ଆଇନ କେଉଁ ବଡ଼ବଡ଼ିଆଙ୍କ ପକେଟ୍ରେ ରହିବ ନାହିଁ: ଧର୍ମେନ୍ଦ୍ର
ଆଠଗଡ଼: ଆଠଗଡ଼ ହେଉଛି ସ୍ବାଭିମାନ ଅଞ୍ଚଳ। ଇଂରେଜମାନଙ୍କ ସହ ଲଢେ଼ଇ କରିଥିବା ଆଠଗଡ଼ ମାଟି ଅନ୍ୟାୟ, ଅତ୍ୟାଚାର ବିରୋଧରେ କଦାପି ମୁଣ୍ଡ ନୁଆଁଇବ ନାହିଁ। ଆଠଗଡ଼ରେ ଆଇନକାନୁନ ଚାଲିବା ଦରକାର। ଆଇନ କେଉଁ ବଡ଼ବଡ଼ିଆଙ୍କ ପକେଟ୍ରେ ରହିବ ନାହିଁ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଆଠଗଡ଼ ବିଜେପିର ମିଶ୍ରଣପର୍ବରେ ଯୋଗଦେଇ କହିଛନ୍ତି। ଚାଷୀଙ୍କ ଅଞ୍ଚଳ ଆଠଗଡ଼ରେ ରେଙ୍ଗାଲି ପ୍ରକଳ୍ପ କାର୍ଯ୍ୟକୁ ନେଇ ସେ କଟାକ୍ଷ କରିଥିଲେ। ରେଙ୍ଗାଲି ପ୍ରକଳ୍ପ ପାଇଁ ବିଦେଶୀ ବ୍ୟାଙ୍କରୁ ଋଣ ଆଣି ଋଣ ଭାର ବଢ଼ାଯାଇଥିବା ବେଳେ ଆଠଗଡ଼ରେ ଚାଷୀଙ୍କୁ ପାଣି ମିଳିପାରି ନାହିଁ। ମହାନଦୀ ଓ ହୀରାକୁଦରୁ ପାଣିର ସୁବ୍ୟବସ୍ଥା କରାଗଲେ ଆଠଗଡ଼ରେ ସୁନା ଫଳିବ। ଚୌଦ୍ୱାର ଚାରବାଟିଆଠାରେ ଥିବା ୨ହଜାର ୫ ଶହ ଏକର ଏଆର୍ସିଏସ୍ ଜମିରେ ଦ୍ୱିତୀୟ ବୃହତ୍ତମ ଏୟାରପୋର୍ଟ ନିର୍ମାଣ କରାଯିବା ପାଇଁ ପ୍ରସ୍ତାବ ରହିଛି। ଏହାହେଲେ ଶିଳ୍ପ ଅଞ୍ଚଳ ତଥା ଆଖପାଖ ଅଞ୍ଚଳରେ ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ ବୋଲି ସେ କହିଥିଲେ।
ଆଠଗଡ଼ ବ୍ଲକ୍ ମହାକାଳବସ୍ତ ପଡ଼ିଆରେ ଅଭୟ ବାରିକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ମିଶ୍ରଣପର୍ବରେ ସାଂସଦ ଭର୍ତ୍ତୃହରି ମହତାବ୍ ଯୋଗଦେଇ କହିଥିଲେ ଯେ ଆଠଗଡ଼ ମାଟି ଏବେ ଭୟମୁକ୍ତ ହୋଇପାରିଛି। ପ୍ରଶାସନର ନାଲି ଆଖିତଳେ ଯିଏ ଅନ୍ୟାୟ, ଅନୀତିକୁ ପ୍ରଶୟ ଦିଏ ସେ ବେଶୀ ଦିନ ତିଷ୍ଠି ରହେ ନାହିଁ। ଯେଉଁମାନେ ଅତୀତରେ ଅନ୍ୟାୟ କରିଛନ୍ତି ସେମାନଙ୍କୁ ଛଡ଼ାଯିବ ନାହିଁ। ଗୋଚର ଜମିରେ ଘର କରିବା ପାଇଁ ବିଧାୟକ ପାଣ୍ଠିରୁ ଅର୍ଥ ବ୍ୟୟ ହୋଇ ପାରୁଥିଲା ବେଳେ ସାଂସଦ ପାଣ୍ଠିର ଅର୍ଥ ବ୍ୟୟ ନେଇ ଟାଳଟୁଳ ନୀତି ଅବଲମ୍ବନ କରାଯାଇଛି ବୋଲି ଶ୍ରୀ ମହତାବ ପ୍ରକାଶ କରିଥିଲେ।
ଏହି ମିଶ୍ରଣ ପର୍ବରେ କଟକ ସଦର ବିଧାୟକ ଇଂ. ପ୍ରକାଶ ଚନ୍ଦ୍ର ସେଠୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବ୍ରଜେନ୍ଦ୍ର କୁମାର ରାୟ, ବାଙ୍କୀର ତୁଷାରକାନ୍ତ ଚକ୍ରବର୍ତ୍ତୀ, କଟକ ସଦର ଜିଲ୍ଲା ସଭାପତି ରାମନାରାୟଣ ମହାନ୍ତି, ଆଠଗଡ଼ର ପୂର୍ବତନ ବିଧାୟକ ରମେଶ ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଆଠଗଡ଼ ବ୍ଲକ୍ ସମସରପୁର ସରପଞ୍ଚ, ମହାକାଳବସ୍ତ ସରପଞ୍ଚ, ତିଗିରିଆ ବ୍ଲକ୍ର ହାଟମାଳ ଓ ସୋମପଡ଼ା ସରପଞ୍ଚ, କୁଲାଇଲେ ଓ ମଞ୍ଚେଶ୍ବର ସମିତି ସଭ୍ୟ ତଥା ତିଗିରିଆ ବ୍ଲକର ସୋମପଡ଼ା ସମିତି ସଭ୍ୟ ପ୍ରମୁଖ ବିଜେପିରେ ଆନୁଷ୍ଠାନିକ ଭାବରେ ଯୋଗଦାନ କରିଥିଲେ।