ରାଜନୀତି

ହେମନ୍ତ ସୋରେନ ଗିରଫ: ଚମ୍ପାଇ ସୋରେନ ହେବେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ – Kalinga News

[ad_1]

ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ, ସମସ୍ୟା ଯୋଗୁଁ କଳ୍ପନା ବାଦ୍‌ ପଡ଼ିଲେ

ରାଞ୍ଚି: ୬୦୦ କୋଟି ଟଙ୍କାର ଜମି ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିବା ହେମନ୍ତ ସୋ‌ରେନ ଆଜି ସନ୍ଧ୍ୟାର ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା‌ ଦେଇଛନ୍ତି। ତାଙ୍କ ସ୍ଥାନରେ ପରିବହନ ମନ୍ତ୍ରୀ ତଥା ଜେଏମ୍‌ଏମ୍‌ର ବରିଷ୍ଠ ନେତା ଚମ୍ପାଇ ସୋରେନ୍ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ହେବେ। ଆସନ୍ତାକାଲି ସେ ଶପଥ ଗ୍ରହଣ କରିବେ। ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାପରେ ‌ହେମନ୍ତ ସୋରେନଙ୍କୁ ପ୍ରବର୍ତ୍ତନ ନିଦ୍ଦେ‌ର୍ଶାଳୟ (ଇଡି) ଅଧିକାରୀମାନେ ଗିରଫ କରିଛନ୍ତି। ଇଡି ଅଧିକାରୀମାନେ ଆଜି ଅପରାହ୍ନ ସାଢ଼େ ଗୋଟାଏରୁ ପ୍ରାୟ ସାତ ଘଣ୍ଟା ଧରି ତାଙ୍କୁ ଜେରା କରିଥିଲେ। ତାଙ୍କୁ ଗିରଫ କରାଯିବ ବୋଲି ଇଡି ଅଧିକାରୀମାନେ ସୂଚନା ଦେବାପରେ ହେମନ୍ତ ସୋରେନ ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପ୍ରଦାନ ଲାଗି ସମୟ ଦେବାକୁ ଅନୁରୋଧ କରିଥିଲେ। ଏହାପରେ ସୋରେନ ନିଜ ବିଧାୟକମାନଙ୍କ ସହିତ ତାଙ୍କ ବାସଭବନରୁ ରାଜଭବନ ଯାଇଥିଲେ। ରାଜ୍ୟପାଳଙ୍କୁ ଭେଟି ସେ ତାଙ୍କର ଇସ୍ତଫାପତ୍ର ଦେଇଥିଲେ। ରାଜଭବନରୁ ଫେରିବା ପରେ ଇଡି ତାଙ୍କୁ ନିଜ ହେପାଜତକୁ ନେଇଥିଲା। ହେମନ୍ତ ସୋରେନ ଦିଲ୍ଳୀରୁ ଫେରିବା ପ‌ରେ‌ ଗତକାଲି ଠାରୁ ରାଞ୍ଚିରେ ରାଜନୈତିକ ଗତିବିଧି ଜୋର ଧରିଥିଲା। ସେ ଜେଏମଏମ୍ ସହିତ କଂଗ୍ରେସ ଓ ଆରଜେଡି ବିଧାୟକମାନଙ୍କୁ ଭେଟି ତାଙ୍କ ସ୍ଥାନରେ ନୂଆ ନେତା ନିର୍ବାଚନ ନେଇ ବିଚାରବିମର୍ଶ ଚଳାଇଥିଲେ। ହେମନ୍ତ ଇସ୍ତଫା ଦେଲେ ତାଙ୍କ ପତ୍ନୀ କଳ୍ପନା ମୁଖ୍ୟମନ୍ତ୍ରୀ ହେବେ ବୋଲି ଗତକାଲି ଠାରୁ ଶୁଣାଯାଉଥିଲା। କିନ୍ତୁ ଆଜି ସନ୍ଧ୍ୟା ବେଳେ ଚିତ୍ର ବଦଳିଯାଇଥିଲା। କଳ୍ପନାଙ୍କୁ ମୁଖ୍ୟମନ୍ତ୍ରୀ କଲେ ସମସ୍ୟା ‌ହୋଇପାରେ। ପ୍ରଥମ କଥା ହେଉଛି ଯେ ଚଳିତ ବର୍ଷ ଶେଷ ଆଡ଼କୁ ରାଜ୍ୟ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାରୁ ବିରୋଧୀ ଦଳମାନେ ପରିବାରବାଦକୁ ପ୍ରସଙ୍ଗ କରିପାରନ୍ତି। ଦ୍ବିତୀୟ ସମସ୍ୟା ହେଉଛି ଯେ କଳ୍ପନା ବର୍ତ୍ତମାନ ବିଧାୟକ ନୁହନ୍ତି। ସେ ମୁଖ୍ୟମନ୍ତ୍ରୀ ହେଲେ ତାଙ୍କୁ ୬ ମାସ ଭିତରେ ବିଧାନସଭାକୁ ନିର୍ବାଚିତ ହେବାକୁ ପଡ଼ିବ। ଯେହେତୁ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ୧୦ ମାସ ବାକି ରହିଛି, ତେଣୁ ଉପନିର୍ବାଚନ ସମ୍ଭାବନା କମ୍। ଏପରି ସ୍ଥିତି ଉପୁଜିଲେ କଳ୍ପନାଙ୍କୁ ଇସ୍ତଫା ଦେବାକୁ ପଡ଼ିବ। ତେଣୁ ପରିବହନ ମନ୍ତ୍ରୀ ଚମ୍ପାଇ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ କରାଯିବାକୁ ସ୍ଥିର ହୋଇଥିଲା। ଏହାପରେ ବିଧାୟକ ଦଳ ବୈଠକରେ ଚମ୍ପାଇଙ୍କୁ ନେତା ନିର୍ବାଚିତ କରାଯାଇଥିଲା। ଚମ୍ପାଇଙ୍କ ନେତୃତ୍ବରେ ବିଧାୟକମାନେ ରାଜଭବନ ଯାଇ ରାଜ୍ୟପାଳ ସିପି ରାଧାକ୍ରିଷ୍ଣନଙ୍କୁ ଭେଟି ସରକାର ଗଠନ ପାଇଁ ଦ‌ାବି ଜଣାଇଥିଲେ। ୮୦ ସଭ୍ୟ ବିଶିଷ୍ଟ ରାଜ୍ୟ ବିଧାନସଭାରେ ଶାସକ ମେଣ୍ଟର ବର୍ତ୍ତମାନ ସଦସ୍ୟ ସଂଖ୍ୟା ୪୯ ରହିଛି। ଏଥିରେ ଜେଏମ୍‌ଏମ୍‌ର ୨୯, କଂଗ୍ରେସର ୧୬, ନ୍ୟାସ୍‌ନାଲିଷ୍ଟ କଂଗ୍ରେସ ପାର୍ଟି (ଏନ୍‌ସିପି)ର ଜଣେ, ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କସବାଦୀ-ଲେନିନବାଦୀ) ଲିବରେସନର ଜଣେ ଏବଂ ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି)ର ଜଣେ ସଦସ୍ୟ ରହିଛନ୍ତି।
୬୨ ବର୍ଷୀୟ ଚମ୍ପାଇ ସୋରେନ୍‌ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌)ର ଜଣେ

