ରାଜ୍ୟ

ମାଟ୍ରିକ ପରୀକ୍ଷାର ହେବ ଲାଇଭ୍‌ ଷ୍ଟ୍ରିମିଂ: ସ୍ବଚ୍ଛ, ଶୃଙ୍ଖଳିତ ପରୀକ୍ଷା ପରିଚାଳନା ପାଇଁ ବୋର୍ଡର ପ୍ରୟାସ

କଟକ: ଚଳିତବର୍ଷ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା (ମାଟ୍ରିକ)ର ଲାଇଭ୍ ଷ୍ଟ୍ରିମିଙ୍ଗ୍‌ ବ୍ୟବସ୍ଥା ହେବ। ପରୀକ୍ଷା ଚାଲୁଥିବା ବେଳେ ପରୀକ୍ଷା କେନ୍ଦ୍ର କର୍ତ୍ତୃପକ୍ଷଙ୍କ ସଂପୂର୍ଣ୍ଣ ନିୟନ୍ତ୍ରଣରେ ରହିବ। ମାଟ୍ରିକ୍ ପରୀକ୍ଷାରେ କପି ରୋକିବା ସହ ପ୍ରଶ୍ନପତ୍ର ଭାଇରାଲ ଭଳି ଅନିୟମିତତାକୁ ପ୍ରତିହତ କରିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) କର୍ତ୍ତୃପକ୍ଷ ଏଭଳି ବୈଷୟିକ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ଲାଇଭ୍‌ ଷ୍ଟ୍ରିମିଙ୍ଗ୍‌ ବ୍ୟବସ୍ଥା ରାଜ୍ୟର ସମସ୍ତ‌ ପରୀକ୍ଷା କେନ୍ଦ୍ରରେ କିଭଳି କାର୍ଯ୍ୟକାରୀ ହୋଇପାରିବ ‌ସେଥିପାଇଁ ବୋର୍ଡ କର୍ତ୍ତୃପକ୍ଷ ବିଭିନ୍ନ ଆଇଟି ଫାର୍ମରୁ ଟେଣ୍ଡର ଆହ୍ବାନ କରିଥିବା ସୂଚନା ମିଳିଛି।

ଆସନ୍ତା ଫେବ୍ରୁଆରି ୨୧ତାରିଖରୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଚାଲିବ। ରାଜ୍ୟରେ ସାଢ଼େ ୫ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପ୍ରାୟ ୩ହଜାର ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ‌ଦେ‌ବେ। ମାଟ୍ରିକ୍ ପରୀକ୍ଷା ଭଳି ସର୍ବବୃହତ ପରୀକ୍ଷାରେ ସ୍ବଚ୍ଛତା ଓ ଶୃଙ୍ଖଳା ଆଣିବା ପାଇଁ ବୋର୍ଡ କର୍ତ୍ତୃପକ୍ଷ ପ୍ରଥମ ଥର ପାଇଁ ଲାଇଭ୍ ଷ୍ଟ୍ରିମିଙ୍ଗ୍‌ ବ୍ୟବସ୍ଥା କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ଏଥିପାଇଁ ରାଜ୍ୟ ତଥା ରାଜ୍ୟ ବାହାରର ପ୍ରମୁଖ ଆଇଟି ‌ଫାର୍ମଠାରୁ ଟେଣ୍ଡର ଆହ୍ବାନ କରାଯିବା ସହିତ ଏହା କେତେ ଫଳପ୍ରଦ ହେବ, ‌ସେ ନେଇ ସମୀକ୍ଷା ଚାଲିଛି। ମାଟ୍ରିକ୍ ପରୀକ୍ଷାର ଲାଇଭ୍ ଷ୍ଟ୍ରିମିଙ୍ଗ୍‌ ହେଲେ ପରୀକ୍ଷା କେନ୍ଦ୍ରରେ କ’ଣ ଚାଲିଛି, ତାହା ବୋର୍ଡ କର୍ତ୍ତୃପକ୍ଷ ମୁଖ୍ୟ କାର୍ଯ୍ୟାଳୟରେ ଥାଇ ଜାଣିପାରିବେ। ସେହି ଅନୁସାରେ, ଯେଉଁ ପରୀକ୍ଷା କେନ୍ଦ୍ରରେ କିଛି ଅବ୍ୟବସ୍ଥା ବା ଅନିୟମିତା ଘଟିଲା, ବୋର୍ଡ କର୍ତ୍ତୃପକ୍ଷ ତୁରନ୍ତ ତାହାର ପ୍ରତିକାର ବ୍ୟବସ୍ଥା କରିବେ। ଏହାଦ୍ବାରା ପରୀକ୍ଷ‌ାରେ କପି ଅଥବା ପ୍ରଶ୍ନପତ୍ର ଭାଇରାଲ ରୋକିବା ସହଜ ହେବ ବୋଲି ବୋର୍ଡ ପକ୍ଷରୁ କୁହାଯାଉଛି।

୨୦୨୪ ମାଟ୍ରିକ୍ ପରୀକ୍ଷାରେ କୃତ୍ରିମ ବୁଦ୍ଧିମତା (ଆର୍ଟିଫିସିଆଲ ଇଣ୍ଟେଲିଜେନ୍‌ସ୍‌) ବ୍ୟବସ୍ଥା କରାଯାଇଥିବା ବେଳେ ଅନେକ କ୍ଷେତ୍ରରେ ଏହା କପି ରୋକିବାରେ ସଫଳ ‌ହୋଇଥିଲା। ଚଳିତବ‌ର୍ଷ ନୂଆ କରି ଲାଇଭ୍ ଷ୍ଟ୍ରିମିଙ୍ଗ୍ ବ୍ୟବସ୍ଥା କେତେ ଫଳପ୍ରଦ ହେବ, ସେ ନେଇ ବୋର୍ଡ ପକ୍ଷରୁ ଆଲୋଚନା ଚାଲିଛି। ଏ ସଂକ୍ରାନ୍ତରେ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)ର ପୂର୍ବତନ ସଭାପତି ଡକ୍ଟର ସତ୍ୟକାମ ମିଶ୍ର କହିଛନ୍ତି, ରାଜ୍ୟର ଅନେକ ଦୁର୍ଗମ ଅଞ୍ଚଳରେ ମାଟ୍ରିକ୍ ପରୀକ୍ଷା ଅନୁଷ୍ଠିତ ହେଉଛି। ଯେଉଁଠାରେ ପରୀକ୍ଷାରେ ଅନିୟମିତତା ରୋକିବାକୁ ଟେକ୍ନୋଲୋଜି ପ୍ରୟୋଗର ଆବଶ୍ୟକତା ରହିଛି। କିନ୍ତୁ ପରୀକ୍ଷା ପରିଚାଳନା ଦାୟିତ୍ୱରେ ଥିବା ବ୍ୟକ୍ତିମାନେ ଯଦି ଦାୟିତ୍ବବାନ ନ ହେବେ ଟେକ୍ନୋଲୋଜି ସମ୍ପୂର୍ଣ ମାତ୍ରାରେ ପରୀକ୍ଷା ପରିଚାଳନାରେ ସ୍ୱଚ୍ଛତା ଆଣିବାରେ ସହାୟକ ହେବ ନାହିଁ ବୋଲି ଡକ୍ଟର ମିଶ୍ର କହିଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button