ବାଲକୋନୀକୁ ଅସନା କରୁଛନ୍ତି କି ପାରା ? ଜାଣନ୍ତୁ ସହଜ ଉପାୟ

ଆପଣ ପ୍ରାୟତଃ ଘର ବାଲକୋନୀକୁ ସୁନ୍ଦର ଭାବେ ସଜାଉଥିବେ । ସୁନ୍ଦର ସୁନ୍ଦର ଗଛ ଲଗାଇବା ସହିତ ବାଲକୋନୀକୁ ଏନଜଏ କରିବା ପାଇଁ ବସିବାକୁ କିଛି ବ୍ୟବସ୍ଥା କରିଥିବେ ନିଶ୍ଚୟ । ଏବେ ଦିଲ୍ଲୀ ଭଳି ସହରରେ ପାରାମାନଙ୍କ ଆତଙ୍କ ଦେଖିବାକୁ ମିଳୁଛି । ଯାହା ସବୁଠାରୁ ବଡ଼ ସମସ୍ୟା ପାଲଟିଛି । ପାରା ଆମର ସୁନ୍ଦର କରି ସଜା ଯାଇଥିବା ବାଲକୋନୀକୁ ସେମାନଙ୍କର ସ୍ଥାୟୀ ଘର କରି ନେଉଛନ୍ତି । ବାଲକୋନୀରେ ବସା ତିଆରି କରିବା ସହିତ ଅଣ୍ଡା ମଧ୍ୟ ଦେଇଥାଆନ୍ତି । ଏହା ସହିତ ମଳ ଏବଂ ଅଳିଆ ଆବର୍ଜନା ପିଙ୍ଗି ବାଲକୋନୀକୁ ପୁରାପୁରି ଅସନା କରି ଦିଅନ୍ତି । ଯାହା ଫଳରେ ସେହି ସ୍ଥାନରେ ଦୁର୍ଗନ୍ଧ ହୋଇଥାଏ । ଯଦି ଆପଣ ମଧ୍ୟ ପାରାମାନଙ୍କୁ କ୍ଷତି ନ ପହଞ୍ଚାଇ ଏହି ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ଏହି ଘରୋଇ ଉପାୟକୁ ଚେଷ୍ଟା କରିପାରିବେ ।
କିପରି ପାରାମାନଙ୍କୁ ଘଉଡାଇବେ –
୧. ପୁରୁଣା ସିଡି – ପାରାମାନଙ୍କୁ ଘଉଡାଇବା ପାଇଁ ସହଜ ଏବଂ ମାଗଣା ଉପାୟ ହେଉଛି ଘରେ ପଡି ରହିଥିବା ପୁରୁଣା ସିଡି । ବ୍ରିଟିଶ ପେଷ୍ଟ କଣ୍ଟ୍ରୋଲ ଫର୍ମ ସେଫଗାର୍ଡ ପେଷ୍ଟ କଣ୍ଟ୍ରୋଲଙ୍କ ଏକ ରିପୋର୍ଟ ଅନୁଯାୟୀ, ପାରାମାନେ ଏଭଳି ଜିନିଷକୁ ଖୁବ୍ ଭୟ କରିଥାଆନ୍ତି । ଯାହା ଖରାରେ ଚମକିଥାଏ ଏବଂ ପବନରେ ମନକୁ ମନ ହଲିଥାଏ ।
