ଟିକେଟ୍ ବାଣ୍ଟିବା କ୍ଷମତା ତାଙ୍କର ନାହିଁ: ପ୍ରଣବ – Kalinga News
[ad_1]
ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଲେ
ବାରିପଦା: ସାଧାରଣ ନିର୍ବାଚନକୁ ଆଉ କିଛି ମାସ ବାକି। ସବୁ ଦଳ ପକ୍ଷରୁ ଏ ନେଇ ମାନସ ମନ୍ଥନ ସହିତ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ମୟୂରଭଞ୍ଜ ଜିଲ୍ଲାରେ ଗତ ସାଧାରଣ ନିର୍ବାଚନରେ ବିଜେଡିର ପ୍ରଦର୍ଶନ ଆଦୌ ଉତ୍ସାହଜନକ ନଥିଲା। ସମଗ୍ର ରାଜ୍ୟରେ ଶାସକ ଦଳ ଆଧିପତ୍ୟ ବିସ୍ତାର କରିବା ସମୟରେ ଜିଲ୍ଲାର ୯ଟି ନିର୍ବାଚନମଣ୍ଡଳୀରୁ ମାତ୍ର ୩ଟିରେ ଜିତିଥିଲା ବିଜେଡି। ଅବଶିଷ୍ଟ ୬ଟି ଆସନ ସହିତ ଲୋକସଭା ଆସନକୁ କରାୟତ୍ତ କରି ନେଇଥିଲା ବିଜେପି। ଏହାକୁ ଦୃଷ୍ଟିରେ ରଖି ଗତ ପଞ୍ଚାୟତ ଓ ପୌର ନିର୍ବାଚନଠୁ ସମଗ୍ର ଜିଲ୍ଲାକୁ ଫୋକସ୍ରେ ରଖିଛି ଦଳ। ଏଥର ଲୋକସଭା ସହ ସମସ୍ତ ୯ଟି ବିଧାନସଭା ଆସନରେ ବିଜେଡି ଜିତିବ ବୋଲି ଦଳୀୟ ନେତା ଦୃଢୋକ୍ତି ପ୍ରକାଶ କରୁଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ ଏଭଳି ସମୟରେ ବିଜେଡିର ଟିକେଟ୍ ବଣ୍ଟା ଆରମ୍ଭ ହୋଇଥିବା ନେଇ ଗତକାଲିଠାରୁ ଜିଲ୍ଲାବ୍ୟାପୀ ଚର୍ଚ୍ଚା ଆରମ୍ଭ ହୋଇଛି। ୩ ଦିନ ତଳେ ବାଲେଶ୍ବର ‘ନୋସି ବିଜନେସ୍ ପାର୍କଠାରେ ଦଳର ସାଙ୍ଗଠନିକ ବୈଠକ ବସିଥିଲା। ଏଥିରେ ବିଜେଡିର ରାଜ୍ୟ ସାଙ୍ଗଠନିକ ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଉପସ୍ଥିତ ଥିଲେ। ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ନିର୍ବାଚନମଣ୍ଡଳୀ ସଂଯୋଜକ, ବରିଷ୍ଠ କର୍ମକର୍ତ୍ତା ଓ ଆଶାୟୀ ନେତୃବୃନ୍ଦ ଉକ୍ତ ରୁଦ୍ଧଦ୍ବାର ବୈଠକରେ ଯୋଗ ଦେଇଥିଲେ। ଆଲୋଚନା ବେଳେ ବାରିପଦା, ମୋରଡ଼ା, ବଡ଼ସାହି, ରାଇରଙ୍ଗପୁର ଆସନ ପାଇଁ ନିର୍ଦ୍ଦିଷ୍ଟ କେତେକ ନେତାଙ୍କୁ କୁଆଡ଼େ ଟିକେଟ୍ ମିଳିବ ବୋଲି ପ୍ରଣବ ସବୁଜ ସଙ୍କେତ ଦେଇଥିବା ଖବର ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଥିଲା। ଏମିତିକି କିଛି ଗଣମାଧ୍ୟମ ଏ ସଂକ୍ରାନ୍ତରେ ଖବର ମଧ୍ୟ ପ୍ରକାଶ କରିଥିଲେ। ତେବେ ଏହି ସବୁ ଚର୍ଚ୍ଚା, ଆଲୋଚନାରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ପ୍ରଣବ। ଭାଇରାଲ୍ ଖବରର ସତ୍ୟତା ସଂପର୍କରେ ପ୍ରଣବଙ୍କୁ ପଚରାଯିବାରୁ ଟିକେଟ୍ ବାଣ୍ଟିବାକୁ ସେ କିଏ ବୋଲି ଓଲଟା ପ୍ରଶ୍ନ କରିଥିଲେ। ଟିକେଟ୍ ବଣ୍ଟନ କ୍ଷମତା କେବଳ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କର ରହିଛି। ଏହି କ୍ଷମତା ତାଙ୍କର ନାହିଁ। ‘ନୋସି ବୈଠକରେ ଦଳର ସାଙ୍ଗଠନିକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ହୋଇଥିଲା। ଟିକେଟ୍ ବଣ୍ଟା ବିଷୟରେ ହେଉଥିବା ଚର୍ଚ୍ଚା ଡାହା ମିଛ, କେବଳ ଅପପ୍ରଚାର ବୋଲି ସେ କହିଛନ୍ତି।
[ad_2]