ରାଜ୍ୟ

ଓଡ଼ିଶାରେ ହିନ୍ଦୀ ଭାଷାର ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ୬ ପ୍ରସ୍ତାବ

ଭୁବନେଶ୍ବର: ନୂଆଦିଲ୍ଲୀରେ ଆଜି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରୀୟ ହିନ୍ଦୀ ସମିତିର ୩୨ତମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବା ସହ ଓଡ଼ିଶାରେ ହିନ୍ଦୀ ଭାଷାର ପ୍ରଚାରପ୍ରସାର ପାଇଁ କେତେକ ପ୍ରସ୍ତାବ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ ମୁତାବକ ଓଡ଼ିଶାରେ ସ୍ୱତନ୍ତ୍ର ହିନ୍ଦୀ ଶିକ୍ଷା ପ୍ରତିଷ୍ଠାନ ସ୍ଥାପନ, ରାଜ୍ୟରେ ଅଧିକ ସଂଖ୍ୟକ ହିନ୍ଦୀ ଶିକ୍ଷକ ସୃଷ୍ଟି, ହିନ୍ଦୀ ସାହିତ୍ୟକୁ ପ୍ରୋତ୍ସାହନ ଦେବା ପାଇଁ ସ୍ୱତନ୍ତ୍ର ହିନ୍ଦୀ ଶିକ୍ଷା ପ୍ରତିଷ୍ଠାନ, ଓଡ଼ିଆ-ହିନ୍ଦୀ ଅନୁବାଦ କେନ୍ଦ୍ର ପ୍ରତିଷ୍ଠା, ଓଡ଼ିଆ ଓ ହିନ୍ଦୀ ଭାଷାର ପ୍ରଚାର ପ୍ରସାର ପାଇଁ ଉଭୟ ଭାଷାର ଅନବଦ୍ୟ ସାହିତ୍ୟିକ କୃତି ଓ ଅନ୍ୟାନ୍ୟ ରଚନାଗୁଡ଼ିକର ଅନୁବାଦ ଆବଶ୍ୟକ।

କେନ୍ଦ୍ର ସରକାରଙ୍କ ରାଜଭାଷା ବିଭାଗର ଆର୍ଥିକ ସହାୟତାରେ ଏକ ସ୍ୱତନ୍ତ୍ର ଅନୁବାଦ କେନ୍ଦ୍ର ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ। ହିନ୍ଦୀ ଓ ଓଡ଼ିଆ ଭାଷା ଓ ସାହିତ୍ୟ ମଧ୍ୟରେ ଅଧିକ ସାଂସ୍କୃତିକ ବିନିମୟ ପାଇଁ ଜାତୀୟ ଓ ରାଜ୍ୟ ସ୍ତରରେ ଅଧିକ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବା ଆବଶ୍ୟକ। ଏସବୁ କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟର କବି, ସାହିତ୍ୟିକ, ଲେଖକ ଓ ବୁଦ୍ଧିଜୀବୀମାନେ ଅଂଶଗ୍ରହଣ କଲେ ହିନ୍ଦୀ ଓ ଓଡ଼ିଆ ମଧ୍ୟରେ ସାହିତ୍ୟିକ ଓ ସାଂସ୍କୃତିକ ସମ୍ବନ୍ଧ ବୃଦ୍ଧି ପାଇବ।

କେନ୍ଦ୍ରୀୟ ହିନ୍ଦୀ ସମିତିର ୩୨ତମ ବୈଠକରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ସେହିପରି ଉଭୟ ଭାଷାରେ ଅନୁସନ୍ଧାନ ଓ ଗବେଷଣା ପାଇଁ ଓଡ଼ିଶାରେ ଏକ ଇଣ୍ଟର-ଲାଙ୍ଗୁଏଜ୍ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ୍ର ସ୍ଥାପନ କରାଯିବା ଆବଶ୍ୟକ। ଏହାଦ୍ୱାରା ଉଭୟ ଭାଷାର ପାରସ୍ପରିକ ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରାଯାଇପାରିବ। ଶିକ୍ଷା ବ୍ୟବସ୍ଥାରେ ହିନ୍ଦୀ ଶିକ୍ଷାଦାନ ପାଇଁ ଆବଶ୍ୟକ ସମ୍ବଳ ପାଇଁ ରାଜ୍ୟକୁ କେନ୍ଦ୍ରୀୟ ଅନୁଦାନ ଓ ସ୍ୱତନ୍ତ୍ର ସହାୟତା ପ୍ରଦାନ କରିବା ଜରୁରି। ହିନ୍ଦୀ ସାହିତ୍ୟର ବିକାଶ ପାଇଁ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଓ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକୁ ସ୍ୱତନ୍ତ୍ର ଅନୁଦାନ ଓ ସହଯୋଗ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button