ପ୍ରମୁଖ ରାଜନୀତି ଦଳ ପାଇଁ କେମିତି ରହିଲା ୨୦୨୪ ?

କେମିତି ରହିଲା ୨୦୨୪। ପ୍ରମୁଖ ରାଜନୀତି ଦଳ ପାଇଁ କେତେ ଥିଲା ଚ୍ୟାଲେଞ୍ଜ। ନୂଆବର୍ଷ ୨୫ରେ କଅଣ ରହିଛି ଆହ୍ୱାନ। ଏମିତି ମାନସମନ୍ଥନ ଭିତରେ ସର୍ବାଧିକ କାଳ ଓଡ଼ିଶା ଶାସନଭାରର ମଙ୍ଗ ଧରିଥିବା ବିଜେଡି ଓ ଏହାର ମଙ୍ଗୁଆଳ ନବୀନଙ୍କ ଲାଗି ବେଶ୍ ତାତ୍ପର୍ଯ୍ୟପୂର୍ଣ୍ଣ ସହ ବେଶ୍ ଶିକ୍ଷଣୀୟ ବର୍ଷ ଭାବେ ମୁକସାକ୍ଷୀ ଥିଲା ୨୪। ଶାସନ କ୍ଷମତାରୁ ବିଜେଡି ଚାଲିଗଲା। ଦେଶର ସର୍ବାଧିକ କାଳ ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟରୁ ବଞ୍ଚିତ ହେଲେ ନବୀନ। କ୍ଷମତାରୁ ଯିବା ପଛରେ ପାଣ୍ଡିଆନ, ବବି ନା ଖୋଦ୍ ନବୀନ ଦାୟୀ କହି ଅନେକ ଝଡ଼ ବହିଥିଲା। ଦଳର ବିପର୍ଯ୍ୟୟ ପରେ ରାଜନୀତିରୁ ସନ୍ୟାସ ନେଇଗଲେ ପାଣ୍ଡିଆନ୍। ଲୋକସଭାରେ ସମ୍ପୂର୍ଣ୍ଣ ମୂଳପୋଛ ବିଜେଡି ରାଜ୍ୟସଭାରେ ବି ଟଳମଳ ହେଲା। ମମତା ଓ ସୁଜିତ୍ ବିଜେଡି ଛାଡ଼ି ବିଜେପିରେ ମିଶି ପୁଣି ପଦ୍ମ ଶିବିରରୁ ରାଜ୍ୟସଭା ଗଲେ। ଦଳୀୟ ଅନୁଶାସନ ଓ ଶୃଙ୍ଖଳା ବି ବିଗିଡ଼ିଛି। ମୋଟ୍ ଉପରେ କହିବାକୁ ଗଲେ ୨୪ ବିଜେଡି ଲାଗି ଶୁଭଙ୍କର ନଥିଲା। ଅନେକ ଦଳ ଛାଡ଼ି ବିଜେପିରେ ମିଶିଲେଣି। ସେଥିଲାଗି ଦଳରେ ଥିବା ମତାନ୍ତର, ମନାନ୍ତର ଦୂର କରି ନିର୍ବାଚନମଣ୍ଡଳୀରେ ଜାରି ଥିବା ସମାନ୍ତରାଳ ସଭାରୁ ଉପୁଜିଥିବା ଗୋଷ୍ଠୀ ବିବାଦ ପ୍ରଶମିତ କରିବା ବିଜେଡି ଲାଗି ବଡ଼ ଚ୍ୟାଲେଞ୍ଜ। ସଂଗଠନକୁ ପୁଣି ମଝଭୁତ୍ କରି ଲୋକଙ୍କ ଆସ୍ଥା ଜିଣିବାକୁ ସୁପ୍ରିମୋ ଦେଇଥିବା ଗୁରୁମନ୍ତ୍ରକୁ ଗ୍ରାଉଣ୍ଡରେ ପହଞ୍ଚାଇବାକୁ ପଡ଼ିବ। ଦଳୀୟ ପ୍ରତିଷ୍ଠା ଦିବସରେ ନବୀନ ଦେଇଥିବା ଟାସ୍କ ଓ ଟାର୍ଗେଟ ହାସଲ କରିବାକୁ ପଡ଼ିବ।
