ରାଜ୍ୟ

ଗୋତି ଶ୍ରମିକ ପାଇଁ ଓଡ଼ିଶା ବଦନାମ: ଅଗ୍ରିମ ଟଙ୍କା ‌ନେଇ ମୁଣ୍ଡ ବିକୁଛନ୍ତି

ଭୁବନେଶ୍ବର: ଦାଦନ ପ୍ରବଣତା ପାଇଁ ବଦନାମ୍ ଓଡ଼ିଶା ଏବେ ଗୋତି ଶ୍ରମିକଙ୍କ ପାଇଁ ସାରା ଦେଶରେ ଅପବାଦ ମୁଣ୍ଡାଇଲାଣି। ବିହାର, ଝାଡ଼ଖଣ୍ଡ, କର୍ଣ୍ଣାଟକ, ତାମିଲନାଡ଼ୁ, ଓଡ଼ିଶା ଭଳି ରାଜ୍ୟରୁ ଅଧିକ ଲୋକ ଗୋତି ଶ୍ରମିକ ଭାବେ ଖଟୁଥିଲେ ହେଁ ସାରା ଦେଶରେ ଓଡ଼ିଶା ଶ୍ରମିକଙ୍କର ଚାହିଦା ବଢ଼ିବାରେ ଲାଗିଛି। ବିଭିନ୍ନ ସ୍ବେଚ୍ଛାସେବୀ ସଂସ୍ଥାଙ୍କ ସର୍ଭେ ଅନୁଯାୟୀ, ଓଡ଼ିଶା ଶ୍ରମିକ ବହୁତ ପରିଶ୍ରମୀ ଓ କମ୍‌ ମଜୁରିରେ କାମ କରନ୍ତି। କେବଳ ସେତିକି ନୁହେଁ, ମାଲିକଙ୍କୁ ଡରିକି ରୁହନ୍ତି, ମାଲିକ କି ଦଲାଲ୍‌ଙ୍କ ବିରୋଧରେ ସ୍ବର ଉଠାନ୍ତିନାହିଁ। ଅଧିକାଂଶ ଲୋକଙ୍କର ଚାଷଜମି ନାହିଁ, ରାଜ୍ୟ ସରକାର ଗୋତି ଶ୍ରମିକ ପ୍ରଥା ବନ୍ଦ ପାଇଁ ଆବଶ୍ୟକ ସହାୟତା ଦିଅନ୍ତି ନାହିଁ ଏବଂ ଗୋତି ଖଟାଉଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କଡ଼ା ଆଇନ ନ ଥିବାରୁ ବାହାର ରାଜ୍ୟର ବିଭିନ୍ନ ସଂସ୍ଥା, ବ୍ୟକ୍ତି ଓଡ଼ିଶାରୁ ଲୋକ ନେବାକୁ ପସନ୍ଦ କରୁଛନ୍ତି।

