କଳିଯୁଗରେ ଏହି ୬ଟି ଗୁଣ ଥିବା ବ୍ୟକ୍ତି ହୋଇଥାନ୍ତି ଭାଗ୍ୟଶାଳୀ

ପଞ୍ଚମ ବେଦ ମହାଭାରତରେ ସମସ୍ତ ପାତ୍ରଙ୍କର ଭିନ୍ନ ଭିନ୍ନ ପ୍ରକାର ବିଶେଷତା ରହିଛି। ଯେପରି କାହା ପାଖରେ ୧୦ ହଜାର ହାତୀର ବଳ ତ କାହା ପାଖରେ ପ୍ରଖର ବୁଦ୍ଧି ଏବଂ କୁଟନୀତି ମଧ୍ୟ ରହିଥିଲା। କିଛି ବେଦ ଏବଂ ଶାସ୍ତ୍ରରେ ମଧ୍ୟ ଧର୍ମନୀତିର ଉଲ୍ଲେଖ ରହିଛି। ନିଜ-ନିଜର ଏହି ଗୁଣ କାରଣରୁ ତାଙ୍କୁ ସମାଜରେ ସମ୍ମାନ ପ୍ରାପ୍ତ ହୋଇଥାଏ। ଏହି ସମସ୍ତ ପାତ୍ର ମଧ୍ୟରେ ଜଣଙ୍କ ନାମ ଏପରି ରହିଛି, ଯାହାଙ୍କର ବୁଦ୍ଧି ଏବଂ ଜ୍ଞାନକୁ ଆଜି ମଧ୍ୟ ପୂଜା କରାଯାଉଛି।
ମହାତ୍ମା ବିଦୁର ନୀତିର ମହାନ ଜ୍ଞାତା ଏବଂ ଦୂରଦର୍ଶୀ ଥିଲେ। ସେ ସମସ୍ତ ବେଦ ଏବଂ ଶାସ୍ତ୍ରରେ ଜ୍ଞାନୀ ଥିଲେ। ତାଙ୍କର ରୀତି ଆଜି ମଧ୍ୟ ଲୋକମାନଙ୍କୁ ସଠିକ ମାର୍ଗ ପ୍ରଦର୍ଶନ କରାଇଥାଏ। ବିଦୁରଙ୍କ ରୀତି ଅନୁଯାୟୀ ଏପରି ୬ଟି ଜିନିଷ ରହିଛି, ଯାହା ପାଖରେ ଥିବା ଦ୍ବାରା ସଂସାରରେ କୌଣସି ବ୍ୟକ୍ତି ସମସ୍ତ ସୁଖ ଭୋଗ କରିପାରିଥାନ୍ତି। ଏହି ୬ଟି ଜିନିଷ ହାସଲ କରିଥିବା ବ୍ୟକ୍ତିଙ୍କୁ ବାସ୍ତବରେ ଭାଗ୍ୟଶାଳୀ କୁହାଯାଇଥାଏ। ତେବେ ଜାଣନ୍ତୁ କଣ ରହିଛି ସେହି ୬ଟି ଜିନିଷ, ଯାହା ଦ୍ବାରା କୌଣସି ଭି ବ୍ୟକ୍ତିର ଭାଗ୍ୟ ବଦଳି ଯାଇଥାଏ ଏବଂ ସେ ଧରିତ୍ରୀରେ ସମସ୍ତ ସୁଖ ଭୋଗ କରିପାରିଥାନ୍ତି।
ଜ୍ଞାନ
ବିଶ୍ବରେ ମନୁଷ୍ୟ ପାଖରେ ଜ୍ଞାନ ଏପରି ଏକ ଧନ, ଯାହାକୁ କେହି ଚୋରି କରିପାରନ୍ତି ନାହିଁ କି ଚାହିଁଲେ ମଧ୍ୟ ବାଣ୍ଟି ପାରନ୍ତି ନାହିଁ। ଶାସ୍ତ୍ରରେ ଉଲ୍ଲେଖ ରହିଛି ଜ୍ଞାନ ହେଉଛି ମଣିଷର ସବୁଠାରୁ ବଡ଼ ଦୌଲତ। ଜ୍ଞାନ ସର୍ବଦା ବିପରୀତ ସମୟରେ ମଣିଷ ପାଖରେ ରହି ଏକ ହତିଆର ଭଳି କାମ କରିଥାଏ। ବର୍ତ୍ତମାନ ସମୟରେ ମଣିଷର ସବୁଠାରୁ ବଡ଼ ସାଧନ ହେଉଛି ଜ୍ଞାନ।
