ବୁମ୍ରା ଦେଲେ ବଡ଼ ବିଜୟ: ଇଂଲଣ୍ଡ ୧୦୬ ରନ୍ରେ ହାରିଲା ଶୃଙ୍ଖଳା ୧-୧ – Kalinga News
[ad_1]
ବିଶାଖାପାଟଣା: ବିଶାଖାପାଟଣା ଟେଷ୍ଟ୍ରେ ଭାରତ ବଡ଼ ବିଜୟ ହାସଲ କରିଛି। ଇଂଲଣ୍ଡକୁ ୨୯୨ ରନ୍ରେ ଅଲଆଉଟ୍ କରି ୧୦୬ ରନ୍ରେ ଦ୍ବିତୀୟ ଟେଷ୍ଟ୍ ଜିତିବା ସହ ୫ ଟିକିଆ ଶୃଙ୍ଖଳାକୁ ୧-୧ ସ୍ଥିତିକୁ ଆଣିଛି। ସେହିଭଳି ହାଇଦ୍ରାବାଦରେ ଯେଉଁ ଅପ୍ରତ୍ୟାଶିତ ପରାଜୟ ବରଣ କରିଥିଲା ତା’ର ମଧୁର ପ୍ରତିଶୋଧ ନେଇ ରାଜକୋଟ (ଫେବ୍ରୁଆରି ୧୫-୧୯)ରେ ଖେଳାଯିବାକୁ ଥିବା ତୃତୀୟ ଟେଷ୍ଟ୍ ପୂର୍ବରୁ ବିଜୟ ଧାରାକୁ ଫେରିଛି। ତା’ ସହିତ ଆତ୍ମବିଶ୍ବାସକୁ ମଧ୍ୟ ଉଚ୍ଚ କରିପାରିଛି। ସ୍ପିନରଙ୍କୁ ସୁହାଉଥିବା ପିଚ୍ରେ ନିଜ ଅତୁଳନୀୟ ସୁଇଂ ଦକ୍ଷତାର ପରିଚୟ ଦେଇ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା (୬/୪୫, ୩/୪୬) ଭାରତକୁ ଏହି ଉତ୍କଣ୍ଠାପୂର୍ଣ୍ଣ ବିଜୟ ଉପହାର ଦେଇଛନ୍ତି। ସେଥିପାଇଁ ପ୍ରଥମ ପାଳିର ଦ୍ବିଶତକ ହାସଲକାରୀ ଯଶସ୍ବୀ ଜୟସ୍ବାଲ ଏବଂ ଦ୍ବିତୀୟ ପାଳିରେ ଶତକୀୟ ପାଳି ଖେଳିଥିବା ଶୁବମନ ଗିଲ୍ଙ୍କୁ ପଛରେ ପକାଇ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସାଢ଼େ ତିନି ଦିନରେ ଶେଷ ହୋଇଥିବା ଏହି ମୁକାବିଲାର ପ୍ରଥମ ପାଳିରେ ଭାରତ ୩୯୬ ରନ୍ କରିଥିଲା। ବୁମ୍ରାଙ୍କ ୬ ୱିକେଟ୍ ସଫଳତା ବଳରେ ଇଂଲଣ୍ଡକୁ ୨୫୫ ରନ୍ରେ ଅଲଆଉଟ୍ କରି ୧୪୩ ରନ୍ର ଅଗ୍ରଣୀ ଲାଭ କରିଥିଲା। ଦ୍ବିତୀୟ ପାଳିରେ ଭାରତ ସେତେଟା ଭଲ ବ୍ୟାଟିଂ କରି ନଥିଲେ ମଧ୍ୟ ୨୫୩ ରନ୍ର ସମ୍ମାନଜନକ ସ୍କୋର କରି ଇଂଲଣ୍ଡ ସମ୍ମୁଖରେ ୩୯୯ ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଇଂଲଣ୍ଡ ରବିବାର ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ଗୋଟିଏ ୱିକେଟ୍ ହରାଇ ୬୭ ରନ୍ କରିବା ପରେ ରୋହିତ ବାହିନୀ ପାଇଁ ଆଶା ସଂଚାର ହୋଇଥିଲା। ଶୁଭ ସୋମବାରରେ ଇଂଲଣ୍ଡର ଅବଶିଷ୍ଟ ୯ ୱିକେଟ୍ ମାତ୍ର ୨୨୫ ରନ୍ ବିନିମୟରେ ନେଇ ଘରୋଇ ବୋଲରମାନେ ଭାରତ ବିଜୟରେ ମୁଣ୍ଡି