ରାଜ୍ୟ

କ୍ରାଇମ୍‌ବ୍ରାଞ୍ଚ କହି ଠକିଥି​ଲେ ୨୩ଲକ୍ଷ:ରାଜସ୍ଥାନରୁ ୨ଜଣଙ୍କୁ ବାନ୍ଧିଲା ପୁଲିସ୍

ରାଉରକେଲା: ନିଜକୁ ମୁମ୍ବାଇ କ୍ରାଇମ୍‌ବ୍ରାଞ୍ଚ ଏବଂ ସିବିଆଇ ଅଫିସର ପରିଚୟ ଦେଇ ଜଣେ ବ୍ୟକ୍ତିଙ୍କଠାରୁ ୨୩ ଲକ୍ଷ ଟଙ୍କା ଠକିବା ଅଭିଯୋଗରେ ରାଉରକେଲା ପୁଲିସ୍ ୨ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ରାଜସ୍ଥାନ ଜୟପୁରର ମୁକେଶ ସାଇନି (୨୧) ଏବଂ ହର୍ଷିତ ସାଇନି (୨୨)। ଉଭୟଙ୍କୁ ଯୋଧପୁର ଏବଂ ଜୟପୁରରୁ ଗିରଫ ପରେ ରାଜସ୍ଥାନ ଚୋମୁ ଏସିଜେଏମ୍‌ କୋର୍ଟରେ ହାଜରେ କରି ଟ୍ରାଞ୍ଜିଟ୍‌ ରିମାଣ୍ଡରେ ରାଉରକେଲା ଆଣିଛି।

ଗତ ଅଗଷ୍ଟ ୩୦ ତାରିଖ ଦିନ ୧୧ଟା ୩୦ରେ ରାଉରକେଲାର ଅରୁଣ ମଣ୍ଡଳଙ୍କୁ ଡିଏଚ୍‌ଏଲ୍‌ କୋରିଅର ସର୍ଭିସ୍‌ରୁ ଏକ କଲ୍‌ ଆସିଥିଲା। ତାଙ୍କ ନମ୍ବରରେ ଆସିଥିବା ପାର୍ସଲ ଫେରସ୍ତ ଦେବାକୁ ଡେଲିଭରି ଏଜେଣ୍ଟ ଜଣକ କହିଥିଲେ। କିନ୍ତୁ ​ତାଙ୍କ ପାଖରେ କୌଣସି ପାର୍ସଲ ନାହିଁ ବୋଲି ଅରୁଣ କହିଥିଲେ।
ପରେ ତାଙ୍କ ଆଧାରକାର୍ଡ ବ୍ୟବହାର କରି କେହି ଜଣେ ମୁମ୍ବାଇରୁ ଚାଇନାକୁ ମାଦକ ଦ୍ରବ୍ୟ ପଠାଇଥିବା ଡେଲିଭରି ଏଜେଣ୍ଟ କହିଥିଲେ। ଏନେଇ ଅରୁଣ ସ୍ଥାନୀୟ ଥାନାରେ ଅଭିଯୋଗ କରିବାକୁ ଯିବା ସମୟ​ରେ ତାଙ୍କୁ ଆଉ ଏକ କଲ୍‌ ଆସିଥିଲା। ମୁକେଶ ଏବଂ ହର୍ଷିତ ଯୋଜନା କରି କଲ୍‌ରେ ମୁମ୍ବାଇ କ୍ରାଇମ୍‌ବ୍ରାଞ୍ଚରୁ କହୁଛୁ ବୋଲି କହିଥିଲେ ଏବଂ ପରେ ମୋହିତ ହଣ୍ଡା ନାମକ ଜଣେ ବ୍ୟକ୍ତି ଅରୁଣଙ୍କ ସହ କଥା ହୋଇଥିଲେ।

ତା’ପରେ ସାଇବର ଠକ ମାନେ ସ୍କାଇପିରେ ଭିଡିଓ କଲ୍‌ କରି ସତ ପୁଲିସ ଅଫିସର ବୋଲି ପ୍ରମାଣ ଦେଇଥିଲେ। ତାଙ୍କ ନାଁରେ ଆସିଥିବା ମାଦକଦ୍ରବ୍ୟ ମାମଲା ରଫାଦଫା କରିବା ପାଇଁ ୨୦ ଲକ୍ଷ ଟଙ୍କା ମାଗିଥିଲେ। ପରେ କ୍ଲିଅରାନ୍ସ ପାଇଁ ଆଉ ୩ ଲକ୍ଷ ଟଙ୍କା ମାଗିଥିଲେ। ଅରୁଣ ୨ ଥରରେ ମୋଟ ୨୩ ଲକ୍ଷ ଟଙ୍କା ସାଇବର ଠକଙ୍କ ଆକାଉଣ୍ଟକୁ ପଠାଇଥିଲେ। ଏହି ଘଟଣା ସମ୍ପର୍କରେ ପ୍ରଘଟ କଲେ ଅରୁଣ ଏବ ତାଙ୍କ ପୁଅକୁ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ।

କିନ୍ତୁ ପୁଣି ଟଙ୍କା ମାଗିବାରୁ ଅରୁଣ ଏନେଇ ଗତ ନଭେମ୍ବର ୨୬ ତାରିଖରେ ରାଉରକେଲା ସାଇବର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହି ମାମଲାର ତଦନ୍ତ କରି ରାଉରକେଲା ପୁଲିସର ଏକ ୫ ଜଣିଆ ଟିମ୍‌ ୭ ତାରିଖରେ ରାଜସ୍ଥାନ ଯାଇଥିଲା। ୧୦ରୁ ୧୨ ଦିନର କସରତ ପରେ ୨ ଅଭିଯୁକ୍ତ ମୁକେଶ ଏବଂ ହର୍ଷିତକୁ ଗିରଫ କରିବାରେ ସଫଳ ହୋଇଥିଲା। ସେମାନଙ୍କ ଠାରୁ ଏକ ସ୍ମାର୍ଟଫୋନ୍‌(ଆଇ ଫୋନ୍‌-୧୨) ଜବତ କରାଯାଇଛି।

ଅଧିକ ପଢ଼ନ୍ତୁ: ବିଛିନ୍ନାଞ୍ଚଳରୁ ହେଲା ସ୍ବାଭିମାନ ଅଞ୍ଚଳ: ଏବେ ବି ଘୋଡ଼ା, ଲଞ୍ଚ ହିଁ ଭରସା

ଏହି ଘଟଣାରେ ଆହୁରି ୮ରୁ ୧୦ ଜଣଙ୍କ ସମ୍ପୃକ୍ତି ଥିବା ସୂଚନା ମିଳିଛି। ପୁଲିସ ତନାଘନା ଜାରି ରଖିଛି। ଯଦି କୌଣସି ବି ଲୋକଙ୍କୁ କେହି ବି କଲ୍‌ କରି କୌଣସି ପ୍ରକାର ଅର୍ଥ ଦାବି କରନ୍ତି ତା’ହେଲେ ତରୁନ୍ତ ସାଇବର କିମ୍ବା ସ୍ଥାନୀୟ ଥାନା ଅଥବା ୧୯୩୦/୧୧୨ ନମ୍ବରରେ କଲ କରିବାକୁ ରାଉରକେଲା ଏସ୍‌ପି ନିବେଦନ କରିଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button