ରାଜ୍ୟ

ଭାରି ପଡ଼ିଲା ଜବରଦସ୍ତିଆ ପ୍ରେମ ; ନିଲମ୍ବିତ ହେଲେ ଆଇପିଏସ ପଣ୍ଡିତ ରାଜେଶ

ପ୍ରେମରେ ପାଗଳାମି ମହଙ୍ଗା ପଡ଼ିଲା। ଚାକିରୀରୁ ନିଲମ୍ୱିତ ହେଲେ ଆଇପିଏସ ପଣ୍ଡିତ ରାଜେଶ ଉତ୍ତମରାଓ। ଜଣେ ବିବାହିତା ମହିଳା ଇନ୍ସପେକ୍ଟରଙ୍କ ଘରକୁ ମାତାଲ ଅବସ୍ଥାରେ ଯାଇ ଦାଦାଗିରି ଦେଖାଇବାରୁ ରାଜ୍ୟ ସରକାର ଆକ୍ସନ ନେଇଛନ୍ତି। ଗଲା ୨୭ ତାରିଖ ରାତିରେ କେଶରୀ ନଗରରେ ରହୁଥିବା ଇଓଡବ୍ଲୁରେ କାର୍ଯ୍ୟରତ ମହିଳା ଇନ୍ସପେକ୍ଟରଙ୍କ ଘରକୁ ମାତାଲ ଅବସ୍ଥାରେ ଯାଇ ନିଜ ସାଙ୍ଗରେ ଯିବାକୁ ବାଧ୍ୟ କରିବା ଓ ବାହା ହେବାକୁ ଜିଦ୍ କରିବାରୁ ଘଟିଥିବା ହଙ୍ଗାମା ଲାଗି ଦଣ୍ଡିତ ହୋଇଛନ୍ତି ପଣ୍ଡିତ୍।

ମହଙ୍ଗା ପଡ଼ିଲା ପ୍ରେମରେ ବାଚାଳାମି। ଜଣେ ମହିଳା ଇନ୍ସପେକ୍ଟରଙ୍କ ସରକାରୀ କ୍ୱାର୍ଟସକୁ ନିଶାଶକ୍ତ ଅବସ୍ଥାରେ ଯାଇ ଏକାକୀ ଦେଖା କରି ବାହା ହେବାକୁ ଜିଦ୍ ଧରି ହଙ୍ଗାମା କରିଥିଲେ ଆଇପିଏସ ପଣ୍ଡିତ ରାଜେଶ ଉତ୍ତମରାଓ। ହେଲେ ଏହାକୁ ବିରୋଧ କରିଥିବା ମହିଳା ଇନ୍ସପେକ୍ଟରଙ୍କ ସ୍ୱାମୀଙ୍କୁ ବି ମାଡ଼ ମାରି ମୁହଁ ଫଟାଇଦେଇଥିଲେ। ଉଭୟଙ୍କ ଭିତରେ ଉଚ୍ଚବାଚ ଓ ମାରପିଟ୍ ଖବର ପାଇ କ୍ୟାପିଟାଲ ଥାନା ଆଇଆଇସି ଓ ଏସିପି ଘଟଣାସ୍ଥଳରେ ପହଞ୍ଚି ଯେନତେନ ବୁଝାଇ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ। ଗଲା ୨୭ ତାରିଖ ରାତିର ଏହି ଘଟଣା ଶେଷରେ ସବୁଠି ଚର୍ଚ୍ଚା ହେଲା। ଆଇପିଏସ ପଣ୍ଡିତ ଅଗ୍ନିଶମ ଓ ହୋମଗାର୍ଡ ଡିଆଇଜି ଭାବେ କାର୍ଯ୍ୟରତ ଥିଲେ। ଜଣେ ଆଇପିଏସ କେମିତି ହିତାହିତ ଜ୍ଞାନ ଭୁଲି, ନିଜର ପରିବାର ଥିବା ସତ୍ତ୍ୱେ ଜଣେ  ବିବାହିତା ମହିଳା ଇନ୍ସପେକ୍ଟରଙ୍କୁ ଜୋରଜବରଦସ୍ତି ବିବାହ ଲାଗି ଟଣାଓଟରା କରୁଥିଲେ। ଏ କଥା ଆଉ କାହାରିକୁ ଅଛପା ରହିଲାନି। କଥା ଦାଣ୍ଡରେ ଯାଇ ହାଟରେ ଗଡ଼ିବାରୁ ଏଭଳି ବିଶୃଙ୍ଖଳିତ ଆଇପିଏସ ପଣ୍ଡିତ ରାଜେଶଙ୍କୁ ଚାକିରୀରୁ ଶେଷରେ ନିଲମ୍ୱିତ କରିଛନ୍ତି ରାଜ୍ୟ ସରକାର। ଅଭିଯୋଗ ଜାତୀୟ ମାନବାଧିକାର କମିଶନଙ୍କ ପାଖରେ ବି ପହଞ୍ଚିଥିଲା। ଜାତୀୟ ମାନବାଧିକାର କମିଶନ ବି ଘଟଣାର ଗୁରୁତ୍ୱକୁ ବୁଝି ଏହାକୁ ବିଚାର ଲାଗି ଗ୍ରହଣ କରିସାରିଛନ୍ତି। ଯେଉଁଠି ଜଣେ ମହିଳା ଇନ୍ସପେକ୍ଟର ନିଜ ଘରେ ସୁରକ୍ଷିତ ନୁହଁନ୍ତି। ସେଠାରେ ଘଟଣାର ନିରପେକ୍ଷ ତଦନ୍ତ କରି ଆକ୍ସନ ନେବାକୁ ଦାବି କରାଯାଇଥିଲା।