ମାରିଥିଲେ। ଇଂଲଣ୍ଡ ପାଇଁ ଜ୍ୟାକ୍ କ୍ରଲି (୭୩), ଟମ୍ ହାର୍ଟଲି (୩୬) ଓ ବେନ୍ ଫୋକ୍ସ (୩୬) ଲଢ଼ିଥିଲେ। ହେଲେ ଅଧିନାୟକ ବେନ୍ ଷ୍ଟୋକ୍ସଙ୍କ ରନ୍ଆଉଟ୍ ଭାରତ ବିଜୟକୁ ସହଜ କରି ଦେଇଥିଲା। ଭାରତର ୫ଜଣ ଯାକ ବୋଲର ୱିକେଟ୍ ପାଇଥିଲେ। ତେବେ ବୁମ୍ରା ଓ ଆର୍ ଅଶ୍ବିନ ଇଂଲଣ୍ଡ ବିପର୍ଯ୍ୟୟର ପ୍ରମୁଖ କାରଣ ହୋଇଥିଲେ। ଅକ୍ଷର ପଟେଲ୍, କୁଲଦୀପ ଯାଦବ, ମୁକେଶ କୁମାର ଗୋଟିଏ ଲେଖାଏଁ ୱିକେଟ୍ ନେଇଥିବାବେଳେ ବେନ୍ ଷ୍ଟୋକ୍ସଙ୍କୁ ଶ୍ରେୟସ ଆୟର ସିଧା ଥ୍ରୋରେ ରନ୍ ଆଉଟ୍ କରିବା ନିର୍ଣ୍ଣାୟକ ହୋଇଥିଲା।
ଅଶ୍ବିନ ୪୯୯ ନଟ୍ଆଉଟ୍
ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ୫୦୦ ୱିକେଟ୍ ମାଇଲଖୁଣ୍ଟର ନିକଟତର ହୋଇ ମାତ୍ର ଗୋଟିଏ ୱିକେଟ୍ ପଛରେ ଅଛନ୍ତି। ୪୯୬ ୱିକେଟ୍ ସହ ବିଶାଖାପାଟଣା ଟେଷ୍ଟ୍କୁ ଯାଇଥିବା ଅଶ୍ବିନ ଏହି ମ୍ୟାଚ୍ର ପ୍ରଥମ ପାଳିରେ ୱିକେଟ୍ ଶୂନ୍ୟ ରହିଥିଲେ। ତେବେ ଦ୍ବିତୀୟ ପାଳିରେ ୩ ୱିକେଟ୍ ନେଇ ୪୯୯ ୱିକେଟ୍ରେ ପହଞ୍ଚି ଯାଇଛନ୍ତି। ବିଶାଖାପାଟଣାରେ ହିଁ ସେ ୫୦୦ ୱିକେଟ୍ର ସ୍ବର୍ଣ୍ଣିମ ସଫଳତାକୁ ଛୁଇଁବେ ବୋଲି ପ୍ରଶଂସକ ଆଶା ରଖିଥିଲେ। ସ୍ପିନରଙ୍କୁ ଏତେଟା ଟର୍ଣ୍ଣ ମିଳୁନଥିବାରୁ ଏଠାରେ ତାହା ସମ୍ଭବ ହୋଇପାରିନାହିଁ। ଅଶ୍ବିନଙ୍କ ପାଖରେ ଏବେ ରାଜକୋଟରେ ଖେଳାଯିବାକୁ ଥିବା ତୃତୀୟ ଟେଷ୍ଟ୍ରେ ୫୦୦ ୱିକେଟ୍ କୀର୍ତ୍ତିମାନ କରିବାର ସୁଯୋଗ ରହିବ। ସେ ଏବେ ଟେଷ୍ଟ୍ କ୍ରିକେଟ୍ର ସର୍ବାଧିକ ୱିକେଟ୍ ହାସଲକାରୀ ତାଲିକାର ନବମ ସ୍ଥାନରେ ରହିଛନ୍ତି। ୫୦୦ ୱିକେଟ୍ ପୂରଣ କରିବାରେ ଅନୀଲ କୁମ୍ବଲେ (୬୧୯)ଙ୍କ ପରେ ଦ୍ବିତୀୟ ଭାରତୀୟ ହେବେ। ଅଶ୍ବିନ କିନ୍ତୁ ସୋମବାର ଇଂଲଣ୍ଡ ବିପକ୍ଷରେ ସର୍ବାଧିକ ୱିକେଟ୍ ହାସଲକାରୀ ଭାରତୀୟ ବୋଲର ହୋଇଛନ୍ତି। ୯୭ ୱିକେଟ୍ ନେଇ ସେ ପୂର୍ବତନ ସ୍ପିନର ବିଏସ୍ ଚନ୍ଦ୍ରଶେଖର (୯୫)ଙ୍କୁ ଅତିକ୍ରମ କରିଛନ୍ତି।
୧୧୯୬ ରନ୍, ସର୍ବୋଚ୍ଚ ଭାଗୀଦାରି ୯୦