ସରଳ, ଗରିବ ଓଡ଼ିଆଙ୍କ ଦୁଃଖ ସମୟରେ ୫ରୁ ୧୦ହଜାର ଟଙ୍କାର ଅଗ୍ରିମ ଆର୍ଥିକ ସାହାଯ୍ୟ ଦେଇ ଦଲାଲ୍‌ମାନେ ବାହାର ରାଜ୍ୟକୁ ଏମାନଙ୍କୁ ଚାଲାଣ କରୁଛନ୍ତି। କାରଖାନାରେ କାମ କରିବ କହି ଏଠାରୁ ନେଉଛନ୍ତି। ହେଲେ ଅନ୍ୟ ରାଜ୍ୟରେ ଇଟା ଭାଟି, ଚିଙ୍ଗୁଡ଼ି ଫ୍ୟାକ୍ଟ୍ରି, ପଥର ଖାଦାନ, କପଡ଼ା କାରଖାନା, ଗୋରୁ ଚରାଇବା ଭଳି କାର୍ଯ୍ୟରେ ନିୟୋଜିତ କରୁଛନ୍ତି। ବର୍ଷ ବର୍ଷ ଧରି ବନ୍ଧକ ରଖି ଖଟାଉଛନ୍ତି। ଏଥି ଲାଗି ଗାଁ ଗାଁରେ ଏବେ ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ, ତେଲେଙ୍ଗାନା, କେରଳ, କର୍ଣ୍ଣାଟକ ଆଦି ରାଜ୍ୟର ଦଲାଲ୍‌ ଡେରା ପକାଇଛନ୍ତି। ଧାନକଟା ସରି ଯାଇଥିବାରୁ ଏବଂ ବାହାଘର ଋତୁ ଚାଲୁଥିବାରୁ ଲୋକଙ୍କର ଟଙ୍କା ଦରକାର। ଦଲାଲ୍‌ମାନେ ଏହାର ଫାଇଦା ନେଇ କିଛି ଟଙ୍କା ଅଗ୍ରିମ ଦେଇ ମୁଣ୍ଡ କିଣି ନେଉଛନ୍ତି। ଗତ ୫ବର୍ଷରେ ଦେଶର ବିଭିନ୍ନ ସ୍ଥାନରୁ ୨୩୦୦ଜଣ ଉଦ୍ଧାର ହୋଇଛନ୍ତି।
ଗତ ୮ବର୍ଷରେ ଓଡ଼ିଶାରୁ ୨୪୧୧ଜଣ ଗୋତି ଶ୍ରମିକ ଉଦ୍ଧାର ହୋଇଥିବା ରାଜ୍ୟ ସରକାରଙ୍କ ରେକର୍ଡ କହୁଛି।

ଅଗ୍ରିମ ଟଙ୍କା ‌ନେଇ ମୁଣ୍ଡ ବିକୁଛନ୍ତି
ଘରକୁ ଫେରିଲେ ମିଳୁନି ସରକାରୀ ସହାୟତା
ଗାଁ ଗାଁରେ ଆନ୍ଧ୍ର, ତେଲେଙ୍ଗାନା, ତାମିଲନାଡ଼ୁ ଦଲାଲ୍‌
୮ବର୍ଷରେ ଉଦ୍ଧାର ହେଲେଣି ୨୪୧୧

ହେଲେ ବେସରକାରୀ ତଥ୍ୟ କହୁଛି ଓଡ଼ିଶାରେ ଏହି ସଂଖ୍ୟା ୫୦ହଜାରରୁ ଅଧିକ। ବରଗଡ଼, ବଲାଙ୍ଗୀର, ଢେଙ୍କାନାଳ, ଗଜପତି, କଳାହାଣ୍ଡି, ମାଲକାନଗିରି, କଟକ, ପୁରୀ, ସମ୍ବଲପୁର, ନୂଆପଡ଼ା, ସୁବର୍ଣ୍ଣପୁର ଭଳି ୧୧ଟି ଜିଲ୍ଲା ଗୋତିଶ୍ରମିକପ୍ରବଣ ବୋଲି ରାଜ୍ୟ ସରକାରଙ୍କ ରେକର୍ଡ କହୁଛି। କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟର ନିୟମ କହୁଛି, ଯେଉଁଠି ଗୋତି ଶ୍ରମିକ ଖଟୁଥିବା ଅଭିଯୋଗ ଆସିବ ସେଠାରେ ସ୍ଥାନୀୟ ଜିଲ୍ଲା ପ୍ରଶାସନ ଚଢ଼ାଉ କରି ତାଙ୍କୁ ଉଦ୍ଧାର କରିବ। ଯେଉଁ ରାଜ୍ୟର ଯେଉଁ ଜିଲ୍ଲାରୁ ଗୋତି ଶ୍ରମିକ ଉଦ୍ଧାର ହେବେ ସେହି ଜିଲ୍ଲା ପ୍ରଶାସନ ଉକ୍ତ ଶ୍ରମିକଙ୍କୁ ତୁରନ୍ତ ୩୦ହଜାର ଟଙ୍କାର ସହାୟତା ପ୍ରଦାନ କରିବେ। ଏହା ସହ ଏକ ରିଲିଜ୍ ସାର୍ଟିଫିକେଟ୍ ମଧ୍ୟ ଦେବେ। ଏହି ସାର୍ଟିଫିକେଟ୍ ପାଇଥିବା ଶ୍ରମିକଙ୍କୁ ତାଙ୍କ ରାଜ୍ୟ ସରକାର ପୁରୁଷଙ୍କ ପିଛା ୧ଲକ୍ଷ ଟଙ୍କା, ମହିଳାଙ୍କୁ ୨ଲକ୍ଷ, କିନ୍ନର, ଭିନ୍ନକ୍ଷମ ଓ ଯୌନ ଅତ୍ୟାଚାର ଶିକାର ହୋଇଥିବା ପୀଡ଼ିତାଙ୍କୁ ୩ଲକ୍ଷ ଟଙ୍କା ପ୍ରଦାନ କରିବେ। ଏହାସହ ବିଭିନ୍ନ ସରକାରୀ ସହାୟତା ପ୍ରଦାନ କରାଯିବ। ହେଲେ ଏହାକୁ ପ୍ରଦାନ କରାଯାଉନି। ଯେଉଁଥିପାଇଁ ଅର୍ଥ ଅଭାବରୁ ଗୋତି ଖଟୁଥିବା ଶ୍ରମିକ ଉଦ୍ଧାର ହେବା ପରେ ମଧ୍ୟ କୌଣସି ସହାୟତା ପାଉନଥିବାରୁ ବାଧ୍ୟ ହୋଇ ପୁଣି ଗୋତି ଖଟିବାକୁ ଅନ୍ୟତ୍ର ଯାଉଛନ୍ତି।

