ସାମ୍ୱାଦିକ ହତ୍ୟା- ମାଷ୍ଟରମାଇଣ୍ଡ ଆରେଷ୍ଟ୍

ଛତିଶଗଡ଼ ବିଜାପୁର ସାମ୍ୱାଦିକ ମୁକେଶ ଚନ୍ଦ୍ରକାର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ତଥା ମାଷ୍ଟରମାଇଣ୍ଡ ସୁରେଶ ଚନ୍ଦ୍ରକାରଙ୍କୁ ପୁଲିସ ଗିରଫ କରିଛି। ବିଳମ୍ୱିତ ରାତିରେ ସୁରେଶକୁ ହାଇଦ୍ରାବାଦରୁ ଗିରଫ କରିଛି ଏସଆଇଟି। ମୁକେଶଙ୍କ ସମ୍ପର୍କୀୟ ଭାଇ ଅଟେ ସୁରେଶ। ପେଶାରେ ଠିକାଦାର। ସୁରେଶ ନିଜର ଡ୍ରାଇଭର ଘରେ ଲୁଚିଥିଲା। ତାକୁ ଧରିବାକୁ ପୁଲିସ ୨ଶହ ସିସିଟିଭି ଫୁଟେଜ୍ ଓ ପ୍ରାୟ ୩ଶହ ମୋବାଇଲ ନମ୍ୱରକୁ ଟ୍ରାକ୍ କରିଥିଲା। ସୁରେଶର ପତ୍ନୀଙ୍କୁ ବି କାଙ୍କେର ଜିଲ୍ଲାରୁ ଗିରଫ କରାଯାଇଛି।
ସେପଟେ ମୁକେଶଙ୍କ ଶବ ବ୍ୟବଛେଦ ରିପୋର୍ଟ ଆସିଛି। କେତେ ବର୍ବରତାର ସହ ମୁକେଶଙ୍କୁ ଅଭିଯୁକ୍ତମାନେ ହାଣିଥିଲେ, ଶବ ବ୍ୟବଛେଦ ରିପୋର୍ଟ କହୁଛି। ମାରିବା ଆଗରୁ ନାନା ନିର୍ଯ୍ୟାତନା ଦିଆଯାଇଥିଲା। କ୍ରୁରତାର ସବୁ ସୀମା ଟପିଯାଇଥିଲା ଯେମିତି। ଲିଭରକୁ ୪ ଖଣ୍ଡ କରିଥିଲେ। ବେକକୁ ଭାଙ୍ଗି ଦେଇଥିଲେ। ହାତର ହାଡ଼କୁ ଦୁଇ ଗଡ଼ କରିଥିଲେ ହତ୍ୟାକାରୀ। ମୁଣ୍ଡରେ ୧୫ରୁ ଅଧିକ କ୍ଷତ ଥିଲା। କୁରାଢ଼ୀରେ ଯେଉଁଠି ପାରିଲେ ସେଇଠି ଚୋଟ ପକାଇଥିଲେ। ପୋଷ୍ଟମର୍ଟମ କରିଥିବା ଡାକ୍ତର ବି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଯେଉଁ ଡାକ୍ତର ଶବ ବ୍ୟବଛେଦ କରିଥିଲେ, ସେ କହିଛନ୍ତି ତାଙ୍କ ୧୨ ବର୍ଷର ଚାକିରୀ କାଳରେ ଏଭଳି ନିର୍ମମ ହତ୍ୟା ସେ କେବେ ଦେଖିନଥିଲେ।
ମୁକେଶଙ୍କୁ ହତ୍ୟା ମାମଲାରେ ସାମିଲ୍ ତିନି ଅଭିଯୁକ୍ତ ରିତେଶ ଚନ୍ଦ୍ରାକର, ଦିନେଶ ଚନ୍ଦ୍ରାକର ଓ ମହେନ୍ଦ୍ର ରାମଟେକଙ୍କୁ ପୁଲିସ ପୂର୍ବରୁ ଗିରଫ କରି ଜେଲ୍ ପଠାଇସାରିଛି। ମୁଖ୍ୟ ଅଭିଯୁକ୍ତ ସୁରେଶର ବ୍ୟାଙ୍କ ଆକାଉଣ୍ଟ ସିଜ୍ କରିଛି ପୁଲିସ। ଦିନେଶ, ରିତେଶ ଓ ସୁରେଶ ଏହି ୩ ଅଭିଯୁକ୍ତ ମୁକେଶଙ୍କ ଦାଦା ପୁଅ ଭାଇ। ଜାନୁଆରୀ ପହିଲାରୁ ଅଚାନକ ଗାଏବ ହୋଇଯାଇଥିଲେ ମୁକେଶ। ଜାନୁଆରୀ ୩ରେ ମୁକେଶଙ୍କ ଶବ ସୁରେଶଙ୍କ ପାଇଖାନା ଟାଙ୍କିରୁ ଜବତ କରାଯାଇଥିଲା। ଘରକୁ ଡାକି ଆଗ ଖାଇବାକୁ ଦେଇଥିଲେ ଅଭିଯୁକ୍ତ। ଖାଇବା ପରେ ମାଡ଼ ମାରି ଅଧମରା କରିଦେଇଥିଲେ ମୁକେଶଙ୍କୁ। ତା ପରେ ଗଲା ଚିପି ଧାରୁଆ ଅସ୍ତ୍ରରେ ହାଣିଥିଲେ। ଶହେ କୋଟି ଟଙ୍କାର ରାସ୍ତା କାମରେ ଦୁର୍ନୀତି ହୋଇଥିବା ନେଇ ନିଜ ୟୁଟ୍ୟୁବ ଚାନେଲ ବସ୍ତର ଜଂକସନରେ ପ୍ରସାରଣ କରିଥିଲେ ମୁକେଶ। ଏହି ରିପୋର୍ଟ ଭିତ୍ତିରେ ସରକାର ତଦନ୍ତ ନିର୍ଦେଶ ଦେବା ପରେ ରକ୍ତମୁଖା ହୋଇପଡ଼ିଥିଲେ ଠିକାଦାର ସୁରେଶ ଓ ତାଙ୍କ ଦୁଇ ଭାଇ। ଆଉ ସବୁଦିନ ଲାଗି ରାସ୍ତାରୁ ମୁକେଶଙ୍କୁ ହଟାଇବାକୁ ପଣ କରିଥିଲେ।