ ଅନୁଗୁଳ ଜିଲ୍ଲାରେ ଶିଶୁ, ଖାସ୍ କରି ଶିଶୁକନ୍ୟା ଯେ ଅସୁରକ୍ଷିତ ତାହା ଜଳଜଳ ହୋଇ ଦିଶୁଛି।

Sambad is now on WhatsApp
Join and get latest news updates delivered to you via WhatsApp
ଗତବର୍ଷ ଅଗଷ୍ଟ ମାସରେ ସାବତ ମା’ କଥାରେ ପଡ଼ି ୧୨ବର୍ଷର ନାବାଳକକୁ ରାକ୍ଷାସ ବାପା ଲୁହା ଚେଙ୍କ ଦେଇ ଗୁରୁତର କରି ପକାଇଥିଲା। ଗତ ଜାନୁଆରି ମାସରେ ନିଶା ଶିଳ୍ପାଞ୍ଚଳ ଅଞ୍ଚଳରେ ସମ୍ପର୍କୀୟ ୩ ବର୍ଷୀୟା ଭାଣେଜୀକୁ ଦୁଷ୍କର୍ମ କରିବା ଅଭିଯୋଗରେ ପୁଲିସ ଅଭିଯୁକ୍ତ ଯୁବକକୁ ଗିରଫ କରିଥିଲା। ୨ ସପ୍ତାହ ତଳେ ବନ୍ତଳା ଥାନା ଅଞ୍ଚଳର ଜଣେ ମହିଳା ନିଜ ଯାଆଁଳା ଶିଶୁକୁ କୂଅରେ ଫିଙ୍ଗି ହତ୍ୟା କରିଥିରଲେ। ଶିଶୁଙ୍କ ପ୍ରତି ନିର୍ଯାତନାର ଏ ତାଲିକା ବେଶ୍ ଲମ୍ବା। ଗତ ୩ ବର୍ଷରେ ଏ ସମ୍ପର୍କିତ ମାମଲା ୭୫୦ ଟପିଥିଲାବେଳେ ଶିଶୁକନ୍ୟାଙ୍କୁ ଦୁଷ୍କର୍ମ ମାମଲା ୨୦୦ ଛୁଇଁଛି। ୧୦ଲକ୍ଷରୁ ଅଧିକ ଶିକ୍ଷିତ ଲୋକ ବାସ କରୁଥିବା ଅନୁଗୁଳ ଜିଲ୍ଲାରେ ଶିଶୁଙ୍କ ପ୍ରତି ନିର୍ଯାତନା କମିବା ବଦଳରେ ବଢ଼ୁଛି।
୨୦୨୦ରେ ଯେତେବେଳେ ସାରା ଦେଶ କୋଭିଡ୍ ସଂକ୍ରମଣରେ ଯୁଝି ହେଉଥିଲା ସେତେବେଳେ ଅନୁଗୁଳରେ ରୁଜୁ ହେଉଥିଲା ଶିଶୁଙ୍କ ଉପରେ ନିର୍ଯାତନା ମାମଲା। କୋଭିଡ୍ କାଳରେ ବି ଏହି ସଂଖ୍ୟା ୨୨୮ ଥିଲା। ଯେଉଁଥିରେ ୧୩୭ଟି ଅପହରଣ ମାମଲା ଥିଲାବେଳେ ପୋକ୍ସୋ ଆକ୍ଟରେ ୮୧ଟି ମାମଲା ରୁଜୁ ହୋଇଥିଲା। ଯେତେବେଳେ କୋଭିଡ୍ ଭୟରେ କେହି ଘରୁ ବାହାରିବାକୁ ବି ଡରୁଥିଲେ ସେତେବେଳେ ଶିଳ୍ପସମୃଦ୍ଧ ଅନୁଗୁଳ ଜିଲ୍ଲାର ୬୨ଜଣ ଶିଶୁକନ୍ୟା ଦୁଷ୍କର୍ମ (ଆଇପିସି-୩୭୬)ର ଶିକାର ହୋଇଥିଲେ। ଆଉ ୧୯ଜଣଙ୍କୁ ଅସଦାଚରଣ (ଆଇପିସି-୩୫୪) କରାଯାଇଥିଲା। ୨୦୨୧ରେ ମାମଲା ସଂଖ୍ୟା ପହଞ୍ଚିଲା ୨୫୦ରେ। ସେହିବର୍ଷ ୧୬୪ ଶିଶୁଙ୍କ ଅପହରଣ କରାଯାଇଥିବା ରେକର୍ଡ ହୋଇଥିଲା। ପୋକ୍ସୋ ଆକ୍ଟରେ ୭୩ଟି ମାମଲା ରୁଜୁ ହୋଇଥିଲାବେଳେ ସେଥିରେ ଥିଲା ୫୨ଟି ଦୁଷ୍କର୍ମ ଓ ୨୧ଟି ଅସଦାଚରଣ ମାମଲା। ୬ଟି ବାଲ୍ୟବିବାହ ମାମଲା ୨୦୨୧ରେ ନଜରକୁ ଆସିଥିଲା। ତେବେ ୨୦୨୨ରେ ଶିଶୁଙ୍କ ବିରୋଧରେ ଅପରାଧ ହାର ଆହୁରି ବଢ଼ି ଯାଇଥିଲା। ଏହି ବର୍ଷ ମୋଟ୍ ୨୭୪ଟି ମାମଲା ପଞ୍ଜୀକୃତ ହୋଇଥିଲା। ଆଶ୍ଚର୍ଯ୍ୟଜନକ ଭାବେ ୨୦୨୨ରେ ୮୫ଜଣ ଶିଶୁକନ୍ୟାଙ୍କୁ ଦୁଷ୍କର୍ମ କରାଯାଇଥିବା ଏନ୍ସିଆର୍ବି ତଥ୍ୟ କହୁଛି। ଏଥିସହିତ ୮ଟି ଅସଦାଚରଣ ମାମଲା ବି ରୁଜୁ ହୋଇଥିଲା। ତେବେ ୩ଟି ବାଲ୍ୟବିବାହ ମାମଲା ବି ସାମ୍ନା ଆସିଥିଲା ୨୦୨୨ରେ। କହିବା ବାହୂଲ୍ୟ, ମାତ୍ର ୬ବର୍ଷ ତଳେ ୨୦୧୮ ମସିହାରେ ଅନୁଗୁଳ ଜିଲ୍ଲାରେ ମାତ୍ର ୨୦ଟି ପୋକ୍ସୋ ମାମଲା ରୁଜୁ ହୋଇଥିଲା ଓ ସବୁତକ ଦୁଷ୍କର୍ମ (ଆଇପିସି-୩୭୬) ମାମଲା ବୋଲି ଏନ୍ସିଆର୍ବି ତଥ୍ୟରୁ ଜଣାଯାଏ।
[ad_2]