ପୁରୁଖା ନେତା ଅଟନ୍ତି। ଝାଡ଼ଖଣ୍ଡ ବାଘ ଭାବେ ପରିଚିତ ଚମ୍ପାଇ ୨୦୦୫ରୁ କ୍ରମାଗତ ଭାବେ ୪ ଥର ବିଧାୟକ ଭାବେ ଜିତିଛନ୍ତି। ତିନି ତିନି ଥର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଭାଗର କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଛନ୍ତି। ବର୍ତମାନର କ୍ୟାବିନେଟ୍‌ରେ ସେ ପରିବହନ, ପଛୁଆ, ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଉଥିଲେ। ସେ ପ୍ରଥମ ଥର ପାଇଁ ୨୦୦୫ରେ ସ୍ବାଧୀନ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ଓ ପରେ ଜେଏମ୍‌ଏମ୍‌ରେ ଯୋଗ ଦେଇଥିଲେ। ୨୦୦୯ରେ ଦ୍ବିତୀୟ ଥର ପାଇଁ ବିଧାୟକ ନିର୍ବାଚିତ ହେବା ପରେ ବିଜେପିର ଅର୍ଜୁନ ମୁଣ୍ଡାଙ୍କ ମନ୍ତ୍ରିମଣ୍ଡଳରେ ପ୍ରଥମ ଥର ପାଇଁ ମନ୍ତ୍ରୀ ହୋଇଥିଲେ। ୨୦୧୦ରୁ ୨୦୧୩ ଯାଏଁ ବିଜ୍ଞାନ ଓ ବୈଷୟିକ, ଶ୍ରମ ଓ ଗୃହ ନିର୍ମାଣ ବିଭାଗର ମନ୍ତ୍ରୀ ଓ ଜୁଲାଇ ୨୦୧୩ରୁ ୨୦୧୪ ଖାଦ୍ୟ ଓ ବେସାମରିକ ଯୋଗାଣ ମନ୍ତ୍ରୀ ଭାବେ ଦାୟିତ୍ବ ଦୁଲାଇଥିଲେ। ୨୦୧୪ରେ ସେ ତୃତୀୟ ଥର ପାଇଁ ବିଧାୟକ ନିର୍ବାଚିତ ହୋଇଥିବା ବେଳେ ଓ ୨୦୧୯ରେ ୪ର୍ଥ ପାଇଁ ନିର୍ବାଚିତ ହୋଇଥିଲେ। ଚମ୍ପାଇ ସୋରେନ୍‌ଙ୍କ ପିତା ସିମଲ ସୋରେନ୍‌ ଜଣେ ଚାଷୀ ଅଟନ୍ତି। ତାଙ୍କର ୩ ଭାଇ ଓ ଗୋଟିଏ ଭଉଣୀ ଅଛନ୍ତି। ଚମ୍ପାଇଙ୍କ ପତ୍ନୀଙ୍କ ନାମ ମାନକୋ ସୋରେନ୍‌। ତାଙ୍କର ୪ଟି ପୁଅ ଓ ୩ଟି ଝିଅ ଅଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button