ଲୁଟେରାଙ୍କ ନଜରରେ ମଠ, ମନ୍ଦିର: ବାହାର ରାଜ୍ୟ ଗ୍ୟାଙ୍ଗ୍ର ସଂପୃକ୍ତି ସନ୍ଦେହ – Kalinga News

[ad_1]
ସମାନ ଶୈଳୀରେ ଅପରାଧ; ୫ଟି ଜିଲ୍ଲାର ୧୦ ମନ୍ଦିରରୁ ଲୁଟିଲେଣି ଲକ୍ଷାଧିକ ଟଙ୍କାର ସାମଗ୍ରୀ
କଟକ: ବିଭିନ୍ନ ମଠମନ୍ଦିରକୁ ଟାର୍ଗେଟ କରି ଲୁଟପାଟ କରୁଛନ୍ତି ହାଫ୍ ପ୍ୟାଣ୍ଟ ପିନ୍ଧା ଦୁର୍ବୃତ୍ତଙ୍କ ଏକ ଗ୍ୟାଙ୍ଗ୍। ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ମନ୍ଦିରର ହୁଣ୍ଡି ବାକ୍ସ ଓ ଦେବଦେବୀଙ୍କ ସୁନା ଅଳଙ୍କାର ଏମାନେ ଲୁଟୁଛନ୍ତି। କଟକ ସମେତ ଭୁବନେଶ୍ବର, ଭଦ୍ରକ, ପୁରୀ, ଗଞ୍ଜାମ ଓ ବୌଦ୍ଧ ଜିଲ୍ଲାରେ ଏହି ଲୁଟେରା ଦଳ ଇତିମଧ୍ୟରେ ୧୦ଟି ମନ୍ଦିରରୁ ଲୁଟି ସାରିଲେଣି। ବିଭିନ୍ନ ମନ୍ଦିରର ସିସି କ୍ୟାମେରା ଫୁଟେଜରେ ଯେଉଁ ଚେହେରା ଠାବ ହୋଇଛି, ସେଥିରୁ ଏହା ଗୋଟିଏ ଗ୍ୟାଙ୍ଗର କାମ ବୋଲି ସନ୍ଦେହ କରାଯାଉଥିବା ବେଳେ ସେମାନେ ବିହାର ଅଥବା ପଶ୍ଚିମବଙ୍ଗରୁ ଆସିଥିବା ପୁଲିସ ସନ୍ଦେହ କରୁଛି। ସିସି କ୍ୟାମେରା ରେକର୍ଡିଂ ଅନୁଯାୟୀ, ଦୁଇ ଜଣ ବ୍ୟକ୍ତି ହାଫ୍ ପ୍ୟାଣ୍ଟ ପିନ୍ଧିବା ସହିତ ଏକ ଚାଦର ଘୋଡ଼ାଇ, ମୁହଁରେ ଗାମୁଛା ବାନ୍ଧି ମନ୍ଦିରରେ ପଶୁଛନ୍ତି। ଜଣେ ଦୁର୍ବୃତ୍ତ ଏକ ବ୍ୟାଗ୍ ଧରି ଆସୁଥିବା ବେଳେ ଅନ୍ୟ ଜଣେ ଏକ ଲୁହାର ରଡ଼ ଧର ଆସୁଛି। ଲୁଟେରା ମୁହଁରେ ଦାଢ଼ି ବି ରଖିଛନ୍ତି। ନିକଟ ଅତୀତରେ ଘଟିଥିବା ସବୁ ମନ୍ଦିର ଲୁଟ୍ ଘଟଣାର ଅପରାଧ ଶୈଳୀ ପ୍ରାୟତଃ ସମାନ ରହୁଛି।
Sambad is now on WhatsApp
Join and get latest news updates delivered to you via WhatsApp