ଆପଣ ବାସ୍ ଗୋଟିଏ ପୁରୁଣା ସିଡିକୁ ନେଇ ଏକ ଦଉଡି ସାହାଯ୍ୟରେ ବାଲକୋନୀର ରେଲିଂ କିମ୍ବା କାନ୍ଥ ପାଖରେ ଟଙ୍ଗାଇଦିଅନ୍ତୁ । ଯେତେବେଳେ ପବନ ଦେବା ଆରମ୍ଭ କରିବ ସେତେବେଳେ ସିଡି ମଧ୍ୟ ହଲିବାକୁ ଲାଗିବ ଏବଂ ଏହା ଉପରେ ସୂର୍ଯ୍ୟଙ୍କ କିରଣ ପଡିବା ମାତ୍ରେ ଚମକିବା ଆରମ୍ଭ କରିବ । ଫଳରେ ଏହି ଲାଇଟ୍ ସେମାନଙ୍କ ଆଖିରେ ପଡିବା ମାତ୍ରେ ପାରାମାନେ ଡରିକି ବାଲକୋନୀକୁ ଆଦୌ ଆସିବେ ନାହିଁ ।
୨. ମସଲା – ପାରାମାନଙ୍କୁ ଘଉଡାଇବା ପାଇଁ ରୋଷେଇ ଘରେ ବ୍ୟବହାର ହେଉଥିବା ମସଲା ମଧ୍ୟ ସାହାଯ୍ୟ କରିଥାଏ । ଆମେରିକୀୟ ପକ୍ଷୀ ନିୟନ୍ତ୍ରଣ ବିଶେଷଜ୍ଞ ବାର୍ଡ-ଏକ୍ସଙ୍କ ଗବେଷଣାରୁ ଜଣାପଡିଛି ଯେ, ପାରାମାନଙ୍କୁ ଏହି ମସଲା ବହୁତ ତୀବ୍ର ଗନ୍ଧ ହୋଇଥାଏ । ଯାହାକୁ ସେମାନେ ଘୃଣା କରନ୍ତି । ତେଣୁ ଏହି ମସଲା ରଖିବା ଦ୍ବାରା ପାରାମାନେ ବାଲକୋନୀକୁ ଆସି ନଥାଆନ୍ତି ।
ଗୋଲମରିଚ ଗୁଣ୍ଡ , ଲଙ୍କା ଗୁଣ୍ଡ ଏବଂ ଡାଲିଚିନି ଗୁଣ୍ଡ ନିଅନ୍ତୁ । ଏବେ ସେହି ମସଲାକୁ ନେଇ ପାରାମାନେ ବସୁଥିବା ସ୍ଥାନରେ ଛିଞ୍ଚି ଦିଅନ୍ତୁ । ଏଥିସହିତ ପାଣିରେ କିଛି ଭିନେଗାର ମିଶାଇ ଏକ ସ୍ପ୍ରେ ମଧ୍ୟ ପ୍ରସ୍ତୁତ କରି ବାଲକୋନୀର ଚାରି କୋଣରେ ଛିଞ୍ଚିପାରିବେ । ଏହାର କଡ଼ା ବାସ୍ନା ଯୋଗୁଁ ପାରାମାନେ ବିଲକୁଲ ଆସନ୍ତି ନାହିଁ ।
୩. ଆଲୁମିନିୟମ୍ ଫଏଲ୍ – ରୋଷେଇ ଘରେ ରଖାଯାଇଥିବା ଆଲୁମିନିୟମ୍ ଫଏଲ୍ ପାରାକୁ ଘଉଡ଼ାଇବାରେ ସାହାଯ୍ୟ କରେ। କୀଟ ନିୟନ୍ତ୍ରଣ ବିଶେଷଜ୍ଞ ନର୍ଥୱେଷ୍ଟ ଏକ୍ସଟରମିନେଟିଂଙ୍କ ଅନୁଯାୟୀ, ରେଲିଂ କିମ୍ବା ଝରକା ସିଲ୍ ସହିତ ବନ୍ଧା ହୋଇଥିବା ଆଲୁମିନିୟମ୍ ଫଏଲର ଷ୍ଟ୍ରିପ୍ ସୂର୍ଯ୍ୟକିରଣକୁ ରିଫଲେକ୍ଟ କରେ । ଯାହା ପକ୍ଷୀମାନଙ୍କୁ ଘଉଡ଼ାଇବାରେ ସାହାଯ୍ୟ କରିଥାଏ ।




