ଖେଳ ଖବର

ଶେଷ ଟେଷ୍ଟ୍ ପୂର୍ବରୁ ୱାର୍ଣ୍ଣରଙ୍କ ଦିନିକିଆ ଅବସର – Kalinga News

[ad_1]

ସିଡନି: ମାତ୍ର ଗୋଟିଏ ଦିନ ପରେ ଖେଳ ଜୀବନର ଶେଷ ଟେଷ୍ଟ୍ ଖେଳିବାକୁ ଯାଉଥିବା ଅଷ୍ଟ୍ରେଲିଆର ବାମହାତୀ ବ୍ୟାଟର୍‌ ଡେଭିଡ୍‌ ୱାର୍ଣ୍ଣର ସୋମବାର ଦିନିକିଆ କ୍ରିକେଟ୍‌ରୁ ଅବସର ଘୋଷଣା କରି ଦେଇଛନ୍ତି। କିନ୍ତୁ ଅଷ୍ଟ୍ରେଲିଆ ଖୋଜିଲେ ମୁଁ ୨୦୨୫ ଆଇସିସି ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ଉପଲବ୍‌ଧ ହେବି ବୋଲି ୱାର୍ଣ୍ଣର ଘୋଷଣା କରିଛନ୍ତି। ବୁଧବାରଠାରୁ ସିଡନିରେ ଆରମ୍ଭ ହେବାକୁ ଯାଉଥିବା ପାକିସ୍ତାନ ବିପକ୍ଷ ତୃତୀୟ ତଥା ଅନ୍ତିମ ଟେଷ୍ଟ୍‌ ୱାର୍ଣ୍ଣରଙ୍କ ୧୧୨ତମ ତଥା ବିଦାୟୀ ଟେଷ୍ଟ୍ ହେବ। ୩୭ ବର୍ଷୀୟ ୱାର୍ଣ୍ଣର ତାଙ୍କ ଟେଷ୍ଟ୍ ଜୀବନରେ ୪୪.୫୮ ହାରରେ ୮,୬୯୫ ରନ୍ ସଂଗ୍ରହ କରିଛନ୍ତି। ଏହା ମଧ୍ୟରେ ୨୬ ଶତକ ଓ ୩୬ ଅର୍ଦ୍ଧଶତକ ସାମିଲ ରହିଛି। ସିଡନିରେ ସୋମବାର ସାମ୍ବାଦିକ ସମ୍ମିଳନୀ ଅବସରରେ ୱାର୍ଣ୍ଣର ଦିନିକିଆ ଅବସର ବିଷୟରେ‌ ଘୋଷଣା କରିଥିଲେ। ଦେଢ଼ ମାସ ତଳେ ଭାରତରେ ଦିନିକିଆ ବିଶ୍ବକପ୍ ଜିତିଥିବା ଅଷ୍ଟ୍ରେଲିଆ ଦଳର ସେ ଅନ୍ୟତମ ପ୍ରମୁଖ ସଦସ୍ୟ ଥିଲେ। ‘ମୁଁ ଏବେ ପରିବାରକୁ କିଛି ଦେବାକୁ ଚାହୁଁଛି ଏବଂ ଦିନିକିଆ କ୍ରିକେଟ୍‌ରୁ ବି ଅବସର ନେଉଛି’ ବୋଲି ୱାର୍ଣ୍ଣର ପ୍ରକାଶ କରିଥ‌ିଲେ। ଭାରତରେ ବିଶ୍ବକପ୍‌ ଜିତିବା ମୋ ପାଇଁ ବଡ଼ ଉପଲବ୍‌ଧି ଥିଲା।