୨୦୨୨ ମେ’ ୧୭ରେ ଭୁବନେଶ୍ବର କମିସନରେଟ୍ ପୁଲିସର ବାଲିଅନ୍ତା ଥାନା ଅଞ୍ଚଳରେ ଥିବା ମା’ ସତ୍ୟଭାମାଙ୍କ ମନ୍ଦିରରେ ସୁନା ଅଳଙ୍କାର ଲୁଟ୍ ହୋଇଥିଲା। ୬୦ ହଜାର ଟଙ୍କାରୁ ଅଧିକ ଟଙ୍କାର ଅଳଙ୍କାର ଚୋରି ହୋଇଥିଲା। ୨୦୨୩ ଫେବ୍ରୁଆରି ୧୧ରେ ବ୍ରହ୍ମପୁରର ନୃସିଂହ ମନ୍ଦିରରୁ ଦେଢ଼ ଲକ୍ଷ ଟଙ୍କା ଓ ସୁନା ଅଳଙ୍କାର ଲୁଟ୍ ହୋଇଥିଲା। ମନ୍ଦିର ତାଲା ଭାଙ୍ଗି ଏହି ଲୁଟ୍ ହୋଇଥିଲା। ନିମଖଣ୍ଡି ଥାନା ପୁଲିସ ଏହି ଘଟଣାର ତଦନ୍ତ କରୁଛି। ୨୦୨୩ ଜୁନ ୨୦ରେ ଭୁବନେଶ୍ବର ସହିଦନଗର ଥାନା ତିନିମୁଣ୍ଡିଆ ଛକରେ ଥିବା ସୁନାଦେଇ ମନ୍ଦିରରେ ମା’ଙ୍କ ସୁନା ଅଳଙ୍କାର ଲୁଟ ହୋଇଥିଲା। ଦୁର୍ବୃତ୍ତ ପାଖାପାଖି ୫ ଲକ୍ଷ ଟଙ୍କାର ସମ୍ପତ୍ତି ଲୁଟ୍ ନେଇଥିଲେ। ୨୦୨୩ ନଭେମ୍ବର ୧ ରେ ଭଦ୍ରକ ଜିଲ୍ଲା ଭଦ୍ରକ ଟାଉନ୍ ଥାନା ଅନ୍ତର୍ଗତ ଵାର୍ଡ ନଂ ୧ର ବରାଳ ସାହିରେ ରାମ ଓ ହନୁମାନ ମନ୍ଦିରରୁ ଦୁର୍ବୃତ୍ତମାନେ ରୂପା ଅଳଙ୍କାର ଓ ଦାନ ବାକ୍ସରେ ଥିବା ଟଙ୍କା ଲୁଟିଥିଲେ। ମନ୍ଦିରର ପୂଜକ ନିକଟସ୍ଥ ଏକ ଘରେ ରହୁଥିବା ବେଳେ ଦୁର୍ବୃ୍ତ୍ତ ଦଳ ମନ୍ଦିର ତାଲା ଭାଙ୍ଗି ଭିତରେ ଲୁଟ୍ କରିବା ସହିତ ପୂଜକ ରହୁଥିବା ଘରର ବାହାର ପଟୁ ବନ୍ଦ କରି ଦେଇଥିଲେ।
ବାହାର ରାଜ୍ୟ ଗ୍ୟାଙ୍ଗ୍ର ସଂପୃକ୍ତି ସନ୍ଦେହ
ସମାନ ଶୈଳୀରେ ଅପରାଧ; ୫ଟି ଜିଲ୍ଲାର ୧୦ ମନ୍ଦିରରୁ ଲୁଟିଲେଣି ଲକ୍ଷାଧିକ ଟଙ୍କାର ସାମଗ୍ରୀ
ସେଠାରୁ ସେମାନେ ପାଖାପାଖି ୨ ଲକ୍ଷ ଟଙ୍କାର ସମ୍ପତ୍ତି ଲୁଟି ନେଇଥିଲେ। ୨୦୨୩ ଡିସେମ୍ବର ୧୬ ରେ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ମନ୍ଦିର ପରିସରରେ ଥିବା ମଦନମୋହନ ମନ୍ଦିରରୁ ସୁନା ଓ ରୂପା ଅଳଙ୍କାର ସମେତ ଦାନ ବାକ୍ସରେ ଥିବା ଟଙ୍କା ଲୁଟିନେଇଥିଲେ। ସେଠାରୁ ପାଖାପାଖି ୨୫ ଲକ୍ଷ ଟଙ୍କାର ସମ୍ପତ୍ତି ଲୁଟ ହୋଇଥିଲା। ସତ୍ୟବାଦୀ ଥାନା ପୁଲିସ ଏହି ମାମଲାର ତଦନ୍ତ କରୁଛି। ୨୦୨୩ ଡିସେମ୍ବର ୧୭ ତାରିଖ ରାତିରେ ଭଦ୍ରକ ଟାଉନ୍ ଥାନା ଅନ୍ତର୍ଗତ ସନ୍ଥିଆ ଅଞ୍ଚଳରେ ମଦନମୋହନ ମନ୍ଦିର ଓ ଗୋବିନ୍ଦଜୀଉ ମନ୍ଦିରରେ ବଡ଼ ଧରଣର ଲୁଟ୍ ହୋଇଥିଲା। ଦୁର୍ବୃତ୍ତମାନେ ମନ୍ଦିରରେ ପଶି ଟଙ୍କା ଭର୍ତ୍ତି ହୁଣ୍ଡି ବାକ୍ସ ଓ ସୁନା ଅଳଙ୍କାର ଲୁଟି ନେଇଥିଲେ। ଦୁର୍ବୃତ୍ତମାନେ ଦୁଇଟି ମନ୍ଦିରର ତାଲା ଭାଙ୍ଗି ଭିତରେ ପଶିଥିଲେ। ଏହି ମନ୍ଦିରରୁ ଲୁଟ୍ ହୋଇଥିବା ହୁଣ୍ଡି ବାକ୍ସ ନିକଟସ୍ଥ ବିଲରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ୨୦୨୪ ଜାନୁଆରି ୧୯ରେ ବୌଦ୍ଧ ଆଦର୍ଶ ଥାନା ଅନ୍ତର୍ଗତ ଚନ୍ଦ୍ରଚୂଡ଼ ମନ୍ଦିରରୁ ଦାନ ବାକ୍ସ ଲୁଟ୍ ହୋଇଥିଲା। ଜାନୁଆରି ୨୦ ତାରିଖ ବିଳମ୍ବିତ ରାତିରେ ଦୁର୍ବୃତ୍ତ କଟକ ମଧୁପାଟଣା ଥାନା ଅନ୍ତର୍ଗତ ମା’ ଜଗଦ୍ଧାତ୍ରୀ ମନ୍ଦିରରୁ ସୁନା, ରୂପା ଓ ପିତ୍ତଳ ସାମଗ୍ରୀ ଲୁଟିଛନ୍ତି। ମନ୍ଦିରରୁ ପାଖାପାଖି ୪ ଲକ୍ଷ ଟଙ୍କାର ସମ୍ପତ୍ତି ଲୁଟ ହୋଇଛି। ସେହିଭଳି ଜାନୁଆରି ୨୮ ତାରିଖରେ ମଧୁପାଟଣା ଥାନା ଅନ୍ତର୍ଗତ ଦରଖାପାଟଣା ଦୁର୍ଗାପୂଜା ମଣ୍ଡପରୁ ମା’ଙ୍କ ସୁନା ଅଳଙ୍କା ଓ ଦାନବାକ୍ସକୁ ମିଶାଇ ୧୦ ଲକ୍ଷ ଟଙ୍କାର ସମ୍ପତ୍ତି ଦୁର୍ବୃତ୍ତ ଲୁଟି ନେଇଛନ୍ତି। ଜାନୁଆରି ୨୮ ତାରିଖ ତାରିଖ ରାତିରେ ବୌଦ୍ଧ ଜିଲ୍ଲାରେ ମଧ୍ୟ ସମାନ ଘଟଣା ଘଟିଛି। ଟାଉନ ଥାନା ଅନ୍ତର୍ଗତ ହନୁମାନ ମନ୍ଦିରରୁ ଲୁଟ୍ ହୋଇଛି। କଟକ କମିସନରେଟ୍ ପୁଲିସ ଉପରୋକ୍ତ ସମସ୍ତ ଥାନାରେ ଘଟିଥିବା ଲୁଟ୍ ଘଟଣାର ସିସି କ୍ୟାମେରା ଫୁଟେଜ ସଂଗ୍ରହ କରି ତଦନ୍ତ ତ୍ବରାନ୍ବିତ କରିଛି। ବର୍ତ୍ତମାନ ସୁଦ୍ଧା କଟକ ସହର, ଭଦ୍ରକ, ଭୁବନେଶ୍ବର, ବାଲେଶ୍ବର, ପଶ୍ଚିମବଙ୍ଗ ଚବିଶପ୍ରଗଣାରୁ ଫୁଟେଜ ପୁଲିସର ହସ୍ତଗତ ହୋଇଥିବା ବେଳେ ଅବଶିଷ୍ଟ ଥାନାର ଯୋଗାଯୋଗରେ ଥିବା ସୂଚନା ମିଳିଛି।
[ad_2]