୫୦ ବର୍ଷୀୟ ଆଇପିଏସ ପଣ୍ଡିତ ବିବାହିତ। ନିଜ ପରିବାର ସହ ଭୁବନେଶ୍ୱରରେ ରୁହନ୍ତି। ଅପରପକ୍ଷେ ମହିଳା ଇନ୍ସପେକ୍ଟର ଜଣଙ୍କ ମଧ୍ୟ ଦୁଇ ସନ୍ତାନର ଜନନୀ। ହେଲେ ଉଭୟଙ୍କ ଭିତରେ ଏମିତି କଅଣ ଥିଲା ଯେ, ଆଇପିଏସ ପଣ୍ଡିତ୍ ସବୁ ବାଡ଼ବତା ଡେଇଁ ନିଜର ପଦମର୍ଯାଦାକୁ ଦଳିଚକଟି ଦେବାକୁ ବି ପଛାଇଲେନି। ସମାଜରେ ଆଇନରକ୍ଷକର ଭୂମିକା କେମିତି ହେବା କଥା। ସମସ୍ତଙ୍କ ଲାଗି ଆଦର୍ଶ ହେବା ଦରକାର। ହେଲେ ଏଠାରେ ଠିକ୍ ଓଲଟା। ଯାହା ସମାଜ ଲାଗି ବି କଳଙ୍କିତ ଅଧ୍ୟାୟ ସୃଷ୍ଟି କଲା ବୋଲି କ୍ଷୋଭ ଝାଡ଼ିଛନ୍ତି ସମାଜସେବୀ। ଏଭଳି ଅଧିକାରୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଜରୁରୀ।

ପୁଲିସ ଡିଜିଙ୍କ ସୁପାରିଶକ୍ରମେ ବିଶୃଙ୍ଖଳିତ ଆଇପିଏସ ପଣ୍ଡିତଙ୍କୁ ରାଜ୍ୟ ସରକାର ନିଲମ୍ୱିତ କରିଛନ୍ତି। ତାଙ୍କ ବିରୁଦ୍ଧରେ ଖୁବ ଶୀଘ୍ର ଶୃଙ୍ଖଳାଗତ ପ୍ରୋସିଡିଂ ଆରମ୍ଭ ହେବ। ନିଲମ୍ୱନ କାଳରେ କଟକସ୍ଥିତ ପୁଲିସ ମୁଖ୍ୟାଳୟରେ ହାଜିରେ ଦେବେ ଓ ଡିଜିପିଙ୍କ ବିନା ଅନୁମତିରେ ବାହାରକୁ ଯାଇପାରିବେନି ପଣ୍ଡିତ୍। ରାଜ୍ୟ ସରକାରଙ୍କ ଗୃହ ବିଭାଗ ଏହି ନିର୍ଦେଶାନାମା ଜାରି କରିଛି।

Related Articles

Leave a Reply

Your email address will not be published. Required fields are marked *

Back to top button