ଏବେ ବିଶ୍ବର ବିଭିନ୍ନ ପ୍ରାନ୍ତରେ ଟ୍ବେଣ୍ଟି-୨୦ ଲିଗ୍‌ ଖେଳିବା ଜାରି ରଖିବି ବୋଲି ମଧ୍ୟ ୱାର୍ଣ୍ଣର ପ୍ରକାଶ କରିଥିଲେ। ଯଦି ପରବର୍ତୀ କିଛି ଦିନ ଭଲ ଖେଳିବି ତେବେ ଆବଶ୍ୟକ ପଡ଼ିଲେ ୨୦୨୫ ଆଇସିସି ଚାମ୍ପିଅନ୍ସ ଟ୍ରଫି ‌‌ଖେଳିବା ପାଇଁ ଉପଲବ୍‌ଧ ହେବି’ ବୋଲି କହିଥିଲେ ୱାର୍ଣ୍ଣର। ୨୦୦୯ରେ ପଦାର୍ପଣ କରିଥିବା ୱାର୍ଣ୍ଣର ୧୬୧ ଦିନିକିଆରୁ ୪୫.୩୦ ହାରରେ ୬,୯୩୨ ରନ୍ ସଂଗ୍ରହ କରିଛନ୍ତି। ୨୨ ଶତକ ସହିତ ରିକି ପଣ୍ଟିଂଙ୍କ ପଛକୁ ଦ୍ବିତୀୟ ଅଗ୍ରଣୀ ଅଷ୍ଟ୍ରେଲୀୟ ରହିଛନ୍ତି। ଟେଷ୍ଟ୍ ଓ ଦିନିକିଆରୁ ଅବସର ନେଉଥିବା ୱାର୍ଣ୍ଣର କିନ୍ତୁ ଟ୍ବେଣ୍ଟି-୨୦ ଫର୍ମାଟରେ ଜାତୀୟ ଦଳ ପାଇଁ ଖେଳିବା ଜାରି ରଖିବେ ବୋଲି କହିଛନ୍ତି। ଫଳରେ ସେ ୨୦୨୪ ବର୍ଷର ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଖେଳିବା ସମ୍ଭାବନା ରହିବ। ୱାର୍ଣ୍ଣରଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇବା ସହ କ୍ରିକେଟ୍ ଅଷ୍ଟ୍ରେଲିଆ (ସିଏ) ମୁଖ୍ୟ ନିକ୍‌ ହେକଲେ କହିଛନ୍ତି ଅଷ୍ଟ୍ରେଲିଆ କ୍ରିକେଟ୍‌ ପାଇଁ ତାଙ୍କ ଅବଦାନ ଅତୁଳନୀୟ। ସେ ‘ଚମତ୍କାର ଟେଷ୍ଟ୍‌ ଜୀବନ’ ରଖିଥିଲେ।

ସୂଚନାଯୋଗ୍ୟ, ୧୫ ବର୍ଷର ଅନ୍ତର୍ଜାତୀୟ କ୍ରିକେଟ୍ ଜୀବନରେ ୱାର୍ଣ୍ଣର ୪ଟି ବିଶ୍ବ ମୁକୁଟ ବିଜୟର ଗୌରବ ରଖିଛନ୍ତି। ୨୦୧୫ ଓ ୨୦୨୩ ଦିନିକିଆ ବିଶ୍ବକପ୍, ୨୦୨୧ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଏବଂ ୨୦୨୧-୨୩ ବିଶ୍ବ ଟେଷ୍ଟ୍‌ ଟ୍ରଫି ଜିତିଥିଲେ ଅଷ୍ଟ୍ରେଲିଅ ପାଇଁ। ୨୦୧୮ ମସିହାର ବାଲିକାଗଜ ବିବାଦ ପାଇଁ ନିଲମ୍ବିତ ହେବା ତାଙ୍କ ଖେଳ ଜୀବନର କଳା ଫର୍ଦ ହୋଇ ରହିଛି। ଗତବର୍ଷ ଲର୍ଡସ ଟେଷ୍ଟ୍‌ରେ ଭଲ ଖେଳି ଅବସର ନେବାର ଯୋଜନା କରିଥିଲେ ମଧ୍ୟ ଏହା ହୋଇପାରିନଥିବାରୁ ସେ ଅବ ସୋସରେ ଥିବା ପ୍ରକାଶ କରିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button