ଆଣ୍ଠୁ ପ୍ରତ୍ୟାରୋପଣ ପୂର୍ବରୁ ଏ ସବୁ ବିଷୟରେ ନିଶ୍ଚୟ ଧ୍ୟାନ ଦିଅନ୍ତୁ

ଚାଲିବା ହେଉ କି ଦୌଡ଼ିବା, ସିଡି ଚଢ଼ିବା ହେଉ କି ସାଇକେଲ ଚଲାଇବା, ଏ ସବୁ କାମ ଆମେ ଗୋଡ଼ ଦ୍ବାରା ହିଁ କରିଥାଉ। ଆଉ ଏହି କାମ କରିବା ଦ୍ବାରା ଗୋଡ଼ର ଜଏଣ୍ଟ ଏରିଆ ଅର୍ଥାତ୍ ଆଣ୍ଠୁ ଉପରେ ସିଧା ପ୍ରଭାବ ପଡ଼ିଥାଏ। ଆଜିକାଲି ଆଣ୍ଠୁଗଣ୍ଠି ସମସ୍ୟା କେବଳ ବୟସ୍କଙ୍କଠାରେ ଦେଖିବାକୁ ମିଳେ ତା’ ନୁହେଁ, ଯୁବପିଢ଼ି ମଧ୍ୟ ଏହାର ଶିକାର ହେଉଛନ୍ତି। ବୟସ ବଢ଼ିବା ସାଙ୍ଗକୁ ସମସ୍ୟା ମଧ୍ୟ ବଢ଼ି ଚାଲିଛି। ଯେତେବେଳେ ଏହି ସମସ୍ୟା ନେଇ ଆମେ ଡାକ୍ତରଙ୍କ ପାଖରେ ପହଞ୍ଚୁ, ସେତେବେଳେ ଡାକ୍ତର ଆମକୁ ଆଣ୍ଠୁ ପ୍ରତ୍ୟାରୋପଣ ପାଇଁ ପରାମର୍ଶ ଦେଇଥାଆନ୍ତି। ତେବେ କୌଣସି ବି ନିଷ୍ପତ୍ତି ନେବା ପୂର୍ବରୁ ଆମେ ଆପଣଙ୍କୁ କେତେକ ଜରୁରୀ କଥା କହି ରଖୁଛୁ।

ଡାକ୍ତରଙ୍କ କହିବାନୁସାରେ, ଯୁବାବସ୍ଥାରେ ଦେଖାଯାଉଥିବା ଆଣ୍ଠୁଗଣ୍ଠି ସମସ୍ୟା ମୋଟାପଣ, ଖେଳକୁଦ ସମୟରେ ଶରୀର ଆଘାତ ପାଇବା କିମ୍ବା ବଂଶାନୁକ୍ରମିକ ଭାବେ ହୋଇଥାଏ। କିନ୍ତୁ ଏ ସବୁ କାରଣଠାରୁ ସବୁଠୁ ମୁଖ୍ୟ କାରଣ ହେଲା, ଶରୀରରେ ଭିଟାମିନର ଅଭାବ। ଆଉ ଯଦି ଏହି ସମସ୍ୟା ବୃଦ୍ଧାବସ୍ଥାରେ ଦେଖିବାକୁ ମିଳେ, ତେବେ ଜାଣିବାକୁ ହେବ ଆଣ୍ଠୁର କର୍ଟିଲେଜ୍ ଘସି ହୋଇ ଯାଇଛି । ଏହାସହ ଲୋକଙ୍କ ପରିବର୍ତ୍ତିତ ଜୀବନଶୈଳୀ ମଧ୍ୟ ଏହାର ଅନ୍ୟ ଏକ କାରଣ ହୋଇପାରେ।

ଯଦି ଆପଣଙ୍କ ବୟସ କମ୍, ଆଉ ଡାକ୍ତର ଆପଣଙ୍କୁ ଆଣ୍ଠୁ ପ୍ରତ୍ୟାରୋପଣ ପାଇଁ ପରାମର୍ଶ ଦେଇଛନ୍ତି, ତେବେ ଆଉଥରେ ଭାବିନେବା ଉଚିତ ହେବ। କାରଣ, ଅନେକ ଡାକ୍ତରଙ୍କ କହିବାନୁଯାୟୀ, ଆପଣ ଯଦି ଖାଦ୍ୟପେୟରେ ଭିଟାମିନ୍ ଡି, କ୍ୟାଲସିୟମ୍, ଓମେଗା ୩ ଫଟି ଏସିଡ୍ ସାମିଲ କରିବେ, ତା’ହେଲେ ହାଡ଼କୁ ଶକ୍ତ କରିପାରିବେ।

ଏହାବ୍ୟତୀତ ଆଣ୍ଠୁଗଣ୍ଠି ସମସ୍ୟା ଥିବା ଲୋକେ ନିୟମିତ କସରତ କରିବା ଅତ୍ୟନ୍ତ ଜରୁରୀ। ସିଡି ଚଢ଼ିବା ଓ ତଳେ ବସିବା ଭଳି କାମ କରିବା ଉଚିତ ନୁହେଁ। ଏହିସବୁ ନିୟମ ଯଦି ଆପଣ ମାନିପାରିବେ, ତେବେ ଆଣ୍ଠୁଗଣ୍ଠି ସମସ୍ୟାରୁ ବହୁମାତ୍ରାରେ ମୁକ୍ତି ପାଇ ପାରିବେ।
ଅନ୍ୟପକ୍ଷରେ ଆଣ୍ଠୁ ପ୍ରତ୍ୟାରୋପଣ କଲେ ଏହାର ସେଭଳି କୌଣସି ପ୍ରଭାବ ଦୈନନ୍ଦିନ ଜୀବନଶୈଳୀ ଉପରେ ପଡ଼ି ନ ଥାଏ। ସବୁ କାମ ଜଣେ ସହଜ ଓ ସରଳରେ କରିପାରିଥାଏ। ଭାରତରେ ଆଣ୍ଠୁ ପ୍ରତ୍ୟାରୋପଣ ସଫଳତା ପୂର୍ବକ ହୋଇପାରୁଛି। ତଥାପି ଅପରେଶନ ପୂର୍ବରୁ ଡାକ୍ତରଙ୍କ ସହିତ ଆଉଥରେ କଥା ହୋଇ ଯାଆନ୍ତୁ। ଆଣ୍ଠୁ ପ୍ରତ୍ୟାରୋପଣ ପରେ ଆସୁଥିବା ସମସ୍ୟା ସମ୍ପର୍କରେ ଭଲ ଭାବରେ ବୁଝି ନିଜର ନିଷ୍ପତ୍ତି ନିଅନ୍ତୁ।




