ରାଜ୍ୟ

ପୁରୁଲିଆରୁ ବାଙ୍କୁଡ଼ା ଚାଲିଗଲା ‘ଜୀନତ୍‌’: ଟ୍ରାଙ୍କୁଲାଇଜ୍‌ ଉଦ୍ୟମ ବିଫଳ

ବାରିପଦା: ଆଜି ବାଘୁଣୀ ‘ଜୀନତ୍‌’କୁ ଟ୍ରାଙ୍କୁଲାଇଜ୍‌ କରିବା ଉଦ୍ୟମ ବିଫଳ ହୋଇଛି। ଟ୍ରାଙ୍କୁଲାଇଜ୍ ସଟ୍‌ ଲକ୍ଷ୍ୟଭ୍ରଷ୍ଟ ହୋଇଥିବାବେଳେ ବାଘୁଣୀଟି ଏବେ ପଶ୍ଚିମବଙ୍ଗ ବାଙ୍କୁଡ଼ା ଜିଲ୍ଲାର ଏକ ଗ୍ରାମ୍ୟ ଜଙ୍ଗଲରେ ବୁଲୁଛି। ସୂଚନା ଅନୁଯାୟୀ; ପଶ୍ଚିମବଙ୍ଗର ପୁରୁଲିଆ ଜିଲ୍ଲା ବୁଦୱାନ୍‌ ଜଙ୍ଗଲରୁ ପ୍ରାୟ ୩୦ କିମି ଅତିକ୍ରମ କରି ଆଜି ସକାଳେ ବାଙ୍କୁଡ଼ା ଜିଲ୍ଲା ରାଣୀବନ୍ଧ ନିକଟସ୍ଥ ଗ୍ରାମ୍ୟ ଜଙ୍ଗଲରେ ପହଞ୍ଚିଥିଲା ଜୀନତ୍। ସକାଳୁ ସ୍ଥାନୀୟ ଲୋକେ ବାଘୁଣୀର ଗର୍ଜନ ଶୁଣିଥିଲେ ଏବଂ ପାଦଚିହ୍ନ ମଧ୍ୟ ଦେଖିବାକୁ ପାଇଥିଲେ। ବାଘୁଣୀ ବେକରେ ଲାଗିଥିବା ରେଡିଓ କଲାର୍‌ ସିଗ୍‌ନାଲ୍‌କୁ ଟ୍ରାକ୍ କରି ବନ କର୍ମଚାରୀମାନେ ସେଠାରେ ପହଞ୍ଚିଥିଲେ। ଜୀନତ୍‌ ଗାଁଠାରୁ ଅଳ୍ପ ଦୂର ମୁକୁଟମଣିପୁର ଜଳଭଣ୍ଡାର ନିକଟସ୍ଥ ଏକ ଛୋଟ ଜଙ୍ଗଲରେ ଥିବା ଜଣାପଡ଼ିଥିଲା। ଏହାପରେ ଜଙ୍ଗଲର ବିଭିନ୍ନ ପାର୍ଶ୍ବରେ ଦଉଡ଼ି ଘେରା ଯାଇଥିଲା। ଏକାଧିକ ପିଞ୍ଜରା ବସାଯିବା ସହ ଶିକାର ପାଇଁ ଦୁଇଟି ମଇଁଷି ମଧ୍ୟ ବନ୍ଧା ଯାଇଥିଲା। ଅପରାହ୍‌ଣରେ ବାଘୁଣୀଟି ମଇଁଷି ପାଖକୁ ଆସିଥିଲା।

ଏହି ସମୟରେ ଟ୍ରାଙ୍କୁଲାଇଜ୍‌ କରିବାକୁ ଉଦ୍ୟମ ହୋଇଥିଲା। ତେବେ ଟ୍ରାଙ୍କୁଲାଇଜର୍‌ ସଟ୍‌ ବାଘୁଣୀ ଦେହରେ ବାଜି ନଥିଲା। ତେଣୁ ବାଘୁଣୀଟି ଜଙ୍ଗଲ ଭିତରକୁ ପଳାଇଥିବା ପଶ୍ଚିମବଙ୍ଗ ବନ ବିଭାଗର ଜଣେ ଅଧିକାରୀ କହିଛନ୍ତି। ଶେଷ ଖବର ସୁଦ୍ଧା ବାଙ୍କୁଡ଼ା ଜିଲ୍ଲା ରାଣୀବନ୍ଧ ବ୍ଲକ୍‌ ପୁଡ଼ଡ଼ି ପଞ୍ଚାୟତ ବରୁଣିଆ ଓ ଗୋସାଇଁଡିହି ଗାଁକୁ ଲାଗି ରହିଥିବା ଗ୍ରାମ୍ୟ ଜଙ୍ଗଲରେ ‘ଜୀନତ୍‌’ ବୁଲୁଛି। ବାଘୁଣୀକୁ ଏହି ଜଙ୍ଗଲ ଭିତରେ ହିଁ କାବୁ କରିବା ପାଇଁ ଯୋଜନା ଚାଲିଛି। ଜଙ୍ଗଲ ଚାରିପଟେ ଜାଲ ଘେରାଯାଇଛି। ସେହିପରି ଜଙ୍ଗଲ ପାଖ ଅନେକ ସ୍ଥାନରେ ନିଆଁ ଲଗାଇ ବାଘୁଣୀକୁ ଜଙ୍ଗଲ ଭିତରେ ରଖିବାକୁ ଶତାଧିକ ବନ କର୍ମଚାରୀ ଉଦ୍ୟମ ଚଳାଇଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button