ଶୃଙ୍ଖଳା ବିଭାଗରେ ବଢ଼ୁଛି ବିଶୃଙ୍ଖଳା: ଏସ୍ପି, ଆଇଜି ପାହ୍ୟାର ଅଧିକାରୀ ବି ନିର୍ଯାତନାର ଶିକାର
କଟକ: ଓଡ଼ିଶା ପୁଲିସ୍ରେ ବଢୁଛି ବିଶୃଙ୍ଖଳା। ବିଭାଗରେ ନିର୍ଯାତନା, ଦୁର୍ବ୍ୟବହାର ଭଳି ଅଭିଯୋଗ ଲମ୍ବିବାରେ ଲାଗିଛି। ସ୍ଥିତି ଏମିତି ଯେ ଏସ୍ପି, ଆଇଜି ପାହ୍ୟାର ଅଧିକାରୀ ବି ଏଥିରୁ ବାଦ୍ ପଡ଼ୁନାହାନ୍ତି। ଅଭିଯୋଗ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ସମୟ ଗଡ଼ାଇ ଦିଆଯାଉଥିବାରୁ ବରିଷ୍ଠ ଓ କନିଷ୍ଠ ଅଧିକାରୀଙ୍କ ମଧ୍ୟରେ ବ୍ୟବଧାନ ବଢ଼ିବା ସହିତ କାର୍ଯ୍ୟ କ୍ଷେତ୍ରରେ ବି ସମସ୍ୟା ସୃଷ୍ଟି ହେଉଛି।
ସୂଚନା ଅନୁଯାୟୀ ଗତ ନଭେମ୍ବର ମାସରେ ପୁଲିସ ମୁଖ୍ୟାଳୟ ଏଡିଜି ଦୟାଲ ଗଙ୍ଗୱାରଙ୍କ କାର୍ଯ୍ୟାଳୟରେ ତୁମୁଳକାଣ୍ଡ ଘଟିଥିଲା। ଆଇଜି (ପ୍ରୋଭିଜନିଂ) ଯତିନ୍ଦ୍ର କୋୟଲ ଓ ଆଇଜି (କମ୍ୟୁନିକେସନ୍) ସତୀଶ କୁମାର ଗଜଭିୟେଙ୍କ ମଧ୍ୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଡିଜିଙ୍କ ଉପସ୍ଥିତିରେ ଶ୍ରୀ କୋୟଲ ତାଙ୍କୁ ଧମକ, ଗାଳିଗୁଲଜ ଓ ଦୁର୍ବ୍ୟବହାର କରିବା ଭଳି ସଂଗିନ ଅଭିଯୋଗ ଆଣିଥିଲେ ଶ୍ରୀ ଗଜଭିୟେ। ତଥ୍ୟପ୍ରମାଣ ସହିତ ଶ୍ରୀ ଗଜଭିୟେ ଘଟଣା ସଂପର୍କରେ ପୁଲିସ ଡିଜି ୱାଇ. ବି. ଖୁରାନିଆଙ୍କୁ ଲିଖିତ ଭାବେ ଅବଗତ କରିଥିବା କୁହାଯାଉଛି। ଆଇଜି ଶ୍ରୀ କୋୟଲଙ୍କ ବିରୋଧରେ ପୂର୍ବରୁ ବି ପୁଲିସ ସିଗନାଲ୍ ବିଭାଗର ଏସ୍ପି ଏସ୍.ଏମ୍.ରହମନ୍ ବିଭାଗର ଏଡିଜିଙ୍କୁ ଲିଖିତ ଅଭିଯୋଗ କରିଥିଲେ। ଶ୍ରୀ କୋୟଲ ତାଙ୍କୁ ଲଗାତାର ଭାବେ ଗାଳିଗୁଲଜ, ଧମକ, ମାନସିକ ନିର୍ଯାତନା ଦେବା ଭଳି ଅଭିଯୋଗ ଆଣିଥିଲେ ଶ୍ରୀ ରହମନ୍। ଅଫିସ ଭିତରେ ତାଙ୍କୁ ଗାଳିଗୁଲଜ କରାଯିବା ସହିତ ଫୋନ୍ କଲ୍ କରି ଧମକ ଦିଆଯାଇଥିବା ସଂପର୍କରେ ସେ ଲିଖିତ ଭାବେ ଏଡିଜିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏସ୍.ଏମ୍. ରହମନ୍ ଇତିମଧ୍ୟରେ ଅବସର ନେଇ ସାରିଥିବା ବେଳେ ତାଙ୍କୁ କିନ୍ତୁ ଏ କ୍ଷେତ୍ରରେ ନ୍ୟାୟ ମିଳିନାହିଁ। ଶ୍ରୀ କୋୟଲଙ୍କ ବିରୋଧରେ ଏଭଳି ଦୁର୍ବ୍ୟବହାର ଓ ନିର୍ଯାତନାକୁ ନେଇ ପୂର୍ବରୁ ବି ଅନେକ ଅଭିଯୋଗ ରହି ଆସିଛି। ଏମିତିକି ଅଭିଯୋଗ କରିଥିବା ବ୍ୟକ୍ତିଙ୍କ ଉପରେ ଚାପ ପ୍ରୟୋଗ କରି ଅଭିଯୋଗ ପ୍ରତ୍ୟାହାର ପାଇଁ ବାଧ୍ୟ କରାଯାଇଥିବା ଭଳି ସଂଗିନ ଅଭିଯୋଗ ମଧ୍ୟ ରହିଛି।