ସେପଟେ ୨୪ରେ କଂଗ୍ରେସର ଉତଥାନ ହୋଇଛି ସତ। ବିଧାନସଭାରେ ଆସନ ସଂଖ୍ୟା ବଢ଼ିଛି। କିନ୍ତୁ ପରାଜୟ ପରେ ସଭାପତି ଥିବା ଶରତ ପଟ୍ଟନାୟକଙ୍କୁ ଅପମାନଜନକ ବିଦା, ବିଧାନସଭା ଭିତରେ ଦୁଇ ବିଧାୟକ ରାଜେନ ଏକ୍କା ଓ ଦାଶରଥୀ ଗମାଙ୍ଗଙ୍କ ଭିତରେ ଗାଳିଗୁଲଜ, ବର୍ଷ ସରିଗଲା ସିନା ହେଲେ ନୂଆ ମଙ୍ଗୁଆଳ ପାଇଲାନି ଦଳ। ଏ ସବୁ ଭିତରେ ବି କଂଗ୍ରେସ ଭିତରେ ଆଭ୍ୟନ୍ତରୀଣ କନ୍ଦଳ ହେଉ ଅବା ପିସିସି ସଭାପତି ଲାଗି ଦିଲ୍ଲୀ ଦୌଡ଼ ଅପେକ୍ଷାକୃତ ଏଥର କମ୍ ଦେଖିବାକୁ ମିଳିଥିଲା। ନୂଆ ବର୍ଷରେ ନୂଆ ମଙ୍ଗୁଆଳ ପାଇ ଆଗାମୀ ଦିନରେ ଦଳକୁ ମଝଭୁତ୍ କରିବାକୁ ଅଣ୍ଟା ଭିଡ଼ିବ ବୋଲି କହିଛି ଦଳ।
ଆଉ ୨୪ ବେଶ୍ ଶୁଭଙ୍କର ସାବ୍ୟସ୍ତ ହେଲା ବିଜେପିକୁ। ପ୍ରଥମ ଥର ଏକାକୀ ଓଡ଼ିଶା ଶାସନ ଡୋରି ଧରିବାରେ ସକ୍ଷମ ହେଲା ଦଳ। ମୋହନ ମାଝୀଙ୍କ ମୁଣ୍ଡରେ ମୁଖ୍ୟମନ୍ତ୍ରୀ ମୁକୁଟ ଭିଡ଼ି ନିଜର ଅନେକ ଲୋକାଭିମୁଖୀ ଯୋଜନାକୁ ନେଇ ଲୋକଙ୍କର ସରକାର ଭାବେ ନିଜକୁ ନିରନ୍ତର ପ୍ରମାଣିତ କରିବାରେ ଲାଗିଛି ଦଳ। ୬ ମାସର ସରକାର ଭାବେ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା, ଚାଷୀଙ୍କୁ ଏମଏସପି, ମହିଳା ସଶକ୍ତିକରଣର ପ୍ରତୀକ ସୁଭଦ୍ରା, ରତ୍ନଭଣ୍ଡାର ଖୋଲି ଏହାର ଗଣତିମଣତି ପ୍ରକ୍ରିୟା ଆଦି ଅନେକ ପଦକ୍ଷେପ ନେଇଛନ୍ତି। ଲୋକଙ୍କ ନୂ଼୍ଆ ସରକାର ପ୍ରତି ଯାହା ଅପେକ୍ଷା ରହିଛି, ତାଠୁ ଅଧିକ କରିବାକୁ ମୋହନ ସରକାର ସଂକଳ୍ପବଦ୍ଧ। ୨୦୨୫ ବିକଶିତ ଓଡ଼ିଶାର ମୂଳଦୂଆ ପଡ଼ିବାର ବର୍ଷ ସାଜିବ। ୩ ପ୍ରମୁଖ ଦଳ ଲାଗି ଯେତିକି ଚ୍ୟାଲେଞ୍ଜ ଥିଲା ସେତିକି ଆହ୍ୱାନପୂର୍ଣ୍ଣ ଥିଲା ବର୍ଷ ୨୦୨୪। ୨୫ରେ କେମିତି ନିଜକୁ ସଜାଡ଼ି ଆଗକୁ ନେବେ ଆଉ ଲୋକଙ୍କ ଆସ୍ଥାଭାଜନ ହେବେ, ତାହା ହିଁ ବଡ଼ ଟାସ୍କ ସାଜିଛି ଦଳଗୁଡ଼ିକ ଲାଗି।