ଗତ ନଭେମ୍ବର ୨୧ରେ ସୁପ୍ରିମକୋର୍ଟ ଗୋତି ଶ୍ରମିକଙ୍କ ସମ୍ପର୍କିତ ଏକ ମାମଲାର ଶୁଣାଣିବେଳେ ବିଭିନ୍ନ ରାଜ୍ୟ ସରକାରଙ୍କୁ ତାଗିଦ୍ କରିଛନ୍ତି। ଏହା ପରେ ଓଡ଼ିଶା ପଞ୍ଚାୟତିରାଜ ଓ ପାନୀୟଜଳ ସଚିବ ସୋମବାର ଉପରୋକ୍ତ ୧୧ଟି ଗୋତି ଶ୍ରମିକପ୍ରବଣ ଜିଲ୍ଲାର ଜିଲ୍ଲାପାଳ ଏବଂ ଜିଲ୍ଲାପରିଷଦ ନିର୍ବାହୀ ଅଧିକାରୀଙ୍କୁ ଚିଠି ଲେଖି ଅନୁରୂପ ଢଙ୍ଗରେ ସତର୍କ କରାଇଛନ୍ତି। ଦେଶର ବିଭିନ୍ନ ସ୍ଥାନରୁ ଗତ ୫ବର୍ଷରେ ୨୩୦୦ ଗୋତି ଶ୍ରମିକ ଉଦ୍ଧାର ହେବା ସାରା ଦେଶରେ ଓଡ଼ିଶାର ଛବିକୁ ମଳିନ କରୁଛି ବୋଲି କହିଛନ୍ତି। ଏପରିକି ଗୋତି ଶ୍ରମିକ ଉଦ୍ଧାର ହୋଇ ଆସିଲେ ତାଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା, ଅନ୍ୟ ରୋଜଗାର ଯୋଗାଇବା, ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରିବା, ଆବାସ ଘର ଯୋଗାଇବା, ଭୂମିହୀନଙ୍କୁ ତୁରନ୍ତ ଜମି ଯୋଗାଇବା ଭଳି ନିୟମ ଥିଲେ ବି କାହିଁକି ଯୋଗାଇ ଦିଆଯାଉନି ବୋଲି ପଚାରିବା ସହ କେତେ ଗୋତି ଶ୍ରମିକଙ୍କୁ ସରକାରୀ ସୁବିଧା ମିଳିଛି ସେ ନେଇ ତଥ୍ୟ ଦେବାକୁ କୁହାଯାଇଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button