ଆୟ ସାଧନା
ସାଧାରଣତଃ ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିଜର ଆବଶ୍ୟକତା ପୂରଣ କରିବା ପାଇଁ ଆୟର ସାଧନା କରିବାକୁ ପଡ଼ିଥାଏ। ଯେଉଁ ବ୍ୟକ୍ତିଙ୍କ ପାଖରେ ଆୟର ସାଧନ ହୋଇନଥାଏ ସେ ବାସ୍ତବରେ ଦୁର୍ଭାଗ୍ୟଶାଳୀ ହୋଇଥାନ୍ତି ଏବଂ ତାଙ୍କୁ ଜୀବନରେ ବିଭିନ୍ନ ପ୍ରକାର ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ। ଅନେକ ସମୟରେ କିଛି ବ୍ୟକ୍ତି ନିଜର ଆବଶ୍ୟକତା ପୂରଣ ପାଇଁ ଅନ୍ୟ ଜଣଙ୍କ ଆଗରେ ହାତ ପତାଇଥାନ୍ତି। କିନ୍ତୁ ଏପରି କରିବା ପରେ ଆବଶ୍ୟକତା ପୂରଣ ହୋଇନଥିଲେ ସେହି ବ୍ୟକ୍ତିମାନେ କିଛି ଭୁଲ ରାସ୍ତା ବାଛିଥାନ୍ତି। ଯାହା ଫଳରେ ସେହି ବ୍ୟକ୍ତିମାନେ ଶେଷରେ ଅନେକ ପଶ୍ଚ୍ୟାତାପ କରିଥାନ୍ତି। ଏହି କାରଣରୁ ଯେଉଁ ବ୍ୟକ୍ତିଙ୍କ ପାଖରେ ଆୟର ଉତ୍ସ ରହିଥାଏ ସେହି ହିଁ ପ୍ରକୃତରେ ଭାଗ୍ୟଶାଳୀ ହୋଇଥାନ୍ତି।
ମଧୁର ବାଣୀ
ବିଦୁର ନୀତି ଅନୁଯାୟୀ ଯେଉଁ ସ୍ତ୍ର ଏବଂ ପୁରୁଷ ମଧୁର ବଚନ କହିଥାନ୍ତି, ତାଙ୍କ ଉପରେ ମା’ ସରସ୍ବତୀଙ୍କର ଆର୍ଶୀବାଦ ରହିଥାଏ। କାରଣ ଶାସ୍ତ୍ରରେ ଉଲ୍ଳେଖ ରହିଛି ମଧୁର ବାଣୀରେ ମା’ ସରସ୍ବତୀ ବାସ କରିଥାନ୍ତି। ସେହିପରି ଖରାପ ଏବଂ କଟୁ ବଚନ କହୁଥିବା ବ୍ୟକ୍ତିମାନଙ୍କ ସ୍ବଭାବ ମଧ୍ୟ ତାଙ୍କ ଭାଷା ପରି ଖରାପ ହୋଇଥାଏ। ବିଦୁରଙ୍କ ନୀତି ଅନୁଯାୟୀ ଯେଉଁ ବ୍ୟକ୍ତି ମଧୁର ବାଣୀର ସ୍ବାମୀ, ଭାଗ୍ୟ ମଧ୍ୟ ତାଙ୍କର ସାଥ୍ ଦେଇଥାଏ।
ନିରୋଗୀ କାୟା