ବିଶାଖାପାଟଣା ଟେଷ୍ଟ୍ର ଉଭୟ ଦଳ ମୋଟ ୧୧୯୬ ରନ୍ ସ୍କୋର୍ କରିଥିଲେ। ଭାରତ ତା’ର ଦୁଇ ପାଳିରେ ଯଥାକ୍ରମେ ୩୯୬ ଓ ୨୫୫ ରନ୍ କରିଥିଲା। ଅନ୍ୟପକ୍ଷରେ ଇଂଲଣ୍ଡ ପ୍ରଥମ ପାଳିରେ ୨୫୩ ଏବଂ ଦ୍ବିତୀୟରେ ୨୯୨ ରନ୍ କରିଥିଲା। ଆଶ୍ଚର୍ଯ୍ୟଜନକ ଭାବେ ଦୁଇ ଦଳର ସ୍କୋର୍କାର୍ଡରେ ୯୦ ରନ୍ର ସର୍ବୋଚ୍ଚ ଭାଗୀଦାରି ଦେଖିବାକୁ ମିଳିଥିଲା। ଯାହା ଭାରତର ପ୍ରଥମ ପାଳିରେ ଯଶସ୍ବୀ ଜୟସ୍ବାଲ ଓ ଶ୍ରେୟସ୍ ଆୟରଙ୍କ ମଧ୍ୟରେ ହୋଇଥିଲା। କୌଣସି ଟେଷ୍ଟ୍ରେ ବିନା ଶତକୀୟ ଭାଗୀଦାରିରେ ଏହା ତୃତୀୟ ସର୍ବବୃହତ୍ ମ୍ୟାଚ୍ ସ୍କୋର୍ ଥିଲା। ବିନା ଶତକୀୟ ଭାଗୀଦାରିରେ ସର୍ବାଧିକ ମ୍ୟାଚ୍ ସ୍କୋର ୧୯୯୩ ଇଂଲଣ୍ଡ-ଅଷ୍ଟ୍ରେଲିଆ ଆସେସ୍ ଟେଷ୍ଟ୍ରେ ହୋଇଥିଲା। ୮୮ ରନ୍ର ସର୍ବୋଚ୍ଚ ଭାଗୀଦାରି ସହ ଏହି ମ୍ୟାଚ୍ରେ ଦୁଇ ଦଳ ମୋଟ ଉପରେ ୧୨୨୫ ରନ୍ କରିଥିଲେ। ଏହି କ୍ରମରେ ଦ୍ବିତୀୟ ସ୍ଥାନ ଅଧିକାର କରିଛି ପାଲେକେଲରେ ୨୦୧୮ ମସିହାରେ ଖେଳାଯାଇଥିବା ଶ୍ରୀଲଙ୍କା-ଇଂଲଣ୍ଡ ଟେଷ୍ଟ୍ ମ୍ୟାଚ୍। ଏହି ମ୍ୟାଚ୍ରେ ୯୬ ରନ୍ର ସର୍ବୋଚ୍ଚ ଭାଗୀଦାରି ସହ ମୋଟ ଉପରେ ୧୨୧୫ ରନ୍ ସ୍କୋର କରିଥିଲେ ଦୁଇ ଦଳ।
ଦ୍ବିତୀୟ ସ୍ଥାନକୁ ଫେରିଲା ଭାରତ
ବିଶାଖାପାଟଣାରେ ବୃହତ୍ ବିଜୟ ହାସଲ କରିବା ପରେ ଭାରତୀୟ କ୍ରିକେଟ୍ ଦଳ ଆଇସିସି ଟେଷ୍ଟ୍ ମାନ୍ୟତାର ଦ୍ବିତୀୟ ସ୍ଥାନକୁ ଫେରିଛି। ହାଇଦ୍ରାବାଦରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ୍ରେ ପରାଜିତ ହେବା ପରେ ପଞ୍ଚମ ସ୍ଥାନକୁ ଖସିଯାଇଥିଲା ଭାରତ। ସୋମବାର ଉତ୍କଣ୍ଠାପୂର୍ଣ୍ଣ ବିଜୟ ପରେ ଉପରକୁ ତିନିଟି ସ୍ଥାନ ଲମ୍ଫ ମାରିଛି। ଶ୍ରେଷ୍ଠ ୫ଟି ସ୍ଥାନରେ ଥିବା ଦଳଗୁଡ଼ିକ ମଧ୍ୟରେ ମାତ୍ର ୫ ପଏଣ୍ଟ୍ର ବ୍ୟବଧାନ ଥିଲା ବେଳେ ଅଷ୍ଟ୍ରେଲିଆ ପ୍ରଥମ ସ୍ଥାନରେ ସ୍ଥିର ରହିଛି। ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ, ପାକିସ୍ତାନ, ୱେଷ୍ଟଇଣ୍ଡିଜ୍, ଶ୍ରୀଲଙ୍କା, ବାଂଲାଦେଶ ଓ ଜିମ୍ବାୱେ ତୃତୀୟରୁ ଦଶମ ସ୍ଥାନରେ ରହିଛନ୍ତି। ଦ୍ବିଶତକ ହାସଲକାରୀ ଯଶସ୍ବୀ ଜୟସ୍ବାଲ (୬୬) ମଧ୍ୟ ଖେଳ ଜୀବନର ଶ୍ରେଷ୍ଠ ମାନ୍ୟତା ପାଇଛନ୍ତି।
[ad_2]