ଶୀତଦିନେ ନିୟମିତ ପିଅନ୍ତୁ ହଳଦୀ ପାଣି, ଦେଖାଦେବନି ଏହି ୫ଟି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା

ଖାଦ୍ୟର ସ୍ୱାଦ ବଢ଼ାଇବା ପାଇଁ ଆମେ ପ୍ରତିଦିନ ବ୍ୟବହାର କରୁଥିବା ହଳଦୀ ଶରୀର ପାଇଁ ମଧ୍ୟ ଅତି ଉତ୍ତମ ହୋଇଥାଏ। ଶରୀରରୁ କ୍ଷତିକାରକ ତତ୍ତ୍ୱ ନିଷ୍କାସିତ କରିବାରେ ଏହା ସାହାଯ୍ୟ କରେ। ତ୍ୱଚାର ଚମକ ବଢ଼ାଇବାରେ ମଧ୍ୟ ହଳଦୀ ସହାୟକ ହୋଇଥାଏ। ପ୍ରତିଦିନ ହଳଦୀ ସେବନ କରିବା ଦ୍ୱାରା ପେଟର କୃମି ରୋଗ ମଧ୍ୟ ଉପଶମ ହୋଇଥାଏ। ତେବେ ଅନ୍ୟଦିନ ଅପେକ୍ଷା ଶୀତଦିନେ ହଳଦୀ ସେବନ ଖୁବ୍ ଲାଭଦାୟକ ହୋଇଥାଏ। ହଳଦୀ ପାଣି ପିଇବା ଦ୍ୱାରା ଶରୀରର ଅନ୍ୟ ଗମ୍ଭୀର ରୋଗ ମଧ୍ୟ ଭଲ ହୁଏ। ଆସନ୍ତୁ ଜାଣିବା ହଳଦୀ ପାଣିର ପ୍ରସ୍ତୁତି ବିଧି ଓ ଏହାର ଉପକାରିତା…

ହଳଦୀ ପାଣି ପ୍ରସ୍ତୁତି କରିବା ବିଧି:
- ଏକ ପାତ୍ରରେ କପେ ପାଣି ନେଇ ଗରମ କରନ୍ତୁ।
- ଏବେ ଏଥିରେ ଦୁଇ ଚିମୁଟା ହଳଦୀ ପକାଇ ଭଲଭାବେ ଫୁଟାନ୍ତୁ।
- ସ୍ୱାଦ ବଢ଼ାଇବା ପାଇଁ ଏଥିରେ ଆପଣ ମହୁ ଓ ଲେମ୍ବୁ ମଧ୍ୟ ମିଶାଇ ପାରିବେ।
- ପ୍ରତିଦିନ ଏହି ପାଣି ପିଇବା ଦ୍ୱାରା ଶରୀରର ବର୍ଜ୍ୟବସ୍ତୁ ନିଷ୍କାସିତ ହୋଇଥାଏ।
- ଆପଣ ଚାହିଁଲେ ଶୀତଦିନେ ମିଳୁଥିବା କଞ୍ଚା ହଳଦୀକୁ ମଧ୍ୟ ବ୍ୟବହାର କରିପାରିବେ।
୧.ଆର୍ଥରାଇଟିସ୍ ପୀଡ଼ାରୁ ଦିଏ ମୁକ୍ତି:

ଆଣ୍ଠୁଗଣ୍ଠିରେ ଯନ୍ତ୍ରଣା ଏବେ ଏକ ସାଧାରଣ ସମସ୍ୟା। ଅନ୍ୟଦିନ ଅପେକ୍ଷା ଶୀତଦିନେ ଏହି ସମସ୍ୟା ଅଧିକ ଦେଖାଦିଏ। ଏହି ସମସ୍ୟାରୁ ମୁକ୍ତି ପାଇବାକୁ ହଳଦୀ ପାଣି ପିଅନ୍ତୁ। ହଳଦୀରେ ଥିବା ଆଣ୍ଟି-ଇନ୍ଫ୍ଲେମେଟୋରୀ ଗୁଣ ଆଣ୍ଡୁଗଣ୍ଠିର ସମସ୍ୟାକୁ ଦୂର କରିବ।
୨.ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ:
ଭାରତରେ ସବୁ ବ୍ୟଞ୍ଜନରେ ହଳଦୀ ବ୍ୟବହାର କରାଯାଏ। ହଳଦୀରେ କରକ୍ୟୁମିନ୍ ନାମକ ତତ୍ତ୍ୱ ରହିଛି। ଏହା ଶରୀରର ଇମ୍ୟୁନିଟିକୁ ବୃଦ୍ଧି କରିବା ସହ ସମସ୍ତ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ରୋଗ ଭଲ କରେ। ଏଥିରେ ଥିବା ଆଣ୍ଟିସେପ୍ଟିକ୍ ଗୁଣ ଶରୀରର ଆଭ୍ୟନ୍ତରୀଣ କ୍ଷତକୁ ମଧ୍ୟ ଭଲ କରିଥାଏ। ହଳଦୀ ଆଣ୍ଟିବାୟୋଟିକ୍ ଭାବେ ମଧ୍ୟ କାମ କରିଥାଏ।
୩.ଓଜନ କମାଇବାରେ କରେ ସାହାଯ୍ୟ:

ଶୀଘ୍ର ଓଜନ କମାଇବାକୁ ଚାହୁଁଥିଲେ, ହଜମ ପ୍ରକ୍ରିୟାକୁ ସଠିକ୍ ରଖିବା ଆବଶ୍ୟକ। ଏଥିପାଇଁ ଆପଣ ପ୍ରତିଦିନ ହଳଦୀ ପାଣି ପିଅନ୍ତୁ। ଏହା ମେଟାବଲିଜିମ୍କୁ ବଢ଼ାଇବା ସହ ଓଜନ କମାଇବାରେ ମଧ୍ୟ ସାହାଯ୍ୟ କରିବ।
୪.ଲିଭର ପାଇଁ ହୋଇଥାଏ ଉତ୍ତମ:
ଶରୀର ପାଇଁ ଆବଶ୍ୟକୀୟ ଏନ୍ଜାଇମ୍ ଉତ୍ପାଦନ କରିବାରେ ହଳଦୀ ସାହାଯ୍ୟ କରେ। ରକ୍ତକୁ ପରିଷ୍କାର କରି ଅପରିଷ୍କାର ତତ୍ତ୍ୱ ନିଷ୍କାସନ କରିବାରେ ମଧ୍ୟ ହଳଦୀ ପାଣି ସାହାଯ୍ୟ କରେ। ଲିଭରକୁ ସୁସ୍ଥ ରଖି ଏହାର କାର୍ଯ୍ୟଦକ୍ଷତା ବଢ଼ାଇଥାଏ ହଳଦୀ।
୫.ଦିଏ ଚମକଦାର ତ୍ୱଚା:

ତ୍ୱଚାରେ ଚମକ ଆଣିବାକୁ ଚାହୁଁଥିଲେ ପ୍ରତିଦିନ ହଳଦୀ ପାଣି ସେବନ କରନ୍ତୁ। ଏହା ତ୍ୱଚାର ଫ୍ରି ରେଡକଲ ଡାମେଜ୍କୁ ରୋକିବାରେ ସାହାଯ୍ୟ କରେ। ଫଳରେ ଚର୍ମ ଲୋଚାକୋଚା ହୁଏ ନାହିଁ ଓ ଚମକ ମଧ୍ୟ ବୃଦ୍ଧିପାଏ।