ରୋଗ ହେବା ଦ୍ବାରା ମନୁଷ୍ୟ ଶରୀର ଦୁର୍ବଳ ହୋଇଯାଇଥାଏ। ରୋଗ ମଣିଷର ମାନସିକ ଏବଂଶାରୀରିକ ଶକ୍ତି ନଷ୍ଟ କରିଦେଇଥାଏ। ଯେଉଁ କାରଣରୁ କୌଣସି ଭି କାର୍ୟ୍ୟ ଠିକ ରୂପେ ହୋଇପାରିନଥାଏ। ବାରମ୍ବାର ରୋଗ ହେବା ଦ୍ବାରା ବ୍ୟକ୍ତିର ସଞ୍ଚିତ ଧନ ମଧ୍ୟ ଶେଷ ହୋଇଯାଇଥାଏ। ଯଦି ମଣିଷ ନିରୋଗୀ ହୋଇଥାଏ, ତେବେ ସେ ଭାଗ୍ୟଶାଳୀ ହୋଇଥାଏ। ଧରିତ୍ରୀରେ ନିରୋଗୀ ଥିବା ବ୍ୟକ୍ତି ସମସ୍ତ ସୁଖ ଭୋଗ କରିଥାନ୍ତି।
ଭଲ ଆଚରଣ ଥିବା ମହିଳା
ମାନ୍ୟତା ରହିଛି ଏକ ସଫଳ ବ୍ୟକ୍ତି ପଛରେ ଜଣେ ସ୍ତ୍ରୀର ହିଁ ହାତ ରହିଥାଏ। ଜଣେ ସ୍ତ୍ରୀ ଚାହିଁଲେ ଘରକୁ ସ୍ବର୍ଗ ବା ନର୍କରେ ବଦଳାଇ ପାରିବେ। ଭଳ ଆଚରଣ ଥିବା ମହିଳାମାନେ ଘରର ପରିବେଶ ସର୍ବଦା ସୁଖମୟ ରଖିଥାନ୍ତି। ଯେଉଁ ବ୍ୟକ୍ତିଙ୍କ ପାଖରେ ଏଭଳି ଧର୍ମ ପତ୍ନୀ ରହିଥାନ୍ତି, ସେହି ବ୍ୟକ୍ତି ବାସ୍ତବରେ ଭାଗ୍ୟଶାଳୀ ହୋଇଥାନ୍ତି। ଏହି ଗୁଣ ଥିବା ମହିଳାମାନେ ସର୍ବଦା ପରିବାର ସହ ମିଶି ରହିବା ପାଇଁ ଭଲପାଇଥାନ୍ତି। ଏହି କାରଣରୁ ଘରେ ଏକତା ରହିଥାଏ। ଭଲ ଆଚରଣ ଥିବା ସ୍ତ୍ରୀ ଲୋକ ଘରର ଲକ୍ଷ୍ମୀ ସମାନ ହୋଇଥାନ୍ତି।
ଆଜ୍ଞାକାରୀ ସନ୍ତାନ
ପ୍ରତ୍ୟେକ ଦମ୍ପତିଙ୍କର ଇଛା ଥାଏ ତାଙ୍କ ସନ୍ତାନ ଆଜ୍ଞାକାରୀ ହେବା ସହ କୂଳର ନାମ ରକ୍ଷା କରୁ। ବିଦୁର ଆଜ୍ଞାକାରୀ ସନ୍ତାନର ତୁଳନା ସେହି ସୁଗନ୍ଧିତ ପୁଷ୍ପ ସହ କରିଛନ୍ତି, ଯିଏ ସମସ୍ତ ଉପବନରେ ସୁଗନ୍ଧ ମହକାଇ ଥାଏ। ସେହିପରି ସନ୍ତାନ ଆଜ୍ଞାକାରୀ ନହେବା ଦ୍ବାରା, ସମସ୍ତ କୁଳର ବିନାଶ କରିଥାନ୍ତି। ଯେଉଁ ବ୍ୟକ୍ତିମାନଙ୍କର ସନ୍ତାନ ଆଜ୍ଞାକାରୀ ହୋଇଥାନ୍ତି ସେମାନେ ସୁଖୀ ଏବଂ ଭାଗ୍ୟଶାଳୀ ହୋଇଥାନ୍ତି।




