ପିକେ ଆରେଷ୍ଟ..

ବିପିଏସସି ପରୀକ୍ଷା ରଦ୍ଦ ଦାବିରେ ପରୀକ୍ଷାର୍ଥୀଙ୍କ ସହ ଆନ୍ଦୋଳନରେ ବସିଥିବା ପ୍ରଶାନ୍ତ କିଶୋରଙ୍କୁ ପୁଲିସ ଗିରଫ କରିଛି। ଭୋର୍ ୪ଟାରେ ପୁଲିସ ପ୍ରଶାନ୍ତଙ୍କୁ ଆନ୍ଦୋଳନସ୍ଥଳରୁ ଜବରଦସ୍ତି ଉଠାଇଥିଲା। ତେବେ ପ୍ରଶାନ୍ତଙ୍କୁ ଉଠାଇବା ବେଳେ ପୁଲିସ ଚାପୁଡ଼ା ମାରିଥିବାର ଆରୋପ ଲଦିଛନ୍ତି ପ୍ରଶାନ୍ତଙ୍କ ସମର୍ଥକ। ବିହାର ଲୋକସେବା ଆୟୋଗରେ ଅନିୟମିତତାକୁ ନେଇ ଜାନୁଆରୀ ୨ରୁ ପାଟଣାସ୍ଥିତ ଗାନ୍ଧୀ ମୈଦାନରେ ପ୍ରଦର୍ଶନ କରିଆସୁଥିଲେ ପ୍ରଶାନ୍ତ। ଆମରଣ ଅନଶନରେ ବସିଥିବା ଜନ ସ୍ୱରାଜ ଦଳର ମୁଖ୍ୟ ପ୍ରଶାନ୍ତଙ୍କୁ ସୋମବାର ପୁଲିସ ଗିରଫ କରିଛି। ପ୍ରଶାନ୍ତଙ୍କୁ ପୁଲିସ ଉଠାଇବା ବେଳେ ସେଠାରେ ଉପସ୍ଥିତ ଅନ୍ୟମାନେ ବିରୋଧ କରିବାରୁ ପୁଲିସ ଲାଠିଚାର୍ଜ କରିଥିଲା। କାରଣ ଏହି ସ୍ଥାନରେ ଧାରଣା ଦେବାକୁ ଅନୁମତି ନଥିଲା।
ଏମିତିରେ ମୁଜାଫରପୁର କୋର୍ଟରେ ବିପିଏସସି ଛାତ୍ରଙ୍କୁ ଉସୁକାଇବା ଆରୋପରେ ପ୍ରଶାନ୍ତଙ୍କ ଉପରେ ବି କେସ୍ ହୋଇଛି। ପ୍ରଶାନ୍ତଙ୍କୁ ଗିରଫ ପରେ ପୁଲିସ କହିଛି, ଗାନ୍ଧୀ ମୈଦାନ ଖାଲି କରିଦିଆଯାଇଛି। ପିକେଙ୍କୁ ଧାରଣାସ୍ଥଳରୁ ନେଇ ପୁଲିସ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲା। ପିକେଙ୍କୁ ପୁଲିସ ନିଜ ହେପାଜତକୁ ନେବା ପୂର୍ବରୁ ଜାନୁଆରୀ ୭ରେ ବିପିଏସସି ଅନିୟମିତତା ନେଇ ହାଇକୋର୍ଟର ଦ୍ୱାରସ୍ଥ ହେବେ ବୋଲି କହିଥିଲେ ପ୍ରଶାନ୍ତ। ଏହା ସହ ଅପିଲ୍ ବି କରିଥିଲେ ଯେ, ଆରଜେଡି ନେତା ତଥା ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଛାତ୍ର ଆନ୍ଦୋଳନର ନେତୃତ୍ୱ ନିଅନ୍ତୁ। କାରଣ ତେଜସ୍ୱୀ ଜଣେ ବଡ଼ ନେତା ଓ ବିହାର ବିଧାନସଭାରେ ବିରୋଧୀ ଦଳ ନେତା ବି। ପିକେଙ୍କ ଗିରଫଦାରି ପରେ ରାଜନୀତି ବି ତେଜିଛି। ଆରଜେଡି କହିଛି, ପିକେଙ୍କ ଭିଆଇପି ଅନଶନ ଥିଲା। ଖାଇପିଇ ଆନ୍ଦୋଳନରତ ଛାତ୍ରଙ୍କୁ ସମର୍ଥନ ଆଳରେ ରାଜନୀତି ରୋଟି ସେକିବାକୁ ଯାଇଥିଲେ ପିକେ। ବିଜେପି ସହ ପିକେଙ୍କ ମିଲିଭଗତ ଥିଲା। ଯଦି ଗାନ୍ଧୀମୈଦାନରେ ଆନ୍ଦୋଳନ ଲାଗି ପ୍ରତିବନ୍ଧକ ଅଛି। ତା ହେଲେ ଦୁଇ ଦିନ ହେଲା ପ୍ରଶାନ୍ତ କେମିତି ସେଠାରେ ଅନଶନରେ ବସିଥିଲେ। ପ୍ରଥମ ଦିନରୁ କାହିଁକି ପୁଲିସ ହଟାଇଲାନି। ସରକାରଙ୍କ ଦ୍ୱାରା ପ୍ରାୟୋଜିତ ଆନ୍ଦୋଳନକୁ ଛାତ୍ର ଓ ଯୁବକ ବେଶ୍ ବୁଝିଲେଣି। ବିଜେପି କହିଛି, ପିକେଙ୍କ ରାଜନୀତିର ଅନ୍ତ ହେବାକୁ ଯାଉଛି। ପ୍ରଶାସନର ତାଗିଦ୍ ପରେ ବି ପ୍ରଶାନ୍ତ ବେଆଇନ ଭାବେ ଅନଶନ କରୁଥିଲେ। ବେଆଇନ ଗତିବିଧିକୁ ରୋକିବାକୁ ପୁଲିସ ଓ ପ୍ରଶାସନ ନିଜ କାମ କରୁଛି।
ବିପିଏସସି କହିଥିଲା, ଡିସେମ୍ୱର ୧୩ରେ ହୋଇଥିବା ପରୀକ୍ଷାରେ ଆଶାୟୀଙ୍କୁ ଆଉ ଥରେ ପରୀକ୍ଷା ଦେବାକୁ ସୁଯୋଗ ମିଳିଥିଲା। ପ୍ରଶ୍ନପତ୍ର ଲିକ୍ ମାମଲାରେ ଏହି ସୁଯୋଗ ମିଳିଥିଲା। ୨୨ଟି କେନ୍ଦ୍ରରେ ୧୨ହଜାର ପରୀକ୍ଷାର୍ଥୀଙ୍କ ଭିତରୁ ପ୍ରାୟ ୮ହଜାରରୁ ଉର୍ଦ୍ଧ୍ୱ ପରୀକ୍ଷାର୍ଥୀ ନିଜର ଆଡମିଟ୍ କାର୍ଡ ଡାଉନଲୋଡ୍ କରିଥିଲେ। କିନ୍ତୁ ଜାନୁଆରୀ ୪ରେ ଦ୍ୱିତୀୟ ଥର ପରୀକ୍ଷା ଦେଇଥିଲେ ୫ହଜାର ୯୪୩ ପରୀକ୍ଷାର୍ଥୀ। ଏଥର କୌଣସି କେନ୍ଦ୍ରରେ ପରୀକ୍ଷାକୁ ନେଇ କୌଣସି ଗଡ଼ବଡ଼ି ହୋଇନି।