ଉଚ୍ଚସ୍ତରୀୟ ବୈଠକରେ କଥା କଟାକଟି, ଆକ୍ଷେପ ପ୍ରତିଆକ୍ଷେପ
କାର୍ଯ୍ୟାନୁଷ୍ଠାନ ବଦଳରେ ଚାପି ଦିଆଯାଉଛି ଅଭିଯୋଗ
କିଛି ବର୍ଷ ତଳେ ଜଣେ ମହିଳା ଆଇପିଏସ୍ ଅଧିକାରୀଙ୍କୁ ବରିଷ୍ଠ ଅଧିକାରୀ ନିର୍ଯାତନା ଦେବା ଭଳି ସଂଗିନ ଅଭିଯୋଗ ଆସିଥିଲା। କିନ୍ତୁ ତାହା ମଧ୍ୟ ତଦନ୍ତ ପ୍ରକ୍ରିୟା ଭିତରେ ଚପି ଯାଇଥିଲା। ଗଲା ଦୁଇ ବର୍ଷ ଭିତରେ ଏଭଳି ୧୦ରୁ ଅଧିକ ଅଭିଯୋଗ ବିଭିନ୍ନ ଅଧିକାରୀଙ୍କ ବିରୋଧରେ ରହିଥିଲେ ବି କୌଣସି କ୍ଷେତ୍ରରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହୋଇ ନଥିବା ଜଣାପଡ଼ିଛି। ପୁଲିସ ମୁଖ୍ୟାଳୟରେ କେତେକ ବରିଷ୍ଠ ଅଧିକାରୀ ୫/୬ ବର୍ଷ ଧରି ବିଭିନ୍ନ ବିଭାଗରେ ଗାଦି ମାଡ଼ି ବସିଛନ୍ତି। ପ୍ରଭାବ ବିସ୍ତାର କରି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଭାଗ ହାତରେ ରଖୁଛନ୍ତି। ଏ ପ୍ରକାର ସ୍ଥିତି ଯୋଗୁଁ ବିଭାଗରେ ବିଶୃଙ୍ଖଳା ବଢ଼ି ଚାଲିଥିବା କୁହାଯାଉଛି। ଦୁଇ ଦିନ ତଳେ ପୁଲିସ ମୁଖ୍ୟାଳୟରେ ବସିଥିବା ଏକ ଉଚ୍ଚସ୍ତରୀୟ ବୈଠକରେ ବିଭାଗର ବିଭିନ୍ନ ସାମଗ୍ରୀ କିଣାରେ ଦୁର୍ନୀତିକୁ ନେଇ ଜୋରଦାର ଆଲୋଚନା ବେଳେ ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ତୀବ୍ର କଥା କଟାକଟି ହୋଇଥିଲା। ପରେ ଆଇଜି (ପ୍ରୋଭିଜନିଂ) ୟତିନ୍ଦ୍ର କୋଏଲଙ୍କ ହାତରୁ ଆକାଉଣ୍ଟସ, ବଜେଟ୍ ପ୍ରସ୍ତୁତି ଭଳି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ କାଢ଼ି ନିଆଯାଇଥିବା ସୂଚନା ମିଳିଛି। ଅଧିକାରୀଙ୍କ ବିରୋଧରେ ଅଭିଯୋଗ ମିଳିବା ପରେ ନିୟମ ଅନୁଯାୟୀ ଉଚ୍ଚସ୍ତରୀୟ କମିଟି ଦ୍ବାରା ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ତାହାକୁ ଚାପି ଦିଆଯାଉଥିବାରୁ ଶୃଙ୍ଖଳିତ ପୁଲିସ ବିଭାଗ ଧୀରେ ଧୀରେ ବିଶୃଙ୍ଖଳାରେ ଛନ୍ଦି ହେବାକୁ ବସିଛି।